ଚନ୍ଦ୍ରଶେଖରପୁର: ସାଲିଆସାହି ଦେଇ ଯିବାକୁ ଥିବା ଜୟଦେବବିହାର-ନନ୍ଦନକାନନ ବାମପାର୍ଶ୍ବ ସମାନ୍ତରାଳ ରାସ୍ତା ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ପଥରଗାଡ଼ିଆରୁ ଏକାମ୍ରପାର୍କ ପର୍ଯ୍ୟନ୍ତ ଦୁଇଶହ ଫୁଟିଆ ବାମପାର୍ଶ୍ବ ସମାନ୍ତରାଳ ରାସ୍ତା ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲେ ମଧ୍ୟ ସାଲିଆସାହି ଭିତରେ ୯ଶହ ମିଟର ରାସ୍ତା ବାଟ ଫିଟୁନି। ଏଥିରେ ବିସ୍ଥାପିତ ହେବାକୁ ଥିବା ଆଦିବାସୀ ଗାଁ ଓ ଶକ୍ତି ବିହାରର ୬୮୫ ପରିବାରଙ୍କୁ ଥଇଥାନ କରି କାମ ଆଗେଇବାକୁ ଗତ ମେ’ ୩ ତାରିଖରେ ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଥିଲା। ପୂର୍ତ୍ତ ବିଭାଗ ପକ୍ଷରୁ ୬୮୫ ପରିବାର ପାଇଁ ୧୫ ଫୁଟ୍ ଲମ୍ବା ଓ ୧୦ ଫୁଟ୍ ଓସାରରେ ଘର ତିଆରି କରି ଯୋଗାଇ ଦିଆଯିବ। ବିଏମ୍ସି ରାସ୍ତା, ଡ୍ରେନ୍, ପାଇଖାନା ଓ ଲାଇଟ୍ ବ୍ୟବସ୍ଥା କରିବ। ୱାଟ୍କୋ ପାନୀୟ ଜଳ ଯୋଗାଇବ। ଏହା ପୂର୍ବରୁ ସମ୍ପୃକ୍ତ ପରିବାରମାନଙ୍କୁ ଟ୍ରାଞ୍ଜିଟ୍ ହାଉସ୍କୁ ସ୍ଥାନାନ୍ତର କରାଯିବ ଏବଂ ଯୁଦ୍ଧକାଳୀନ ଭିତ୍ତରେ ରାସ୍ତା ନିର୍ମାଣ ହେବ। ଏନେଇ ବିଏମ୍ସି କମିସନର ବିଜୟ ଅମୃତା କୁଲାଙ୍ଗେ ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବଙ୍କୁ ଅଢ଼େଇ ମାସ ତଳେ ଚିଠି ଲେଖି ଅବଗତ କରାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କାମ ଆଗେଇପାରି ନାହିଁ।
ସେପଟେ ୨୦୦ ଫୁଟିଆ ରାସ୍ତା କାମ ସାଲିଆସାହି ଭିତରେ ପଶିପାରୁ ନ ଥିବାରୁ ଏକାମ୍ର ଭିଲ୍ଲା ସମେତ ସ୍ଥାନୀୟ ଅଞ୍ଚଳବାସୀ ଏବେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଦୈନିକ ଏହି ରାସ୍ତା ଉପରେ ସହରର ହଜାର ହଜାର ଲୋକେ ନିର୍ଭର କରୁଛନ୍ତି। ସାଲିଆସାହିଠାରୁ ଇନ୍ଫୋସିଟି ପର୍ଯ୍ୟନ୍ତ ୨୦୦ ଫୁଟିଆ ରାସ୍ତା ଖୋଲିଯାଇଥିବାରୁ ବୁଦ୍ଧୀଜୀବୀ, ହସ୍ପିଟାଲ, ଆଇଟି ସେକ୍ଟରରେ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷ ଏହି ରାସ୍ତା ଦେଇ ପ୍ରତିଦିନ ଯିବା ଆସିବା କରୁଥିବାରୁ ଏବେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ୯୦୦ ମିଟରର ଏହି ରାସ୍ତାଟି ସଲିଆ ସାହି ଓ ଏକାମ୍ର ଭିଲ୍ଲା ଭିତରେ ମାତ୍ର ୧୨ଫୁଟିଆ ରହିଛି। ତା’ ସାଙ୍ଗକୁ ୪ଟି ବାଙ୍କ ଓ ଗୋଟିଏ ନଳା ମଧ୍ୟ ରାସ୍ତାରେ ରହିଛି। ଏତେ ଅଣଓସାରିଆ ରାସ୍ତାରେ ଗୋଟିଏ ଅଟୋ ଗଲା ବେଳେ ଆଉ ଏକ ମୋଟର ସାଇକେଲ ଯିବା କଷ୍ଟକର ହୋଇପଡ଼ୁଛି। ତେଣୁ ୯୦୦ ମିଟର ରାସ୍ତା ପାର୍ ହେବାକୁ ୧୫ ମିନିଟ୍ରୁ ଅଧିକ ସମୟ ଲାଗୁଛି। ବେଳେବେଳେ ଦୁଇଟି ଅଟୋ ସାମ୍ନାସାମ୍ନି ହେବା ଦ୍ବାରା ଆଗପଛ ହୋଇ ଅଧ ଘଣ୍ଟାରୁ ଅଧିକ ସମୟ ଲାଗିଯାଉଛି। ଏବେ ବର୍ଷା ହେଉଥିବାରୁ ପ୍ରତିଦିନ ଛୋଟ ବଡ଼ ଏକାଧିକ ଦୁର୍ଘଟଣା ଘଟୁଥିବା ଏଠାରେ ଦେଖିବାକୁ ମିଳୁଛି।
ଆଇଆରସି ଭିଲେଜ୍ ଏନ୍-୫ ବାସିନ୍ଦା କାର୍ତ୍ତିକ ସାହୁଙ୍କ କହିବାନୁଯାୟୀ ଏକାମ୍ର ଭିଲ୍ଲା ଛକଠାରୁ ଆରମ୍ଭ ହୋଇ ସଲିଆ ସାହି ଶେଷ ପର୍ଯ୍ୟନ୍ତ ଯାଇଥିବା ୧୨ ଫୁଟିଆ ରାସ୍ତା ମରଣଯନ୍ତା ପାଲଟିଲାଣି। ପୂର୍ବାହ୍ନ ଓ ସନ୍ଧ୍ୟା ସମୟରେ ଏଠାରେ ଏଭଳି ଭିଡ଼ ହେଉଛି ଯେ ୯୦୦ ମିଟର ରାସ୍ତା ପାରି ହେବାକୁ ଅଧଘଣ୍ଟାରୁ ଅଧିକ ସମୟ ଲାଗିଯାଉଛି। ଏହି ରାସ୍ତା କଡ଼ରେ ଭଙ୍ଗା ଓ ମୁକୁଳା ନାଳ ରହିଛି। ପ୍ରତିଦିନ ଏହି ରାସ୍ତା ଦେଇ ସ୍କୁଲ ପିଲାମାନେ ଓ ବହୁ ରୋଗୀ ବିପଦସଙ୍କୁଳ ଅବସ୍ଥାରେ ଯିବା ଆସିବା କରୁଛନ୍ତି। ପ୍ରଶାସନ ତୁରନ୍ତ ଏ ରାସ୍ତାକୁ ୨୦୦ ଫୁଟିଆ କରିବା ଦିଗରେ ପଦକ୍ଷେପ ନେଉ।
ଏକାମ୍ର ଭିଲ୍ଲା ବାସିନ୍ଦା ଅନନ୍ତ ଚରଣ ରାଉତ କହିଛନ୍ତି ଯେ ରାସ୍ତାରେ ପ୍ରତିଦିନ ଅନେକ ରୋଗୀ ଓ ବୟସ୍କ ଲୋକେ କଳିଙ୍ଗ, କେୟାର, କିମ୍ସ, ଉତ୍କଳ ହସ୍ପିଟାଲକୁ ଯାଉଛନ୍ତି। ଅନେକ ସମୟରେ ସ୍କୁଲ ପିଲାମାନେ ମଧ୍ୟ ଏଠାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅତୀତରେ ଏହି ରାସ୍ତା ପାଇଁ ସାଲିଆସାହିର ଜଣେ ବୃଦ୍ଧା ପାଣିରେ ବୁଡ଼ି ମୃତ୍ୟୁବରଣ କରିଥିଲେ। ପ୍ରଶାସନିକ ଅଧିକାରୀମାନେ ସକାଳ ଓ ସନ୍ଧ୍ୟା ସମୟରେ ଥରେ ଆସି ରାସ୍ତାର ଅବସ୍ଥା ଦେଖନ୍ତୁ। ଏକାମ୍ର ଭିଲ୍ଲାରେ ବାସ କରୁଥିବା ସମସ୍ତ ଜନତା ମାନଙ୍କର ଅନୁରୋଧ ଯଥାଶୀଘ୍ର ନୂତନ ରାସ୍ତା ସମ୍ପୂର୍ଣ୍ଣ କରି ଲୋକଙ୍କ ଦୁଃଖ ଦୂର କରନ୍ତୁ।