ଭୁବନେଶ୍ବର : ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯେପରି ବଢ଼ୁଛି, ମୃତକଙ୍କ ସଂଖ୍ୟା ମଧ୍ୟ ସେହିପରି ବଢ଼ୁଛି। ରାଜଧାନୀରେ ଏବେ କୋଭିଡ୍, ଅଣକୋଭିଡ୍, କୋଭିଡ୍ ସନ୍ଦିଗ୍ଧ ମୃତକଙ୍କ ସଂଖ୍ୟା ୫୦ରୁ କମ୍ ନାହିଁ। କିନ୍ତୁ ପ୍ରାୟ ସମସ୍ତ ଶବ ସତ୍କାର ସତ୍ୟନଗର ଶ୍ମଶାନରେ ହେଉଛି। ରାଜଧାନୀରେ ପ୍ରାୟ ୨୦ଟି ମଶାଣି ଥିଲେ ବି କିଛି କାମରେ ଲାଗୁନି। ଯାହା ମୃତକଙ୍କ ପରିବାରକୁ ସତ୍ୟନଗର ମୁହାଁ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ସତ୍ୟନଗର ଶ୍ମଶାନରେ ଏବେ ଗତ ସପ୍ତାହ ତୁଳନାରେ କମ୍ କରୋନା ଆକ୍ରାନ୍ତଙ୍କର ଶବଦାହ ହେଉଛି। ହେଲେ କରୋନା ସନ୍ଦିଗ୍ଧ ଓ ଅଣକୋଭିଡ୍ ମୃତକଙ୍କ ସଂଖ୍ୟା କମିନି। ତେଣୁ ଏବେବି ସତ୍ୟନଗରରେ ଅସମ୍ଭାଳ ଭିଡ଼ ଜମୁଛି। ଏପଟେ ବିଏମ୍ସି ପଟିଆ ନିକଟସ୍ଥ ଶିଖରଚଣ୍ଡୀ ବନଫୁଲ ବସ୍ତି ନିକଟରେ ଏବଂ ଆଇଗିଣିଆ ଆଳୁ ଗଦି ନିକଟରେ ଦୁଇଟି ଅତ୍ୟାଧୁନିକ ଶ୍ମଶାନ ନିର୍ମାଣ କରିବା ପାଇଁ ୬ମାସ ତଳୁ ଯୋଜନା କରିଥିଲେ ବି ଆଜି ପର୍ଯ୍ୟନ୍ତ ନିର୍ମାଣ କରିପାରିଲାନି। କେବଳ ଏତିକି ନୁହେଁ ଭରତପୁରରେ ଦେଢ଼ କୋଟି ଟଙ୍କା ବ୍ୟୟରେ, ସୁନ୍ଦରପଦାରେ କୋଟିଏ ଟଙ୍କା ବ୍ୟୟରେ ଶ୍ମଶାନ ନିର୍ମାଣ ହୋଇଥିଲେ ବି ଏଠାକୁ କାଁ ଭାଁ ଲୋକ ଶବ ସତ୍କାର କରିବାକୁ ଆସୁଛନ୍ତି। ଏପରିକି ସ୍ଥାନୀୟ ଲୋକ ବି ସତ୍ୟନଗର ଶ୍ମଶାନକୁ ଆସୁଛନ୍ତି।
/sambad/media/post_attachments/wp-content/uploads/2021/05/Satyanagar-1.jpg)
ଏହାବାଦ୍ ବମିଖାଲ, ବଡ଼ଗଡ଼, ଲକ୍ଷ୍ମୀସାଗର, ଜିଜିପି କଲୋନି ଆଦିରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଶ୍ମଶାନ ଉନ୍ନତୀକରଣ ହୋଇଥିଲେ ବି ଏଠାକୁ କେହି ଶବସତ୍କାର କରିବାକୁ ଆସୁନାହାନ୍ତି। ଏହାର ମୁଖ୍ୟ କାରଣ ହେଲା ଏଠାରେ ଶବସତ୍କାର ପାଇଁ ଆବଶ୍ୟକୀୟ ସମାଗ୍ରୀ ମିଳୁନି। ନା କାଠ ଅଛି ନା ପୂଜା ସାମଗ୍ରୀ, ନା ପୂଜକ ଅଛନ୍ତି ନା ଗାଧୋଇବାକୁ କିଛି ବ୍ୟବସ୍ଥା ଅଛି। ପୂରା ଅବ୍ୟବସ୍ଥାରେ ରାଜଧାନୀର ସବୁ ମଶାଣି ଥିବାବେଳେ ଏବେ ସତ୍ୟନଗରରେ ଅସମ୍ଭାଳ ଭିଡ଼ ଜମୁଛି। ଉପରୋକ୍ତ ଶ୍ମଶାନଗୁଡ଼ିକରେ ଆବଶ୍ୟକ ସୁବିଧାସୁଯୋଗ ଉପଲବ୍ଧ ନଥିବାରୁ ଏଠାକୁ କେହି ଶବଦାହ ପାଇଁ ନେଉନାହାନ୍ତି। ଏଠାରେ ଯଦି ବିଏମ୍ସି/ଓଡ଼ିଶା ବନନିଗମ ପକ୍ଷରୁ କାଠ, ପୂଜା ସାମଗ୍ରୀ, ପୂଜକ, ପାଣିର ବ୍ୟବସ୍ଥା କରାଯାଆନ୍ତା, ତେବେ ବହୁ ଲୋକ ସତ୍ୟନଗର ନଯାଇ ଏଠାକୁ ଆସନ୍ତେ। କିନ୍ତୁ ବିଏମ୍ସି ସେତିକି ଯୋଗାଇ ପାରୁନି। ଯେଉଁଥିପାଇଁ ସତ୍ୟନଗର ଶ୍ମଶାନରେ କୋଭିଡ୍ ଓ ଅଣକୋଭିଡ୍ଙ୍କ ଜୁଇ ଏକାଠି ଜଳୁଛି। ବହୁ ଅଣକୋଭିଡ୍ ଲୋକ ଏଠାକୁ ଯାଉଥିବାରୁ ସେମାନେ କରୋନା ଆକ୍ରାନ୍ତ ହେବାର ଭୟ ସୃଷ୍ଟି ହେଉଛି।
ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ବିଏମ୍ସି ନିଜ ଅବହେଳାରୁ ୭ ମାସ ମଧ୍ୟରେ ପଟିଆ ଓ ଆଇଗିଣିଆରେ ଅତ୍ୟାଧୁନିକ ଶ୍ମଶାନ ନିର୍ମାଣ କରିପାରିଲାନି। ବିଏମ୍ସିର ଯୋଜନା ଅନୁଯାୟୀ, ପଟିଆରେ ଗ୍ୟାସ୍ ଚୁଲା, ଆଇଗିଣିଆରେ ବିଦ୍ୟୁତ୍ ଚୁଲା ବସିଥା’ନ୍ତା। ଏଠାରେ ବି ସତ୍ୟନଗର ଭଳି କୋଭିଡ୍ ଆକ୍ରାନ୍ତଙ୍କର ଶବଦାହ ହୋଇଥା’ନ୍ତା। ଏହାବାଦ୍ ଭବିଷ୍ୟତରେ ଲୋକମାନେ ଯେପରି କାଠରେ ଶବଦାହ ନକରି ବିଦ୍ୟୁତ୍ ଓ ଗ୍ୟାସ୍ ଚୁଲାରେ କରିବେ, ସେନେଇ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଥାନ୍ତା। କିନ୍ତୁ ୭ମାସରେ ଏହା ହୋଇପାରିଲାନି। ବିଏମ୍ସିର ଇଞ୍ଜିନିୟରିଂ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ଶିଖରଚଣ୍ଡୀ ବନଫୁଲ ବସ୍ତି ନିକଟରେ ୱାର୍ଡ ନଂ-୨ରେ ଶ୍ମଶାନ ପାଇଁ ୨୦୧୭ ମସିହା, ଅଗଷ୍ଟ ୨୯ରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ହେଲେ ଏଠାରେ ମଶାଣି ନିର୍ମାଣ ହୋଇପାରୁନଥିଲା। ସେତେବେଳେ ୨୨ଲକ୍ଷ ୩୪ ହଜାର ୮୦୦ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ ହୋଇଥିଲା। କିନ୍ତୁ ଏହା ହୋଇନପାରିବାରୁ ଗତବର୍ଷ ଏଠାରେ ଏକ ଗ୍ୟାସ୍ ଚୁଲା ବସାଇବାକୁ ଯୋଜନା ହେଲା। ସ୍ଥାନୀୟ ଲୋକଙ୍କୁ ବୁଝାସୁଝା ପରେ ଏଥିପାଇଁ ୫୩ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଅଟକଳ ହୋଇଛି। ଯେଉଁ ସଂସ୍ଥା ଗ୍ୟାସ୍ ଚୁଲା ବସାଇବ ସେ ୫ବର୍ଷ ପର୍ଯ୍ୟନ୍ତ ଏହାର ରକ୍ଷଣାବେକ୍ଷଣଠାରୁ ଆରମ୍ଭ କରି ଶବଦାହ ପର୍ଯ୍ୟନ୍ତ ସବୁ କାମ କରିବ। ଏବେ ଚୁଲା ବସିଗଲାଣି। ଚିମିନି ବି ଲାଗିସାରିଲାଣି। କେବଳ ଆନୁସଙ୍ଗିକ କାମ ବାକି ଅଛି। ଆଉ ୧୦ରୁ ୧୫ଦିନ ପରେ ଏହା କାର୍ଯ୍ୟକ୍ଷମ ହେବ।
ସେହିପରି ଆଇଗିଣିଆ ଆଳୁଗଦି ନିକଟରେ ଏକ ଅତ୍ୟାଧୁନିକ ବିଦ୍ୟୁତ୍ ଚୁଲା ସ୍ଥାପନ ହେବ। ଏଥିପାଇଁ ଜାଗା ମିଳିବାରେ ବିଳମ୍ବ ହେବାରୁ ଏହା ଏ ପର୍ଯ୍ୟନ୍ତ ହୋଇପାରିନି। ଏବେ ଏଠାରେ ୫ ଏକର ଜାଗା ଚିହ୍ନଟ ହୋଇଛି। ଏଠାରେ ବିଦ୍ୟୁତ୍ ଚୁଲା ବସାଇବା, ଏଥିପାଇଁ ଘର ନିର୍ମାଣ କରିବା, ଶ୍ମଶାନ ଚାରିକଡ଼େ ପାଚେରି କରିବା ପାଇଁ ଜଣେ ଉଦ୍ୟୋଗପତି ତାଙ୍କ ସିଏସ୍ଆର୍ ପାଣ୍ଠିରୁ ୬୫ଲକ୍ଷ ଟଙ୍କା ଦେଇଛନ୍ତି। ହେଲେ କାମ ହେବାରେ ବିଳମ୍ବ ହେବାରେ ଲାଗିଛି। ବିଏମ୍ସିରୁ ସୂଚନା ଅନୁଯାୟୀ, ଏହି ଶ୍ମଶାନ କାର୍ଯ୍ୟକ୍ଷମ ହେବାକୁ ଅତି କମ୍ରେ ତିନିରୁ ଚାରି ମାସ ଲାଗିବ। ଉକ୍ତ ଅଧିକାରୀଙ୍କ କହିବାନୁଯାୟୀ, ଆମେ ୭ମାସ ତଳେ ଦୁଇଟି ଅତ୍ୟାଧୁନିକ ଶ୍ମଶାନ ପାଇଁ ଯୋଜନା କରିଥିଲୁ। କୋଭିଡ୍ କମିଯିବାରୁ ଶ୍ମଶାନ ଆବଶ୍ୟକତା କମିଯାଇଥିଲା। ହଠାତ୍ କରୋନା ସଂକ୍ରମଣ ବଢ଼ିବ ଓ ମୃତକଙ୍କ ସଂଖ୍ୟା ବଢ଼ିବ ବୋଲି ଆକଳନ କରିନଥିଲୁ। ତେଣୁ ଏବେ ଶ୍ମଶାନ ସମସ୍ୟା ହେଉଛି। ପଟିଆ ଶ୍ମଶାନ କାର୍ଯ୍ୟକ୍ଷମ ହେଲେ ସତ୍ୟନଗର ଶ୍ମଶାନ ଭିଡ଼ କମିବ। ଏହାବାଦ୍ ରାଜଧାନୀର ଅନ୍ୟ ଶ୍ମଶାନଗୁଡ଼ିକ ଯେପରି କାର୍ଯ୍ୟକ୍ଷମ ହୋଇପାରିବ ସେନେଇ କମିସନର ପଦକ୍ଷେପ ନେଉଛନ୍ତି।
/sambad/media/post_attachments/wp-content/uploads/2021/05/Dhirikuti.jpg)
ଜବରଦଖଲରେ ରଙ୍ଗମାଟିଆ ଶ୍ମଶାନ
ମଞ୍ଚେଶ୍ବର ନିକଟସ୍ଥ ରଙ୍ଗମାଟିଆ ଗ୍ରାମର ଶ୍ମଶାନ ଏବେ ଧିରିକୁଟି ବସ୍ତିବାସିନ୍ଦାଙ୍କ ଜବରଦଖଲରେ। ପ୍ରାୟ ୮ଗୁଣ୍ଠରୁ ଅଧିକ ଅଞ୍ଚଳରେ ଥିବା ଏହି ଶ୍ମଶାନରେ ଏବେ ଏକ ଗୁଣ୍ଠ ଜମି ବି ନାହିଁ। ଏନେଇ ସ୍ଥାନୀୟ ଲୋକ ବିଧାୟକଙ୍କ ଠାରୁ ବିଏମ୍ସି ପର୍ଯ୍ୟନ୍ତ ସବୁଠି ଅଭିଯୋଗ କରିଥିଲ ବି କିଛି ସୁଫଳ ମିଳୁନି। ବରଂ ଦିନକୁ ଦିନ ଜମି ମାଫିଆ ଏହି ଶ୍ମଶାନକୁ ଦଖଲ କରି ଚାଲିଛନ୍ତି। ଏଠାରେ ଏକ ଶ୍ମଶାନ ପିଣ୍ଡି କରିବା, ବିଶ୍ରାମ ଘର, ଗାଧୁଆ ଘର, ଆଲୋକୀକରଣ କରିବାକୁ ଭୁବନେଶ୍ବର ଉତ୍ତର ବିଧାୟକଙ୍କୁ ଲୋକମାନେ କହୁଥିଲେ ହେଁ ବିଧାୟକ ଶ୍ମଶାନ ବୁଲି ଦେଖିବା ପରେ ଏଠାରେ କେବଳ ଷ୍ଟ୍ରିଟ ଲାଇଟ୍ ଲଗାଇବାକୁ କହିଛନ୍ତି। ଶ୍ମଶାନର ପୁନରୁଦ୍ଧାର ନହେଲେ ସ୍ଥାନୀୟ ଲୋକ ପ୍ରତିବାଦ କରିବେ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/Masani.jpg)