କ୍ୟାପିଟାଲ ହସ୍ପିଟାଲରେ ଆଣ୍ଟିଜେନ୍ ପରୀକ୍ଷା କେବେ?

ନର୍ସ ଓ ରୋଗୀଙ୍କୁ ମିଶାଇ ଚିହ୍ନଟ ହେଲେଣି ୭ ସଂକ୍ରମିତ10

ଭୁବନେଶ୍ବର: ରାଜ୍ୟରେ ରାପିଡ୍ ଆଣ୍ଟିଜେନ୍ କିଟ୍‌ରେ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ କ୍ୟାପିଟାଲ ହସ୍ପିଟାଲରେ ଏ ପର୍ଯ୍ୟନ୍ତ ଏହି କିଟ୍‌ ପହଞ୍ଚି ନାହିଁ। ରାଜଧାନୀ ପାଇଁ ୫ଶହ କିଟ୍ ରାଜ୍ୟ ସରକାର ସଂରକ୍ଷିତ ରଖିଥିଲେ ହେଁ, ହସ୍ପିଟାଲକୁ ଦିଆଯାଇ ନାହିଁ। ସ୍ବାସ୍ଥ୍ୟାନୁଷ୍ଠାନରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ ଦୁଇ ଦିନ ତଳେ କଟକସ୍ଥିତ ଏସ୍‌ସିବି ମେଡିକାଲରେ ଏହି କିଟ୍ ଜରିଆରେ ପରୀକ୍ଷା ଆରମ୍ଭ ହୋଇଛି। ମାତ୍ର କ୍ୟାପିଟାଲ ହସ୍ପିଟାଲରେ ଏ ପର୍ଯ୍ୟନ୍ତ ଆଣ୍ଟିଜେନ୍ କିଟ୍ ପହଞ୍ଚି ନ ଥିବାରୁ ବିନା ପରୀକ୍ଷାରେ ରୋଗୀମାନଙ୍କୁ ସିଧାସଳଖ ଆଡମିସନ୍ କରାଯାଉଛି।

କ୍ୟାପିଟାଲ ହସ୍ପିଟାଲରେ ଏ ପର୍ଯ୍ୟନ୍ତ ୭ଜଣ କରୋନା ରୋଗୀ ଚିହ୍ନଟ ହୋଇସାରିଲେଣି। ରକ୍ତଭଣ୍ଡାର, ଏନ୍‌ଆରସି, ଜ୍ବର ୱାର୍ଡରୁ ଜଣେ ଲେଖାଏ, ସ୍ତ୍ରୀ ଓ ପ୍ରସୂତି ଓ ଶିଶୁ ବିଭାଗରୁ ୨ଜଣ ଲେଖାଏ ଚିହ୍ନଟ ହୋଇଛନ୍ତି। ଏଥିରେ ୩ଜଣ ନର୍ସ ଓ ଜଣେ ଟେକ୍‌ନିସିଆନ୍ ରହିଥିବା ବେଳେ ୩ଜଣ ରୋଗୀ ରହିଛନ୍ତି। ଏବେ ହସ୍ପିଟାଲରେ ଏବେ ଓପିଡି ଓ ଆଇପିଡି ସେବା ଜାରି ରହିଛି। ଏଭଳି ପରିସ୍ଥିତିରେ କରୋନା ସଂକ୍ରମଣର ଅଧିକ ଆଶଙ୍କା ସୃଷ୍ଟି ହୋଇଛି। କଟକସ୍ଥିତ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ରୋଗୀମାନଙ୍କ ମଧ୍ୟରେ ସଂକ୍ରମଣ ବ୍ୟାପିବା ପରେ ସେଠାରୁ ‌ଶହେରୁ ଅଧିକ ରୋଗୀ ପଜିଟିଭ୍ ଚିହ୍ନଟ ହୋଇଥିଲେ। ପୂର୍ବରୁ ରାଜ୍ୟ ସରକାର ଯେଉଁ ରାପିଡ୍ ଆଣ୍ଟିଜେନ୍‌ କିଟ୍‌ ମଗାଇଥିଲେ ତହିଁରେ ୫ଶହ କିଟ୍ ରାଜଧାନୀ ପାଇଁ ସଂରକ୍ଷିତ ରହିଥିଲା। ମାତ୍ର ତାହା ଏ ପର୍ଯ୍ୟନ୍ତ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ନାହିଁ। ଆଜି ଆସିଥିବା ଅତିରିକ୍ତ ୨୦ ହଜାର କିଟ୍ ମଧ୍ୟରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଏହାକୁ ଦିଆଯିବା ଲାଗି ନଷ୍ପତ୍ତି ନିଆଯାଇଥିବା ବେଳେ ଏଥିରେ କ୍ୟାପିଟାଲ ହସ୍ପିଟାଲକୁ ମଧ୍ୟ କିଟ୍ ଯୋଗାଣ ହୋଇପାରେ ବୋଲି ସମ୍ଭବନା ରହିଛି।

ହସ୍ପିଟାଲର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ଏଥିପାଇଁ ରାଜ୍ୟ ସରକାରଙ୍କୁ ଦୁଇ ଥର ଚିଠି ଦିଆଯାଇଛି। କିଟ୍‌ ଆସିବା ପରେ ରୋଗୀଙ୍କ ପରୀକ୍ଷା କରାଯିବ। ଏବେ ସନ୍ଦିଗ୍ଧ ରୋଗୀଙ୍କ ସ୍ବାବ୍ ପରୀକ୍ଷା ରିପୋର୍ଟ ଆସିବା ପାଇଁ ୨/୩ ଦିନ ଲାଗୁଛି। ମାତ୍ର ରାପିଡ୍‌ ଆଣ୍ଟିଜେନ୍ କିଟ୍‌ରେ ଅତିକମ୍‌ରେ ୧୫-୩୦ ମିନିଟ୍‌ ଭିତରେ ରିପୋର୍ଟ ଆସିପାରିବ। ଯାହାଫଳରେ ରୋଗୀଙ୍କ ଚିକିତ୍ସା ପାଇଁ ଏହା ସହାୟକ ହୋଇପାରିବ। ହସ୍ପିଟାଲରେ ଏବେ ଆଡମିଟ୍‌ ହେଉଥିବା କେଉଁ ରୋଗୀ କରୋନା ସଂକ୍ରମିତ ତାହା ଜଣାପଡ଼ୁନାହିଁ। ଅପରପକ୍ଷରେ ଏ ପର୍ଯ୍ୟନ୍ତ ହସ୍ପିଟାଲରେ ୭ଜଣ ରୋଗୀ ଚିହ୍ନଟ ହୋଇଥିବାରୁ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଷ୍ଟାଫ୍ ନର୍ସ କିମ୍ବା ଅନ୍ୟ କର୍ମଚାରୀଙ୍କୁ ସଙ୍ଗରୋଧରେ ରଖାଯାଉଛି। ସେମାନଙ୍କ ରୋଗ ଚିହ୍ନଟ ହେବାର ୫ଦିନ ପରେ ସ୍ବାବ୍ ପରୀକ୍ଷା ପାଇଁ ପଠାଯାଉଛି। ଯେଉଁମା‌ନଙ୍କର ରିପୋର୍ଟ ନେଗେଟିଭ୍ ରହୁଛି ସେମାନଙ୍କୁ ପୁନର୍ବାର କାର୍ଯ୍ୟରେ ଯୋଗ ଦେବା ଲାଗି ଅନୁମତି ଦିଆଯିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର