ଭୁବନେଶ୍ବର: ହକି ବିଶ୍ବକପ୍ ପାଇଁ ସହରର ରଙ୍ଗ, ରୂପ ବଦଳୁଛି। ରାଜଧାନୀକୁ ନୂଆ ରୂପରେ ସଜାଇବାକୁ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି। ଏହା ଭିତରେ ଜବରଦଖଲ ଉଚ୍ଛେଦ ମଧ୍ୟ ଜୋର୍ଦାର୍ କରାଯାଉଛି। ପ୍ରତିଦିନ ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ଜେସିବି ଧରି ରାସ୍ତାକଡ଼ରୁ ଜବରଦଖଲ ଉଚ୍ଛେଦ କରୁଛି। କିନ୍ତୁ ବର୍ଷବର୍ଷ ଧରି ଜବରଦଖଲରେ ରହିଥିବା ବାଣୀବିହାର ଛକ କିପରି ଉଚ୍ଛେଦକାରୀ ଦଳ ଆଖିରେ ପଡ଼ୁ ନାହିଁ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ଜବରଦଖଲ ଯୋଗୁଁ ନାନା ସମସ୍ୟା ଉପୁଜୁଥିଲେ ହେଁ ସେମାନଙ୍କୁ ହଟାଇବାକୁ କାଳେ ଅଧିକାରୀ ଓ ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ଭୟ କରୁଛନ୍ତି ବୋଲି ଆଲୋଚନା ହେଉଛି। ତେବେ କେଉଁ ଅଦୃଶ୍ୟ ଶକ୍ତି ଚାପରେ ଅଧିକାରୀମାନେ ଚେପା ହୋଇଯାଇଛନ୍ତି, ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।
ଲୋକଦେଖାଣିଆ ଉଚ୍ଛେଦ ଅଭିଯୋଗ
ଉଚ୍ଛେଦକୁ ଡରୁଛନ୍ତି କି ଅଧିକାରୀ?
ଦୋକାନୀଙ୍କଠୁ ଚାନ୍ଦା ନେଉଛି କିଏ?
ବାଣୀବିହାର ଫାଟକ ନିକଟରୁ ଲ’ କଲେଜ ପର୍ଯ୍ୟନ୍ତ ଛୋଟ ବଡ଼ ୪୦ରୁ ଅଧିକ ଦୋକାନ ଜବରଦଖଲରେ ରହିଛି। ବର୍ଷ ବର୍ଷ ଧରି ଏମାନେ ସରକାରୀ ଜମିରେ ବ୍ୟବସାୟ କରି ଆସୁଛନ୍ତି। ଏହା ଏକ ପ୍ରମୁଖ ଛକ ହୋଇଥିବାରୁ ଦିନସାରା ଏଠି ଭିଡ଼ ଲାଗି ରହୁଛି। ସଂଧ୍ୟାରେ ବସ୍ ଯୋଗେ ଦୂରଦୂରାନ୍ତକୁ ଯିବା ପାଇଁ ଯାତ୍ରୀଙ୍କ ଗହଳି ଜମୁଛି। ରାସ୍ତା ଉପରେ ବସ୍ ଛିଡ଼ା ହେବା ଦ୍ବାରା ଗାଡ଼ି ଯାତାୟାତ ପାଇଁ ରାସ୍ତା ସଂକୁଚିତ ହୋଇଯାଉଛି। ତେଣୁ ଅଧିକାଂଶ ସମୟରେ ଏଠାରେ ଟ୍ରାଫିକ୍ ସମସ୍ୟା ଦେଖାଦେଉଛି। ଅପରପକ୍ଷେ ବାଣୀବିହାର ଛକରେ ଓଭରବ୍ରିଜ୍ ନିର୍ମାଣ ହେବା ପରେ ଉତ୍କଳ ବିଶ୍ବବିଦ୍ୟାଳୟକୁ ପ୍ରବେଶ କଷ୍ଟକର ହୋଇପଡ଼ୁଛି। ଛାତ୍ରଛାତ୍ରୀ ବାଣୀବିହାର ଛକରୁ ରଙ୍ଗ୍ ରୁଟ୍ରେ କ୍ୟାମ୍ପସ୍ ଭିତରକୁ ପ୍ରବେଶ କରୁଥିବାରୁ ସମସ୍ୟା ଆହୁରି ବଢ଼ି ଯାଉଛି। ଏଥିଯୋଗୁଁ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଛି।
ହକି ବିଶ୍ୱକପ୍ ପାଇଁ ବିଡିଏ ପକ୍ଷରୁ ୧୭ଟି ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ଗଠନ କରାଯାଇ ଉଚ୍ଛେଦ କରାଯାଉଛି। ସହରର ବିଭିନ୍ନ ରାସ୍ତା ସମେତ ଜାତୀୟ ରାଜପଥ କଡ଼ରେ ମଧ୍ୟ ଉଚ୍ଛେଦ କରାଯାଉଛି। ଜାତୀୟ ରାଜପଥରୁ ୫୦ମିଟର ଯାଏ ସମ୍ପୂର୍ଣ୍ଣ ଜବରଦଖଲମୁକ୍ତ କରାଯିବ ବୋଲି ବିଡିଏ ପକ୍ଷରୁ କୁହାଯାଇଥିଲା। ପଳାସୁଣି ଛକଠାରୁ ଖଣ୍ଡଗିରି ଯାଏ ଦୁଇକଡ଼ରେ କିଛି କିଛି ସ୍ଥାନରେ ଉଚ୍ଛେଦ କରାଯାଇଛି। ବାଣୀବିହାର ନିକଟ ମୁଖାର୍ଜୀ ପାର୍କ ଆଗରେ ବସୁଥିବା ଫଳ ଦୋକାନୀଙ୍କୁ ଉଚ୍ଛେଦ କରାଯାଇଛି, ହେଲେ ବାଣୀବିହାର ଛକରେ ଉଚ୍ଛେଦ କରାଯାଇନାହିଁ। ନାମ ଗୋପନ ରଖିବା ସର୍ତ୍ତରେ ଜଣେ ବ୍ୟବସାୟୀ କହିଛନ୍ତି ଯେ ବାଣୀବିହାର ଛକରେ ଥିବା ଦୋକାନଗୁଡ଼ିକ କିଛି ଛାତ୍ର ନେତାଙ୍କ ମାଲିକାନାରେ ଚାଲୁଛି। ପ୍ରତିଦିନ ଦୋକାନୀଙ୍କଠାରୁ ଚାନ୍ଦା ବି ଆଦାୟ କରାଯାଉଛି। ତେଣୁ ସ୍କ୍ବାଡ୍ ସେଠାରେ ଉଚ୍ଛେଦ କରୁନାହାନ୍ତି ବୋଲି ସାଂଘାତିକ ଅଭିଯୋଗ ହୋଇଛି।
ଏନେଇ ବିଡିଏର ଅତିରିକ୍ତ କମିସନର୍ (ଏନ୍ଫୋର୍ସମେଣ୍ଟ) ହରୀଶ ଚନ୍ଦ୍ର ନାୟକ କହିଛନ୍ତି ଯେ ବର୍ତ୍ତମାନ ସୌନ୍ଦର୍ଯ୍ୟୀକରଣ ପାଇଁ ଆବଶ୍ୟକ ଅନୁସାରେ ଉଚ୍ଛେଦ କରାଯାଇଛି। ଯେଉଁ ସ୍ଥାନରେ ରାସ୍ତା ସଂପ୍ରସାରଣ କିମ୍ବା ସରକାରଙ୍କ ପକ୍ଷରୁ କୌଣସି ଉନ୍ନତିମୂଳକ କାମ ହେବାର ଅଛି, ସେଠାରେ ଉଚ୍ଛେଦ କରାଯାଉଛି। ବାଣୀବିହାର ଛକ ଉଚ୍ଛେଦ ପାଇଁ କୌଣସି ପ୍ରସ୍ତାବ ଆସିନାହିଁ। ଯଦି ଏନ୍ଏଚ୍ଏଆଇ ପକ୍ଷରୁ ପ୍ରସ୍ତାବ ଆସେ, ଆମେ ଚିନ୍ତା କରିବୁ।