ମାଟ୍ରିକ୍‌ ପରେ କ’ଣ ପଢ଼ିବେ ଛାତ୍ରଛାତ୍ରୀ ?

ଭୁବନେଶ୍ୱର: ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ। ସିବିଏସଇ ସମେତ ଆଇଏସସି, ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ଏଥର ଭଲ ହୋଇଛି। ପାସହାର ବଢ଼ିଛି। ମେଧାବୀଙ୍କ ସଂଖ୍ୟା ବି ବୃଦ୍ଧି ପାଇଛି। ତେଣୁ ପାସ କରିଥିବା ଛାତ୍ରଛାତ୍ରୀଙ୍କ ଏବେ ଭବିଷ୍ୟତ ଚିନ୍ତା। କ’ଣ ପଢ଼ିବେ? କେଉଁ ଲାଇନରେ ଗଲେ ନିଯୁକ୍ତି ସୁଯୋଗ ରହିଛି? କେଉଁଟା ଭବିଷ୍ୟତ ପାଇଁ ଭଲ ହେବ? ଛାତ୍ରଛାତ୍ରୀଙ୍କଠାରୁ ଅଭିଭାବକଙ୍କ ପର୍ଯ୍ୟନ୍ତ, ସମସ୍ତଙ୍କ ମନରେ ଏଭଳି ପ୍ରଶ୍ନ ଉଙ୍କି ମାରୁଛି। କଲେଜରୁ କଲେଜକୁ ବୁଲି ଅଭିଭାବକମାନେ ପଚାରି ବୁଝୁଛନ୍ତି କେଉଁଟା ଭଲ। କେତେକ ଘରୋଇ କଲେଜ କର୍ତ୍ତୃପକ୍ଷ ବି ଛାତ୍ରଛାତ୍ରୀଙ୍କୁ ନିଜ ଆଡ଼କୁ ଟାଣିବା ଲାଗି ଫୋନ ପରେ ଫୋନ କରି ଚାଲିଛନ୍ତି। ଏଭଳି ସମୟରେ ଛାତ୍ରଛାତ୍ରୀଙ୍କ ପାଇଁ କ’ଣ ରହିଛି ସୁଯୋଗ ସେନେଇ ‘ସମ୍ବାଦ’ର ସ୍ୱତନ୍ତ୍ର ଉପସ୍ଥାପନା।

ଯୁକ୍ତ୨ ଶିକ୍ଷା

ମାଟ୍ରିକ ପରେ ଛାତ୍ରଛାତ୍ରୀ ମୁଖ୍ୟତଃ ଯୁକ୍ତ୨ ଶିକ୍ଷା ଗ୍ରହଣ କରିଥାନ୍ତି। ଏଥିପାଇଁ ଓଡ଼ିଶାରେ ବ୍ୟାପକ ଭିତ୍ତିଭୂମି ରହିଛି। ଛାତ୍ରଛାତ୍ରୀ କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ କିମ୍ବା ଧନ୍ଦାମୂଳକ ଶିକ୍ଷା ବିଭାଗରେ ପଢ଼ି କ୍ୟାରିଅର କରିପାରିବେ। ଶିକ୍ଷାବିତ ସୁନାକର ରାଉତଙ୍କ ମତରେ ଯେଉଁ ଛାତ୍ରଛାତ୍ରୀଙ୍କର ୬୦%ରୁ ଅଧିକ ନମ୍ବର ରହିଥିବ, ଗଣିତ ଓ ବିଜ୍ଞାନ ବିଷୟରେ ଭଲ କରୁଥିବେ ସେମାନେ ବିନା ଦ୍ବିଧାରେ ଯୁକ୍ତ୨ ବିଜ୍ଞାନରେ ନାମ ଲେଖାଇପାରିବେ। ଅର୍ଥନୀତି କ୍ଷେତ୍ରରେ ଭଲ ହେଉଥିଲେ ବାଣିଜ୍ୟ ନେଇ ପଢ଼ିପାରିବେ। ନ’ହେଲେ କଳା ବିଭାଗରେ ନାମ ଲେଖାଇବେ। ଯୁକ୍ତ୨ ପରେ ସେମାନଙ୍କ ଲାଗି ଅଧିକାଂଶ କ୍ଷେତ୍ର ବାଛିବାକୁ ସୁଯୋଗ ରହିବ। ଯୁକ୍ତ୨ରେ ନାମଲେଖା ପାଇଁ ରାଜ୍ୟରେ ୨୦୦୩ କଲେଜରେ ୪ ଲକ୍ଷ ୫୦ ହଜାର ୪୯୧ ସିଟ୍‌ ରହିଛି। କଳା ବିଭାଗରେ ସର୍ବାଧିକ ୨ ଲକ୍ଷ ୩୯ ହଜାର ୩୦୬ ସିଟ୍‌ ରହିଥିବା ବେଳେ ବିଜ୍ଞାନ ବିଭାଗରେ ୧ ଲକ୍ଷ ୪୪ ହଜାର ୫୯୦, ବାଣିଜ୍ୟ ବିଭାଗରେ ୪୪ ହଜାର ୨୪୩, ସଂସ୍କୃତ ବିଭାଗରେ ୧୧ ହଜାର ୩୨୮, ଧନ୍ଦାମୂଳକ ବିଭାଗରେ ୧୧ ହଜାର ୨୪ ସିଟ ରହିଛି। ଛାତ୍ରଛାତ୍ରୀ ଯେଉଁ କ୍ଷେତ୍ରରେ କ୍ୟାରିଅର କରିବାକୁ ଚାହୁଁଛନ୍ତି ଏବେଠାରୁ ତାହାକୁ ବାଛିପାରିବେ। ଯୁକ୍ତ୨ ନାମଲେଖା ପାଇଁ ଆବେଦନ ଜାରି ରହିଛି। ତେଣୁ ଛାତ୍ରଛାତ୍ରୀ ତାହାର ସୁଯୋଗ ନେଇପାରିବେ। ନିର୍ଦ୍ଧାରିତ ସମୟ ସୁଦ୍ଧା ଆବେଦନ ନ କଲେ ଗୋଟେ ଶିକ୍ଷାବର୍ଷ ବରବାଦ ହେବାର ସମ୍ଭାବନା ରହିଛି।

ଆଇଟିଆଇ

ଶୀଘ୍ର ନିଯୁକ୍ତି ସୁଯୋଗ ପାଇବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ଲାଗି ଆଇଟିଆଇରେ ଶିକ୍ଷା ଗ୍ରହଣ ଉପଯୁକ୍ତ ହେବ ବୋଲି ଶିକ୍ଷାବିତ୍‌ମାନେ କହିଛନ୍ତି। ଆଇଟିଆଇ ପରେ ଛାତ୍ରଛାତ୍ରୀ ଯେକୌଣସି କମ୍ପାନିରେ ଇଲେକ୍ଟ୍ରିସିଆନ, ଫିଟର ମେକାନିକ ଭାବେ ନିଯୁକ୍ତି ପାଇପାରିବେ। ଛାତ୍ରଛାତ୍ରୀ ଆତ୍ମନିର୍ଭରଶୀଳ ହେବାର ବି ସମ୍ଭାବନା ରହିଛି। ତେବେ ଏଥିପାଇଁ ପ୍ରାକ୍ଟିକାଲକୁ ବି ଅଧିକ ଗୁରୁତ୍ୱ ଦେବାକୁ ପଡ଼ିବ। ଆଇଟିଆଇରେ ଶିକ୍ଷା ଗ୍ରହଣ ଲାଗି ରାଜ୍ୟରେ ୩୦ରୁ ଅଧିକ ସରକାରୀ ଆଇଟିଆଇ ସମେତ ୫୦୨ଟି ଶିକ୍ଷାନୁଷ୍ଠାନରେ ୯୬ ହଜାର ୭୮୦ ସିଟ୍‌ ରହିଛି। ସେଥିରେ ନାମଲେଖା ପାଇଁ ଏବେ ଆବେଦନ ଜାରି ରହିଥିବାରୁ ଛାତ୍ରଛାତ୍ରୀ ତାହାର ସୁଯୋଗ ନେଇପାରିବେ।

ଡିପ୍ଲୋମା(ପଲିଟେକ୍‌ନିକ)

 ଆଇଟିଆଇ ପରି ଡିପ୍ଲୋମା(ପଲିଟେକ୍‌ନିକ) ପାଠ୍ୟକ୍ରମରେ ବି ନିଯୁକ୍ତି ସୁଯୋଗ ରହିଛି। ଯେଉଁମାନେ ବି.ଟେକ୍‌ରେ କ୍ୟାରିଅର କରିବାକୁ ଇଛୁକ ଥିବେ ସେମାନେ ଦୁଇ ବାର୍ଷିଆ ଡିପ୍ଲୋମା ପାଠ୍ୟକ୍ରମ ପରେ ବି.ଟେକ କରିପାରିବେ। କେବଳ ଡିପ୍ଲୋମା କରିଥିବା ଛାତ୍ରଛାତ୍ରୀଙ୍କ ଲାଗି ବି ନିଯୁକ୍ତି ସୁଯୋଗ ଅଛି। ପାଠପଢ଼ା ଶେଷ ପରେ ଛାତ୍ରଛାତ୍ରୀ ରାଜ୍ୟ ଭିତରେ ଓ ବାହାରେ ଥିବା ନାମକରା କମ୍ପାନିରେ ଚାକିର ପାଉଛନ୍ତି। ଏହି ପାଠ୍ୟକ୍ରମ ଲାଗି ରାଜ୍ୟରେ ୧୫୮ ଶିକ୍ଷାନୁଷ୍ଠାନରେ ୪୬ ହଜାର ୨୯୮ ସିଟ ରହିଛି।

ସମ୍ବନ୍ଧିତ ଖବର