ଭୁବନେଶ୍ବର: ସହରରୁ ବର୍ଷା ଜଳ ନିଷ୍କାସନ କରିବାରେ ଗଙ୍ଗୁଆର ପ୍ରମୁଖ ଭୁମିକା ରହିଛି। ସହରର ପ୍ରମୁଖ ୧୦ଟି ନଳା ଜରିଆରେ ସହରର ବର୍ଜ୍ୟଜଳ ନିଷ୍କାସିତ ହୋଇ ଏହି ଗଙ୍ଗୁଆକୁ ଯାଇଥାଏ। ବର୍ଷାଋତୁରେ ଭୁବନେଶ୍ବରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ। ଏଣୁ ଗଙ୍ଗୁଆକୁ ସଫା କରି ବର୍ଷାଜଳ ତ୍ବରିତ ନିଷ୍କାସନ କରିବାକୁ ଯୋଜନା ହୋଇଥିଲା। କଟକରେ ଥିବା ଡ୍ରେନେଜ୍ ଡିଭିଜନ୍ ଏହାକୁ ସଫା କରିବାକୁ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିବା ସହ ବଜେଟ୍ ଆକଳନ ମଧ୍ୟ କରିଥିଲା। କିନ୍ତୁ ଏହାର ଅଧିକାଂଶ ଭାଗକୁ ବିଏମ୍ସି ବ୍ୟବହାର କରୁଥିବାରୁ ଏହାକୁ ବିଏମ୍ସି ଅଧୀନକୁ ଆଣିବା ପାଇଁ ନିଷ୍ପତ୍ତି ହେଲା। କିନ୍ତୁ ବିଏମ୍ସିର ଡ୍ରେନେଜ୍ ଉପବିଭାଗରେ କର୍ମଚାରୀ ଅଭାବ ଓ ଦକ୍ଷତା ନଥିବା ଦର୍ଶାଇ ବିଏମ୍ସି କର୍ତ୍ତୃପକ୍ଷ ଏହି ପ୍ରସ୍ତାବ ଗ୍ରହଣ କରି ନଥିଲେ। ଏଣୁ ଏହା ପୁଣି ଥରେ ଡ୍ରେନେଜ୍ ଡିଭିଜନ୍କୁ ଫେରି ଯାଇଛି। କିଏ ମାଲିକ ହେବ ସେ ନେଇ ଦ୍ବନ୍ଦ୍ବ ଲାଗି ରହିଥିବା ବେଳେ ଗଙ୍ଗୁଆକୁ ଜଗିବାକୁ କେହି ନାହାନ୍ତି। ଏଣୁ ସେଥିରେ ଜବରଦଖଲ ବଢ଼ିବାରେ ଲାଗିଛି। ଲୋକମାନେ ଏହାର ଧାରରେ ପାଚେରି ତିଆରି କରି ସୀମା ନିର୍ଦ୍ଧାରଣ କରୁଛନ୍ତି। ଖାଲି ହେଉଥିବା ଜାଗାକୁ କିଏ ବିକି ଦେଉଛି ତ କିଏ ଘର କରି ବେପାର କରୁଛି। ଏହାର ଓସାର ସଙ୍କୁଚିତ ହୋଇଯାଇଥିବାରୁ ସହରର ବର୍ଜ୍ୟଜଳ ନିଷ୍କାସନ ନେଇ ସମସ୍ୟା ହେବା ଆଶଙ୍କା ଦେଖା ଦେଇଛି। ଆଗକୁ ବର୍ଷାଋତୁ ଆସୁଛି। ଏଭଳି ସ୍ଥିତି ଲାଗି ରହିଲେ ଭୁବନେଶ୍ବରରେ ଜଳବନ୍ଦୀ ସମସ୍ୟା ବହୁଗୁଣିତ ହେବ ବୋଲି ସଚେତନ ନାଗରିକମାନେ ମତ ଦେଇଛନ୍ତି।
ଚନ୍ଦକା ସଂରକ୍ଷିତ ଜଙ୍ଗଲରୁ ବାହାରିଥିବା ଏହି ନାଳ ଭୁବନେଶ୍ବର ଦେଇ କଣ୍ଟି ବାରିମୂଳଠାରେ ଦୟାନଦୀରେ ମିଶିଛି। ଏହାର ଲମ୍ବା ପ୍ରାୟ ୪୫ କିଲୋମିଟର। ଜଙ୍ଗଲରୁ ବାହାରିବାର ୧୩ କିଲୋମିଟର ପରେ ଏହା ଭିତରେ ଭୁବନେଶ୍ବରର ନଳାପାଣି ମିଶୁଛି। ସେଠାରୁ ୩୨ କିଲୋମିଟର ପର୍ଯ୍ୟନ୍ତ ଭୁବନେଶ୍ବରର ବିଶୋଧନ ହେଉନଥିବା ବର୍ଜ୍ୟଜଳକୁ ବୋହି ନେଇ ଦୟାନଦୀରେ ମିଶୁଛି। ଚନ୍ଦକା ଅଭୟାରଣ୍ୟରୁ ବାହାରିବା ବେଳେ ଏହାର ଓସାର ଅନେକ ଜାଗାରେ ୮୦ରୁ ଶହେ ଫୁଟ୍ ପର୍ଯ୍ୟନ୍ତ ରହିଛି। କିନ୍ତୁ ବରମୁଣ୍ଡା ବସ୍ଷ୍ଟାଣ୍ଡ ପଛ, ରସୁଲଗଡ଼ ଠାରୁ ଶିଶୁପାଳଗଡ଼ ପର୍ଯ୍ୟନ୍ତ ପ୍ରାୟ ୪ କିଲୋମିଟର ଲମ୍ବାର ଗଙ୍ଗୁଆ କୂଳ ଜବରଦଖଲ ହୋଇଯାଇଛି। ଏବେ ବି ନିୟମିତ ନିର୍ମାଣ ଚାଲିଛି। ସାମନ୍ତରାପୁରରୁ ଦୟାନଦୀ ସହ ସମାନ୍ତରାଳ ଭାବରେ ଯାଇଥିବା ଗଙ୍ଗୁଆ ପ୍ରାୟ ୩ କିଲୋମିଟର ପର୍ଯ୍ୟନ୍ତ ଜବରଦଖଲ ହୋଇଛି।
ରାଜ୍ୟ ପ୍ରଦୂଷଣ ବୋର୍ଡର ଜଣେ ବରିଷ୍ଠ ଅଧିକାରୀଙ୍କ ମତରେ ବୋର୍ଡ ପକ୍ଷରୁ ବର୍ଷକୁ ଦୁଇ ଥର ଜଳ ନମୂନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଉଛି। ବିଶୋଧନ କରାନଯାଇ ବର୍ଜ୍ୟଜଳ ସିଧା ଛଡ଼ା ଯାଉଥିବାରୁ ବର୍ଷ ସାରା ଏହାର ପ୍ରଦୂଷଣ ମାତ୍ରା ଅଧିକ ରହୁଛି। ଡ୍ରେନେଜ୍ ଡିଭିଜନ୍ର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା ହେଉଛି, ବିଏମ୍ସି ଏହାକୁ ନିଜ ନିୟନ୍ତ୍ରଣକୁ ନେବା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଥିଲା। କିନ୍ତୁ ପରେ ଚିଠି ଲେଖି ବିଏମ୍ସି ଏହି ନିଷ୍ପତ୍ତିରୁ ଓହରି ଯାଇଛି। ଏଣୁ ପୁଣି ଥରେ ଏହାର ପୁନରୁଦ୍ଧାର କରିବା ପାଇଁ ଯୋଜନା ହେବ। ଜବରଦଖଲ ବାବଦରେ ଆମ ପାଖରେ କିଛି ଖବର ନାହିଁ। ପୁନରୁଦ୍ଧାର ବେଳେ ଏଭଳି ଜବରଦଖଲ ନଜରକୁ ଆସିଲେ ସରକାରୀ ପ୍ରକ୍ରିୟାରେ ଏହାକୁ ଉଚ୍ଛେଦ କରିବାକୁ ଆମେ ଚିଠି ଲେଖିବୁ।
ଦୟା ସୁରକ୍ଷା ଅଭିଯାନର ବିଶ୍ୱଜିତ ବଡ଼ଜେନାଙ୍କ ଅଭିଯୋଗ ମୁତାବକ, ଜବରଦଖଲ, ପୁନରୁଦ୍ଧାର ଓ ପ୍ରଦୂଷଣକୁ ନେଇ ଆମେ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛୁ। ଏକମାତ୍ର ସଂସ୍ଥା ହେଉଛି ବିଏମ୍ସି ଯିଏ କି ଏହି ଗଙ୍ଗୁଆକୁ ପ୍ରଦୂଷିତ କରୁଛି। ଏହାକୁ ବିଏମ୍ସି ନିଜ ଅଧୀନକୁ ଆଣି ପୁନରୁଦ୍ଧାର କରିବା କଥା। କିନ୍ତୁ ଆଜି ବିଏମ୍ସି କାଲି ଡ୍ରେନେଜ୍ ଡିଭିଜନ ହେଉଥିବାରୁ ଜବରଦଖଲକାରୀଙ୍କୁ ସୁହାଇଛି। ଏଣେ ବିଶୋଧିତ ହୋଇ ଜଳ ଏଠାକୁ ଛଡ଼ା ଯାଉନଥିବାରୁ ଦୟାନଦୀ କୂଳରେ ବାସ କରୁଥିବା ତଥା ଏହି ଜଳକୁ ବ୍ୟବହାର କରୁଥିବା ହଜାର ହଜାର ଲୋକ ରୋଗିଣା ହୋଇଗଲେଣି। ନିକଟ ଅତୀତରେ ଗଙ୍ଗୁଆ ଓଡ଼ିଶାର ୧୯ଟି ପ୍ରଦୂଷିତ ନାଳ ମଧ୍ୟରୁ ଶୀର୍ଷରେ ରହିଥିବା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରିପୋର୍ଟ କରିଛି। ବିଏମ୍ସି ଓ ଡ୍ରେନେଜ୍ ଡିଭିଜନ୍ କେବଳ ଚିଠି ଲେଖାଲେଖି ନ କରି ଏହାର ପୁନରୁଦ୍ଧାର ବ୍ୟବସ୍ଥା କରିବାକୁ ସେ ଦାବି କରିଛନ୍ତି। ନଚେତ ଆମେ କୋର୍ଟ ଯିବୁ ବୋଲି ଶ୍ରୀ ବଡ଼ଜେନା କହିଛନ୍ତି।