ନୂଆ ରେଳଷ୍ଟେସନ୍‌ ପୂର୍ଣ୍ଣାଙ୍ଗ କେବେ?

ଭିତ୍ତିଭୂମିର ସମୀକ୍ଷା କଲେ ରେଳପଥ ମହାପ୍ରବନ୍ଧକ

ଚନ୍ଦ୍ରଶେଖରପୁର: ଭୁବନେଶ୍ବର ସହରର ଜନସଂଖ୍ୟାକୁ ଦୃଷ୍ଟିରେ ରଖି ମଞ୍ଚେଶ୍ବର ଓ ବାରଙ୍ଗ ଷ୍ଟେସନ୍‌ ମଧ୍ୟରେ ପ୍ରତିଷ୍ଠା ହୋଇଥିଲା ଭୁବନେଶ୍ବର ନୂଆ ରେଳଷ୍ଟେସନ୍‌। ୨୮କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା ଏହି ଷ୍ଟେସନରେ ୭ଟି ପ୍ଲାଟଫର୍ମ ସହ ୯ଟି ଟ୍ରାକ୍‌ ରହିଥିଲା। ମାଷ୍ଟରକ୍ୟାଣ୍ଟିନ୍‌ସ୍ଥିତ ମୁଖ୍ୟ ରେଳ ଷ୍ଟେସନ୍‌ଠାରୁ ୧୪ କିମି ଦୂରରେ ନିର୍ମାଣ ହୋଇଥିବା ଏହି ଷ୍ଟେସନ୍‌ ଉତ୍ତର ଭୁବନେଶ୍ବର ଓ ବାଙ୍କୀ ନିର୍ବାଚନମଣ୍ଡଳୀର ଲୋକଙ୍କ ଲାଇଫ୍‌ଲାଇନ୍‌ ପାଲଟିବ ବୋଲି କୁହାଯାଉଥିଲା। ମାତ୍ର ୪ବର୍ଷ ବିତିବାକୁ ବସିଥିଲେ ମଧ୍ୟ ରେଳ ଷ୍ଟେସନ୍‌ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ। ଉଦ୍‌ଘାଟନ ପରେ ବିକାଶ ଏକପ୍ରକାର ଠପ୍‌ ହୋଇଯାଇଛି। କରୋନା ଯୋଗୁଁ ଦୁଇ ବର୍ଷ ହେଲା ଷ୍ଟେସନ୍‌ କୌଣସି କାମରେ ଲାଗୁ ନ ଥିଲା। ପାସେଞ୍ଜର ଟ୍ରେନ୍‌ ରହଣି କରୁ ନଥିବାରୁ ଲୋକଙ୍କ ପାଦ ପଡ଼ୁ ନଥିଲା। ଏବେ ମାତ୍ର ଗୋଟିଏ ଯୋଡିଏ ଟ୍ରେନ୍‌ ଅଟକୁଛି।

ସଂଯୋଗକାରୀ ରାସ୍ତା ପାଇଁ ଖର୍ଚ୍ଚ ହେବ ୨୪ କୋଟି
ଯାତ୍ରୀଙ୍କ ପ୍ରତୀକ୍ଷା ଲାଗି ଖର୍ଚ୍ଚ ହେଉଛି ୨୦ କୋଟି

ଷ୍ଟେସନ୍‌କୁ ପୂର୍ଣ୍ଣାଙ୍ଗ କାର୍ଯ୍ୟକ୍ଷମ କରିବା ନେଇ ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତ ବାରମ୍ବାର ସ୍ବର ଉଠାଇଛନ୍ତି। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଏ ବିଷୟରେ ଅବଗତ କରାଇଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ବି ପ୍ରତିଶ୍ରୁତି ଦେଇଥିଲେ। ଗତ ସପ୍ତାହରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଅର୍ଚ୍ଚନା ଯୋଶୀ ନୂଆ ଷ୍ଟେସନ୍‌କୁ ଗସ୍ତ କରି ସଡ଼କ ଯୋଗାଯୋଗ ସହ ଅନ୍ୟାନ୍ୟ ନିରାପତ୍ତା ଓ ସୁରକ୍ଷା କାର୍ଯ୍ୟ ତ୍ୱରାନ୍ୱିତ ଉପରେ ଗୁରୁତ୍ୱାରୋପ କରିଛନ୍ତି। ସମୀକ୍ଷା ବୈଠକରୁ ଜଣାପଡ଼ିଛି ଯେ ଗତ ୫ବର୍ଷ ମଧ୍ୟରେ ଷ୍ଟେସନ୍‌ର ନୂତନ କୋଠାରେ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ କରାଯାଇଛି। ଉଚ୍ଚସ୍ତରୀୟ ପ୍ଲାଟଫର୍ମ, ଏଫ୍‌ଓବି, ପ୍ଲାଟଫର୍ମ ସେଲ୍ଟର, ୱାଟର ହାଇଡ୍ରାଣ୍ଟ ଆଦି କାର୍ଯ୍ୟ ସରିଛି। ଏବେ ପ୍ରାୟ ୨୦କୋଟି ଟଙ୍କାରେ ଅପର୍‌ କ୍ଲାସ ୱେଟିଂ ରୁମ୍‌, ସେକେଣ୍ଡ କ୍ଲାସ ୱେଟିଂ ରୁମ୍‌, ଆରଆର, ଡିଆର୍‌, ଭିଆପି ଲଞ୍ଜ୍‌, ସିଆଇବି, ଟିଆଇବି, ଅଟୋ ପିଏ ସିଷ୍ଟମ୍‌, ସାଇନ୍‌ଏଜ୍‌ ଆଦି କାର୍ଯ୍ୟ ଜାରି ‌ରହିଛି। ଷ୍ଟେସନକୁ ସଂଯୋଗକାରୀ ରାସ୍ତା ନିର୍ମାଣ ନେଇ ଆଲୋଚନା ଚାଲିଛି। ଏ ବାବଦରେ ପ୍ରାୟ ୨୪କୋଟି ୮୯ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ବ୍ୟୟବରାଦ ହୋଇଛି। ଏଥିସହ ପ୍ରାୟ ୨୩ ଲକ୍ଷ ଟଙ୍କା ବ୍ୟୟରେ ଷ୍ଟେସନରେ ଷ୍ଟିଲ୍‌ ବେଞ୍ଚର ବ୍ୟବସ୍ଥା କରାଯିବାକୁ ଯୋଜନା ପ୍ରସ୍ତୁତ ହୋଇଛି।

ପୂର୍ବତଟ ରେଳପଥର ଜଣେ ଅଧିକାରୀ କହିଛନ୍ତି ଯେ କରୋନା ସମୟରେ ପାସେଞ୍ଜର୍‌ ଟ୍ରେନ୍‌ରେ ଆବଶ୍ୟକ ସଂଖ୍ୟକ ଯାତ୍ରୀ ହେଉ ନଥିବାରୁ ଅଧିକାଂଶ ଟ୍ରେନ୍‌ ବନ୍ଦ ରହିଥିଲା। ଏବେ ଧୀରେଧୀରେ ଚଳାଚଳ କଲାଣି। ସ୍ଥିତି ସାମାନ୍ୟ ସ୍ବାଭାବିକ ହୋଇଥିବାରୁ ଏବେ ମେମୁ ଟ୍ରେନ୍‌ ଏଠାରେ ରହଣି କରୁଛି। ‌ତେବେ ଭୁବନେଶ୍ବର ନୂଆ ରେଳ ଷ୍ଟେସନ୍‌ ପୂର୍ବରୁ ପଟିଆ ଓ ବାରଙ୍ଗ ଷ୍ଟେସନ୍‌ ରହିଥିବାରୁ ମେମୁ ଟ୍ରେନ୍‌ରେ ଆସୁଥିବା ଯାତ୍ରୀ ଉକ୍ତ ଦୁଇ ଷ୍ଟେସନରେ ଓହ୍ଲାଇବା‌ ସହ ଚଢ଼ୁଛନ୍ତି। ଯେଉଁଥିପାଇଁ ନୂଆ ରେଳ ଷ୍ଟେସନ୍‌ରେ ଯାତ୍ରୀ ହେଉନାହାନ୍ତି। ଗମନାଗମନ ସମସ୍ୟା ଅନ୍ୟ ଏକ କାରଣ ପାଲଟିଛି। ଷ୍ଟେସନ୍‌କୁ ଭଲ ରାସ୍ତା ନଥିବାରୁ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଉନାହିଁ। ମହାପ୍ରବନ୍ଦକଙ୍କ ଗସ୍ତ ସମୟରେ ଏ ବିଷୟରେ ଆଲୋଚନା ହୋଇଛି। ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ କରାଯିବ।

ସୂଚନା ଅନୁଯାୟୀ, ଭୁବନେଶ୍ବର ମୁଖ୍ୟ ରେଳ ଷ୍ଟେସନ୍‌ରେ ଟ୍ରେନ୍‌ ଭିଡ଼କୁ ଏଡ଼ାଇବା ଲକ୍ଷ୍ୟରେ ୨୦୧୨-୧୩ରେ ଭୁବନେଶ୍ବର ନୂଆ ରେଳ ଷ୍ଟେସନ୍‌ର ପରିକଳ୍ପନା କରାଯାଇଥିଲା। ପ୍ରଥମେ ମଞ୍ଚେଶ୍ବର ରେଳ ଷ୍ଟେସନ୍‌ର ବିକାଶ କରିବାକୁ ଯୋଜନା ଥିଲା। ମାତ୍ର ଆବଶ୍ୟକ ଭିତ୍ତିଭୂମି ନ ମିଳିବାରୁ ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ନନ୍ଦନକାନନ ପ୍ରଣୀଉଦ୍ୟାନ ନିକଟରେ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ହେଲା। ଏଥିପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବା ସହ ଭିତ୍ତିଭୂମି ବିକାଶ କରିବାକୁ ବଦ୍ଧପରିକର ହେବା ପରେ ୨୦୧୮-୧୯ ଆର୍ଥିକ ବର୍ଷରେ ଏହି ରେଳ ଷ୍ଟେସନ୍‌ ପୂର୍ଣ୍ଣାଙ୍ଗ ରୂପ ନେଇଥିଲା। ପ୍ରଥମ ପର୍ଯ୍ୟାୟରେ ପୁରୀ-ହାଓଡା-ପୁରୀ ପାସେଞ୍ଜର୍‌, ରାଉରକେଲା-ପୁରୀ-ରାଉରକେଲା ପାସେଞ୍ଜର୍‌ ଓ କଟକ-ବ୍ରହ୍ମପୁର-କଟକ ମେମୁ ‌ଟ୍ରେନ୍‌ ରହଣି କରୁଥିଲା। ଯାତ୍ରୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିଲେ, ଆଗାମୀ ଦିନରେ ଅଧିକ ଟ୍ରେନ୍‌ ଅଟକିବା ନେଇ ଯୋଜନା ମଧ୍ୟ କରାଯାଇଥିଲା। ମାତ୍ର ଆଜି ପର୍ଯ୍ୟନ୍ତ ଟ୍ରେନ୍‌ ସଂଖ୍ୟା ବୃଦ୍ଧି ପାଇ ନାହିଁ।

ସମ୍ବନ୍ଧିତ ଖବର