ଭୁବନେଶ୍ବର: ଓଡ଼ିଶାରେ ଗତ ୨୫ବର୍ଷ ଧରି ଶାସନ ଗାଦିରେ କଂଗ୍ରେସ ନାହିଁ। ରାଜ୍ୟରେ ବିଧାୟକଙ୍କ ସଂଖ୍ୟା କେଉଁ ଥର କମୁଛି ତ କେଉଁ ଥର ବଢ଼ୁଛି। ତଥାପି ଦଳ ପାଖରେ ୧୩ପ୍ରତିଶତ ଭୋଟ୍ ବ୍ୟାଙ୍କ ରହିଛି। ହେଲେ ଓଡ଼ିଶା ରାଜନୀତିର କେନ୍ଦ୍ର ଭୁବନେଶ୍ବରରେ କଂଗ୍ରେସର ସ୍ଥିତି ଅତ୍ୟନ୍ତ ଦୟନୀୟ। ରାଜଧାନୀରେ ଦଳ ପାଖରେ ୫ପ୍ରତିଶତ ଭୋଟ୍ ବି ନାହିଁ। ପ୍ରତି ନିର୍ବାଚନରେ ଦଳର ପ୍ରାର୍ଥୀ ଅମାନତ ହରାଉଛନ୍ତି। ଭୁବନେଶ୍ବରର ୩ଟି ବିଧାୟକ ଆସନରେ ଦଳ କିଭଳି ମୁଣ୍ଡ ଟେକିବ ସେଥିପାଇଁ କୌଣସି ପିସିସି ସଭାପତି ଉଦ୍ୟମ କରିନାହାନ୍ତି। ବରଂ ବିଜେଡି ଓ ବିଜେପି ହାତକୁ କଂଗ୍ରେସ ଏକପ୍ରକାର ୩ଟି ଆସନକୁ ଟେକି ଦେଇଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି।
ରାଜ୍ୟରେ ଶାସନକୁ ଫେରିବା ଲାଗି କଂଗ୍ରେସ ଉଦ୍ୟମ କରୁଛି। ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରୁଛି। ସାଙ୍ଗଠନିକ ଜିଲ୍ଲାଗୁଡ଼ିକରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇ ତୃଣମୂଳସ୍ତରରେ ଦଳକୁ ସଙ୍ଗଠିତ କରିବା ଉପରେ ଗୁରୁତ୍ବ ଦିଆଯାଉଛି। କଂଗ୍ରେସର ୩୫ଟି ସାଙ୍ଗଠନିକ ଜିଲ୍ଲା ଭିତରେ ଭୁବନେଶ୍ବର ଗୋଟିଏ। କ୍ରମାଗତ ଭାବେ ଗୋଟିଏ ସାଙ୍ଗଠନିକ ଜିଲ୍ଲାରେ ଦଳ ଦୁର୍ବଳ ହୋଇ ଚାଲିଥିଲେ ହେଁ ଏହାକୁ କିଭଳି ସୁଦୃଢ଼ କରାଯିବ ତାହା ଉପରେ ସ୍ବତନ୍ତ୍ର ରଣନୀତି ନାହିଁ। ରାଜଧାନୀରେ ଯୁବଛାତ୍ର ଗୋଷ୍ଠୀ କଂଗ୍ରେସଠାରୁ ଦୂରେଇ ଯାଇଛନ୍ତି। ଦଳ ପାଖରେ ମହିଳା ଭୋଟ୍ ବି ନାହିଁ। ସଂଗଠନର ସ୍ଥିତି ଏପରି ଯେ ୨୦୨୪ ସାଧାରଣ ନିର୍ବାଚନରେ ୩ଟି ବିଧାନସଭାରେ ୩ କଂଗ୍ରେସ ବିଧାୟକଙ୍କ ଭୋଟ୍ ହାର ୪ପ୍ରତିଶତ ଭିତରେ ରହିଥିଲା। ଏକାମ୍ର ପ୍ରାର୍ଥୀ ୩.୫୯%, ମଧ୍ୟ ପ୍ରାର୍ଥୀ ୨.୯୩% ଓ ଉତ୍ତର ପ୍ରାର୍ଥୀ ୩.୫୧% ଭୋଟ୍ ପାଇଥିଲେ। ୩ଟି ନିର୍ବାଚନମଣ୍ଡଳୀରେ କୌଣସି ଜଣେ ପ୍ରାର୍ଥୀ ଅନ୍ୟ ଦଳର ପ୍ରାର୍ଥୀଙ୍କୁ ଟକ୍କର ଦେବା ଅବସ୍ଥାରେ ବି ନାହାନ୍ତି।
ଭୁବନେଶ୍ବରର ସଂସଦୀୟ କ୍ଷେତ୍ରରେ ସମାନ ସ୍ଥିତି ରହିଛି ଦଳ। କେଉଁ ଥର ନିର୍ବାଚନରେ ଦଳ ନିଜେ ପ୍ରାର୍ଥୀ ଦେଉଛି ତ ଆଉ କେତେବେଳେ ସହଯୋଗୀ ଦଳର ପ୍ରାର୍ଥୀଙ୍କୁ ସମର୍ଥନ ଦେଉଛି। ତେବେ ଗତ ସାଧାରଣ ନିର୍ବାଚନରେ ପୂର୍ବତନ ଛାତ୍ର କଂଗ୍ରେସ ସଭାପତିଙ୍କୁ ସାଂସଦ ପାଇଁ ନିର୍ବାଚନ ମଇଦାନରେ ଛିଡ଼ା କରି ଦଳ ବିଜେଡି ଓ ବିଜେପିର ମୁକାବିଲା କରିବା ଲାଗି ଅଣ୍ଟା ଭିଡ଼ିଥିଲା। ଏଥିରେ ମଧ୍ୟ ସେଭଳି ସଫଳତା ମିଳିନାହିଁ। କଂଗ୍ରେସ ପ୍ରାର୍ଥୀଙ୍କୁ ସମୁଦାୟ ୬ପ୍ରତିଶତ ଭୋଟ୍ ମିଳିଛି। ଭୁବନେଶ୍ବରରେ କଂଗ୍ରେସର ଅତ୍ୟନ୍ତ ଦୁର୍ବଳ ସଂଗଠନ କାରଣରୁ ଲଗାତାର ଭାବେ ବିଜେଡି ଓ ବିଜେପି ଏହାର ଫାଇଦା ନେଉଛନ୍ତି।
୨୦୦୪ ମସିହା ପର୍ଯ୍ୟନ୍ତ ଭୁବନେଶ୍ବର ଥିଲା ଗୋଟିଏ ନିର୍ବାଚନମଣ୍ଡଳୀ। ପରବର୍ତ୍ତୀ ସମୟରେ ଏକାମ୍ର, ମଧ୍ୟଓ ଉତ୍ତର ନିର୍ବାଚନ ମଣ୍ଡଳୀରେ ବିଭକ୍ତ ହେବା ପରଠାରୁ କଂଗ୍ରେସ କୌଣସି ବି ଆସନରେ ବିଜୟୀ ହୋଇନାହିଁ। ଭୁବନେଶ୍ବରରେ କଂଗ୍ରେସ ତୃତୀୟ ସ୍ଥାନକୁ ଠେଲି ହୋଇଯାଇଛି। ଦଳ ପାଖରେ ରାଜଧାନୀରେ ଲଢ଼ିବା ଭଳି ପ୍ରାର୍ଥୀ ନାହାନ୍ତି। ପ୍ରତି ନିର୍ବାଚନରେ ପ୍ରାର୍ଥୀ ବଦଳୁଥିଲେ ବି କଂଗ୍ରେସର ଭାଗ୍ୟ ବଦଳୁନାହିଁ। ମୋଟାମୋଟି ଭାବେ ଭୁବନେଶ୍ବରରେ କେବଳ ନାମକୁ ମାତ୍ର ନିର୍ବାଚନ ଲଢ଼ୁଛି କଂଗ୍ରେସ। ବିଭିନ୍ନ ପ୍ରସଙ୍ଗରେ ମାଷ୍ଟରକ୍ୟାଣ୍ଟିନ୍ ଛକରେ କେବଳ ବିକ୍ଷୋଭ ଓ ଶୋଭାଯାତ୍ରାରେ କଂଗ୍ରେସ ନିଜକୁ ଭୁବନେଶ୍ବରରେ ସୀମିତ ରଖିଛି।
ସେହିପରି ତୃଣମୂଳସ୍ତରରେ ସୁଦୃଢ଼ ସଂଗଠନର ଆଉ ଏକ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ହେଉଛି ବିଏମ୍ସି। ଏଠାରେ ମଧ୍ୟ କଂଗ୍ରେସର ସ୍ଥିତି ନାହିଁ। ରାଜଧାନୀରେ ୬୭ଟି ୱାର୍ଡ ଭିତରୁ କଂଗ୍ରେସର ଜଣେ ହେଲେ କର୍ପୋରେଟର ନାହାନ୍ତି। ଗତ ବିଏମ୍ସି ନିର୍ବାଚନରେ ଦଳ ଏଭଳି ସ୍ଥିତିରେ ଥିଲା ଯେ ୨୨ଟି ୱାର୍ଡରେ କର୍ପୋରେଟର ପ୍ରାର୍ଥୀ ମଧ୍ୟ ଦେଇ ପାରି ନଥିଲା। ଦଳୀୟ ନେତାଙ୍କ କହିବା କଥା ଶୀର୍ଷସ୍ତରରେ ଭୁବନେଶ୍ବରର ନିର୍ବାଚନମଣ୍ଡଳୀକୁ ବାରମ୍ବାର ଅବହେଳା କରାଯାଉଛି। ଏହାସହ ଯେଉଁମାନେ ନିର୍ବାଚନ ଲଢ଼ିବାକୁ ଚାହୁଛନ୍ତି ସେମାନେ ଲୋକଙ୍କ ପାଖକୁ ଯାଉନାହାନ୍ତି। ଏହାସହ ଯେଉଁମାନେ ଭୁବନେଶ୍ବରରେ କଂଗ୍ରେସର ପ୍ରାର୍ଥୀ ହେଉଛନ୍ତି ସେମାନ ପରବର୍ତ୍ତୀ ସମୟରେ ଅନ୍ୟ ଦଳକୁ ପଳାଉଛନ୍ତି। ତେଣୁ ଦଳ ପାଖରେ ଏକ ପ୍ରମୁଖ ଚେହେରାର ଅଭାବ ରହିଛି। ମାତ୍ର ଏବେ ଭୁବନେଶ୍ବରରେ ଦଳର ସ୍ଥିତିକୁ କିଭଳି ସୁଦୃଢ଼ କରାଯିବ ତାହା ଉପରେ ଆଲୋଚନା ହୋଇଛି।