ଭୁବନେଶ୍ୱର : ଏସ୍ସିବିରେ କୋଭିଡ୍ ହସ୍ପିଟାଲ ପ୍ରାୟ ୧ମାସ ହେବ କାର୍ଯ୍ୟକ୍ଷମ ହୋଇ ସାରିଲାଣି। ମାତ୍ର କ୍ୟାପିଟାଲ ହସ୍ପିଟାଲରେ ଏନେଇ ଅନିଶ୍ଚିତତା ଦେଖାଦେଇଛି। ଆଇସିୟୁ ଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ହେଁ ଅକ୍ସିଜେନ୍ ପ୍ଲାଣ୍ଟ ନିର୍ମାଣ ବିଳମ୍ବ ହେବାରେ ଲାଗିଛି। ପ୍ଲାଣ୍ଟ ନିର୍ମାଣ ପାଇଁ ଚିହ୍ନଟ ଜାଗାକୁ ନେଇ ବିବାଦ କୋର୍ଟରେ ପହଞ୍ଚି ଥିବାରୁ ଏଭଳି ପରିସ୍ଥିତି ଉପୁଜିଛି। କୋର୍ଟଙ୍କ ରାୟ କେବେ ଆସିବ ଓ କେବେ କୋଭିଡ୍ ଆଇସିୟୁ କାର୍ଯ୍ୟକ୍ଷମ ହେବ, ତାହା ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ରାଜ୍ୟରେ ସେପ୍ଟେମ୍ବର ମାସରେ କରୋନା ସଂକ୍ରମଣ ଶୀର୍ଷରେ ଥିବା ସମୟରେ ହସ୍ପିଟାଲରେ ଶଯ୍ୟା ସମସ୍ୟା ଉପୁଜିଥିଲା। ବିଶେଷକରି ଆଇସିୟୁ ଓ ଭେଣ୍ଟିଲେଟର୍ରେ ରୋଗୀ ସଂଖ୍ୟା ବଢ଼ିବା ଫଳରେ ସରକାର କ୍ୟାପିଟାଲ ହସ୍ପିଟାଲରେ କୋଭିଡ୍ ଆଇସିୟୁ ପାଇଁ ନିଷ୍ପତ୍ତି ନେଇଥିଲେ। ଏହାକୁ ମଂଜୁରି ମିଳିଲା, ପାଣି ଭଳି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଏବେ ଘର ନିର୍ମାଣ ସରିଛି। ମାତ୍ର ଆଇସିୟୁ ପାଇଁ ସବୁଠାରୁ ବଡ଼ ଆବଶ୍ୟକତା ଥିବା ଅକ୍ସିଜେନ୍ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ହୋଇନାହିଁ। ଆଇସିୟୁ ପାଇଁ ଆବଶ୍ୟକ ବଡ଼ ଅକ୍ସିଜେନ୍ ସିଲିଣ୍ଡର ଜରିଆରେ ଏହାର ଯୋଗାଣ କରାଯିବ। ହସ୍ପିଟାଲ କର୍ତୃପକ୍ଷ ଯେଉଁ ସ୍ଥାନରେ ଏହାକୁ ନିର୍ମାଣ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି, ସେଠାରୁ ଘରୋଇ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଅନ୍ୟତ୍ର ହଟିବାକୁ କୁହାଯାଇଥିଲା। ମାତ୍ର କର୍ମଚାରୀମାନେ ହାଇକୋର୍ଟ ଯିବା ପରେ ଏହି ମାମଲା ଏବେ ବିଚାରାଧୀନ ରହିଛି। ରାଜ୍ୟରେ ଏବେ କରୋନାର ଦ୍ବିତୀୟ ଲହରିକୁ ନେଇ ଆଶଙ୍କା ଦେଖାଦେଇଛି। ଶୀତଦିନେ ସଂକ୍ରମଣ ବଢ଼ିପାରେ ବୋଲି ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଶେଷଜ୍ଞମାନେ ବାରମ୍ବାର ସତର୍କ କରୁଛନ୍ତି। ଡିସେମ୍ବର ମାସରେ ସଂକ୍ରମଣ ବଢ଼ିବା ନେଇ ଆଶଙ୍କା ଥିବା ବେଳେ ଯଦି ସଂକ୍ରମଣ ସଂଖ୍ୟା ବଢ଼େ ତାହାଲେ ପୁନର୍ବାର ସେପ୍ଟେମ୍ବର ମାସ ଭଳି ପରିସ୍ଥିତି ଦେଖା ଦେଇପାରେ। ତେଣୁ କ୍ୟାପିଟାଲ ହସ୍ପିଟାଲରେ କୋଭିଡ୍ ଆଇସିୟୁର ଆବଶ୍ୟକତା ବଢ଼ିପାରେ। ଯଦିଓ ରାଜଧାନୀରେ ଏକାଧିକ କୋଭିଡ୍ ହସ୍ପିଟାଲ ରହିଛି, ମାତ୍ର କ୍ୟାପିଟାଲ ହସ୍ପିଟାଲ ଭଳି ପ୍ରମୁଖ ସରକାରୀ ହସ୍ପିଟାଲରେ କୋଭିଡ୍ ଚିକିତ୍ସା ବ୍ୟବସ୍ଥା ନଥିବାରୁ ଏହା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି।
କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ଡା. ଲକ୍ଷ୍ମୀଧର ସାହୁ କହିଛନ୍ତି, ନିର୍ମାଣ କାର୍ଯ୍ୟ ପ୍ରାୟତଃ ଶେଷ ହୋଇଯାଇଛି। କେବଳ ହାଇକୋର୍ଟ ରାୟଙ୍କୁ ଅପେକ୍ଷା କରାଯାଇଛି। ଜାଗା ବିବାଦର ଯେତେ ଶୀଘ୍ର ସମାଧାନ ହେବ, କୋଭିଡ୍ ଆଇସିୟୁ କାର୍ଯ୍ୟକ୍ଷମ ହେବ ବୋଲି ଡା. ସାହୁ ‘ସମ୍ବାଦ’କୁ କହିଛନ୍ତି।
ଅନ୍ୟପକ୍ଷରେ ହସ୍ପିଟାଲରେ ପୂର୍ବରୁ ଥିବା ନିରାଶ୍ରିତ ରୋଗୀଙ୍କ ପାଇଁ ପ୍ରଯୁଜ୍ୟ ୱାର୍ଡରେ କୋଭିଡ୍ ଓପିଡି ପ୍ରତିଷ୍ଠା ପରେ ନିରାଶ୍ରିତମାନଙ୍କ ପାଇଁ ସମସ୍ୟା ଦେଖାଦେଇଛି। ପୂର୍ବରୁ ସେଠାରେ ଯେଉଁମାନେ ରହିଥିଲେ, ଏବେ ସେମାନେ ଅନ୍ୟତ୍ର ରହୁଛନ୍ତି। କିଛି ବ୍ୟକ୍ତିଙ୍କୁ ହସ୍ପିଟାଲର ବିଭିନ୍ନ ୱାର୍ଡରେ ଥଇଥାନ କରାଯାଇଛି। ହେଲେ ଏବେ ଯେଉଁମାନଙ୍କୁ ଠାବ କରାଯାଇ ହସ୍ପିଟାଲକୁ ଅଣାଯାଉଛି, ସେମାନଙ୍କ ପାଇଁ ସମସ୍ୟା ଦେଖାଦେଉଛି। ହସ୍ପିଟାଲ କର୍ତୃପକ୍ଷଙ୍କ କହିବା କଥା, ଏବେ ସେଭଳି ଲୋକ ହସ୍ପିଟାଲ ଆସିଥିବା ନଜରକୁ ଆସିନାହିଁ। ପୂର୍ବରୁ ସେଠାରେ ଯେଉଁମାନେ ରହିଥିଲେ, ସେମାନଙ୍କୁ ବିଭିନ୍ନ ୱାର୍ଡରେ ରଖାଯାଇଛି।