ଭୁବନେଶ୍ବର: ପୁରୁଣା ଭୁବନେଶ୍ବରରେ ଥିବା ବିଏମ୍ସି ହସ୍ପିଟାଲ୍କୁ ପ୍ରତିଦିନ ହଜାରେରୁ ଅଧିକ ରୋଗୀ ଆସୁଛନ୍ତି। କିଛି ଚିକିତ୍ସା ପାଉଛନ୍ତି, ଆଉ କିଛି ରୋଗୀ ଆବଶ୍ୟକୀୟ ଭିତ୍ତିଭୂମି, ଯନ୍ତ୍ରପାତି ଓ ମାନବ ସମ୍ବଳ ଅଭାବ ଯୋଗୁଁ ନିରାଶ ହୋଇ ଫେରୁଛନ୍ତି। ଦୁଃଖର ବିଷୟ, ହସ୍ପିଟାଲ୍କୁ ସ୍ବୟଂସମ୍ପୂର୍ଣ୍ଣ କରିବାକୁ ଉଚ୍ଚସ୍ତରୀୟ ବୈଠକ ବସୁଛି, ନିଷ୍ପତ୍ତି ବି ହେଉଛି, କିନ୍ତୁ କାର୍ଯ୍ୟକାରୀ ହୋଇପାରୁନାହିଁ। ଏହି ହସ୍ପିଟାଲକୁ ଏକ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ର (ଏସ୍ଡିଏଚ୍) ମାନ୍ୟତା ଦେବାକୁ ଦୀର୍ଘକାଳ ଧରି ଦାବି ହୋଇ ଆସୁଥିଲେ ହେଁ ତାହା ଫଳବତୀ ହୋଇପାରୁନାହିଁ। ପୁରୁଣା ଭୁବନେଶ୍ବର ସମେତ ଭୁବନେଶ୍ବର ଉପକଣ୍ଠର ଲକ୍ଷାଧିକ ଲୋକ ଏହି ହସ୍ପିଟାଲ୍ ଉପରେ ନିର୍ଭରଶୀଳ। ବିଏମ୍ସି ଅଧୀନରେ ଥିବା ଏହି ହସ୍ପିଟାଲକୁ ସ୍ବାସ୍ଥ୍ୟ ବିଭାଗ ଅଧୀନକୁ ନେବାକୁ ଉଚ୍ଚସ୍ତରୀୟ ବୈଠକରେ ପୂର୍ବରୁ ଅନେକ ଥର ଆଲୋଚନା ହୋଇଛି। ବିଏମ୍ସି ହସ୍ପିଟାଲ୍ (ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର)କୁ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ର(ଏସ୍ଡିଏଚ୍) ମାନ୍ୟତା ଦେବା ସହ ଆବଶ୍ୟକ ଭିତ୍ତିଭୂମି, ଉପକରଣ, ବିଶେଷଜ୍ଞ ଡାକ୍ତର ପ୍ରଭୃତି ଯୋଗାଇ ଦେବାକୁ ଦାବି ହୋଇଛି। ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମଧ୍ୟ ଦାବି ଉପସ୍ଥାପନ କରିଛନ୍ତି। ହେଲେ ଦାବି କାର୍ଯ୍ୟକାରୀ ହୋଇପାରୁନାହିଁ। ପୂର୍ବରୁ ଏହି ହସ୍ପିଟାଲ୍ରେ ରୋଗୀଙ୍କ ପାଇଁ ୧୦୮ଟି ଶଯ୍ୟା ଥିଲା। ବିପଦସଙ୍କୁଳ ଅବସ୍ଥାରେ ଥିବା ପୁରୁଣା କୋଠା ୨୦୧୯ ମସିହାରେ ଭଙ୍ଗାଯିବା ପରେ ଏବେ ମାତ୍ର ୫୮ଟି ଶଯ୍ୟା ରହିଛି। ଲିଙ୍ଗରାଜଙ୍କ ମନ୍ଦିରକୁ ଲାଗି ହସ୍ପିଟାଲ ଥିବାରୁ ନୂଆ କୋଠା ନିର୍ମାଣ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା(ଏଏସ୍ଆଇ) ଅନୁମତି ଦେଉନାହିଁ।
ଏଠାରେ ପ୍ରସବ ପାଇଁ ଆବଶ୍ୟକ ଭିତ୍ତିଭୂମି ନାହିଁ। କ୍ୟାପିଟାଲ୍ ହସ୍ପିଟାଲରେ ଅନେକ ସମୟରେ ଶଯ୍ୟା ମିଳୁନଥିବାରୁ ଅନେକ ଗରିବ ଆସନ୍ନ ପ୍ରସବା ଏଠାକୁ ଆସୁଛନ୍ତି। ନାନା ଅସୁବିଧା ସତ୍ତ୍ବେ ପ୍ରତି ମାସରେ ଏଠାରେ ଶହେରୁ ଅଧିକ ପ୍ରସବ କରାଯାଉଛି। ୫୮ରୁ ପ୍ରସବ ପାଇଁ ୨୦ଟି ଶଯ୍ୟା ଦିଆଯାଇଛି। ଅପରେସନ ପାଇଁ ଓଟି ଅଛି ହେଲେ ଅତ୍ୟାଧୁନିକ ଯନ୍ତ୍ରପାତି ନାହିଁ। ସ୍ତ୍ରୀ ଓ ପ୍ରସୂତି ବିଭାଗରେ ତିନି ସିଫ୍ଟରେ ମାତ୍ର ଜଣେ ଲେଖାଏ ଡାକ୍ତର ଅଛନ୍ତି। ଆବଶ୍ୟକ ନର୍ସ ମଧ୍ୟ ନାହାନ୍ତି। ସବୁଠାରୁ ବଡ଼ କଥା ହେଲା ଗୁରୁତର ନବଜାତ ଶିଶୁଙ୍କ ପାଇଁ ସ୍ପେସାଲ ନ୍ୟୁ ବର୍ଣ୍ଣ କେୟାର ୟୁନିଟ୍(ଏସ୍ଏନ୍ସିୟୁ) ନାହିଁ। ଅଧିକାଂଶ ସମୟରେ ଗୁରୁତର ମା’ ଓ ଶିଶୁଙ୍କୁ ଅନ୍ୟ ହସ୍ପିଟାଲ୍କୁ ରେଫର କରାଯାଉଛି। ତଥ୍ୟ ଅନୁସାରେ ହସ୍ପିଟାଲ୍ରେ ପ୍ରାଶାସନିକ ଅଧିକାରୀଙ୍କୁ ମିଶାଇ ମୋଟ ୨୪ ଜଣ ଡାକ୍ତର ଓ ୨୨ ଜଣ ନର୍ସ ଅଛନ୍ତି। ଏଥି ମଧ୍ୟରୁ ମେଡିସିନ୍, ସ୍ତ୍ରୀ ଓ ପ୍ରସୂତିରେ ୩ ଜଣ ଲେଖାଏ, ଶିଶୁ ରୋଗ ଓ ଶଲ୍ୟ ବିଭାଗରେ ୨ ଜଣ ଲେଖାଏ ଥିବା ବେଳେ ବାକି ଅନ୍ୟ ସମସ୍ତ ବିଭାଗରେ ମାତ୍ର ଜଣେ ଲେଖାଏ ଡାକ୍ତର ଅଛନ୍ତି। ଦୁଃଖର କଥା ଏହି ଜଣେ ଲେଖାଏ ଡାକ୍ତର ଥିବା ବିଭାଗ ମଧ୍ୟରୁ ନ୍ୟୁରୋଲୋଜି, ନେଫ୍ରୋଲୋଜି ଭଳି ବିଭାଗକୁ ସପ୍ତାହକୁ ମାତ୍ର ଗୋଟିଏ ଥର ଡାକ୍ତର ଆସୁଛନ୍ତି। ଅର୍ଥୋପେଡିକ୍ରେ ପ୍ରତିଦିନ ୮୦ରୁ ୧୦୦ଜଣ ରୋଗୀ ଆସୁଥିବା ବେଳେ ମାତ୍ର ଜଣେ ଡାକ୍ତର ଅଛନ୍ତି। ଏହି ଡାକ୍ତର ଜଣଙ୍କ ଅନୁପସ୍ଥିତ ରହିଲେ ଉକ୍ତ ବିଭାଗର ରୋଗୀ ସେବା ସେଦିନ ବନ୍ଦ ରହୁଛି। ଚର୍ମ ରୋଗ ପାଇଁ ମଧ୍ୟ ପ୍ରତିଦିନ ଓପିଡିକୁ ୧୨୦ରୁ ଅଧିକ ରୋଗୀ ଆସୁଛନ୍ତି। ହେଲେ ୨୦୧୯ ମସିହାରୁ ଏହି ବିଭାଗରେ ଡାକ୍ତର ନାହାନ୍ତି। ହୃଦ୍ରୋଗ ବିଭାଗ କୋଠା ନିର୍ମାଣ ହୋଇଥିଲେ ହେଁ ଏପର୍ଯ୍ୟନ୍ତ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ହୋଇ ପାରୁନାହିଁ। ଦାନ୍ତ, ଆଖି, ନାକ, ଗଳା ରୋଗ ପାଇଁ ଜଣେ ଜଣେ ଡାକ୍ତର ଥିବାରୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବା ପରେ ମଧ୍ୟ ରୋଗୀ ଫେରିଯିବାକୁ ବାଧ୍ୟ ହେଉଛନ୍ତି। ସେହିଭଳି ମଳ, ମୂତ୍ର ଓ ରକ୍ତ ନମୁନା ପରୀକ୍ଷା, ଏକ୍ସରେ କରିବାକୁ ଆବଶ୍ୟକ ଟେକ୍ନିସିଆନ ନାହାନ୍ତି। ଅଲଟ୍ରାସାଉଣ୍ଡ ମେସିନ୍ ଲଗାଯିବା ପାଇଁ ବହୁ ବର୍ଷ ହେଲା ଚେଷ୍ଟା ଚାଲିଛି ହେଲେ ଲଗାଯାଇ ପାରୁନାହିଁ।
ମୁଖ୍ୟ ଚିକିତ୍ସା ଅଧିକାରୀ ସତ୍ୟବ୍ରତ ଛୋଟରାୟ କହିଛନ୍ତି ଏସ୍ଡିଏଚ୍ ଓ ଡେଲିଭରି ପଏଣ୍ଟ ମାନ୍ୟତା ମିଳିଲେ ହସ୍ପିଟାଲକୁ ଅଧିକ ସୁବିଧା ମିଳିବ। ରୋଗୀଙ୍କ ପାଇଁ ଉନ୍ନତ ସେବା ପ୍ରଦାନ କରାଯାଇପାରିବ। ବିଏମ୍ସି ଅଧୀନରେ ଥିବାରୁ ସ୍ବାସ୍ଥ୍ୟ ବିଭାଗର ଅନେକ ବ୍ୟବସ୍ଥା ଲାଗୁ ହୋଇ ପାରୁନାହିଁ। ବିଏମ୍ସି ପବ୍ଲିକ୍ ହେଲ୍ଥ ଷ୍ଟାଣ୍ଡିଂ କମିଟି ଚେୟାରମ୍ୟାନ୍ ବିରଞ୍ଚି ନାରାୟଣ ମହାସୂପକାର କହିଛନ୍ତି ବିଏମ୍ସି ହସ୍ପିଟାଲକୁ ଏସ୍ଡିଏଚ୍ ମାନ୍ୟତା ପାଇଁ ପ୍ରାୟ ଦେଢ଼ ବର୍ଷ ହେବ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଖୁବ୍ ଶୀଘ୍ର ଏହା ପୂରଣ ହେବ।