ବିଏମ୍‌ସି ମୁଖ୍ୟାଳୟ କେବେ ସରିବ? ନୂଆ ମୁଖ୍ୟାଳୟରେ କିଏ ବସିବେ?

ତିନି ବର୍ଷରେ ୪ କମିସନରଙ୍କର ବଦଳି ହେଲାଣି
ବର୍ଷକ ମଧ୍ୟରେ କାର୍ଯ୍ୟକ୍ଷମ ହେବ ନୂଆ ମୁଖ୍ୟାଳୟ

ଭୁବନେଶ୍ବର : ଜୁନ୍‌, ୨୦୧୯ରେ ଜନପଥ କଡ଼ରେ ସତ୍ୟନଗର ଶ୍ମଶାନ ସମ୍ମୁଖରେ ବିଏମ୍‌ସି ମୁଖ୍ୟାଳୟ ଏବଂ ଇଣ୍ଟେଲିଜେଣ୍ଟ ସିଟି ଅପରେସନ୍‌ସ ଆଣ୍ଡ ମ୍ୟାନେଜମେଣ୍ଟ ସେଣ୍ଟର(ଆଇସିଓଏମ୍‌ସି)ର ଶିଳାନ୍ୟାସ ହେଲା। ବିଏମ୍‌ସି ମୁଖ୍ୟାଳୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ସ୍ଥାନରେ ତିନି ଥର ଶିଳାନ୍ୟାସ କରିବା ପରେ ଏଠାରେ କାମ ଆରମ୍ଭ ହୋଇଥିଲା। ଲକ୍ଷ୍ୟ ଥିଲା ଜୁନ୍, ୨୦୨୧ ସୁଦ୍ଧା ଅର୍ଥାତ୍ ନିର୍ମାଣର ଦୁଇ ବର୍ଷ ଭିତରେ ଏହି କୋଠାର ନିର୍ମାଣ ସରିବ। କିନ୍ତୁ ଧାର୍ଯ୍ୟ ସମୟ ସରିବା ପରେ ବି କାମ ସରିଲାନି। ଏବେ ଯେତିକି କାମ ହୋଇଛି ଏହା ଶେଷ ହେବାକୁ ଅତିକମ୍‌ରେ ଆହୁରି ବର୍ଷେ ଲାଗିବ।

ରାଜଧାନୀର ସବୁଠୁ ଆକର୍ଷଣୀୟ ସରକାରୀ ଅଫିସ୍‌ ଭାବେ ଏହାକୁ ନିର୍ମାଣ କରାଯାଉଥିବାବେଳେ ଏଥିପାଇଁ ୭୩କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ ହୋଇଛି। କିନ୍ତୁ ଏହି କୋଠାର ନିର୍ମାଣ ବିଳମ୍ବ ହେଉଥିବାରୁ ଏହାର ନିର୍ମାଣ ଖର୍ଚ୍ଚ ଆହୁରି ବଢ଼ିପାରେ। ଏହି ‌ନିର୍ମାଣାଧୀନ ଆକର୍ଷଣୀୟ କୋଠାର କିଏ ମୁଖିଆ ହେବ ସେନେଇ ଏବେଠୁ ଚର୍ଚ୍ଚା ଜୋର୍‌ ଧରିଲାଣି। କାରଣ ବର୍ଷେରୁ ଦେଢ ବର୍ଷ ମଧ୍ୟରେ ଏହି ୧୧ମହଲା ବିଶିଷ୍ଟ କୋଠାର ନିର୍ମାଣ ଶେଷ ହେବାକୁ ଥିବାବେଳେ ଏହି ସମୟ ମଧ୍ୟରେ ବିଏମ୍‌ସିରେ ନିର୍ବାଚନ ହେବାର ସମ୍ଭାବନା ନାହିଁ। ତେଣୁ କେହି ଜନ ପ୍ରତିନିଧି ବା ମେୟର ନଥିବାରୁ ବିଏମ୍‌ସି କମିସନର ହିଁ ଏହାର ମୁଖ୍ୟ ହୋଇ ଏଠାରେ ବସିବେ। ବିଏମ୍‌ସି କମିସନର ବା ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡର ସିଇଓ ଏହି କୋଠାର ମୁଖିଆ ହେବାକୁ ଥିବାବେଳେ କିଏ ଏହାର ପ୍ରଥମ ମୁଖିଆ ହେବ ସେନେଇ ଚର୍ଚ୍ଚା ହେଲାଣି।

Telegraph India

ଏହି ଚର୍ଚ୍ଚାକୁ ଖୋରାକ୍ ଯୋଗାଉଛି ଗତ କିଛି ବର୍ଷ ମଧ୍ୟରେ ବିଏମ୍‌ସି କମିସନରମାନଙ୍କ ଘନ ଘନ ବଦଳି। ବର୍ତ୍ତମାନର ପୂର୍ତ୍ତ ସଚିବ ତଥା ପୂର୍ବତନ ବିଏମ୍‌ସି କମିସନର କ୍ରିଷନ କୁମାର ବହୁ ସ୍ଥାନରେ ଜାଗା ଚିହ୍ନଟ କରିବା ପରେ ଏହି ସ୍ଥାନକୁ ଚୂଡ଼ାନ୍ତ କରିଥିଲେ। କିନ୍ତୁ ଡିଜାଇନ୍ ଚୂଡ଼ାନ୍ତ ହେବାକୁ ବହୁ ଦିନ ଲାଗିଗଲା, ଏହାପରେ କାମ ଆରମ୍ଭ ଆରମ୍ଭ ହେବ ବୋଲି ୬ମାସ ବିତିଗଲା। ବହୁ ବିବାଦ ପରେ ଏଠାରେ କାମ ଆରମ୍ଭ ହୋଇଥିଲା। ହେଲେ ସେତେବେଳକୁ କ୍ରିଷନ କୁମାରଙ୍କର ବଦଳି ହୋଇଯାଇଥିଲା। ଏହାପରେ ଆସିଥିଲେ ଶୁଭମ୍ ସାକ୍‌ସେନା। ତାଙ୍କର ବି କିଛି ଦିନ ପରେ ବଦଳି ହୋଇଯାଇଥିଲା। ଏହାପରେ ସମର୍ଥ ବର୍ମା ବିଏମ୍‌ସି କମିସନର ହୋଇଥିଲେ। ତାଙ୍କରି ଉଦ୍ୟମରେ ଏହାର ନିର୍ମାଣ କାମ ଆରମ୍ଭ ହୋଇଥିଲା। ହେଲେ ନିର୍ମାଣ ହେଉ ହେଉ ସେ ବି ବଦଳି ହୋଇ ଚାଲିଗଲେ। ଏହି ତିନି ଜଣଙ୍କର ନୂଆ କୋଠାର ବସିବା ଆଶା ମଉଳି ଗଲା। ଏହାପରେ ଆସିଥିଲେ ପ୍ରେମଚନ୍ଦ୍ର ଚୌଧରୀ। ଏହି କମିସନରଙ୍କ ସମୟରେ କୋଠାର ନିର୍ମାଣ କାର୍ଯ୍ୟ ଜୋରଦାର୍ ହୋଇଥିଲା। ଏପରିକି ଏହି କମିସନର ଏଠାରେ ବସିବେ ବୋଲି ସମସ୍ତେ ଭାବିଥିଲେ। କିନ୍ତୁ ହଠାତ୍ ତାଙ୍କର ବଦଳି ପରେ ବରିଷ୍ଠ ଆଇଏଏସ୍ ସଂଜୟ ସିଂହ ଏବେ ବିଏମ୍‌ସି କମିସନର ହୋଇଛନ୍ତି। କିନ୍ତୁ ପୂର୍ବରୁ ବିଏମ୍‌ସି କମିସନର ପଦବିରେ ଯେଉଁ ଅଧିକାରୀମାନେ ନିଯୁକ୍ତି ପାଉଥିଲେ ତାଙ୍କର ବରିଷ୍ଠତା ଏବଂ ବର୍ତ୍ତମାନର କମିସନରଙ୍କ ବରିଷ୍ଠତା ମଧ୍ୟରେ ପ୍ରାୟ ୧୨ରୁ ୧୩ବର୍ଷର ପାର୍ଥକ୍ୟ ରହୁଥିବାରୁ ଏହି କମିସନର କେତେ ଦିନ ଏଠାରେ ରହିବେ ସେନେଇ ସମସ୍ତଙ୍କ ମନରେ ପ୍ରଶ୍ନ। ବର୍ତ୍ତମାନର କମିସନର ନୂଆ ବିଏମ୍‌ସି ମୁଖ୍ୟାଳୟର ମୁଖିଆ ହେବେ ନା ଆଉ କିଏ ହେବେ ସେନେଇ ଚର୍ଚ୍ଚା ହେଉଛି।

ଏଠାରେ ବିଏମ୍‌ସି ଓ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡର ମୁଖ୍ୟାଳୟ ହେବାକୁ ଥିବାରୁ ଏହିଠାରେ ହିଁ ନୂଆ ମୁଖିଆଙ୍କୁ ଅଧିକ ସମୟ ଦେବାକୁ ପଡ଼ିବ। ଗତ କିଛି ବର୍ଷ ହେଲା ବିଏମ୍‌ସି କମିସନର ଓ ବିଡିଏ ଉପାଧ୍ୟକ୍ଷ ଭାବେ ଜଣେ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଉଥିବାରୁ ବିଏମ୍‌ସିର ପୁରୁଣା କୋଠାକୁ କେହି ଯିବାକୁ ରାଜି ହେଉନାହାନ୍ତି। ତେଣୁ ସମସ୍ତେ ବିଡିଏ ଅଫିସ୍‌ରେ ହିଁ ଅଧିକ ସମୟ ବସୁଛନ୍ତି। ବିଡିଏ ଅଫିସରୁ ହିଁ ବିଏମ୍‌ସି କମିସନରଙ୍କ ଅଫିସ ଚାଲୁଛି। ତେଣୁ ନୂଆ କୋଠା ହେଲେ ସମ୍ଭବତଃ ଚାକଚକ୍ୟରେ କମିସନରମାନେ ଅଧିକ ସମୟ ବିଏମ୍‌ସି ଅଫିସରେ ବସିବେ।

ବିଏମ୍‌ସିରୁ ମିଳିଥିବା ସୂଚନା ଅନୁଯା‌ୟୀ, ୪.୦୪ଏକର ଜମିରେ ନିର୍ମାଣ ହେଉଥିବା ବିଏମ୍‌ସି-ଆଇସିଓଏମ୍‌ସିର କାର୍ଯ୍ୟାଳୟ କୋଠା ନିର୍ମାଣ ପାଇଁ ୭୩କୋଟି ଖର୍ଚ୍ଚ ହେବ। ଜି+୧୧ମହଲା ବିଶିଷ୍ଟ ଏହି କୋଠା ୨ଲକ୍ଷ ୧୯ହଜାର ୨୪୦ବର୍ଗଫୁଟ ଅଞ୍ଚଳର ହେବ। ଏଠାରେ ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା ରହିବ। ତଳ ଓ ଉପର ଗ୍ରାଉଣ୍ଡ ଫ୍ଲୋରରେ ବିଏମ୍‌ସି କାର୍ଯ୍ୟାଳୟ ରହିବାକୁ ଥିବାବେଳେ ଇ‌ଣ୍ଟେଲିଜେଣ୍ଟ ସିଟି ଅପରେସନ୍ ଆଣ୍ଡ ‌ମ୍ୟାନେଜମେଣ୍ଟ ସେଣ୍ଟର (ଆଇସିଓଏମ୍‌ସି) କାର୍ଯ୍ୟାଳୟ ପ୍ରଥମ, ଦ୍ବିତୀୟ ଓ ତୃତୀୟ ମହଲାରେ ରହିବ। ଏହାସହସହ କାର୍ପେଟ୍ ଏରିଆ, ଲ୍ୟାଣ୍ଡସ୍କେପ୍ ଏରିଆ ଓ ଟେରାସ ରହିବ।

ବିଏମ୍‌ସି କମିସନରଙ୍କ କାର୍ଯ୍ୟାଳୟ ୪ର୍ଥ ମହଲାରେ ରହିବ। ଉପର ମହଲାଗୁଡ଼ିକରେ କେବଳ ବିଏମ୍‌ସି କାର୍ଯ୍ୟାଳୟ ରହିବ।

ଏହି କୋଠାକୁ ଆକର୍ଷଣୀୟ କରିବା ପାଇଁ ଚତୁଃପାର୍ଶ୍ବରେ ସୌନ୍ଦର୍ଯ୍ୟୀକରଣ କରାଯିବ। ଏଠାରେ ହେବାକୁ ଥିବା ଲ୍ୟାଣ୍ଡସ୍କେପ୍‌ରେ ଓଡ଼ିଶାର ବିଭିନ୍ନ ମନ୍ଦିରର ଛାପ ରହିବ। ପ୍ରବେଶ ତୋରଣରେ ମଧ୍ୟ ମନ୍ଦିର ଭାସ୍କର୍ଯ୍ୟ ଏବଂ ପାରମ୍ପାରିକ ସାଅଣା ପଥରର ଛାପ ଦେବାକୁ ପରିକଳ୍ପନା କରାଯାଇଛି। ପ୍ରବେଶ ତୋରଣର ଉଚ୍ଚତା ମାଟି ଠାରୁ ୪.୫ମିଟର ଉଚ୍ଚାର ହେବ।

କଳ୍ପନାସ୍ଥିତ ବିଏମ୍‌ସି କାର୍ଯ୍ୟାଳୟ ସମ୍ପ୍ରସାରଣ ହୋଇପାରୁନଥିବାରୁ ଏହି ବିଲଡିଂକୁ ବିଏମ୍‌ସି ମୁଖ୍ୟାଳୟ ସ୍ଥାନାନ୍ତର ହେବ। ଏଠାରେ ବିଏମ୍‌ସିର ସମସ୍ତ ସୁବିଧା ସୁଯୋଗ ଉପଲବ୍ଧ ହେବ। ବଡ଼ କନଫରେନ୍ସ ହଲ୍‌, ପ୍ରତୀକ୍ଷାଳୟ, କ୍ୟାଣ୍ଟିନ୍ ଆଦି ରହିବ। ବର୍ତ୍ତମାନର ବିଏମ୍‌ସି ମୁଖ୍ୟାଳୟକୁ ଦକ୍ଷିଣ-ପୂର୍ବ ଜୋନ୍‌ କାର୍ଯ୍ୟାଳୟ କରାଯିବ।

ସେହିପରି ଅାଇସିଓଏମ୍‌ସି କାର୍ଯ୍ୟାଳୟରେ ବିଭିନ୍ନ ପ୍ରକାରର ସର୍ବେକ୍ଷଣ ବା ସର୍ଭେ ତଥା ସମୀକ୍ଷା ସୁବିଧା ରହିବ। ଏହିଠାରୁ ପୂରା ଭୁବନେଶ୍ବର ଉପରେ ନଜର ରହିବ। ଗୋଟିଏ ମହଲାରେ ବଡ଼ ବଡ଼ ଏଲ୍ଇଡି ପରଦା ଲାଗିବ। ଏଠାରେ ପୂରା ଭୁବନେଶ୍ବରର ଲାଇଭ୍ ଚିତ୍ର ଦେଖିବାକୁ ମିଳିବ। ପୂରା ରାଜଧାନୀ ଏଠାରୁ ନିୟନ୍ତ୍ରଣ ହେବ।

ସମ୍ବନ୍ଧିତ ଖବର