ଭୁବନେଶ୍ବର: ସହରବାସୀଙ୍କୁ ଉତ୍ତମ ପରିବହନ ସେବା ଯୋଗାଇଦେବା ପାଇଁ ୨୦୧୮ରୁ ରାଜଧାନୀରେ ମୋ’ ବସ୍ ସେବା ଆରମ୍ଭ ହୋଇଛି। ‘କ୍ରୁଟ୍’ ଦ୍ବାରା ପରିଚାଳିତ ଏହି ପ୍ରକଳ୍ପ ସରକାରଙ୍କ ଏକ ସଫଳ ଯୋଜନା ଭାବେ ପରିଗଣିତ ହୋଇ ଜାତୀୟସ୍ତରରେ ଏକାଧିକ ପୁରସ୍କାର ହାତେଇଛି। ହେଲେ ରାଜଧାନୀର ଅନେକ ଗୁରୁତ୍ବପୂର୍ଣ୍ଣ ଅଞ୍ଚଳ ପାଇଁ ଏବେ ବି ମୋ’ ବସ୍ ସେବା ଅପହଞ୍ଚ ହୋଇ ରହିଛି। ଉତ୍ତର ଭୁବନେଶ୍ବରର ପ୍ରମୁଖ ଅଞ୍ଚଳ ମଞ୍ଚେଶ୍ବର ଗାଁ, ସମେଇଗାଡ଼ିଆ, ସପ୍ତସତୀ ବିହାରରେ ଆଜି ପର୍ଯ୍ୟନ୍ତ ମୋ’ ବସ୍ ଗଡ଼ିନି। ମୋ’ ବସ୍ ଯାଉ ନଥିବା ଗଳିରୁ ଲୋକଙ୍କୁ ଆଣି ମୋ’ ବସ୍ଷ୍ଟପ୍ରେ ପହଞ୍ଚାଇବା ପାଇଁ ସରକାର ମୋ’ ଇ-ରାଇଡ୍ (ବ୍ୟାଟେରି ଅଟୋ) ବ୍ୟବସ୍ଥା ବି କରିଛନ୍ତି। ହେଲେ ଏଠି ବି ଏ ସେବା ନାହିଁ। ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା, ଏହି ଅଞ୍ଚଳଗୁଡ଼ିକରେ ସାଧାରଣ ଅଟୋ ସେବା ବି ଉପଲବ୍ଧ ନାହିଁ। ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯିବାକୁ ହେଲେ ଅଟୋ ରିଜର୍ଭ କରିବାକୁ ପଡ଼ୁଛି ଏବଂ ମାତ୍ର ୨ରୁ ୩ କିମି ବାଟ ପାଇଁ ଅଟୋ ଚାଳକ ୧୦୦ ଟଙ୍କା ଦାବି କରୁଛନ୍ତି।
ସେୟାର୍ ଅଟୋ ନାହିଁ, ରିଜର୍ଭ ଭଡ଼ା ଶହେ ଟଙ୍କା
ତୁରନ୍ତ ମୋ’ ବସ୍ ନ ଗଡ଼ିଲେ ଆନ୍ଦୋଳନ ଚେତାବନୀ
୧୨ହଜାର ଦରମାରେ ଶହେ ଟଙ୍କା ଭଡ଼ା କେମିତି ଦେବୁ?
ଏନେଇ ସିପିଆଇଏମ୍ ନେତା ପ୍ରଭାତ ପାଣିଗ୍ରାହୀ କହିଛନ୍ତି, ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ପୁରୁଷ, ମହିଳା ଓ ସ୍କୁଲ, କଲେଜ ଛାତ୍ରଛାତ୍ରୀମାନେ ସାଧାରଣ ପରିବହନ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଲୋକଙ୍କ ପରିବହନ ଜନିତ ସମସ୍ୟା ଦୂର କରିବା ପାଇଁ ସରକାର ମୋ’ ବସ୍ ସୁବିଧା କରିଛନ୍ତି। ହେଲେ ସରକାରଙ୍କ ଦ୍ବାରା ପରିଚାଳିତ ସଂସ୍ଥା ମନମୁଖୀ ଭାବେ କାର୍ଯ୍ୟ କରୁଛି। ଏହି ଅଞ୍ଚଳରେ ମୋ’ ବସ୍ ଚଳାଚଳ କରିବା ନେଇ ଉକ୍ତ ସଂସ୍ଥା ନିକଟରେ ବାରମ୍ବାର ଦାବିପତ୍ର ଦିଆଗଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ତୁରନ୍ତ ଏ ରୁଟ୍ରେ ମୋ’ ବସ୍ ନ ଚାଲିଲେ ଆନ୍ଦୋଳନ କରାଯିବ।
ଯାତ୍ରୀ କୃଷ୍ଣମୋହନ ପାତ୍ର କହିଛନ୍ତି, ମୁଁ ମାଷ୍ଟରକ୍ୟାଣ୍ଟିନ୍ରେ ଏକ ସୋ’ରୁମ୍ରେ କାମ କରୁଛି। ମାସିକ ଦରମା ୧୨ହଜାର ଟଙ୍କା। ଏତିକି ଦରମାରେ ପ୍ରତିଦିନ ଶହେ ଟଙ୍କା ଅଟୋ ଭଡ଼ା କରି ଚକେଇସିହାଣୀ ଛକକୁ ଆସିବା ସମ୍ଭବ କି? ତେଣୁ ପ୍ରଶାସନ ପକ୍ଷରୁ ମୋ’ ବସ୍ ଚଳାଚଳ ସଂପ୍ରସାରିତ କରିବା ପାଇଁ ସେ ଦାବି କରିଛନ୍ତି।