ଭୁବନେଶ୍ବର: ରସୁଲଗଡ଼-ବମିଖାଲ ମୁଖ୍ୟ ରାସ୍ତା ଏସ୍ପ୍ଲାନେଡ୍ ଛକରେ ଟ୍ରାଫିକ୍ ସମସ୍ୟା ସୁଧୁରିବା ନାଁ ନେଉନାହିଁ। ଏହି ଛକରେ ହେଉଥିବା ଟ୍ରାଫିକ୍ ଜାମ୍ ଯୋଗୁଁ ଲୋକେ ଘଣ୍ଟା ଘଣ୍ଟା ଧରି ଫସି ରହୁଛନ୍ତି। ସମସ୍ୟାର ସମାଧାନ ପାଇଁ କମିସନରେଟ୍ ପୁଲିସ ଓ ବିଏମ୍ସି ପକ୍ଷରୁ ସାମାନ୍ୟତମ ଆଗ୍ରହ ଦେଖାଯାଉନାହିଁ ବୋଲି ଅଭିଯୋଗ ହୋଇଆସୁଛି। ଏଠାରେ ଟ୍ରାଫିକ୍ କର୍ମଚାରୀ ନିୟୋଜିତ କରିବା ସହ ଜବରଦଖଲ ଉଚ୍ଛେଦ ହୋଇପାରିଲେ, ସମସ୍ୟାର ସମାଧାନ ହୋଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।
ରସୁଲଗଡ଼ ଛକଠାରୁ ଏସ୍ପ୍ଲାନେଡ୍ ଛକ ପର୍ଯ୍ୟନ୍ତ ରାସ୍ତା କଡ଼ରେ ବହୁ ବ୍ୟବସାୟିକ ପ୍ରତିଷ୍ଠାନ ରହିଛି। ଉକ୍ତ ବ୍ୟବସାୟିକ ପ୍ରତିଷ୍ଠାନକୁ ଆସୁଥିବା ଗ୍ରାହକମାନେ ରାସ୍ତା ଉପରେ ଗାଡ଼ି ପାର୍କି କରୁଛନ୍ତି। ଫଳରେ ରାସ୍ତା ସଂକୁଚିତ ଅବସ୍ଥାରେ ରହୁଛି। ଟ୍ରାଫିକ୍ ଛକ ନିକଟରେ ଥିବା ମାର୍ବଲ ସୋ’ରୁମ୍ ଆଗରେ ମାର୍ବଲ ଗଦା କରି ରଖାଯାଉଥିବା ବେଳେ ସେଠି ବି ରାସ୍ତା ଉପରେ ଗାଡ଼ି ପାର୍କିଂ କରାଯାଉଛି। ବଡ଼ କଥା ହେଉଛି ରସୁଲଗଡ଼ ଛକ ପଟୁ ଶିଳ୍ପାଞ୍ଚଳ ଭିତରକୁ ଯିବାକୁ ଏହି ଟ୍ରାଫିକ୍ ଛକ ଦେଇ ଯିବା ପଡ଼େ।
ତେଣୁ ଦିନର ପ୍ରାୟ ସବୁ ସମୟରେ ଶହଶହ ଗାଡ଼ି ରସୁଲଗଡ଼ ପଟୁ ଶିଳ୍ପାଞ୍ଚଳ ଭିତରକୁ ଯାଉଛନ୍ତି। ଅନ୍ୟପକ୍ଷରେ ବମିଖାଲ ଓଭରବ୍ରିଜ୍ ଏବଂ ବମିଖାଲ ଗାଁ ଛକରୁ ସର୍ଭିସ ରୋଡ୍ରେ ଆସୁଥିବା ଗାଡ଼ି ଏସ୍ପ୍ଲାନେଡ୍ ମଲ୍ ସମ୍ମୁଖକୁ ବାହାରୁଛନ୍ତି। ଏସ୍ପ୍ଲାନେଡ୍ରୁ ବାହାରୁଥିବା ଶହଶହ ଗାଡ଼ି ବି ଉକ୍ତ ଟ୍ରାଫିକ୍ ଛକ ଦେଇ ଯା’ଆସ କରୁଛନ୍ତି। ଏଣେ କୋଚିଲେଇ ହାଟ ସମ୍ମୁଖରେ ମାଳମାଳ ଉଠାଦୋକାନୀ ରାସ୍ତା ଉପରେ ବସି ରହୁଛନ୍ତି।
ଏସ୍ପ୍ଲାନେଡ୍ ବାଦ୍ ନିକଟରେ ଥିବା ମଲ୍, କାର୍ ସୋରୁମ୍ ଓ ଅନ୍ୟାନ୍ୟ ବ୍ୟବସାୟ ପ୍ରତିଷ୍ଠାନର ନିଜସ୍ବ ପାର୍କିଂ ନଥିବାରୁ ସେଠାରେ ବି ରାସ୍ତା ଉପରେ ଗାଡ଼ି ପାର୍କିଂ କରାଯାଉଛି। ତେଣୁ ରସୁଲଗଡ଼ ପଟୁ ଶିଳ୍ପାଞ୍ଚଳକୁ ଯିବାକୁ ଥିବା ଗାଡ଼ିଗୁଡ଼ିକ ରାସ୍ତା ପାର୍ ହେବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରି ରହୁଛନ୍ତି। ଫଳରେ ରସୁଲଗଡ଼ ଛକ ପର୍ଯ୍ୟନ୍ତ ଗାଡ଼ି ଜାମ୍ ରହୁଛି। ଏମିତିକି ଜାତୀୟ ରାଜପଥ ସର୍ଭିସ ରୋଡ୍ରେ ବି ଟ୍ରାଫିକ୍ ସମସ୍ୟା ଉପୁଜୁଛି। ମାତ୍ର ଦୁଇଶହ ମିଟର ରାସ୍ତା ପାର୍ ହେବା ପାଇଁ ଘଣ୍ଟା ଘଣ୍ଟା ସମୟ ଲାଗି ଯାଉଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଟ୍ରାଫିକ୍ ପୁଲିସ ରହୁନଥିବାରୁ ଅମାନିଆ ଚାଳକମାନେ ବେଶି ସମସ୍ୟା କରୁଛନ୍ତି।
ସେହିପରି ଏସ୍ପ୍ଲାନେଡ୍ ଛକରୁ ଶିଳ୍ପାଞ୍ଚଳ ଭିତରକୁ ଯାଇଥିବା ରାସ୍ତାରେ ବି ଜବରଦଖଲ ହୋଇଛି। ଫଳରେ କିଛି ସ୍ଥାନରେ ରାସ୍ତା ସଂକୁଚିତ ହୋଇଯାଇଛି। ସେହିଭଳି ଏସ୍ପ୍ଲାନେଡ୍କୁ ଯାଉଥିବା କିଛି ଗ୍ରାହକ ବି ଏହି ରାସ୍ତା କଡ଼ରେ କାର୍ ପାର୍କିଂ କରି ସମସ୍ୟା ବଢ଼ାଉଛନ୍ତି। ବିଶେଷକରି ସକାଳ ୯ଟାରୁ ୧୨ଟା ଏବଂ ଅପରାହ୍ନ ୩ଟାରୁ ରାତି ୮ଟା ଯାଏ ଏଠାରେ ପ୍ରବଳ ଭିଡ଼ ହେଉଛି। ଅଭିଯୋଗ ହେଲେ ଅଥବା ପର୍ବପର୍ବାଣି ବେଳେ ଏହି ଛକରେ ଦିନେ ଦୁଇଦିନ ପାଇଁ ଟ୍ରାଫିକ୍ ପୁଲିସ କିଛି ସମୟ ପାଇଁ ଛିଡ଼ା ହେଉଛନ୍ତି। କିନ୍ତୁ ବାକି ସମୟରେ ନାହିଁ। ତୁରନ୍ତ ଏହି ଛକରେ ହେଉଥିବା ଟ୍ରାଫିକ୍ ଜାମ୍ ସମସ୍ୟାରେ ସୁଧାର ଆଣିବାକୁ ବିଭିନ୍ନ ମହଲରୁ ଦାବି ହେଉଛି।