ଭୁବନେଶ୍ବର: ବମିଖାଲ କେନାଲ୍ ରାସ୍ତା ଯୋଗାଯୋଗର ଏକ ପ୍ରମୁଖ ମାଧ୍ୟମ। ପ୍ରତିଦିନ ଶତାଧିକ ସଂଖ୍ୟାରେ ଲୋକେ ଏହି ବାଟ ଦେଇ ଯା’ଆସ କରନ୍ତି। କିନ୍ତୁ କେନାଲ୍ ପୁନରୁଦ୍ଧାର ଆଳରେ ଏହି ରାସ୍ତାକୁ ବନ୍ଦ କରି ଦିଆଯାଇଛି। ଫଳରେ ଲୋକେ ନାହିନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେପଟେ ୬ ମାସ ହେଲାଣି ଏହି ନିର୍ମାଣ କାର୍ଯ୍ୟ ଜାରି ରହିଥିଲେ ବି ଆଜି ପର୍ଯ୍ୟନ୍ତ କାମ ସରି ନଥିବାରୁ ଲୋକେ ଯା’ଆସ ବେଳେ ଦ୍ବନ୍ଦ୍ବରେ ପଡ଼ୁଛନ୍ତି। ମାତ୍ର ୨ଶହ ମିଟର ରାସ୍ତା ପାଇଁ ୨ କିଲୋମିଟର ବାଟ ବୁଲି ବୁଲି ଯାଉଛନ୍ତି।
ବିଏମ୍ସି ପକ୍ଷରୁ ୩୨ ନମ୍ବର ୱାର୍ଡ ଅନ୍ତର୍ଗତ ବମିଖାଲ ଦେଇ ଯାଇଥିବା ଦୟାୱେଷ୍ଟ୍ କେନାଲ୍ର ପୁନରୁଦ୍ଧାର କାମ ଚାଲିଛି। କେନାଲ୍ର ସ୍ଥାୟିତ୍ବ ପାଇଁ ଦୁଇପାର୍ଶ୍ବରେ ଆରସିସି (କଂକ୍ରିଟ୍ ୱାଲ୍) ୱାଲ୍ ନିର୍ମାଣ ଚାଲିଛି। ମାତ୍ର ୨ଶହ ମିଟରର ଏହି କାମର କାର୍ଯ୍ୟାଦେଶ ୬ ମାସ ତଳେ ଦିଆଯାଇଥିଲା। ବର୍ଷା ପୂର୍ବରୁ ବି କାମ ଆରମ୍ଭ ହେଲାଣି। ଏ ଭିତରେ କାର୍ଯ୍ୟାଦେଶ ସମୟ ଗଡ଼ିଗଲାଣି। କିନ୍ତୁ ନିର୍ମାଣ କାର୍ଯ୍ୟ ଅଦ୍ୟାବଧି ସରିନି। ବର୍ଷା ଆଳ ଦେଖାଇ ଠିକାଦାର କାମକୁ ବନ୍ଦ ରଖିଛନ୍ତି। ଫଳରେ ପ୍ରାୟ ୨ ମାସ ହେବ ଏହି ରାସ୍ତା ବନ୍ଦ ପଡ଼ିଛି। ବମିଖାଲରୁ ଲମ୍ବିଥିବା ଏହି କେନାଲ୍ ରାସ୍ତା କେଶୁରା ଛକରେ ରାଜପଥକୁ ସଂଯୋଗ କରୁଛି। ଏଣୁ ଟ୍ରାଫିକ୍ରେ ନପଶି ଲୋକେ ଏହି କେନାଲ୍ ରାସ୍ତା ଦେଇ ସହଜରେ ବାଇପାସ ରାସ୍ତାରେ ବାହାରି ପୁରୀ ଅବା କଟକ ପାର୍ଶ୍ବକୁ ଯା’ଆସ କରି ପାରୁଥିଲେ। ଦୁଇଚକିଆ, ଚାରିଚକିଆ ଆଦି ଗାଡ଼ି ସହଜରେ ଏହି ବାଟ ଦେଇ ଯାତାୟାତ କରୁଥିଲା। କିନ୍ତୁ କେନାଲ୍ ରାସ୍ତାର ଅଧାପନ୍ତରିଆ କାମ ଏଥିରେ ପ୍ରତିବନ୍ଧକ ସାଜିଛି। ଠିକାଦାର ଆରସିସି ୱାଲ୍ ପାଇଁ କେନାଲ୍ ଭିତରୁ ମାଟି ଖୋଳି ରାସ୍ତା ଉପରେ ଗଦାଇ ରଖିଛନ୍ତି। ଏହା ବର୍ଷାରେ ଧୋଇ ରାସ୍ତାସାରା ଖେଳିଗଲାଣି। ଫଳରେ ଏହି ପିଚୁ ରାସ୍ତା ସଂପୂର୍ଣ୍ଣ କାଦୁଅ ହୋଇଯାଇଛି। ସ୍ଥିତି ଏପରି ଯେ ଚାଲିକରି ଯିବା ବି କଷ୍ଟକର ହୋଇପଡ଼ିଛି।
ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ନିର୍ମାଣ କାର୍ଯ୍ୟ ବହୁ ପୂର୍ବରୁ ଆରମ୍ଭ ହୋଇଥିଲେ ବି ଦେଢ଼ମାସ ତଳେ ହଠାତ୍ ଏହି ରାସ୍ତାରେ ବାଉଁଶ ବାନ୍ଧି ଦିଆଯାଇଥିଲା। କୌଣସି ସୂଚନା ଫଳକ ଲଗାଗଲାନି। ଏଣୁ ବମିଖାଲ ଛକରୁ ଯେଉଁମାନ ଏହି କେନାଲ୍ ରାସ୍ତା ଦେଇ ଆସିଲେ, କଲବଲ ହେଲେ। ଦୁଇଚକିଆ ସହଜରେ କେନାଲ୍ ଉପର ସାଇଫନ୍ ଦେଇ ପଳାଇଉଛନ୍ତି। କିନ୍ତୁ ଯେଉଁମାନେ ଚାରିଚକିଆ ଯାନରେ ଯାଉଛନ୍ତି, ସେମାନେ ବାଟ ନ ପାଇ କଲବଲ ହେଉଛନ୍ତି। ପଛକୁ ବୁଲାଇ ଗାଡ଼ି ଫେରାଇ ଆଣିବାକୁ ରାସ୍ତା ନଥିବାରୁ ସଂକୁଚିତ ସାଇଫନ୍ରେ ବହୁ କଷ୍ଟରେ ଯା’ଆସ କରୁଛନ୍ତି। ଯିବା ବେଳେ ଗାଡ଼ି ସାଇଫନ୍ କଂକ୍ରିଟ୍ ୱାଲ୍ରେ ମାଡ଼ ହେଉଛି। ଯେହେତୁ ଏହା ଦୈନନ୍ଦିନ ଗମନାଗମନ ରାସ୍ତା, ଏଣୁ ତୁରନ୍ତ କେନାଲ୍ ପୁନରୁଦ୍ଧାର କାମ ସାରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ବିଏମ୍ସି ସିଟି ଇଂଜିନିୟର ବିଳାସ କୁମାର ବେହେରା କହିଛନ୍ତି, କାମ ୬ ମାସ ହେବ ଆରମ୍ଭ ହୋଇଛି। ଶୀଘ୍ର କାମ ସାରିବାକୁ ଲକ୍ଷ୍ୟ ରଖିଛୁ। କିନ୍ତୁ ଏହି କାମ କିଏ ଓ କେତେ ଟଙ୍କାରେ କରୁଛନ୍ତି, ଜାଣିନଥିବା ୩୨ ନମ୍ବର ୱାର୍ଡ କର୍ପୋରେଟର୍ ଶ୍ରୀଧର ଜେନା କହିଛନ୍ତି।