ଯୋଗ ପାଠ୍ୟକ୍ରମ ବାଧ୍ୟତାମୂଳକ କେବେ?

ଏନସିଇଆରଟିକୁ କେନ୍ଦ୍ରମନ୍ତ୍ରୀଙ୍କ ପରାମର୍ଶ, ଉତ୍କଳ ବିଶ୍ବବିଦ୍ୟାଳୟ‌ରେ ବନ୍ଦ କରିଦେଲେ

ଭୁବନେଶ୍ବର: ଜୁନ୍‌ ୨୧କୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଉଛି। ଭାରତ ସମେତ ସାରା ବିଶ୍ବରେ ଏହି ଦିବସକୁ ଧୂମ୍‌ଧାମରେ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ରମନ୍ତ୍ରୀମାନେ ସାମିଲ ହୋଇ ଯୋଗ ଦିବସରେ ବିଭିନ୍ନ ବାର୍ତା ଦେଉଛନ୍ତି। ମାତ୍ର ଆଜି ପର୍ଯ୍ୟନ୍ତ ‘ଯୋଗ’କୁ ସ୍କୁଲସ୍ତରୀୟ ପାଠ୍ୟକ୍ରମରେ ବାଧ୍ୟତାମୂଳକ କରାଯାଇ ନାହିଁ। ୭ ବର୍ଷ ହେଲା ପାଳିତ ହେଉଥିବା ଯୋଗ ଦିବସରେ କେନ୍ଦ୍ର ଶିକ୍ଷାମନ୍ତ୍ରୀମାନେ ଯୋଗଦେଇ ଏହାକୁ ପାଠ୍ୟକ୍ରମରେ ସାମିଲ କରିବାକୁ ଆହ୍ବାନ ଦେଇଛନ୍ତି। ୨୦୧୯ରେ ତତ୍‌କାଳୀନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ୍‌ ନିଶଙ୍କ ବାର୍ତା ଦେଇ ଯୋଗ ବାଧ୍ୟତାମୂଳକ କରାଯିବ ବୋଲି କହିଥିଲେ। ମାତ୍ର ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରି ନାହିଁ।

ଏବେ ପୁଣି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ‘ଜାତୀୟ ଯୋଗ ଅଲିମ୍ପିଆଡ୍ ୨୦୨୨’ ସମାରୋହକୁ ଉଦ୍‌ଘାଟନ କରି ସ୍କୁଲ ପାଠ୍ୟକ୍ରମରେ ଯୋଗକୁ ସାମିଲ କରିବା ଲାଗି ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ(ଏନସିଇଆରଟି)କୁ ପରାମର୍ଶ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ପରାମର୍ଶକୁ ଏନ୍‌ସିଇଆରଟି କେତେ ଦୂର କାର୍ଯ୍ୟକାରୀ କରିବ ତାହାକୁ ନେଇ ପ୍ରଶ୍ନ ଉଠିଲାଣି। କାରଣ ଆଗରୁ ବି ଏନ୍‌ସିଇଆରଟିକୁ ଏନେଇ ବାରମ୍ବାର କୁହାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପା‌ରି ନାହିଁ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏବେ ପୁଣି କହିଛନ୍ତି ଯେ ଯୋଗ ହେଉଛି ଜୀବନର ଅବିଚ୍ଛେଦ୍ୟ ଅଙ୍ଗ। ଯୋଗ କଲେ ମନ ଓ ଶରୀର ପ୍ରଫୁଲ୍ଲିତ ହେବା ସହ ନୂଆ ଉର୍ଜା ଦେଇଥାଏ। ଯୋଗ ହେଉଛି ଉତ୍ତମ ସ୍ୱାସ୍ଥ୍ୟ, କଲ୍ୟାଣ ଓ ଶାରିରୀକ ଶିକ୍ଷାର ଅଭିନ୍ନ ଅଙ୍ଗ। ଏହାର ମହତ୍ୱ ନୂଆପିଢ଼ିଙ୍କୁ ଶିଖାଇବା ଲାଗି ଏନସିଇଆରଟି ପାଠ୍ୟକ୍ରମରେ ଯୋଡ଼ିବା ଦରକାର। ଯୋଗର ପ୍ରାଚୀନ ପରମ୍ପରାକୁ ପାଠ୍ୟକ୍ରମରେ ସାମିଲ କରାଯାଉ। ଆମେ ଜାତୀୟ ପାଠ୍ୟକ୍ରମ ରୂପରେଖ(ଏନସିଏଫ)ର ବିକାଶ ପ୍ରକ୍ରିୟାରେ ଥିବା ବେଳେ ପୌଢ଼ ଶିକ୍ଷା ସମୟରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ମଧ୍ୟରେ ଯୋଗ ଶିକ୍ଷାକୁ ପ୍ରାଥମିକତା ଦେବା ଆବଶ୍ୟକ।

ଏନସିଇଆରଟି ଏପର୍ଯ୍ୟନ୍ତ ଯୋଗକୁ ବାଧ୍ୟତାମୂଳକ କରାଯାଇ ନ ଥିବା ବେଳେ ରାଜ୍ୟ ସରକାରଙ୍କ ଅଧୀନ ଏସ୍‌ସିଇଆରଟି ବି ଏଦିଗରେ ପଦକ୍ଷେପ ନେଇନି। ପିଲାମାନଙ୍କୁ କିଭଳି ଯୋଗ ଶିକ୍ଷା ଦିଆଯିବ ତାହାକୁ ନେଇ ପ୍ରଶ୍ନ ଉଠିଛି। ସେପଟେ ଯୋଗ ଓ ଏ ସମ୍ପର୍କିତ ଶିକ୍ଷାକୁ ବିଶ୍ୱ ସମୁଦାୟ ଗ୍ରହଣ କରିଥିବା ବେଳେ ଭାରତୀୟ ସଂସ୍କୃତିର ଏହି ମହାନ ପରମ୍ପରା ସମ୍ପର୍କିତ ଶିକ୍ଷାକୁ ଉତ୍କଳ ବିଶ୍ୱବିଦ୍ୟାଳୟ ଏବର୍ଷ ବନ୍ଦ କରିଦେଇଛି। ଏହାକୁ ନେଇ ଛାତ୍ରଛାତ୍ରୀ ବିରୋଧ କରିବା ସହ ରାଜରାସ୍ତାକୁ ଓହ୍ଲାଇଥିଲେ। ତା’ପରେ ବି ବିଶ୍ବବିଦ୍ୟାଳୟ କର୍ତୃପକ୍ଷ କୌଣସି ପଦକ୍ଷେପ ନେଲେ ନାହିଁ। ବରଂ ଯୋଗ ଭଳି ଏକ ପାଠ୍ୟକ୍ରମକୁ ବନ୍ଦ କରି ଦିଆଗଲା।

ସମ୍ବନ୍ଧିତ ଖବର