ଭୁବନେଶ୍ବର: ହସ୍ପିଟାଲରେ ଆଇସିୟୁ ଶଯ୍ୟା ଖାଲି ପଡ଼ିଛି। ହେଲେ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ରେଫର୍ କରାଯାଉଛି। କରୋନା ସଂକ୍ରମଣ ବାହାନାରେ ଚିକିତ୍ସା ସୁବିଧାରୁ ବଞ୍ଚିତ ହେଉଛନ୍ତି ଗୁରୁତର ରୋଗୀ। ଏଭଳି ବିଚିତ୍ର ଅବସ୍ଥା ଦେଖିବାକୁ ମିଳିଛି ରାଜଧାନୀର ସବୁଠାରୁ ବ୍ୟସ୍ତବହୁଳ ଡାକ୍ତରଖାନା କ୍ୟାପିଟାଲ ହସ୍ପିଟାଲରେ।
ରାଜ୍ୟ ତଥା ରାଜଧାନୀରେ ଗତ କିଛି ମାସ ହେବ କରୋନା ସଂକ୍ରମଣ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି। ଏପରିକି ରାଜଧାନୀରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଏକ ଅଙ୍କରେ ସୀମିତ ରହିଛି। ହେଲେ କ୍ୟାପିଟାଲ ହସ୍ପିଟାଲରେ ଡାକ୍ତର, କର୍ମଚାରୀ କରୋନା କଟକଣା ଏବେ ବି ଚାଲିଛି। ଓପିଡି ବା ବହିର୍ବିଭାଗ ଦୁଇ ଓଳି ଖୋଲା ଯାଉଛି। ହେଲେ ହସ୍ପିଟାଲକୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ କାଜୁଆଲ୍ଟିରୁ ହିଁ ଅନ୍ୟତ୍ର ରେଫର୍ କରି ଦିଆଯାଉଛି। ପଚାରିଲେ କୁହାଯାଉଛି, ଆର୍ଟି-ପିସିଆର୍ ନେଗେଟିଭ୍ ରିପୋର୍ଟ ଆଣ। ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଆସିଥିବା ଜଣେ ରୋଗୀ କିଭଳି ଆର୍ଟି-ପିସିଆର୍ ରିପୋର୍ଟ ଆଣିବ? ଆର୍ଟି-ପିସିଆର୍ ନମୁନା ପରୀକ୍ଷା ରିପୋର୍ଟ ଆସିବାକୁ ଅତି କମ୍ରେ ୧ରୁ ୨ ଦିନ ଲାଗୁଥିବା ବେଳେ ସେ ପର୍ଯ୍ୟନ୍ତ କ’ଣ ଗୁରୁତର ରୋଗୀଟିଏ ଚିକିତ୍ସା ପାଇଁ ଅପେକ୍ଷା କରିବ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯେଉଁ ରୋଗୀଙ୍କ ପାଖରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ରହିଛି, ସେମାନେ ମଧ୍ୟ ଏଭଳି ଅଘୋଷିତ କଟକଣା ଯୋଗୁଁ ଫାଇଦା ପାଇ ପାରୁ ନାହାନ୍ତି। ବେଶ୍ କିଛି ଦିନ ହେବ ଏଭଳି ଢଙ୍ଗରେ ରେଫରାଲ ଚାଲିଛି ହସ୍ପିଟାଲରେ। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେ ଯଦି କ୍ୟାପିଟାଲ ହସ୍ପିଟାଲରେ କରୋନା ସଂକ୍ରମଣ ହୋଇପାରିବ, ତାହାଲେ ଅନ୍ୟ ହସ୍ପିଟାଲଗୁଡ଼ିକ ଏଭଳି ସଂକ୍ରମଣରୁ କିଭଳି ବର୍ତ୍ତି ପାରିବେ।
କ୍ୟାପିଟାଲ ହସ୍ପିଟାଲରେ ଆଇସିୟୁର ୧୬ଶଯ୍ୟା ରହିଛି। ଏଥିପାଇଁ ୧୨ଜଣ ଡାକ୍ତରଙ୍କ ସମେତ ଷ୍ଟାଫନର୍ସ ଓ ଆଟେଣ୍ଡାଣ୍ଟଙ୍କୁ ମିଶାଇ ସମୁଦାୟ ୪୫ଜଣ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଏତେସଂଖ୍ୟକ ଶଯ୍ୟା ରହିଥିଲେ ହେଁ ହସ୍ପିଟାଲରେ ତାହା ଖାଲି ପଡ଼ିଛି। ଏପରିକି କରୋନା ସଂକ୍ରମଣ ଆରମ୍ଭ ହେବା ପରେ କର୍ମଚାରୀଙ୍କ ଚାଲୁଥିବା ରୋଷ୍ଟର ଡ୍ୟୁଟି ଏବେ ବି ଜାରି ରହିଛି। ଅଧିକାଂଶ ଡ୍ୟୁଟିକୁ ଆସୁ ନ ଥିବା ମଧ୍ୟ ଅଭିଯୋଗ ହେଉଛି। ଗୋଟିଏ ପଟେ ରାଜ୍ୟ ସରକାର କ୍ୟାପିଟାଲ ହସ୍ପିଟାଲକୁ ରାଜଧାନୀର ଏକ ଅଗ୍ରଣୀ ହସ୍ପିଟାଲରେ ପରିଣତ କରିବା ଲାଗି ଯୋଜନା କରୁଛନ୍ତି। ଗୋଟିଏ ପରେ ଗୋଟିଏ ନୂଆ ବିଭାଗ ଖୋଲୁଛି ହସ୍ପିଟାଲରେ। ହେଲେ ରୋଗୀଙ୍କୁ ଆବଶ୍ୟକ ଚିକିତ୍ସା ମିଳିପାରୁ ନାହିଁ। ଏଠାକୁ କେବଳ ଭୁବନେଶ୍ବର ନୁହେଁ, ଖୋର୍ଧା ଜିଲ୍ଲା ଆଖପାଖ ଜିଲ୍ଲାର ରୋଗୀମାନେ ଚିକିତ୍ସା ପାଇଁ ଆସୁଛନ୍ତି। ମାତ୍ର ହସ୍ପିଟାଲ କର୍ତୃପକ୍ଷଙ୍କ ଏଭଳି କଟକଣା ଓ ମନମାନି ପାଇଁ ରୋଗୀମାନଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି।
କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ଡା. ଲକ୍ଷ୍ମୀଧର ସାହୁ କହିଛନ୍ତି, ଆଇସିୟୁରେ ଆଡମିସନ୍ ପାଇଁ ରୋଗୀମାନଙ୍କୁ ଆର୍ଟି-ପିସିଆର୍ ରିପୋର୍ଟ ଆଣିବା ଲାଗି କୁହାଯାଉଛି। ରାପିଡ୍ ଆଣ୍ଟିଜେନ୍ କିଟ୍ରେ ପରୀକ୍ଷା କଲେ ହୁଏତ ସଂକ୍ରମିତ ରୋଗୀ ଚିହ୍ନଟ ନ ହେବେ, ସେଥିପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ନଚେତ୍ ଆଇସିୟୁରେ ଥରେ ସଂକ୍ରମଣ ବ୍ୟାପିଲେ ଅନ୍ୟ ରୋଗୀମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ। ତେଣୁ ହସ୍ପିଟାଲରେ ଆଇସିୟୁ ଶଯ୍ୟା ଖାଲି ରହିଥିଲେ ହେଁ ଏଭଳି ପଦକ୍ଷେପ ଗ୍ରହଣ କରିବା ଲାଗି ବାଧ୍ୟ ହେଉଛୁ ବୋଲି ଡା. ସାହୁ କହିଛନ୍ତି।