ଭିଆଇପି ସୁରକ୍ଷାକୁ ଗୁରୁତ୍ବ, ଅପରାଧ ବଢ଼ୁଛି
ତିନି ବର୍ଷ ହେଲାଣି ପଡ଼ି ରହିଛି ଫାଇଲ୍
ଦୁଇ ଡିଜି ବଦଳି ଗଲେଣି, ନୂଆ ଡିଜିଙ୍କୁ ବର୍ଷେ ପୂରିଲାଣି
ଭୁବନେଶ୍ୱର : ଦିନକୁ ଦିନ ରାଜଧାନୀରେ ଅପରାଧ ମାତ୍ରା ଲୋକଙ୍କ ନିଦ ହଜାଇ ସାରିଲାଣି। ଦିନ ଦି’ପହରରେ ଲୁଟ୍ପାଟ୍ ହେଉଛି। ବରିଷ୍ଠ ନାଗରିକଙ୍କୁ ଟାର୍ଗେଟ୍ କରି ଲୁଟ୍ କରାଯାଉଛି ଓ ଅଘଟଣ ବେଳେ ସେମାନେ ହତ୍ୟାର ଶିକାର ମଧ୍ୟ ହୋଇଯାଉଛନ୍ତି। ଅଥଚ ଡିସିପି ଭିଆଇପି ସୁରକ୍ଷାରେ ବ୍ୟସ୍ତ ରହୁଛନ୍ତି। ରାଜଧାନୀ ଭଳି ସହର ହୋଇଥିବାରୁ ଭିଆଇପି ସୁରକ୍ଷା ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହୋଇଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି। ଆଉ ମାସେ ପରେ ଜାନୁଆରିରେ କମିସନରେଟ୍ ପୁଲିସକୁ ୧୨ ବର୍ଷ ପୂରିବ। କିନ୍ତୁ ଅସଜଡ଼ା ଭିତ୍ତିଭୂମି କମିସନରେଟ୍ ପୁଲିସ ପାଇଁ ଦୀର୍ଘ ବର୍ଷ ହେଲା ଚ୍ୟାଲେଞ୍ଜ ହୋଇ ରହିଛି। ମେଟ୍ରୋ ସିଟି ବା ବଡ଼ ବଡ଼ ଜନବହୁଳ ସହରରେ ଏକାଧିକ ଡିସିପି ନିଯୁକ୍ତି ବ୍ୟବସ୍ଥା ଥିବା ବେଳେ ଭୁବନେଶ୍ବରରେ ମଧ୍ୟ ସେଭଳି ବ୍ୟବସ୍ଥା କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଭୁବନେଶ୍ବରରେ ନର୍ଥ ଓ ସାଉଥ୍ ଜୋନ୍ରେ ଦୁଇ ଜଣ ଡିସିପି ନିଯୁକ୍ତି ପାଇଁ ୩ବର୍ଷ ପୂର୍ବେ ଏଭଳି ଏକ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ଦିଆଯାଇଥିଲା। ମାତ୍ର ଏବେ ସେହି ଫାଇଲ୍ରେ ଧୂଳି ଜମି ଗଲାଣି। ଉକ୍ତ ପ୍ରସ୍ତାବ କାର୍ଯ୍ୟକାରୀ ହେବା ନାଁ ଗନ୍ଧ ନାହିଁ। ତତ୍କାଳୀନ ପୁଲିସ୍ ଡିଜି ରାଜେନ୍ଦ୍ର ଶର୍ମାଙ୍କ ସମୟରେ ଏହି ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ଭୁବନେଶ୍ବର ପାଇଁ ଆଉ ଜଣେ ଡିସିପି ନିଯୁକ୍ତି ପ୍ରସ୍ତାବ ସେଠାରେ ପଡ଼ି ରହିଛି। ତତ୍କାଳୀନ ପୁଲିସ୍ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ପରେ ବିଜୟ ଶର୍ମା ମଧ୍ୟ ବିଦା ହୋଇସାରିଲେଣି। ଅଭୟ ଡିଜି ଦାୟିତ୍ବ ନେବା ବର୍ଷେ ପୂରିବାକୁ ଯାଉଛି। କିନ୍ତୁ ଏଯାଏ ଫାଇଲ ଆଉ ଆଗକୁ ବଢ଼ି ପାରି ନାହିଁ।
ନୟାଗଡ଼ ପରୀ ହତ୍ୟାକାଣ୍ଡକୁ ନେଇ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଆଜି ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ଘେରାଉ ହୋଇଥିଲା। ବଡ଼ଧରଣର ଅଘଟଣ ଘଟିବା ଆଶଙ୍କାରେ ଦିନତମାମ ନିଜେ ଡିସିପି ଉମାଶଙ୍କର ଦାଶ ମନ୍ତ୍ରୀଙ୍କ ବାସଭବନ ନିକଟରେ ଉପସ୍ଥିତ ଥିଲେ। ଏମିତି ଘଟଣାର ତାଲିକା ବେଶ୍ ଲମ୍ବା। ସେହିଭଳି ବିଧାନସଭା ଅଧିବେଶନ ସମୟରେ ବିଭିନ୍ନ ସଂସ୍ଥା ପକ୍ଷରୁ ଅନୁଷ୍ଠିତ ହେଉଥିବା ଘେରାଉ ବା ବଡ଼ଧରଣର ବିକ୍ଷୋଭ ବେଳେ ଡିସିପି ସେଠାରେ ଉପସ୍ଥିତ ରହୁଛନ୍ତି। ଭିଭିଆଇପିଙ୍କ ଗସ୍ତ ପାଇଁ ମଧ୍ୟ ବ୍ୟସ୍ତ ରହୁଛନ୍ତି ଡିସିପି। ତେଣୁ ଅପରାଧ ମୁକାବିଲା କରିବା ପାଇଁ ଡିସିପିଙ୍କୁ ସମୟ ଅଭାବ ହେଉଛି ଓ ଏହା ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଛିଡ଼ା ହୋଇଛି। ଫଳରେ ଅପରାଧ ବଢ଼ିବାରେ ଲାଗିଛି।
ମିଳିଥିବା ସୂଚନା ଅନୁସାରେ, ୨୦୦୮ରେ କମିସନରେଟ୍ ପୁଲିସ୍ ବ୍ୟବସ୍ଥା ଲାଗୁ ହେଲା ପରେ ସେହି ବର୍ଷ ମାମଲା ସଂଖ୍ୟା ଥିଲା ପ୍ରାୟ ସାଢ଼େ ୪ ହଜାର। କିନ୍ତୁ ଏବେ ମାମଲା ସଂଖ୍ୟା ୯ ହଜାରରେ ପହଞ୍ଚିଲାଣି। ଦିନକୁ ପାଖାପାଖି ୨୫ଟି ମାମଲା ରୁଜୁ ହେଉଛି। ୨୦୨୧ରେ ଏହି ସଂଖ୍ୟା ଆହୁରି ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଚୋରି, ଲୁଟ୍, ରାହାଜାନି ଭଳି ମାମଲା ସଂଖ୍ୟା ଉଦ୍ବେଗଜନକ ରହିଛି। ୨୦୦୮ରେ ଭୁବନେଶ୍ବର ଆର୍ଟିଓରେ ୩୯ ହଜାର ଗାଡ଼ି ରେଜିଷ୍ଟ୍ରେସନ୍ ହୋଇଥିବା ବେଳେ ୧୧ବର୍ଷ ଭିତରେ ତିନିଗୁଣା ବଢ଼ି ଯାଇଛି। ୨୦୧୯ ସୁଦ୍ଧା ଗାଡ଼ି ରେଜିଷ୍ଟ୍ରେସନ୍ ସଂଖ୍ୟା ୧ ଲକ୍ଷ ୧୪ ହଜାରରେ ପହଞ୍ଚିଛି। ଫଳରେ ଦୁର୍ଘଟଣା ସଂଖ୍ୟା ବେଶ୍ ବଢ଼ିଛି। ଦୁର୍ଘଟଣାକୁ ନେଇ ଅନେକ ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ମଧ୍ୟ ସୃଷ୍ଟି ହେଉଛି। ଏ ଭିତରେ ଥାନା ସଂଖ୍ୟା ମଧ୍ୟ ବଢ଼ିଛି। ଏହାକୁ ବିଚାରକୁ ନେଇ ସାଉଥ୍(ଦକ୍ଷିଣ) ଏବଂ ନର୍ଥ(ଉତ୍ତର) ଭୁବନେଶ୍ବରରେ ଦୁଇ ଜଣ ଡିସିପି ନିଯୁକ୍ତି ପ୍ରସ୍ତାବ ଦିଆଯାଇଥିଲା। ଖଣ୍ଡଗିରି, ଚନ୍ଦ୍ରଶେଖରପୁର ଓ ସହିଦନଗର ଏସିପି ଜୋନକୁ ନେଇ ନର୍ଥ ଡିସିପି ଜୋନ୍ ଏବଂ ଲକ୍ଷ୍ମୀସାଗର, କ୍ୟାପିଟାଲ, ଏୟାରଫିଲ୍ଡ ଏସିପି ଜୋନକୁ ନେଇ ସାଉଥ୍ ଡିସିପି ଜୋନ୍ ତିଆରି କରିବା ନେଇ ପ୍ରସ୍ତାବରେ ଉଲ୍ଲେଖ ରହିଥିଲା। ମାତ୍ର ଅପରାଧ ବଢ଼ି ଚାଲିଥିବା ସତ୍ତ୍ବେ କେବେ ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେବ, ତାହାର ଉତ୍ତର କାହା ପାଖରେ ନାହିଁ। ତେଣୁ ଏହା ଏକପ୍ରକାର ଲୋକଙ୍କ ଜୀବନ ସହ ଖେଳ ବୋଲି ବୁଦ୍ଧିଜୀବୀ ମହଲରେ ଅଭିଯୋଗ ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/commissionerate-police.jpg)