କ’ଣ ହେବ ଭୂତଳ ସ୍ମାର୍ଟବିନ୍‌ର ଭାଗ୍ୟ?

ଡଷ୍ଟବିନ୍‌ମୁକ୍ତ ସହର ଅଭିଯାନ, ମାଟି ତଳେ ୩ କୋଟି

ଭୁବନେଶ୍ବର: ‘ଡଷ୍ଟବିନ୍‌ ମୁକ୍ତ’ ସହର କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। ସହରର ବିଭିନ୍ନ ସ୍ଥାନରେ ପଡ଼ିଥିବା ପବ୍ଲିକ୍‌ ଡଷ୍ଟବିନ୍‌ ରାତାରାତି ହଟାଇ ଦିଆଯାଇଛି। ନୂଆ ପ୍ୟାକେଜ୍‌ ଟେଣ୍ଡରରେ ବ୍ୟାପକ ତ୍ରୁଟି ଯୋଗୁ ଚାରିଆଡ଼େ ଆବର୍ଜନା ଗଦା ହୋଇ ରହୁଛି। ଯାହାକୁ ନେଇ ପ୍ରବଳ ଜନଅସନ୍ତୋଷ ଲାଗି ରହିଛି। ଏଭଳି ସ୍ଥିତିରେ ପବ୍ଲିକ୍‌ ଡଷ୍ଟବି୍ନ୍‌କୁ ରାତିଅଧିଆ ହଟାଇ ବିଏମ୍‌ସି ଜନ ଆକ୍ରୋଶର ଶିକାର ହୋଇଛି। ଏଣେ ୨୦୧୮ ମସିହାରୁ ବିଏମ୍‌ସି ମାଟିତଳେ ୩ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରି ସ୍ମାର୍ଟ ବିନ୍‌ ପୋତିଛି। ରକ୍ଷଣାବେକ୍ଷଣ ଅଭାବରୁ ଏହା କାମରେ ଲାଗୁ ନାହିଁ। କିନ୍ତୁ ଏଥିରେ ଆବର୍ଜନା ପଡ଼ିବାରେ ଲାଗିଛି। ସ୍ମାର୍ଟ ବିନ୍‌ ଭର୍ତ୍ତି ହୋଇଗଲେ ବି ଲୋକମାନେ ଆବର୍ଜନା ପକାଇ ଚାଲିଛନ୍ତି। ଏଥିରୁ ଆବର୍ଜନା ଉଠାଇବା ପାଇଁ ୫ ବର୍ଷ ପର୍ଯ୍ୟନ୍ତ ଠିକା ସଂସ୍ଥା ସହ ଚୁକ୍ତି ହୋଇଛି। ଅର୍ଥାତ୍‌ ଏହି ଚୁକ୍ତି ଅବଧି ଆହୁରି ଗୋଟିଏ ବର୍ଷ ବାକି ଅଛି। ଏବେ ଡଷ୍ଟବିନ୍‌ ମୁକ୍ତ ହେଲେ ଏହାକୁ ହଟାଇବା ଆବଶ୍ୟକତା ରହିଛି। ଏହା ହଟିଲେ ୩ କୋଟି ବରବାଦ ହେବାକୁ ଯାଉଛି। ତେବେ କେବଳ ଏହି ସ୍ମାର୍ଟ ବିନ୍‌ ନୁହେଁ ବରଂ ଟ୍ବିନ୍‌ ଡଷ୍ଟବିନ୍‌ରେ ମଧ୍ୟ କୋଟି କୋଟି ଟଙ୍କା ବରବାଦ ହୋଇଛି। ଅଧିକାରୀ ବଦଳିବା ପ‌ରେ ଯୋଜନା ମଧ୍ୟ ବଦଳି ଯାଉଛି। ଫଳରେ କୋଟି କୋଟି ଟଙ୍କା ବରବାଦ ହେଉଛି।

୨୦୧୮ ମସିହାରେ ବିଶ୍ବକପ୍‌ ହକି ଆୟୋଜନ ପୂର୍ବରୁ ଆବର୍ଜନାକୁ ନେଇ ଚିନ୍ତା ବଢ଼ିଥିଲା। ସହରକୁ ଆବର୍ଜନାମୁକ୍ତ କରିବା ପାଇଁ ଏଭଳି ଏକ ଭୂତଳ ସ୍ମାର୍ଟବିନ୍‌ର ଯୋଜନା ହେଲା। ତତ୍‌କାଳୀନ କମିସନର କ୍ରିଷନ କୁମାର ଏହାର ଟେଣ୍ଡର ଆହ୍ବାନ କରିଥିଲେ। ୩ କୋଟି ୩୪ ଲକ୍ଷ ୫୯ ହଜାର ୬୭୫ ଟଙ୍କା ବ୍ୟୟରେ ସହରର ୨୭ଟି ଜାଗାରେ ଏହି ଡଷ୍ଟବିନ୍‌ ପୋତା ହେଲା। ପ୍ରତି ଡଷ୍ଟବିନ୍‌ର କ୍ଷମତା ଥିଲା ୧.୫ ଟନ୍‌ ଅର୍ଥାତ୍‌ ଗୋଟିଏ ଟ୍ରାକ୍ଟର ଡା‌ଲାରେ ଏକ ସମୟରେ ଯିବା ଭଳି ଆବର୍ଜନା ଏଥିରେ ରହିପାରିବ। ଏହି ବିନ୍‌ ଉପରକୁ ଦିଶୁନଥିବାରୁ ଆବର୍ଜନା ଭର୍ତ୍ତି ହେଲା କି ନାହିଁ ଜଣାପଡ଼ୁନଥିଲା। ଏଣୁ ଏଥିରେ ସ୍ମାର୍ଟ ବ୍ୟବସ୍ଥା ରହିଥିଲା। ଏଥିରେ ଲାଗିଥିବା ସେନ୍ସର ଭୁବନେଶ୍ବର ଅପରେସନ ସେଣ୍ଟର ସହ ସଂଯୁକ୍ତ ହେବାକୁ ଥିଲା। ଆବର୍ଜନା ଭର୍ତ୍ତି ହୋଇଗଲେ ଏହି ସେନ୍ସର ଜରିଆରେ ଜଣାପଡ଼ିଥାନ୍ତା। ସେଣ୍ଟର ଏହା ଜାଣିବା ପରେ ସମ୍ପୃକ୍ତ ଏଜେନ୍‌ସିକୁ ଅବଗତ କରାଇଥାନ୍ତା। ଏଜେନ୍‌ସି ତୁରନ୍ତ ସ୍ବତନ୍ତ୍ର ଭ୍ୟାନ୍‌ ଲଗାଇ ଏଥିରୁ ଆବର୍ଜନା ଉଠାଇଥାନ୍ତା। ଆବର୍ଜନା ଉଠାଇବା ପାଇଁ ଦୁଇଟି ସଂସ୍ଥାଙ୍କ ସହ ୫ ବର୍ଷ ପର୍ଯ୍ୟନ୍ତ ଚୁକ୍ତି ହୋଇଥିଲା। ଏଥିପାଇଁ ସେମାନଙ୍କୁ ମାସିକ ଦେୟ ଦିଆଯିବାକୁ ଯୋଜନା ହୋଇଥିଲା।

ଉଦ୍ଦେଶ୍ୟ ଥିଲା ବାହାରେ ରହି ଏହା ସହରକୁ ଅସୁନ୍ଦର କରିବ ନାହିଁ। ବାହାରେ ମଧ୍ୟ ଆବର୍ଜନା ପଡ଼ିରହିବନାହିଁ। ଯୋଜନା ଅତି ସୁନ୍ଦର ଥିଲେ ମଧ୍ୟ ଏହା ଫୁସ୍‌କି ଯାଇଥିଲା। ଡିସେମ୍ବର ମାସରେ କ୍ରିଷନ କୁମାରଙ୍କର ବଦଳି ହେବା ପରେ କମିସନର ଭାବରେ ଦାୟିତ୍ବ ନେଲେ ଶୁଭମ୍‌ ସକ୍‌ସେନା। ହେଲେ ଏହା ଉପରେ ଆଉ ଗୁରୁତ୍ବ ଦେଇନଥିଲେ। ଏହା ପରେ ଜଣଙ୍କ ପରେ ଜଣେ କମିସନର ଦାୟିତ୍ବ ନେଇଥିଲେ। କିନ୍ତୁ କେହି ଏହାକୁ ଗୁରୁତ୍ବର ସହ ନେଇନଥିଲେ। ଏହି ସ୍ମାର୍ଟ ବ୍ୟବସ୍ଥାକୁ ଭୁବନେଶ୍ବର ଅପରେସନ ସେଣ୍ଟର ସହ କମିସନିଂ ହୋଇ ପାରିନଥିଲା। ଫଳରେ କୋଟି କୋଟି ଟଙ୍କାର ପ୍ରକଳ୍ପ ମାଟିତଳେ ପୋତି ହୋଇ ନଷ୍ଟ ହୋଇଥିଲା। ଗୋଟିଏ ସଂସ୍ଥା ବେଳେ ବେଳେ ଏଥିରୁ ଆବର୍ଜନା ଉଠାଉଥିଲା। କିନ୍ତୁ ନିୟମିତ ଉଠୁନଥିଲା।

ଏବେ ଡଷ୍ଟବିନ୍‌ମୁକ୍ତ ସହର ହେବା ପାଇଁ ଘୋଷଣା ହେବା ପରେ ଏହି ଡଷ୍ଟବିନ୍‌କୁ ନେଇ ଚିନ୍ତା ବଢ଼ିଛି। ଏହାକୁ ଉଠାଇ ଦେବାପାଇଁ ଚିନ୍ତା କରାଯାଉଥିଲେ ମଧ୍ୟ ୩ କୋଟିରୁ ଊର୍ଦ୍ଧ୍ବ ଟଙ୍କା କାହିଁକି ବରବାଦ ହେଲା ବୋଲି ପ୍ରଶ୍ନ ଉଠିବ। ଯେଉଁ ସଂସ୍ଥା ୫ ବର୍ଷ ପର୍ଯ୍ୟନ୍ତ ଚୁକ୍ତି କରିଛି ସେ ମଧ୍ୟ କୋର୍ଟକୁ ଯିବା ଆଶଙ୍କା ରହିଛି। ଏଣୁ ବିଏମ୍‌ସି ଚିନ୍ତାରେ ପଡ଼ିଛି। ତେବେ ବିଏମ୍‌ସିର ଜଣେ ବରି‌ଷ୍ଠ ଅଧିକାରୀ କହିଛନ୍ତି, ଏ ନେଇ ଚିନ୍ତା କରାଯାଉଛି। ଖୁବ୍‌ଶୀଘ୍ର ଏହା ଉପରେ ପଦକ୍ଷେପ ନିଆଯିବ।

ସମ୍ବନ୍ଧିତ ଖବର