ଖଣ୍ଡଗିରି: ଅସରାଏ ବର୍ଷାରେ ଭାସୁଛି ତମାଣ୍ଡୋ ଅଣ୍ଡରପାସ୍‌ ଓ କାଳୀବଜାର। ଗତ ୭ ବର୍ଷ ହେଲା ବର୍ଷା ଦିନେ ଏପରି ସ୍ଥିତି ଉପୁଜୁଥିଲେ ହେଁ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) ଏହାର ସ୍ଥାୟୀ ସମାଧାନ କରୁନାହିଁ। ବାରମ୍ବାର ଖବର ପ୍ରକାଶ ପରେ ୨୦୨୩ ମସିହାରେ ଅଣ୍ଡରପାସକୁ ଉଚ୍ଚ କରିଦେଲେ। ହେଲେ ମୂଳ ସମସ୍ୟାର ସମାଧାନ କଲେନି। 

Advertisment

ତ‌ମାଣ୍ଡୋ ବଜାର ଉପରେ କାଶୀପୁର, ବାଲିଆପାଳ, ନଁପୁଟ, ମହୁରା, ରେତଙ୍ଗ, ବାଲିଆପଡ଼ା, ଯାଁଳା, ମଦନପୁର, ବଡ଼ରଘୁନାଥପୁର, ଅରିସଲ, କାଇମାଟିଆ, ଜାଗସରାପାଟଣା, ନାରଗୋଦା, କାଇମାଟିଆ, ପାତ୍ରପଡ଼ା, କଳିଙ୍ଗବିହାରର ଲୋକେ ନିର୍ଭର କରନ୍ତି। ଗୋଟିଏ ସ୍ଥାନରେ ସବୁ ଆବଶ୍ୟକ ସାମଗ୍ରୀ ମିଳୁଥିବାରୁ ପ୍ରତିଦିନ ଲୋ‌କ ବଜାର କରିବାକୁ ଆସନ୍ତି। କିନ୍ତୁ ଅଣ୍ଡରପାସ୍‌ରେ ପାଣି ଜମିବା ଫଳରେ ଏହି ସମସ୍ୟାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଆଗକୁ ଆହୁରି ବର୍ଷା ହେଲେ ଅଞ୍ଚଳବାସୀ ଜଳବନ୍ଦୀ ହେବାର ଆଶଙ୍କା ପ୍ରକାଶ ପାଇଛି। ଏହି ସମସ୍ୟାର ଶୀଘ୍ର ସମାଧାନ କରାନଗଲେ ଲୋକେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ସ୍ଥାନୀୟ ଲୋକ କହିଛନ୍ତି, ଅଣ୍ଡରପାସ୍ ତିଆରି ହେବା ପରେ ଏଠାରେ ବର୍ଷାଜଳ ନିଷ୍କାସନ ନେଇ ସମସ୍ୟା ଦେଖାଦେଇଥିଲା।

ଡ୍ରେନ୍‌ ଠିକ୍‌ ଭାବରେ କାମ କରୁ ନଥିବାରୁ ବର୍ଷାଜଳକୁ ପୂର୍ବରୁ ଖାଲି ଥିବା ଏକ ବେସରକାରୀ ଜମିକୁ ଛଡ଼ା ଯାଉଥିଲା। ମାତ୍ର ଗତ ୩ବର୍ଷ ହେବ ଉକ୍ତ ଜମିର ମାଲିକ ସେଠାରେ ଦୋକାନ ତିଆରି କରିବା ପରେ ତାଙ୍କ ଜମିକୁ ପାଣି ଛାଡ଼ିବାକୁ ବିରୋଧ କରିବା ସହ ନଳାରେ ମାଟି ପକାଇ ମୁହଁ ବନ୍ଦ କରି‌ଦେଇଛନ୍ତି। ଯେଉଁଥିପାଇଁ ବର୍ତ୍ତମାନ ଅସରାଏ ବର୍ଷା ହେଲେ ଅଣ୍ଡରପାସ୍‌ର ଉଭୟ ପାଖରେ ଅଣ୍ଟାଏ ଉଚ୍ଚର ପାଣି ଜମୁଛି। ବର୍ଷେତଳେ ଏନ୍ଏଚ୍ଏଆଇ ପକ୍ଷରୁ ବଜୁରି ପକାଯାଇଥିଲା। ହେଲେ ତାହା ଅଳ୍ପ ଦିନରେ ଉଠି ପୁଣି ଗାତ ହୋଇଗଲା। ଏ ନେଇ ସ୍ଥାନୀୟ ସରପଞ୍ଚ ସନ୍ଧ୍ୟା ଜେନା କହିଛନ୍ତି, ଡ୍ରେନ୍‌ ପାଣି ପାଇପ୍‌ ସଂଯୋଗ କାମ ଆରମ୍ଭ ହୋଇଛି। ଏହା ‌ହୁଣ୍ଡାଇ ସୋ’ରୁମ୍‌ ନିକଟ ନାଳରେ ସଂଯୋଗ ହୋଇଗଲେ ଆଉ ସମସ୍ୟା ରହିବ ନାହିଁ।