ନୀଳାଦ୍ରିବିହାର ଜିଏ ପ୍ଲଟବାସୀଙ୍କୁ ମୌଳିକ ସୁବିଧା କେବେ? ଖାଲି ଜମିକୁ ମାଡ଼ି ବସିଲେଣି

ନାଲିଫିତା ତଳେ ଅଟକି ରହିଛି ଗୋଷ୍ଠୀ କେନ୍ଦ୍ର, ବରିଷ୍ଠ ନାଗରିକଙ୍କୁ ମିଳୁନି ସୁବିଧା ସୁଯୋଗ

ଚନ୍ଦ୍ରଶେଖରପୁର: ରାଜ୍ୟ ସରକାରଙ୍କ ପକ୍ଷରୁ ସାଧରଣ ବର୍ଗର ଲୋକଙ୍କୁ ନୀଳାଦ୍ରିବିହାରରେ ୨୩୩ଟି ପ୍ଲଟ ବଣ୍ଟନ କରାଯାଇଥିଲା। ଇତି ମଧ୍ୟରେ ୩୦ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏଠାକାର ଲୋକେ ମୌଳିକ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହେଉଛନ୍ତି। ଜମି ଆବଣ୍ଟନ ସମୟରେ ଅଞ୍ଚଳବାସୀଙ୍କ ସୁଖ ସ୍ବାଚ୍ଛନ୍ଦ୍ୟ ଓ ସେମାନଙ୍କ ସାମାଜିକ ଚଳଣିର ଆବଶ୍ୟକତା ମେଣ୍ଟାଇବା ଲାଗି ୮ଟି ପ୍ଲଟ ଓ ୩ଟି ଖୋଲା ସ୍ଥାନ ସଂରକ୍ଷିତ ରଖାଯାଇଥିଲା। ତେବେ ଦୁଃଖ ଓ ପରିତାପର ବିଷୟ ହେଉଛି ଯେ ଆଜି ପର୍ଯ୍ୟନ୍ତ ସେଠାରେ କିଛି ବି କାର୍ଯ୍ୟ ହୋଇପାରି ନାହିଁ। ବରଂ ସଂରକ୍ଷିତ ରହିଥିବା ଜମିକୁ ମୁନାଫାଖୋର ବ୍ୟକ୍ତି ବିଶେଷ ବଳପୂର୍ବକ ଅକ୍ତିଆର କରି ନିଜର ସାମ୍ରାଜ୍ୟ ବିସ୍ତାର କରି ଚାଲିଛନ୍ତି। ଏସମ୍ପର୍କରେ ଜିଏ ପ୍ଲଟ୍‌ ଆବାସିକ ସଂଘ ଅସନ୍ତୋଷ ପ୍ରକାଶ କରିବା ସହ ପ୍ରଶାସନ ହସ୍ତକ୍ଷେପ କରି ନ୍ୟାୟ ଦେବାକୁ ଦାବି କରିଛନ୍ତି।

ଅଭିଯୋଗ ଅନୁଯାୟୀ ୧୯୮୯-୯୦ ମସିହାରେ ଚନ୍ଦ୍ରଶେଖରପୁର ଅଞ୍ଚଳର ନକ୍ସା ନମ୍ବର ବି/୧୩୧, ନୀଳାଦ୍ରିବିହାର ଅଞ୍ଚଳରେ ପ୍ଲଟଗୁଡ଼ିକ ଅବଣ୍ଟନ ହୋଇଥିଲା। ସେଥିମଧ୍ୟରୁ ଅଧିକାଂଶ ବ୍ୟକ୍ତିବିଶେଷ ଆବଣ୍ଟିତ ଗୃହରେ ନିଜସ୍ବ ଗୃହ ନିର୍ମାଣ କରି ବସବାସ କରୁଛନ୍ତି। ଜମି ଆବଣ୍ଟନ ସମୟରେ ସମସ୍ତ ପ୍ରକାର ମୌଳିକ ସୁବିଧା ସୁଯୋଗ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ତେବେ ୩ ଦଶନ୍ଧି ବିତିଯାଇଥିଲେ ମଧ୍ୟ କେହି ବି ସମସ୍ୟା ସମ୍ପର୍କରେ ଶୁଣୁନାହାନ୍ତି। ୨୦୧୨ ମସିହାରେ କିଛି ବ୍ୟକ୍ତିବିଶେଷ ଖୋଲା ସ୍ଥାନକୁ ନିଜ କବ୍‌ଜାକୁ ନେଇଯାଇଥିଲେ। ସଂଘର ଉଦ୍ୟମ ଓ ପ୍ରଚେଷ୍ଟା ଯୋଗୁଁ ଅନଧିକାର ପ୍ରବେଶକୁ ହଟାଇବା ପାଇଁ ସେତେବେଳର ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଥିଲେ। ତେବେ ଇତି ମଧ୍ୟରେ ୮ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରି ନାହିଁ।

୨୦୧୫ରେ ସଂଘ ପକ୍ଷରୁ ବିଏମ୍‌ସି ମେୟରଙ୍କ ହସ୍ତକ୍ଷେପ ଲୋଡ଼ାଯାଇଥିଲା। ଖାଲି ଥିବା ଅଞ୍ଚଳ ଜିଏ ପ୍ଲଟ୍‌ ପି-୩ ଓ ପି-୪ରେ ଗୋଷ୍ଠୀ କେନ୍ଦ୍ର ଓ ବ୍ୟାୟାମ ଶାଳା ନି‌ର୍ମାଣ ପାଇଁ ଅନୁରୋଧ କରାଯାଇଥିଲା। ବହୁ ଚେଷ୍ଟା ପରେ ସଂରକ୍ଷିତ ଜାଗା(ପ୍ଲଟ ପି-୩)ରେ ଗୋଷ୍ଠୀ କେନ୍ଦ୍ର କରିବାକୁ ସାଧାରଣ ପ୍ରଶାସନ ବିଭାଗର ଅନୁମତି ପାଇଁ ପ୍ରସ୍ତାବ ‌ଯାଇଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ନ ହୋଇପଡ଼ି ରହିଛି। ପରବର୍ତୀ ସମୟରେ ବିଧାୟକ, କର୍ପୋରେଟର ମଧ୍ୟ ପ୍ରସ୍ତାବ କାର୍ଯ୍ୟକାରୀ କରିବାକୁ ସୁପାରିଶ କରିଥିଲେ ମଧ୍ୟ ତାହା ସେମିତି ନାଲିଫିତା ତଳେ ରହିଯାଇଛି। ବର୍ତମାନ ସମୟରେ ଏହି ଅଞ୍ଚଳରେ ଅନେକ ବରିଷ୍ଠ ନାଗରିକ ରହୁଛନ୍ତି। ଚାରିପାଖରେ ଥିବା ଲୁମ୍ବିନୀ ବିହାର, ଡିଫେନ୍ସ କଲୋନି, ନୀଳାଦ୍ରିବିହାର ‌ସେକ୍ଟର ଅଞ୍ଚଳରେ ବହୁ ବରିଷ୍ଠ ନାଗରିକ ରହିଛନ୍ତି। ସେମାନଙ୍କ ବସା ଉଠା, ଭାବର ଆଦାନପ୍ରଦାନ ଓ ସର୍ବୋପରି ଚିତ୍ତ ବିନୋଦନ କରିବା ପାଇଁ କୌଣସି ଖାଲି ସ୍ଥାନ ନାହିଁ। ତେଣୁ ବରିଷ୍ଠ ନାଗରିକଙ୍କ ଲାଗି ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଥିବା ଲୋକାଭିମୁଖୀ ରାଜ୍ୟ ସରକାର ଏଦିଗରେ ପଦ‌କ୍ଷେପ ନିଅନ୍ତୁ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର