ଭୁବନେଶ୍ବର: କଂକ୍ରିଟ୍‌ ଜଙ୍ଗଲ ଭିତରେ ହଜିଯାଉଛି ସବୁଜିମା। ବ୍ୟକ୍ତିଗତ ହେଉ ଅଥବା ସରକାରୀ ଜାଗା। ରାଜଧାନୀ ଭିତରେ ପ୍ରତିଦିନ ବଳିପଡ଼ୁଛି ଗଛ। ପ୍ରକଳ୍ପ ପାଇଁ କେଉଁଠି ୬୦ ବର୍ଷର ଗଛ ଟଳିପଡ଼ୁଛି ତ ଆଉ କେଉଁଠି ୪ରୁ ୫ ବର୍ଷର ଗଛ। କାଟିଲେ ରୋକିବାକୁ କେହି ନାହିଁ। ବନ ବିଭାଗ ରହିଥିଲେ ମଧ୍ୟ ସତେ ଯେମିତି କୋମାରେ। ବିଡିଏ ଓ ବିଏମ୍‌ସି କଥା ନ କହିବା ଭଲ। ଗଛ କଟା ରୋକିବାକୁ ନା ଅଛି ଆଇନ ନା ଦଣ୍ଡବିଧାନ। ଗାଁ ଗହଳିରେ ବ୍ୟବସାୟିକ ଉଦ୍ଦେଶ୍ୟରେ ଗଛ କାଟିଲେ ସ୍ଥାନୀୟ ଜଙ୍ଗଲ ଅଧିକାରୀଙ୍କ ନିକଟରେ ଦରଖାସ୍ତ ଦେବାକୁ ପଡ଼ିଥାଏ।

Advertisment

ରାଜସ୍ୱ ନିରୀକ୍ଷକଙ୍କ ସରଜମିନ୍‌ ତଦନ୍ତ ଓ ତହସିଲ୍‌ଦାରଙ୍କ ଅନୁମତି ପରେ ଗଛ କଟାଯିବା ନେଇ ଆଇନ ରହିଛି। ମାତ୍ର ସହର କଥା ତ’ ନକହିବା ଭଲ। ରାଜଧାନୀ ଭୁବନେଶ୍ୱର ଅଧୀନରେ ଚନ୍ଦକା ବନଖଣ୍ଡ, ସିଟି ଫରେଷ୍ଟ ବନଖଣ୍ଡ, ଓଡ଼ିଶା ବନ ଉନ୍ନୟନ ନିଗମ(ଓଏଫ୍‌ଡିସି) ପରି ତିନିଟି ଡିଭିଜନ୍‌ ରହିଛି। ଏମାନଙ୍କ ତତ୍ତ୍ୱାବଧାନରେ ବୃକ୍ଷରୋପଣ କରାଯିବା ସହିତ ଜଙ୍ଗଲ ସୃଷ୍ଟିର ଦାୟିତ୍ୱ ନ୍ୟସ୍ତ ରହିଛି। ବିଏମ୍‌ସିର ବି ଗଛ ଲଗାଇବା ଦାୟିତ୍ବରେ ଅଛି। ମାତ୍ର ଗତ ପାଞ୍ଚ ବର୍ଷର ପରିସଂଖ୍ୟାନକୁ ଅନୁଧ୍ୟାନ କଲେ ନୂତନ ଜଙ୍ଗଲ ସୃଷ୍ଟି କରିବାରେ ସରକାରୀ ସଂସ୍ଥାଗୁଡ଼ିକ ସେତେଟା ସଫଳ ହୋଇପାରି ନାହାନ୍ତି। ବରଂ ଜଙ୍ଗଲ ଓ ପରିବେଶ ବିଭାଗ ଅଧୀନରେ ଥିବା ତିନିଟି ସଂସ୍ଥା ମିଳିତ ଭାବେ ପାଞ୍ଚ ବର୍ଷରେ ଦୁଇ ଲକ୍ଷରୁ ଅଧିକ ବୃକ୍ଷରୋପଣ କରିଥିବା ଦାବି କରୁଛନ୍ତି। ମାତ୍ର ସେହି ଗଛଗୁଡ଼ିକ ମଧ୍ୟରୁ କେତୋଟି ବଞ୍ଚୁଛି ସେନେଇ ରହିଛି ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଗତ ଏକ ଦଶନ୍ଧିର ରାଜଧାନୀର ଚିତ୍ରପଟ୍ଟକୁ ଦେଖିଲେ କେତେ ଲକ୍ଷ ବୃକ୍ଷ କଟା ହୋଇଛି ତାହା ଆକଳନ କରିବା କଷ୍ଟକର। ବାଣୀବିହାର ଛକରୁ ରାଜମହଲ ହେଉ କି କଳ୍ପନାରୁ ସାମନ୍ତରାପୁର। ଖଣ୍ଡଗିରିରୁ ଚନ୍ଦକା, ସିଆରପି ଛକରୁ କଳିଙ୍ଗ ଷ୍ଟୁଡିଓ ରାସ୍ତାର ସମ୍ପ୍ରସାରଣ ଲାଗି ମଧ୍ୟ ହଜାର ହଜାର ଗଛ ବଳି ପଡ଼ିଛି। ଆମ୍ବ, ବର ପରି ଅମ୍ଳଜାନ ଯୋଗାଉଥିବା ଗଛକୁ ହତ୍ୟା କରାଯାଇଛି। ବିକାଶ ନାଁରେ ପ୍ରତିବର୍ଷ ବିନାଶ କରାଯାଉଥିଲେ ମଧ୍ୟ ରୋକିବାକୁ କେହି ନାହାନ୍ତି। ସମସ୍ତେ ସବୁ ଜାଣି ଚୁପ୍‌ ବସିଛନ୍ତି। ୨୦୦୮ରେ ଓଏଫ୍‌ଡିସି ଅଧୀନରେ ରାଜଧାନୀ ଓ ଏହାର ଉପକଣ୍ଠ ଅଞ୍ଚଳରେ ବ୍ୟାପକ ବୃକ୍ଷରୋପଣ ନିମନ୍ତେ ବଡ଼ ଯୋଜନା ହୋଇଥିଲା। ମାତ୍ର ୨୦୧୬-୧୭ରୁ ଏହି ଯୋଜନାକୁ ବନ୍ଦ କରିଦିଆଯାଇଛି।

ଅଣଜଙ୍ଗଲ ଜମିରେ ବୃକ୍ଷରୋପଣ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଫଳାଫଳ ଶୂନ୍‌। ଗୋଟିଏ ଗଛର ତିନି ବର୍ଷିଆ ରକ୍ଷଣାବେକ୍ଷଣ ପାଇଁ ପ୍ରାୟ ୭୦୦ଟଙ୍କା ଖର୍ଚ୍ଚ ହେଉଛି। ଜନବସତିପୂର୍ଣ୍ଣ କଲୋନି, ଶିକ୍ଷାନୁଷ୍ଠାନ, ରାସ୍ତା ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଗଛ ଲଗାଯାଉଥିଲେ ମଧ୍ୟ କୌଣସି ଫଳ ମିଳୁନାହିଁ। କାରଣ ଘର କରିବା ପାଇଁ ହେଉ ଅଥବା ଅନ୍ୟାନ୍ୟ ପ୍ରକଳ୍ପ ଲାଗି ଏହି ଗଛଗୁଡ଼ିକୁ ଅବାଧରେ କଟାଯାଉଛି। ଗୋଟିଏ ଗଛ କାଟିଲେ ୧୦ଟି ଗଛର ଟଙ୍କା ଦେବାକୁ ପଡ଼ିବ। ଏହି ନିୟମକୁ ମଧ୍ୟ ଅନେକ ବେଖାତିର୍‌ କରୁଛନ୍ତି। ଅର୍ଥ ସିନା ଦେଉଛନ୍ତି ମାତ୍ର ବନ ବିଭାଗ ତାହାକୁ କେତେ କାର୍ଯ୍ୟକାରୀ କରୁଛି ସେନେଇ ପ୍ରଶ୍ନବାଚ୍ଚୀ ସୃଷ୍ଟି ହୋଇଛି। କାରଣ ଗତ ବର୍ଷକ ମଧ୍ୟରେ ଭୁବନେଶ୍ବରରେ ବିଭିନ୍ନ ପ୍ରକଳ୍ପ ଲାଗି ୧୦ ହଜାରରୁ ଅଧିକ ଗଛ କଟାଯାଇଛି।

ବିକାଶ ନାଁରେ ଅବାଧ ଗଛ କଟା ଚାଲିଛି

କ୍ଷେତ୍ର ସ୍ତରରେ ସ୍ଥିତି ଭିନ୍ନ, ଚିନ୍ତାଜନକ

ସେ ରାସ୍ତା ସମ୍ପ୍ରସାରଣ ହେଉ କି ହୋଟେଲ ନିର୍ମାଣ। କିମ୍ବା କୌଣସି ସରକାରୀ ପ୍ରକଳ୍ପ। ୨୦୨୧ ସେପ୍ଟେମ୍ବରରେ ଏକାମ୍ରକ୍ଷେତ୍ରରୁ ବିଶାଳ ଆମ୍ବ ଗଛ କଟାଗଲା। ଏହାର କିଛି ମାସ ଯାଇଛି କି ନାହିଁ କୌଶଲ୍ୟାଗଙ୍ଗ ଫାଣ୍ଡି ଅଧୀନ ଗୁଡ଼ିଆପୋଖରୀ-ପାରଚଅଁର ଗ୍ରାମ ଉନ୍ନୟନ ବିଭାଗ ମୁଖ୍ୟ ରାସ୍ତାର ଦୁଇ ପାର୍ଶ୍ବରୁ ଲକ୍ଷାଧିକ ଟଙ୍କାର ଗଛ କଟାଯାଇଥିଲା। ଜାନୁଆରିରେ ନୀଳାଦ୍ରିବିହାର ୨୦୦ ଫୁଟିଆ ରାସ୍ତାରୁ ୧୮୦୦ ଗଛ କଟାଗଲା। ପୋଖରୀପୁଟରେ ବି ସରକାରୀ ପ୍ରକଳ୍ପ ଲାଗି ଗଛକୁ ବିଳି ଦିଆଗଲା। ମାତ୍ର ସେହି ଅନୁଯାୟୀ ବୃକ୍ଷରୋପଣ ହୋଇପାରି ନା‌ହିଁ। ସହର ହୃତ୍‌ପିଣ୍ଡରୁ ଗଛ କଟା ଯାଉଥିବା ବେଳେ ସହର ବାହାରେ ଲଗାଯାଉଥିବା ବନ ବିଭାଗ ଦର୍ଶାଉଛି। ଏହାଦ୍ବାରା ରାଜଧାନୀବାସୀଙ୍କର କି ପ୍ରକାର ଲାଭ ହେଉଛି? ଏମିତିରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଶହ ଶହ ଗଛ ନଷ୍ଟ ହେଉଛି। ତା’ପରେ ଗଛ କଟା ସହରବାସୀଙ୍କ ଉପରେ ବୋଝ ଉପରେ ଲଳିତା ବିଡ଼ା‌ ସଦୃଶ ହୋଇଛି।

ରାଜଧାନୀରେ ତ’ ବର୍ତ୍ତମାନ ହୁ ହୁ ହୋଇ ଅଟ୍ଟାଳିକ ନିର୍ମାଣର ହେଉଛି। ସେଥିପାଇଁ ପ୍ରଥମ ଶିକାର ହେଉଛନ୍ତି ବୃକ୍ଷ। ଏଭଳି ପରିସ୍ଥିତିର ମୁକାବିଲା କରିବାକୁ ହେଲେ ଏକ ଶକ୍ତିଶାଳୀ ଟ୍ରି ଆକ୍ଟ୍‌ର ପ୍ରଣୟନ ଜରୁରୀ ହୋଇପଡ଼ିଛି। ଦିଲ୍ଲୀ ସମେତ ମହାରାଷ୍ଟ୍ର, ପଶ୍ଚିମବଙ୍ଗ, କେରଳ, ଚଣ୍ଡିଗଡ଼, କର୍ଣ୍ଣାଟକ ଆଦି ରାଜ୍ୟ ଗୁଡ଼ିକରେ ବୃକ୍ଷ କଟା ନିରୋଧ ଆଇନ୍‌ ପ୍ରଚଳିତ ହେଉଛି। ଉକ୍ତ ଆଇନ୍‌ ଅନୁଯାୟୀ ସରକାରୀ ଜାଗାରୁ ଗଛ କାଟିଲେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ବ୍ୟବସ୍ଥା ରହିଛି। ମାତ୍ର ଆମ ରାଜ୍ୟରେ ସେପରି କୌଣସି ବ୍ୟବସ୍ଥା ନଥିବାରୁ ବେଧଡ଼କ ଭାବେ ଗଛ କଟା ଚାଲୁଛି ଏବଂ ବିଏମ୍‌ସି, ବିଡ଼ିଏ ମଧ୍ୟ ହାତ ଟେକି ଦେଇଥିବା ପରିବେଶବିତ୍‌ମାନେ କହିଛନ୍ତି।