ବାଜିରେ ଲାଗୁଛି ଜୀବନ, ରାଜଧାନୀରେ ଦୁଇ ରେଳ ଓଭର ବ୍ରିଜ୍‌ କେବେ?

ଫଳକରେ ଭିଏସ୍‌ଏସ୍‌ନଗର, ପ୍ରତିଶ୍ରୁତିରେ କଳାରାହାଙ୍ଗ ଆର୍‌ଓବି

ଚନ୍ଦ୍ରଶେଖରପୁର : ଭୁବନେଶ୍ବର ‌ରେଳ ଷ୍ଟେସନ ବିଶ୍ବସ୍ତରୀୟ ହେବ। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ଭୁବନେଶ୍ବର ନ୍ୟୁ ରେଳ ଷ୍ଟେସନ। ପ୍ଲାଟଫର୍ମ ଚକାଚକ୍‌ ହେବ। ଯାତ୍ରୀଙ୍କୁ ବିମାନବନ୍ଦର ପରି ସୁବିଧା ସୁଯୋଗ ମିଳିବ। ରାଜଧାନୀର ରେଳ ବିକାଶ ନେଇ ଏଭଳି ଅନେକ ସୁନେଲି ସ୍ବପ୍ନ ଦେଖାଉଛି ରେଳ ମନ୍ତ୍ରଣାଳୟ। ତେବେ ବର୍ଷ ପରେ ବର୍ଷ ବିତୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଯାତ୍ରୀଙ୍କୁ ସର୍ବନିମ୍ନ ସେବା ବି ମିଳିପାରି ନାହିଁ। ଆଉ ସେପଟେ ରେଳ ମନ୍ତ୍ରଣାଳୟର ମାନବବିହୀନ ଲେବୁଲ୍‌ କ୍ରସିଂ ଏବେ କେବଳ କାଗଜ କଲମରେ ଅଟକି ରହିଛି। ଏବେ ବି ସହର ମଧ୍ୟରେ ଥିବା ଦୁଇଟି ରେଳ ଫାଟକରେ ଲୋକଙ୍କ ଜୀବନ ବାଜିରେ ଲାଗୁଛି। ଭିଏସ୍‌ଏସ୍‌ ନଗରରେ ରେଲୱେ ଓଭର ବ୍ରିଜ୍‌(ଆରଓବି) ନିର୍ମାଣ ପାଇଁ ୨୦୧୯ରେ ଭିତ୍ତିପ୍ରସ୍ତର ପଡ଼ିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଇଟା ଖଣ୍ଡେ ପଡ଼ିପାରିନି। କଳାରାହାଙ୍ଗ ଲେଭଲ କ୍ରସିଂରେ ଆରଓବି ନିର୍ମାଣ ପାଇଁ ଦାବି ହେଉଥିଲେ ମଧ୍ୟ ତାହା କେବଳ ପ୍ରତିଶ୍ରୁତିରେ ରହିଯାଇଛି। ରେଳ ମନ୍ତ୍ରଣାଳୟ ଏ ଦିଗରେ ପଦକ୍ଷେପ ନେଉନାହିଁ କି ରାଜ୍ୟ ସରକାର ହସ୍ତକ୍ଷେପ କରୁନାହାନ୍ତି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି କଳାରାହାଙ୍ଗରେ ଆରଓବି ନିର୍ମାଣ କରିବାକୁ ଗତ ଜାନୁଆରି ମାସରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ନୂଆଦିଲ୍ଲୀଠାରେ ସେତେବେଳର କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଭେଟି ଆଲୋଚନା କରିଥିଲେ। ଏହି ଅଞ୍ଚଳବାସୀଙ୍କ ବହୁ ଦିନର ଦାବି ସମ୍ପର୍କରେ ରେଳମନ୍ତ୍ରୀଙ୍କୁ ଅବଗତ କରାଇବା ସହ ତ୍ବରିତ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଥିଲେ। ତାଙ୍କଠାରୁ ସକାରାତ୍ମକ ପ୍ରତିଶ୍ରୁତି ମଧ୍ୟ ପାଇଥିଲେ। ମାତ୍ର ଏ ପର୍ଯ୍ୟନ୍ତ ଏ ନେଇ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ କିଛି ଦିନ ପୂର୍ବରୁ ବର୍ତମାନର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ନିକଟରେ ବିଧାୟକ ଶ୍ରୀ ରାଉତ କ୍ଷୋଭ ପ୍ରକାଶ କରିଥିଲେ। ନିର୍ବାଚନ ମଣ୍ଡଳୀର ୪୦ ହଜାର ଲୋକଙ୍କ ଜୀବନରେଖା ପାଲଟିଥିବା ଏହି ରାସ୍ତାରେ ଆରଓବି ନିର୍ମାଣର ଆବଶ୍ୟକତା କେତେ ସେନେଇ ଅବଗତ କରାଇଥିଲେ।

ଭୌଗୋଳିକ ଅବସ୍ଥିତି ଦୃଷ୍ଟିକୋଣରୁ କଳାରାହାଙ୍ଗ ଲେଭଲ କ୍ରସିଂ(ନଂ-୧୮୪) ପଟିଆ ରେଳଷ୍ଟେସନର ଉତ୍ତରରେ ଅବସ୍ଥିତ। ଯାହାକି ଏ ଅଞ୍ଚଳର ସର୍ବାଧିକ ଚଳଚଞ୍ଚଳ ଗମନାଗମନର ମାଧ୍ୟମ। ଏହା ପଟିଆ ଅଞ୍ଚଳର ୮ଟି ଗ୍ରାମ ପଞ୍ଚାୟତକୁ ମୁଖ୍ୟ ରାସ୍ତା ଭାବେ ସଂଯୁକ୍ତ ହୋଇଛି। ଗ୍ରାମବାସୀଙ୍କ ପାଇଁ ଉପଲବ୍ଧ ସମସ୍ତ ମୌଳିକ ଆବଶ୍ୟକତା ଯେମିତି କି ବିଦ୍ୟାଳୟ, କଲେଜ, ହସ୍ପିଟାଲ୍, ବ୍ୟାଙ୍କ୍, ଅଫିସ୍ ଆଦିରେ ପହଞ୍ଚିବା ପାଇଁ ସେମାନେ ଏହି ରାସ୍ତା ଉପରେ ନିର୍ଭରଶୀଳ। ଏହି ରାସ୍ତାଟି ପଟିଆ ଅଞ୍ଚଳକୁ ଭୁବନେଶ୍ବର-କଟକକୁ ସଂଯୋଗ କରୁଥିବା ଜାତୀୟ ରାଜପଥ-୧୬ ସହ ମଧ୍ୟ ସଂଯୁକ୍ତ କରୁଛି। ପ୍ରତିଦିନ ଏହି ରେଳ ଲାଇନ୍‌ ଦେଇ ବହୁ ଟ୍ରେନ୍ ଯାତାୟାତ କରୁଥିବାରୁ ଏହି ଲେଭଲ କ୍ରସିଂ ପ୍ରାୟ ୧୦ରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହୁଛି। ଯାହା ଦ୍ବାରା ଅଞ୍ଚଳର ପ୍ରାୟ ୪୦ ହଜାର ଲୋକଙ୍କ ଦୈନନ୍ଦିନ ଜୀବନ ବାଧାପ୍ରାପ୍ତ ହେଉଛି। ବିଦ୍ୟାଳୟକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ସମୟ ନଷ୍ଟ ହେବା ସହ ଆମ୍ବୁଲାନ୍ସ ସେବା ମଧ୍ୟ ବିଳମ୍ବିତ ହେଉଛି।

ଅନ୍ୟପକ୍ଷରେ ବୀର ସୁରେନ୍ଦ୍ର ସାଏ ନଗରରୁ ମଞ୍ଚେଶ୍ୱରକୁ ଯୋଗାଯୋଗ କରୁଥିବା ସବୁଠାରୁ ବ୍ୟସ୍ତବହୁଳ ରେଳ ଲେଭଲ୍ କ୍ରସିଂ ଉପରେ ଓଭରବ୍ରିଜ ନିର୍ମାଣ ପାଇଁ ୨୦୧୯ ମାର୍ଚ୍ଚ ମାସରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ସେତେବେଳର ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ, ବିଧାୟକ ପ୍ରିୟଦର୍ଶୀ ମିଶ୍ର ଉପସ୍ଥିତ ରହି ଏହାର ଶୁଭ ଦେଇଥିଲେ। ୪୮ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ଓଭରବ୍ରିଜ୍‌ ଦେଢ଼ ବର୍ଷ ଭିତରେ ଶେଷ ହେବ ବୋଲି ପ୍ରତିଶ୍ରୁ୍ତି ଦିଆଯାଇଥିଲା। ମାତ୍ର ଆଜି ପର୍ଯ୍ୟନ୍ତ ଇଟା ଖଣ୍ଡେ ବି ପଡ଼ିପାରିଲା ନାହିଁ। ଏବେ ବି ପ୍ରତିଦିନ ହଜାରହଜାର ଲୋକ ବିପଦସଙ୍କୁଳ ଭାବେ ରେଳ ଲାଇନ୍‌ ଦେଇ ଯିବାଆସିବା କରୁଛନ୍ତି। ଏଥିପାଇଁ କାହାର ବି ନିଘା ନାହିଁ। ପ୍ରଶାସନ ସବୁ ଦେଖି ଆଖି ବୁଜି ଦେଇଥିବା ବେଳେ ‌ରେଳ ମନ୍ତ୍ରଣାଳୟ ଜମି ଅଧିଗ୍ରହଣ ବାଧକ ସାଜୁଥିବା କହି ନିଜ ମୁଣ୍ଡରୁ ଦୋଷ ଖସାଇ ଦେଉଛି। ଏହାଦ୍ବାରା ଲୋକେ ଯାହା କେବଳ ପେଶି ହେଉଛନ୍ତି।

ସମ୍ବନ୍ଧିତ ଖବର