ପ୍ଲାଜମା ଥେରାପିର କ୍ଲିନିକାଲ ଟ୍ରାଏଲ କେବେ?

ରାଜ୍ୟରେ ସେଭଳି ଗୁରୁତର କୋଭିଡ ରୋଗୀ ନାହାନ୍ତି: ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ବର: କରୋନା(କୋଭିଡ-୧୯) ରୋଗୀଙ୍କ ପାଇଁ ବରଦାନ ସାବ୍ୟସ୍ତ ହେଉଛି ପ୍ଲାଜ୍‌ମା ଥେରାପି। ଦିଲ୍ଲୀରେ ଏକାଧିକ କରୋନା ଆକ୍ରାନ୍ତ ପ୍ଲାଜ୍‌ମା ଥେରାପି ବଳରେ ନୂଆ ଜୀବନ ପାଇଛନ୍ତି। ମାତ୍ର ଓଡ଼ିଶାରେ ଏ ନେଇ ଆଗ୍ରହ ଦେଖିବାକୁ ମିଳିନାହିଁ। ଏ ପର୍ଯ୍ୟନ୍ତ ରାଜ୍ୟରେ କୌଣସି ଡାକ୍ତରଖାନା ଏହାର କ୍ଲିନିକାଲ ଟ୍ରାଏଲ ପାଇଁ ଆବେଦନ କରି ନ ଥିବା ଜଣାପଡ଼ିଛି। କରୋନା ସଂକ୍ରମଣରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ରକ୍ତରୁ ପ୍ଲାଜ୍‌ମା ସଂଗ୍ରହ କରି ଗୁରୁତର କରୋନା ସଂକ୍ରମିତଙ୍କ ଶରୀରରେ ଏହି ପ୍ଲାଜ୍‌ମାର ଇନ୍‌ଫ୍ୟୁଜନ୍‌କୁ ପ୍ଲାଜ୍‌ମା ଥେରାପି କୁହାଯାଏ। ଦିଲ୍ଲୀରେ ଏଭଳି ୬ରୁ ଅଧିକ କରୋନା ଆକ୍ରାନ୍ତ ପ୍ଲଜ୍‌ମା ଥେରାପିରେ ଭଲ ହେବା ପରେ ଦେଶର ଏକାଧିକ ରାଜ୍ୟ ଭାରତୀୟ ଭେଷଜ ଗବେଷଣା ପରିଷଦ ବା ଆଇସିଏମ୍‌ଆର ନିକଟରେ ଆବେଦନ କରିଛନ୍ତି। ଏପରିକି କେରଳ ଓ କର୍ଣ୍ଣାଟକ ଏହାର କ୍ଲିନିକାଲ ଟ୍ରାଏଲ ଆରମ୍ଭ କରିବାକୁ ଯାଉଛନ୍ତି। ମାତ୍ର ପ୍ଲାଜ୍‌ମା ଥେରାପି ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ସେତେଟା ଆଗ୍ରହ ପ୍ରକାଶ ପାଇନାହିଁ। ରାଜ୍ୟର ଏ ପର୍ଯ୍ୟନ୍ତ କୌଣସି ଡାକ୍ତରଖାନା ପ୍ଲାଜ୍‌ମା ଥେରାପିର କ୍ଲିନିକାଲ ଟ୍ରାଏଲ ପାଇଁ ଆବେଦନ କରି ନ ଥିବା ଜଣାପଡ଼ିଛି। କେନ୍ଦ୍ର ଭେଷଜ ମହାନିର୍ଦେଶକଙ୍କ ପକ୍ଷରୁ ଏଭଳି ପରୀକ୍ଷା ପାଇଁ ଅନୁମତି ପ୍ରଦାନ କରାଯାଉଛି। ରାଜ୍ୟର ଭେଷଜ ନିର୍ଦେଶକ ମଧ୍ୟ ରାଜ୍ୟ ସରକାରଙ୍କୁ ଏ ବାବଦରେ ଅବଗତ କରିଥିବା ସୂଚନା ମିଳିଛି। ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ଲାଜ୍‌ମା ଥେରାପି ନେଇ ଏ ପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇ ନାହିଁ।

ରାଜ୍ୟରେ ଇତିମଧ୍ୟରେ ୩୫ଜଣ କ‌ରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ସୁସ୍ଥ ହୋଇଥିବା କରୋନା ସଂକ୍ରମିତଙ୍କୁ ରକ୍ତ ପ୍ରଦାନ କରିବା ଲାଗି ନିବେଦନ କରାଗଲେ ଅନେକ ଆଗେଇ ଆସିପାରନ୍ତି ବୋଲି କୁହାଯାଉଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଅତି ଗୁରୁତର ‌କରୋନା ଆକ୍ରାନ୍ତଙ୍କୁ ପ୍ଲାଜ୍‌ମା ଥେରାପି ଜରିଆରେ ଚିକିତ୍ସା କରାଯାଉଛି। ମାତ୍ର ଓଡ଼ିଶାରେ ଏ ପର୍ଯ୍ୟନ୍ତ ସେଭଳି କୌଣସି ଗୁରୁତର ରୋଗୀ ଚିହ୍ନଟ ହୋଇ ନାହାନ୍ତି। ରାଜ୍ୟର ଅଧିକାଂଶ ଆକ୍ରାନ୍ତ ନିକଟରେ କୌଣସି ଲକ୍ଷଣ ଦେଖିବାକୁ ମିଳିନାହିଁ। ଅନେକ ଆକ୍ରାନ୍ତ ମଧ୍ୟ ସୁସ୍ଥ ହୋଇ ସାରିଲେଣି। ତେଣୁ ରାଜ୍ୟରେ ପ୍ଲାଜ୍‌ମା ଥେରାପି ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର