ଖଣ୍ଡଗିରି: କେଉଁଠି କୃତ୍ରିମ ପୋଖରୀ ପାଲଟିଛି ତ କେଉଁଠି ଖାଲଖମାରେ ଭର୍ତ୍ତି। ବର୍ଷା ଦିନର କଥା ନ କହିବା ଭଲ। ଯାତାୟାତ ଯେମିତି ଠପ୍ ପଡ଼ିଯାଏ। ଅବସ୍ଥା ଏଭଳି ଯେ ୨୫ ଏକର ଜମି ଥାଇ ବି ଫ୍ଲାଏଓଭର ସର୍ଭିସ ରୋଡ୍ ପାଲଟିଛି ଟ୍ରକ୍ମାନଙ୍କ ଅସ୍ଥାୟୀ ପାର୍କିଂ ସ୍ଥଳ। ଏଥିଯୋଗୁଁ ଟ୍ରାଫିକ ସମସ୍ୟା କାହିଁରେ କେତେ ବୃଦ୍ଧି ପାଇବାରେ ଲାଗିଛି। ପ୍ରତିଦିନ କୋଟି କୋଟି ଟଙ୍କାର କାରବାର କରୁଥିବା ଆଇଗିଣିଆ ପାଇକାରୀ ବଜାର ପ୍ରତି ସରକାର କେବେ ଦୃଷ୍ଟି ଦେବେ, ତାକୁ ନେଇ ପ୍ରଶ୍ନ କରିଛି କୁବେରପୁରୀ ବ୍ୟବସାୟୀ ସଂଘ।
Sambad is now on WhatsApp
Join and get latest news updates delivered to you via WhatsApp
ସଂଘ ସମ୍ପାଦକ ଶକ୍ତି ମିଶ୍ରଙ୍କ ସୂଚନାନୁସାରେ ଭୁବନେଶ୍ବର ଆଇଗିଣିଆ ପାଇକାରୀ ବଜାର ଦେଶର ସର୍ବବୃହତ୍ ଅଣଉତ୍ପାଦନକାରୀ ପାଇକାରୀ ବଜାର। ଏଠାରେ ସମୁଦାୟ ୩୪ଟି ପିଣ୍ଡି ରହିଛି। ଏଠାରେ ଆଳୁ, ପିଆଜ, ପରିବା ବ୍ୟବସାୟୀଙ୍କ ସହିତ ୧୫ କିଓସ୍କୋ, ପେଟ୍ରୋଲ ପମ୍ପ, ଶୀତଳ ଭଣ୍ଡାର, ଗ୍ୟାରେଜ, ଟ୍ରକ ପାର୍କିଂ, ଗୋଦାମ ଗୃହ ଆଦିର ବ୍ୟବସ୍ଥା ରହିଛି। ପ୍ରତିଦିନ ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶରୁ ୪ ଶହରୁ ୫ଶହ ଟନ ଆଳୁ ଆସୁଥିବା ବେଳେ ନାସିକ, ଆନ୍ଧ୍ରପ୍ରଦେଶ, ଅନୁଗୁଳ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୩ ଶହ ଟନ ପିଆଜ ଆସିଥାଏ। ସେହିଭଳି ଗାନ୍ଧୀନଗର, ମହାରାଷ୍ଟ୍ରରୁ ୫୦ରୁ ୧୦୦ ଟନ ରସୁଣ, କୋରାପୁଟରୁ ୧୦୦ ଟନ ଅଦା, ପଶ୍ଚିମବଙ୍ଗ, ବେଙ୍ଗାଲୁରୁ, ଆନ୍ଧ୍ରପ୍ରଦେଶରୁ ୧୦୦ ଟନରୁ ଊର୍ଧ୍ବ ପରିବା ଆସିଥାଏ। ଏଠାରୁ ପୁଣି ଏହି ସମସ୍ତ ପରିବା ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଯାଇଥାଏ। ଏଥିଯୋଗୁଁ ପ୍ରତିଦିନ ଶହ ଶହ ସଂଖ୍ୟାରେ ଟ୍ରକ ଏଠାରୁ ଯାତାୟାତ କରେ।
ସେହି ଦୃଷ୍ଟିରୁ ଆଇଗିଣିଆ ପାଇକାରୀ ବଜାର କେବଳ ରାଜଧାନୀ ନୁହେଁ, ରାଜ୍ୟ ପାଇଁ ବି କେତେ ଗୁରୁତ୍ବପୂର୍ଣ୍ଣ ସହଜରେ ଅନୁମାନ କରାଯାଇପାରେ। ବ୍ୟବସାୟୀ ସଜ୍ଜନ ଅଗ୍ରୱାଲଙ୍କ କହିା ଅନୁସାରେ ଏଠାରେ ଥିବା ସମସ୍ତ ବ୍ୟବସାୟୀ ବିଏମ୍ସିକୁ ହୋଲ୍ଡିଂ ଟିକସ ବାବଦରେ ଦୋକାନର ଆକାର ଅନୁଯାୟୀ ବାର୍ଷିକ ୨୫୦୦ରୁ ୧୦ ହଜାର ଟଙ୍କା ଗଣୁଛନ୍ତି। ଏପରିକି ଏଠାରେ ସ୍ଥିତ ଶୀତଳଭଣ୍ଡାର ମାଲିକ ୩୪ ହଜାର ଟଙ୍କା ପର୍ଯ୍ୟନ୍ତ ଟିକସ ଦେଇଥାଆନ୍ତି। ସେହିଭଳି ଟ୍ରେଡ୍ ଲାଇସେନ୍ସ ଫି’ ମଧ୍ୟ ପ୍ରତି ବର୍ଷ ଜମା ହୁଏ। କିନ୍ତୁ ବଜାରର ସର୍ବନିମ୍ନ ସୁବିଧା ମଧ୍ୟ ସରକାରଙ୍କ ପକ୍ଷରୁ ଦିଆଯାଉନାହିଁ। ରାସ୍ତା, ଶୌଚାଳୟ, ପାଣି ଏପରିକି ବିଜୁଳି ବ୍ୟବସ୍ଥା ମଧ୍ୟ ନାହିଁ। ସନ୍ଧ୍ୟା ହେଲେ ଏଠାରେ ଅସାମାଜିକ ବ୍ୟକ୍ତିଙ୍କ ଆଡ଼ା ଜମେ। ଲୁଟ୍ପାଟ କ୍ରମଶଃ ସାଧାରଣ ଘଟଣା ହେବାକୁ ଲାଗିଲାଣି। ଏହାକୁ ନେଇ ବିଭିନ୍ନ ସମୟରେ ବିଏମ୍ସି ଏବଂ ସ୍ଥାନୀୟ ଜନପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରାଗଲେ ମଧ୍ୟ କୌଣସି ଲାଭ ହେଉନାହିଁ। ସୂଚନା ଅନୁଯାୟୀ, ୧୯୯୧ ମସିହାରେ ରାଜଧାନୀର ଆଳୁ ଏବଂ ପିଆଜ ପାଇକାରୀ ବ୍ୟବସାୟୀଙ୍କ ସୁବିଧା ପାଇଁ ଆଇଗିଣିଆ ଅଣଉତ୍ପାଦନ ପାଇକାରୀ ବିପଣନ କେନ୍ଦ୍ରର ପ୍ରତିଷ୍ଠା ହୋଇଥିଲା। ୨୫ ଏକର ପରିମିତ ଜମିରେ ବଜାର ଉନ୍ନତିକୁ ସରକାର କେବେ ଦୃଷ୍ଟି ଦେବେ ତାକୁ ନେଇ ପ୍ରଶ୍ନବାଚୀ ରହିଛି।