ସାଲିଆସାହି ବାଟ ଫିଟିବ କେବେ?

ଭୁବନେଶ୍ବର: ଗୋଟିଏ ପଟେ ସମାନ୍ତରାଳ ରାସ୍ତା ଅଧା ବାଟରେ। ଅନ୍ୟପଟେ ସାଲିଆସାହି ବସ୍ତିବାସିନ୍ଦାଙ୍କ ଏକା ଜିଦି ମରିଯିବୁ ପଛେ ଜାଗା ଛାଡ଼ିବୁନି। ଉଭୟଙ୍କ ଛକାପଞ୍ଝାରେ ଏବେ ଘାଣ୍ଟି ହେଉଛନ୍ତି ରାଜଧାନୀବାସୀ। ପ୍ରତିଦିନ ଘଣ୍ଟା ଘଣ୍ଟା ଧରି ଭିଡ଼ ଭିତରେ ଫସି ରହୁଛନ୍ତି। ଏକାମ୍ରକାନନରୁ ଜୟଦେବବିହାର-ନନ୍ଦନକାନନ ବାମପାର୍ଶ୍ବ ସମାନ୍ତରାଳ ୨୦୦ ଫୁଟିଆ ରାସ୍ତାକୁ ସଂଯୋଗ କରୁଥିବା ସାଲିଆସାହି ଭିତର ରାସ୍ତାରେ ଏଭଳି ସ୍ଥିତି ଉପୁଜୁଛି। ପାଖାପାଖି ଦୁଇ କିମିର ଏହି ରାସ୍ତା ସତେଯେମିତି ମରଣଯନ୍ତା ପାଲଟିଛି। ଦୈନିକ ଅଧ ଡଜନରୁ ଅଧିକ ଦୁର୍ଘଟଣା ଘଟୁଛି, ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

ବିକାଶରେ ବାଧକ ସାଜୁଛି କି ବସ୍ତି?

ହନ୍ତସନ୍ତ ହେଉଛନ୍ତି ସହରବାସୀ, ବଢ଼ୁଛି ଅସନ୍ତୋଷ

ବସ୍ତିବାସିନ୍ଦାଙ୍କୁ ଥଇଥାନ ଲାଗି ରୂପରେଖ ପ୍ରସ୍ତୁତ

ଜୟଦେବ ବିହାର-ନନ୍ଦନକାନନ ରାସ୍ତା ଭିଡ ଏଡ଼ାଇବାକୁ ଯଦି କିଏ ଥରେ ଏହି ରାସ୍ତାରେ ପଶିଯାଉଛି ତେବେ ନାକରେ କାନରେ କାନ୍ଦିବା ଥୟ। ଫେରିବାକୁ ବାଟ ପାଉନାହାନ୍ତି କି ଆଗକୁ ବଢ଼ିବାକୁ ରାସ୍ତା ‌ମିଳୁନି। ଭୁଲ୍‌ବଶତଃ କୌଣସି ଆମ୍ବୁଲାନ୍ସ ରୋଗୀ ନେଇ ଯଦି ଏହି ରାସ୍ତାରେ ପଶିଯାଉଛି ‌ତେବେ କଥା ସରିଲା। ମେଡିକାଲରେ ପହଞ୍ଚିଲା ବେଳକୁ ରୋଗୀଙ୍କ ଅବସ୍ଥା କ’ଣ ହୋଇଥିବା ତାହା ଆଖିରେ ନ ଦେଖିଲେ କେହି ବିଶ୍ବାସ କରିବେ ନାହିଁ। ଦୁଇ କିମି ଏହି ରାସ୍ତାରେ ୫୦୦ରୁ ଅଧିକ ଖାଲଖମା। ତା’ସାଙ୍ଗକୁ ସାଲିଆସାହି ଭିତରେ ଅଣଓସାରିଆ ରାସ୍ତା ହୋଇଥିବାରୁ ଗୋଟିଏ ଦିଗରୁ ଯାଉଥିବା ଗାଡ଼ିକୁ ପାସ୍‌ କରିବାକୁ ଅନ୍ୟ ଦିଗରୁ ଆସୁଥିବା ଗାଡ଼ି ପାସ୍‌ କରିବା କଷ୍ଟକର ହୋଇପଡ଼ୁଛି। ଲୋକଙ୍କ ଘର ପାଚେରି ଭାଙ୍ଗିବା ଭଳି ପରିସ୍ଥିତି ଉପୁଜିଲାଣି। ଏଥିପ୍ରତି ନା ପ୍ରଶାସନ ଗୁରୁତ୍ବ ଦେଉଛି ନା ସାଲିଆସାହି ବାସିନ୍ଦା ବାଟ ଛାଡ଼ୁଛନ୍ତି। ସମସ୍ତେ ଏକପ୍ରକାର ଚୁପ୍‌। ଆଉ ପରିଣାମ ଭୋଗୁଛନ୍ତି ସହରବାସୀ।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ହେଉଛି ଯେ ରାସ୍ତା ନିର୍ମାଣ ଲାଗି ବହୁ ବର୍ଷ ତଳେ ନକ୍ସା ପ୍ରସ୍ତୁତ ହୋଇଥିଲା। ସେତେବେଳେ ସାଲିଆସାହିରେ ଏତେ ସଂଖ୍ୟକ ଘର ନ ଥିଲା। ଜଙ୍ଗଲ କିସମ ଜମି ହୋଇଥିବାରୁ ଖାଲି ପଡ଼ିଥିଲା। ବିଭିନ୍ନ ସମୟରେ ବନ୍ୟଜନ୍ତୁ ଏଠାରେ ଚଳପ୍ରଚଳ କରୁଥିଲେ। ମାତ୍ର ଗତ ୫ରୁ ୬ ବର୍ଷ ହେଲା ରାଜ୍ୟର ବିଭିନ୍ନ ସ୍ଥାନରୁ ଲୋକେ ଆସି ଏଠାରେ ଜଙ୍ଗଲ ଜମି ମାଡ଼ି ବସିବା ସହ ଘର କରିବାରୁ ସାଲିଆସାହିର କଳେବର ବୃଦ୍ଧି ପାଇଛି। ଯାହାକି ଏବେ ୨୦୦ ଫୁଟିଆ ରାସ୍ତା ନିର୍ମା‌ଣରେ ପ୍ରତିବନ୍ଧକ ସାଜିଛି। ଏହାଦ୍ବାରା ସହରର ଲକ୍ଷାଧିକ ଲୋକେ ହନ୍ତସନ୍ତ ହେଉଛନ୍ତି। ପ୍ରଶାସନ ଏଥିପ୍ରତି ଗୁରୁତ୍ବ ଦେବା ସହ ବସ୍ତିବାସିନ୍ଦାଙ୍କୁ ତୁରନ୍ତ ଥଇଥାନ କରି ରାସ୍ତା ନିର୍ମାଣ କରାଯାଉ। ନ ହେଲେ ଆଗାମୀ ଦିନରେ ଭୟଙ୍କର ପରିସ୍ଥିତି ଉପୁଜିବ। ଉତ୍କଳ ହସ୍ପିଟାଲରୁ ସରକାରୀ ମହିଳା ପଲିଟେକ୍‌ନିକ୍‌ ଛକ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଶେଷ ହେବା ସହ ଏବେ ଚଳପ୍ରଚଳ ସ୍ବାଭାବିକ ହୋଇଛି। ପଥଚାରୀମାନେ ବିନା ବାଧାରେ ଜାଭିଅର ଛକରୁ ଲୟୋଲା ସ୍କୁଲ ଦେଇ ଚନ୍ଦ୍ରଶେଖରପୁର, ଶୈଳଶ୍ରୀବିହାର, ନୀଳାଦ୍ରିବିହାର, ଇନ୍‌ଫୋସିଟି, କିଟ୍‌ ଛକ, ପଥରଗାଡ଼ିଆ ପ୍ରଭୃତି ଅଞ୍ଚଳକୁ ଯାଇପାରୁଛନ୍ତି। ସାଲିଆସାହି ରାସ୍ତା ଫିଟିଲେ ‌ବହୁ ଲୋକେ ଉପକୃତ ହେବେ। ସିଆରପି ଛକରୁ ସିଧାସଳଖ ଉତ୍କଳ ହସ୍ପିଟାଲ ପର୍ଯ୍ୟନ୍ତ ଯାଇପାରିବେ।

ପୂର୍ତ୍ତ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ରାସ୍ତା ନିର୍ମାଣ ଲାଗି ଆମେ ପ୍ରସ୍ତୁତ ଅଛୁ। ମାତ୍ର ଅଳ୍ପ କିଛି ବସ୍ତିବାସିନ୍ଦାଙ୍କ ଅସହଯୋଗ ଯୋଗୁଁ କାର୍ଯ୍ୟ ଆଗେଇପାରୁ ନାହିଁ। ଏବେ ସେମାନେ ଯେଉଁ ନକ୍ସା ପ୍ରସ୍ତୁତ କରି ଦେଖାଉଛନ୍ତି ତାହା ମଧ୍ୟ ଆମେ ଆଗରୁ ଚିନ୍ତା କରିଥିଲୁ। ଏଭଳି କରାଯିବା ଦ୍ବାରା ଭୁବନେଶ୍ବରର ପ୍ରାକୃତିକ ପରିବେଶ ନଷ୍ଟ ହୋଇଯିବ। କାରଣ ଉକ୍ତ ୨୦୦ ଫୁଟିଆ ରାସ୍ତା ଲାଗି ଭରତପୁର ଜଙ୍ଗଲର କିଛି ଅଞ୍ଚଳରେ ବହୁ ପରିମାଣରେ ଗଛ କଟାଯାଇଛି। ପରିବେଶ ନଷ୍ଟ ହୋଇଛି। ଏକାମ୍ରକାନନ ପରି ଭୁବନେଶ୍ବରର ହୃତ୍‌ପିଣ୍ଡକୁ ନଷ୍ଟ କରି ରାସ୍ତା ନିର୍ମାଣ ସମ୍ଭବପର ନୁହେଁ। ବସ୍ତିବାସିନ୍ଦାଙ୍କ ଥଇଥାନ ଲାଗି ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଛି। ସେମାନେ ସହଯୋଗ କଲେ ଆମେ ରାସ୍ତା କାମ ଆରମ୍ଭ କରିବୁ।

୬୪ଟି ବ୍ଲକରେ ରହିବେ ବସ୍ତିବାସିନ୍ଦା

ସାଲିଆସାହି ବସ୍ତିବାସିନ୍ଦାଙ୍କୁ ସ୍ବପ୍ନର ଘର ଯୋଗାଇ ଦେବାକୁ ରାଜ୍ୟ ସରକାର ରୂପରେଖ ପ୍ରସ୍ତୁତ କରିଛନ୍ତି। ୧୪ ନମ୍ବର ୱାର୍ଡ ଅନ୍ତର୍ଗତ ବୁଦ୍ଧ ପାର୍କ ନିକଟ ପାହାଡ଼ ଉପରେ ବସ୍ତିବାସିନ୍ଦାଙ୍କ ଲାଗି ୫ମହଲା କୋଠା ନିର୍ମାଣ ହେଉଛି। ଯେଉଁଠାରେ ୬୪ଟି ବ୍ଳକ ରହିଛି। ୨୬୦୦ ପରିବାର ରହିବା ଲାଗି ସମସ୍ତ ପ୍ରକାର ସୁବିଧା ସୁଯୋଗ ଉପଲବ୍ଧ କରାଯାଉଛି। ମଲ୍‌ଟି ଜିମ୍‌, ମାର୍କେଟ୍‌ କମ୍ପ୍ଲେକ୍ସ, ଚିଲଡ୍ରେନ୍‌ ପାର୍କ ଆଦି ବି ନିର୍ମାଣ ହେଉଛି। କୋଠାଗୁଡ଼ିକ ନିର୍ମାଣ ସରିଥିବା ବେଳେ ଏବେ ଆନୁଷଙ୍ଗିକ କାର୍ଯ୍ୟ ଜାରି ରହିଛି। ଚଳିତବର୍ଷ ଶେଷ ଆଡ଼କୁ ପ୍ରଥମ ପର୍ଯ୍ୟାୟରେ ୮୦୦ ପରିବାରଙ୍କୁ ଘର ଯୋଗାଇ ଦିଆଯିବ ଏବଂ ପର୍ଯ୍ୟାୟକ୍ରମେ ୨୦୨୩ ସୁଦ୍ଧା ରାଜୀବ ଆବାସ ଯୋଜନା (ଆରଏୱାଇ) ଅନ୍ତର୍ଗତ ସହରର ବସ୍ତିରେ ରହୁଥିବା ୨୬୦୦ ପରିବାରକୁ ଘର ଯୋଗାଇବାକୁ ଯୋଜନା ପ୍ରସ୍ତୁତ ହୋଇଛି।

ଏହି ପ୍ରକଳ୍ପରେ ବସ୍ତିବାସିନ୍ଦାଙ୍କ ରହିବା ଲାଗି ଆବଶ୍ୟକୀୟ ସୁବିଧା ରହିଛି। ପ୍ରତି ଫ୍ଲାଟ୍‌ ୩୫୦ ବର୍ଗଫୁଟ୍‌ର ହୋଇଥିବା ବେଳେ ସେଥିରେ ଗୋଟିଏ ଲେଖାଏଁ ବେଡ୍‌ରୁମ୍‌, କିଚେନ୍‌, ଶୌଚାଳୟ ଉପଲବ୍ଧ ରହିଛି। ୬୪ଟି ବ୍ଲକ୍‌ ରହିଥିବାରୁ ପ୍ରତି ବ୍ଲକ ମଧ୍ୟରେ ସଂଯୋଗ କରାଯାଇଛି। ଆପାର୍ଟମେଣ୍ଟରେ ଯେଉଁଭଳି ସୁବିଧା ଉପଲବ୍ଧ ରହିଥାଏ, ଏଠାରେ ମଧ୍ୟ ସେଭଳି ବ୍ୟବସ୍ଥା କରାଯାଉଛି। ପ୍ରତି ବ୍ଲକ୍‌ରେ ଲିଫ୍ଟର ସୁବିଧା ‌କରାଯିବ। ପ୍ରତି ଫ୍ଲାଟ୍‌ରେ ବାଲ୍‌କୋନି ରହିଛି। ପାହାଡ଼ ଉପରେ ଥିବା ନୀଳମାଧବ ବସ୍ତିବାସିନ୍ଦାଙ୍କୁ ପ୍ରାଥମିକତା ଭିତ୍ତିରେ ଏଠାରେ ଥଇଥାନ କରାଯିବ। ଏଥିସହ ସାଲିଆସାହିବାସୀଙ୍କ ବହୁ ଦିନର ସ୍ବପ୍ନ ମଧ୍ୟ ସାକାର ହେବ। ଯଦି ଆଲୋଚନା ସଫଳ ହୁଏ ତେବେ ୨୦୦ ଫୁଟିଆ ରାସ୍ତା ଯିବାକୁ ଥିବା ସାଲିଆସାହିର ଅଞ୍ଚଳର କ୍ଷତିଗ୍ରସ୍ତ ବସ୍ତିବାସିନ୍ଦାଙ୍କୁ ଏହି ବିଲଡିଂରେ ଥଇଥାନ କରାଯିବ। ଭରତପୁର ଜଙ୍ଗଲକୁ ଲାଗି ଯାଇଥିବା ୨୦୦ ଫୁଟିଆ ରାସ୍ତା ପାର୍ଶ୍ବରେ ଏହି କୋଠା ନିର୍ମାଣ କରାଯାଇଥିବାରୁ ଏଠାକାର ବାସିନ୍ଦା ଉପକୃତ ହେବେ ବୋଲି ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର