ଭୁବନେଶ୍ବର, ୧୦/୩ (ଇମିସ): ରାଜଧାନୀର ମୁକୁଳା ଡ୍ରେନ୍‌ ମୁଣ୍ଡ ପରେ ମୁଣ୍ଡ ନେଲା। କେବଳ ବର୍ଷା ଦିନ ନୁହେଁ, ଅନ୍ୟ ସମୟରେ ବି ମୁକୁଳା ଡ୍ରେନ୍‌ରେ ଲୋକଙ୍କ ପ୍ରାଣହାନି ଘଟିଲା। ତଥାପି ସରକାର ଚେତିଲେ ନାହିଁ। ତେଣୁ ମାମଲା ଗଲା ସୁପ୍ରିମ୍‌କୋର୍ଟ। ବିଗତ ଦିନର ଅଭାବନୀୟ ଘଟଣା ସବୁକୁ ବିଚାର କରି ଭୁବନେଶ୍ବରରେ କୌଣସି ଡ୍ରେନ୍‌ ମୁକୁଳା ରହିବ ନାହିଁ ବୋଲି ସୁପ୍ରିମ୍‌କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେଣୁ ରାଜ୍ୟ ସରକାର ଏନେଇ ପୂର୍ତ୍ତ ବିଭାଗ, ବିଏମ୍‌ସି, ଜାତୀୟ ରାଜପଥ କର୍ତ୍ତୃପକ୍ଷ ଓ ଇଡ୍‌କୋକୁ ଚିଠି ଲେଖିଥିଲେ। ମାତ୍ର ପରେ ସରକାର ଏ ଦିଗରେ ତତ୍ପରତା ଦେଖାଇଲେ ନାହିଁ। ଫଳରେ ଡ୍ରେନ୍‌ ନିର୍ମାଣ କରିବାକୁ ଥିବା ସରକାରୀ ସଂସ୍ଥା ବି ବସିଗଲେ। ଫଳରେ ସୁପ୍ରିମ୍‌କୋର୍ଟଙ୍କ ଆଦେଶ ପାଣିର ଗାର ପାଲଟିଗଲା। ଆଜି ବି ରାଜଧାନୀରେ ବହୁ ମୁକୁଳା ଡ୍ରେନ୍‌ ମୁଣ୍ଡ ନେବାକୁ ବସିଛି। ଆଗକୁ ବର୍ଷା ଦିନ ଆସୁଥିବା ବେଳେ ଏଥିପ୍ରତି କାହାର ନଜର ନଥିବା ଅଭିଯୋଗ ହେଉଛି।

Advertisment

ରାଜଧାନୀର ପ୍ରମୁଖ ୧୦ଟି ବଡ଼ ଡ୍ରେନ୍‌କୁ ବାଦ୍‌ ଦେଲେ ଏବେ ବି ବହୁ ଗଳିକନ୍ଦି ଓ ରାଜପଥ କଡ଼ର ଛୋଟ ବଡ଼ ଡ୍ରେନ୍‌ ମୁକୁଳା ପଡ଼ିଛି। ରସୁଲଗଡ଼ ଶିଳ୍ପାଞ୍ଚଳ, ଜିଜିପି କଲୋନି, ଭିଏସ୍‌ଏସ୍‌ନଗର, ଲକ୍ଷ୍ମୀସାଗର, ୟୁନିଟ୍‌-୮, ରେଳ ଷ୍ଟେସନ ରାସ୍ତା, ବାଣୀବିହାର ଶନି ମନ୍ଦିର ନିକଟ, ବରମୁଣ୍ଡା ବସ୍‌ଷ୍ଟାଣ୍ଡ, ଖଣ୍ଡଗିରି, ଖାରବେଳନଗର ଆଦି ଅଞ୍ଚଳର ବହୁ ଡ୍ରେନ୍‌ ମୁକୁଳା ପଡ଼ିଛି। ଭୁବନେଶ୍ବର ରେଳ ଷ୍ଟେସନ ରାସ୍ତାରେ ଡ୍ରେନ୍‌ ଖୋଲା ଥିବାରୁ ଯାତ୍ରୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ସେହିପରି ବାଣୀବିହାର ଛକ ଶନିମନ୍ଦିର ଆଗରେ ଡ୍ରେନ୍‌ ଉପରେ ପଡ଼ିଥିବା ସ୍ଲାବ୍‌ ଭାଙ୍ଗି ଯାଇଛି। ନିମ୍ନମାନର କାମ ଯୋଗୁଁ ସ୍ଲାବ୍‌ ଭାଙ୍ଗିଯିବା ପରେ ପୁଣି ଡ୍ରେନ୍‌ ମୁକୁଳା ହୋଇଯାଇଛି। ଶନି ମନ୍ଦିରକୁ ଆସୁଥିବା ଭକ୍ତମାନେ ପ୍ରାୟ ସମୟରେ ଦୁର୍ଘଟଣାର ଶିକାର ହେଉଥିବା ଅଭିଯୋଗ ହେଉଛି। ସେହିପରି ଖାରବେଳନଗର ଗୁରୁଦ୍ବାର ପଛ ପାଖରେ ଥିବା ଡ୍ରେନ୍‌ର ଏକାଧିକ ସ୍ଥାନ ମୁକୁଳା ରହିଛି। ଗତ ବର୍ଷ ବର୍ଷା ଦିନ ପୂର୍ବରୁ କିଛି ମୁକୁଳା ଡ୍ରେନ୍‌ ଉପରେ ସ୍ଲାବ୍‌ ପଡ଼ି ପାରିନଥିଲା। ରସୁଲଗଡ଼, ଜଗନ୍ନାଥନଗର, ଜିଜିପି କଲୋନି, ଦୟାୱେଷ୍ଟ କେନାଲ କଡ଼, ଝାରପଡ଼ା, ଲକ୍ଷ୍ମୀସାଗର ଭଳି ବିଭିନ୍ନ ଅଞ୍ଚଳରେ ମୁକୁଳା ଡ୍ରେନ୍‌ ଆଗରେ ବାଉଁଶବାଡ଼ ଦିଆଯାଇଥିଲା। ବର୍ଷା ଦିନ ସରିବା ପରେ ଉକ୍ତ ବାଉଁଶ ବାଡ଼ ଭାଙ୍ଗି ଦିଆଯାଇଥିଲା। ଏବେ ସେସବୁ ଅଞ୍ଚଳରେ ଡ୍ରେନ୍‌ ମୁକୁଳା ପଡ଼ିଥିଲେ ହେଁ କାମ କରାଯାଉନାହିଁ। ଏହାକୁ ନେଇ ଅଞ୍ଚଳବାସୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

publive-image ଖାରବେଳନଗରସ୍ଥିତ ଗୁରୁଦ୍ବାରା ପଛ ରାସ୍ତାକଡ଼ ଡ୍ରେନ୍‌

ସୂଚନାଯୋଗ୍ୟ ଯେ ୨୦୨୧ ମସିହାରେ ବରମୁଣ୍ଡାରେ ଏମିତି ଏକ ଡ୍ରେନ୍‌ରେ ଭାସି ଜଣେ ଛାତ୍ରର ଜୀବନଦୀପ ଲିଭି ଯାଇଥିଲା। ଏହା ପୂର୍ବରୁ ନୂଆପଲ୍ଲୀରେ ବି ଜଣେ ଛାତ୍ରଙ୍କ ପ୍ରାଣହାନି ହୋଇଥିଲା। ଗତ ୮ବର୍ଷ ଭିତରେ ରାଜଧାନୀର ମୁକୁଳା ଡ୍ରେନ୍‌ ୭ରୁ ଅଧିକ ମୁଣ୍ଡ ନେଇ ସାରିଲାଣି। ସେହିଭଳି ହକି ବିଶ୍ବକପ୍‌ ବେଳେ ହୋଟେଲ୍‌ ୱେଲକମ୍‌ ସମ୍ମୁଖ ମୁକୁଳା ଡ୍ରେନ୍‌ରେ ପଡ଼ି କୋରିଆର ଫଟୋ ସାମ୍ବାଦିକ ଆହତ ହୋଇଥିଲେ। ଏହାକୁ ନେଇ ସେତେବେଳେ ସରକାର ବେଶ୍ ବଦନାମ ହୋଇଥିଲେ। ମାତ୍ର ସେହି ସମୟର ତତ୍ପରତା ଏବେ ଆଉ ନାହିଁ। ତେଣୁ ଯେତେବେଳେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶକୁ ଖାତିର ନାହିଁ, ସ୍ମାର୍ଟ ସିଟି ଭୁବନେଶ୍ବରରୁ ମୁକୁଳା ଡ୍ରେନ୍‌ ଯନ୍ତ୍ରଣା ଦୂର ହେବା ସାତ ସପନ ବୋଲି କୁହାଯାଉଛି।