ଭୁବନେଶ୍ୱର: ରାଜଧାନୀରେ ବିଡିଏ ନିର୍ମିତ ପୁରାତନ ମାର୍କେଟ୍‌ମାନଙ୍କ ମଧ୍ୟରୁ ୟୁନିଟ୍‌-୮ କଲ୍ୟାଣୀ ମାର୍କେଟ ଅନ୍ୟତମ। ପ୍ରାୟ ୨୫ ବର୍ଷ ତଳର ଏହି ମାର୍କେଟ୍‌ ବିଲ୍ଡିଂ ବହୁଦିନ ହେଲା ବିପଦସଂକୁଳ ଅବସ୍ଥାରେ ଅଛି। ଆବଶ୍ୟକ ସମୟରେ ମରାମତି ହୋଇପାରୁ ନଥିବାରୁ କୋଠାର ଛାତ ଓ ପିଲର୍‌ ଦୁର୍ବଳ ହୋଇଗଲାଣି। ଯତ୍ନ ନିଆ ଯାଉନଥିବାରୁ ପରିବେଶ ପୂରା ଅପରିଷ୍କାର। ପାର୍କିଂ ବ୍ୟବସ୍ଥା ଅସଜଡ଼ା। ପିଇବା ପାଣି ଓ ଶୌଚାଳୟ ଅବସ୍ଥା ବି ବଡ଼ କଦର୍ଯ୍ୟ। ତେଣୁ ଗତ କିଛିବର୍ଷ ହେଲା ଏହି ମାର୍କେଟ୍‌ରୁ ଗ୍ରାହକମାନେ ମୁହଁ ଫେରାଇବା ଦେଖିବାକୁ ମିଳୁଛି। ଦିନକୁ ଦିନ ଗ୍ରାହକ ମରୁଡ଼ି ପରିଲକ୍ଷିତ ହେଉଥିବାରୁ ବ୍ୟବସାୟୀମାନେ ପ୍ରମାଦ ଗଣିବା ଆରମ୍ଭ କଲେଣି।

Advertisment

୧୯୯୨ ମସିହାରେ ବିଡିଏ ଏହି ମାର୍କେଟ୍‌ ନିର୍ମାଣ କରିଥିଲା। ଏଥିରେ ପ୍ରାୟ ୩୦ଟି ସରକାରୀ ଓ ବେସରକାରୀ ସଂସ୍ଥା ରହିଛି। ଏହା ଉପରେ ଉପରେ ୟୁନିଟ୍-୮ ଏବଂ ନୂଆପଲ୍ଲୀ ଅଞ୍ଚଳର ଲୋକେ ନିର୍ଭରଶୀଳ। ହେଲେ ଏଠାରେ ମୌଳିକ ସୁବିଧା ମିଳୁନି। ମାର୍କେଟ୍‌ କୋଠାର ଛାତ ପ୍ଲାଷ୍ଟର ଅତି ଦୁର୍ବଳ ହୋଇଗଲାଣି। ତେଣୁ ସବୁଆଡ଼େ ସିମେଣ୍ଟ ଛାଡ଼ୁଛି। ଛଡ଼ ଦେଖାଗଲାଣି। ଭୟ ଲାଗୁଛି, କେତେବେଳେ ଛାତ ଗଳି ପଡ଼ିବ! ସେହିପରି ମାର୍କେଟର ଉପର ଛାତରେ ଥିବା ପାଣିଟାଙ୍କିରୁ ପାଣି ବାହାରି ଆଖପାଖ ଜଳମୟ। ସେ ପାଣି ବାହାରକୁ ଯାଇ ପାରୁନାହିଁ। ବ୍ୟବସାୟୀଙ୍କ କହିବା ଅନୁଯାୟୀ, ବିଡିଏକୁ ବାରମ୍ବାର ଅଭିଯୋଗ କରାଗଲେ ମଧ୍ୟ ସ୍ଥାୟୀ ସମାଧାନ ଦିଗରେ କିଛି ପଦକ୍ଷେପ ନିଆଯାଉନାହିଁ। ସେହିଭଳି ଅନ୍ୟ ବଡ଼ ସମସ୍ୟା ହେଉଛି ଗ୍ରାହକ ବା ବ୍ୟବସାୟୀଙ୍କ ପାଇଁ ସେଠାରେ ଭଲ ଶୌଚାଳୟ ବ୍ୟବସ୍ଥା ନାହିଁ। ଯେଉଁ ଶୌଚାଳୟଟି ଅଛି, ତା’ର ଅବସ୍ଥା ନ କହିଲେ ଭଲ। ବାହାରୁ ଦେଖିଲେ ତାହା ଶୌଚାଳୟ କି ଅଳିଆଗଦା ବୁଝାପଡୁନି। ତେଣୁ ଭିତରେ ପାଦ ପକାଇବାକୁ କେହି ବି ମନ କରୁନାହାନ୍ତି। ବିଶେଷ କରି ମହିଳା ଗ୍ରାହକମାନେ ବଡ଼ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମାର୍କେଟର ପରିମଳ ବ୍ୟବସ୍ଥା ତ ପୂରା ବିପର୍ଯ୍ୟସ୍ତ। ଚାରିଆଡ଼େ ପାନଛେପ, ମଦ ବୋତଲ ଓ ପ୍ଲାଷ୍ଟିକ ପଦାର୍ଥ ପଡ଼ିଛି।

ଏଠାରେ ୯୨ଟି ଦୋକାନ ଘର ଓ ୧୨୦ ଟି ପିଣ୍ଡି ରହିଛି। କିନ୍ତୁ ବ୍ୟବସାୟ ହେଉନଥିବାରୁ ବହୁ କମ୍‌ ଦୋକାନ ଖୋଲୁଛି। ମାର୍କେଟରୁ ଗୋଟିଏ ପରେ ଗୋଟିଏ ଦୋକାନ ବନ୍ଦ ହେବାରେ ଲାଗିଛି। ଏମିତି ଅବସ୍ଥା ଲାଗି ରହିଲେ, ଏହି ମାର୍କେଟର ଭବିଷ୍ୟତ ଅନ୍ଧାର ବୋଲି ବ୍ୟବସାୟୀମାନେ କହିଛନ୍ତି। ୟୁନିଟ୍‌- ୮ ହାଟରେ ମଧ୍ୟ ସମାନ ସ୍ଥିତି। ସେଠାକାର ବଡ଼ ସମସ୍ୟା ହେଉଛି ପାଣିର ଅଭାବ। ଯେଉଁ କିଛି ସମୟ ସେଠାରେ ପାଣି ଆସୁଛି, ତାହା ଏତେ ସ୍ବଳ୍ପ ଯେ ସର୍ବନିମ୍ନ ଆବଶ୍ୟକତା ବି ପୂରଣ କରି ପାରୁନି। ସେହିପରି ବିଏମସି ପକ୍ଷରୁ ଆବର୍ଜନା ନ ପୋଡ଼ିବାର ନିୟମ ରହିଥିଲେ ମଧ୍ୟ ଏଠାରେ ଆବର୍ଜନା ପୋଡ଼ା ଯାଉଛି। ତେବେ ଏ ନେଇ ପଚାରିବାରୁ ସ୍ଥାନୀୟ କର୍ପୋରେଟର ସମିତା ମହାନ୍ତି କହିଲେ, ଖୁବ୍‌ଶୀଘ୍ର ଶୌଚାଳୟ ଓ ପାନୀୟ ଜଳ ସମସ୍ୟା ସମାଧାନ କରାଯିବ।