ଖଣ୍ଡଗିରି: ଭୁବନେଶ୍ବର ମହାନଗର ନିଗମ ୬୫ ନମ୍ବର ୱାର୍ଡର ଉଦୟଗିରିବିହାର ବାସିନ୍ଦା ଏବେ ଡ୍ରେନ୍ ସମସ୍ୟାରେ ଯୁଝୁଛନ୍ତି। ଜାତୀୟ ରାଜପଥ ପାର୍ଶ୍ବରେ ରହିବା ଆଶା ଓ ବିଡିଏର ଆକର୍ଷଣୀୟ ଅଫର୍ ପ୍ରଲୋଭନରେ ଉଦୟଗିରିବିହାରରେ ୧୭୦ ପରିବାର ଜମି ଓ ଘର କିଣିନେଲେ। ଏହି କଲୋନି ପାତ୍ରପଡ଼ା-ଭଗବାନପୁର ପଞ୍ଚାୟତରେ ଥିଲା। କିଛି ବର୍ଷ ହେଲା ବିଏମ୍ସିରେ ସାମିଲ୍ ହୋଇଛି। କିନ୍ତୁ ଏହା ପରେ ବି ଏହି ଅଞ୍ଚଳର ସମସ୍ୟାର ସମାଧାନ ହେଉନାହିଁ। ଏବେ ବର୍ଷା ଆରମ୍ଭ ହୋଇଯାଇଥିବାରୁ ଏଠାକାର ସମସ୍ୟା ଆହୁରି ଜଟିଳ ହୋଇଗଲାଣି। ବିଡିଏ କଲୋନି କରିବା ପରେ ଆଖପାଖରେ ଥିବା ବେସରକାରୀ ଜମିରେ ବହୁ ଘର ତିଆରି ହୋଇଛି। ବିଡିଏ କଲୋନିରେ ୧୪୦ ଏମ୍ଆଇଜି ଓ ୩୦ ଏଲ୍ଆଇଜି ଘର ଥିବା ବେଳେ ଏହି ଅଞ୍ଚଳରେ ପ୍ରାୟ ୮ ଶହରୁ ଅଧିକ ପରିବାର ରହୁଛନ୍ତି। ହେଲେ ବଡ଼ ବର୍ଷା ଆସିଲେ ସମସ୍ତଙ୍କ ମନରେ ଛନକା ପଶୁଛି।
ଉଦୟଗିରିବିହାରରେ ଡ୍ରେନ୍ ନାହିଁ
ରାସ୍ତାରେ ମାଡ଼ୁଛି ଅଳିଆ ପାଣି
ଟିକସ ନେଉଛି ବିଏମ୍ସି, ସୁବିଧା ଦେଉନି
ଅଞ୍ଚଳରେ ସ୍ବେରେଜ୍ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ ନିର୍ମାଣ ହୋଇନି। ଲୋକେ ପକେଟ୍ରୁ ଟଙ୍କା ଖର୍ଚ୍ଚ କରି ଏହାକୁ ସଫା କରୁଛନ୍ତି। କଲୋନି ନିର୍ମାଣ ପରଠାରୁ ଏଠାରେ ଡ୍ରେନ୍ ମରାମତି କି ସଫେଇ ହୋଇନାହିଁ। ଫଳରେ ଡ୍ରେନ୍ ବହୁ ସ୍ଥାନରେ ପୋତି ହୋଇଗଲାଣି। ବଡ଼ ଗଛ ଚେର ଡ୍ରେନକୁ ମାଡ଼ି ବସିଛି। କେଉଁଠି ନର୍ଦ୍ଦମା ପାଣି ରାସ୍ତାକୁ ଉଛୁଳି ଆସୁଛି ତ କେଉଁଠି ଡ୍ରେନ୍ ଭାଙ୍ଗିଯାଇଥିବାରୁ ଘରର ସମସ୍ତ ଅଳିଆ ପାଣି ଘର ଆଗରେ ଜମି ରହୁଛି। ବର୍ଷା ଆରମ୍ଭ ହେବା ପରେ ଡ୍ରେନ୍ ଦୁର୍ଗନ୍ଧରେ ଆଉ ରହିବା ସମ୍ଭବ ହେଉନି। ସମସ୍ତ ସୁବିଧା ଯୋଗାଇବା ପାଇଁ ବିଏମ୍ସି ୨୦୧୫ ମସିହାରୁ ହୋଲ୍ଡିଂ ଟିକସ ନେଉଛି। ହେଲେ ଡ୍ରେନ୍ ଭଳି ମୌଳିକ ସୁବିଧା ମିଳୁନାହିଁ। ସେହିପରି ଜବରଦଖଲ ଯୋଗୁ ରାସ୍ତା ସଂକୀର୍ଣ୍ଣ ହୋଇଯାଉଛି। ବିଏମ୍ସି ସବୁବେଳେ ସାବତ ପୁଅ ଭଳି ଦେଖୁଥିବା ଅଭିଯୋଗ ହୋଇଛି। ଅଞ୍ଚଳର ଉନ୍ନୟନ ସଂଘର ଉପଦେଷ୍ଟା ଚନ୍ଦ୍ରଶେଖର ରାଓଙ୍କ ଅଭିଯୋଗ ଅନୁସାରେ ରାତି ତ ଦୂରର କଥା, ଦିନରେ ବି ଲୋକ ଏଠାକୁ ଆସିବାକୁ ମଙ୍ଗୁନାହାନ୍ତି। ଏଠି ରହୁଥିବା ଲୋକଙ୍କ ଭିତରେ ଅଧିକାଂଶ ଅବସରପ୍ରାପ୍ତ ସରକାରୀ କର୍ମଚାରୀ। ହେଲେ ସେମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ଉଦୟନାଥ ସାହୁଙ୍କ କହିବା କଥା, ସହରରେ ଘର କରିଥିଲେ ମଧ୍ୟ ଗାଁଠାରୁ କଦର୍ଯ୍ୟ ଅବସ୍ଥାରେ ରହିବାକୁ ପଡୁଛି। ଘର ସମ୍ମୁଖରେ ଡ୍ରେନ୍ ପୋତି ଯାଇଥିବାରୁ ନିଜେ ଟଙ୍କା ଖର୍ଚ୍ଚ କରି ଖୋଳିଛୁ, ହେଲେ ମଇଳା ପାଣି ଯିବାକୁ ବାଟ ନାହିଁ। ସ୍ଥାନୀୟ କର୍ପୋରେଟର ରଶ୍ମିରଞ୍ଜନ ପାଟ୍ଟଶାଣୀ କହିଛନ୍ତି, ଡ୍ରେନ୍ ତିଆରି ନେଇ ବିଏମ୍ସିକୁ ବାରମ୍ବାର କୁହାଯାଇଛି। ତେବେ ଲୋକମାନେ ଡ୍ରେନ୍ ଉପରେ ଘରର ପାଚେରି କରିଛନ୍ତି। ତେଣୁ ଡ୍ରେନ୍ ନିର୍ମାଣ କରିବାକୁ ସମୟ ଲାଗିବ।