ଜୟଦେବ ବିହାର-ନନ୍ଦନକାନନ ସମାନ୍ତରାଳ ରାସ୍ତାର ଭାଗ୍ୟ ଫିଟିବ କେବେ? ଥରକୁ ଥର ବଦଳୁଛି ନିଷ୍ପତ୍ତି

ବିଡିଏ, ପୂର୍ତ୍ତ ବିଭାଗର ତୋଗଲକି ନୀତି, ସନ୍ତୁଳି ହେଉଛନ୍ତି ୫ ଲକ୍ଷରୁ ଅଧିକ ଲୋକ

ରାଜଧାନୀର ଜୟଦେବ ବିହାର-ନନ୍ଦନକାନନ ରାସ୍ତାରେ ଏବେ ସବୁବେଳେ ଟ୍ରାଫିକ୍ ଜାମ୍। ଭିଡ଼ କମାଇବା ଲାଗି ୨୦୧୬ରେ ଯୋଜନା ହେଲା ଏହି ରାସ୍ତାର ସମ୍ପ୍ରସାରଣ ହେବ। ନାଲ୍‌କୋ ଛକ, ଡମଣା ଛକରେ ଫ୍ଲାଏଓଭର ନିର୍ମାଣ କରାଯିବ। ହେଲେ ଭୁବନେଶ୍ବର ସ୍ମାର୍ଟ ସିଟି ଲି‌ମିଟେଡ୍‌ କର୍ତୃପକ୍ଷ ଏଥିରେ କେଁ ପୂରାଇଲେ। ରାଜଧାନୀରେ ଆଉ କୌଣସି ନୂଆ ଫ୍ଲଏଓଭର ନିର୍ମାଣ ହେବ ନାହିଁ ବୋଲି ସରକାରଙ୍କୁ ଜଣାଇଲେ। ତେବେ ପୁଣି ନିଷ୍ପତ୍ତି ବଦଳିଲା। ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ଗୋଟିଏ ଫ୍ଲାଏଓଭର ନିର୍ମାଣ କରିବାକୁ ପୂର୍ତ୍ତ ବିଭାଗ ଯୋଜନା କଲା। ହେଲେ ଏହା ବି ହେଲାନି। ଏହା ବଦଳରେ ବିଡିଏ ସିଡିପିକୁ କାର୍ଯ୍ୟକାରୀ କରିବାକୁ ଯାଇ ଦୁଇଟି ସମାନ୍ତରାଳ ରାସ୍ତା ନିର୍ମାଣ କରିବାକୁ ଯୋଜନା ହେଲା। କିନ୍ତୁ ଏ ଯୋଜନା ବଦଳାଇ ପୁଣି ଫ୍ଲାଏଓଭର କରିବା ଯୋଜନାରେ ମାତିଲେଣି କର୍ତ୍ତୃପକ୍ଷ। ଏବେ ପୂର୍ତ୍ତ ବିଭାଗ ପୁଣି ୨୦୩୦ ପାଇଁ ଯୋଜନା କରି ଫ୍ଲାଏ ଓଭର ନିର୍ମାଣ ଲାଗି ଡିପିଆର ପ୍ରସ୍ତୁତ କରିଛି। ଏବେ ପ୍ରଶ୍ନ ଉଠୁଛି ଇତିହାସରେ ଆଡ଼ବାୟା ସମ୍ରାଟ ମହମ୍ମଦ ବିନ୍ ତୋଗଲକଙ୍କ ଭଳି ବିଡିଏ ଓ ପୂର୍ତ୍ତ ବିଭାଗର ଏଭଳି ନୀତି ଯୋଗୁଁ ଏ ରାସ୍ତାର ଭାଗ୍ୟ ଫିଟିବ ତ? (ରିପୋର୍ଟ: କେଶବ ପାଣି)

ଚନ୍ଦ୍ରଶେଖରପୁର : ଜୟଦେବ ବିହାର-ନନ୍ଦନକାନନ ରାସ୍ତାରୁ ଭିଡ଼ କମାଇବାକୁ ୨୦୧୬ରେ ରାଜ୍ୟ ସରକାର ନୀଳ ନକ୍ସା(ବ୍ଲୁ ପ୍ରିଣ୍ଟ) ପ୍ରସ୍ତୁତ କରିଥିଲେ। ପ୍ରଥମେ ଯୋଜନା କରିଥିଲେ ଭିଡ଼ କମାଇବାକୁ ନାଲ୍‌କୋ ଛକ ଓ ଡମଣା ଛକରେ ଫ୍ଲାଏ ଓଭର୍ ନିର୍ମାଣ ହେବ। ରାସ୍ତାକୁ ଆଠ ଥାକିଆ କରାଯିବ। ବିଡିଏ, ବିଏମ୍‌ସି, ସ୍ମାର୍ଟସିଟିର ବାବୁମାନେ ନିଷ୍ପତ୍ତି ନେଇଥିଲେ ସହରରେ ଆଉ ଫ୍ଲାଏ ଓଭର ନିର୍ମାଣ ହେବ ନାହିଁ କି ଏହି ଜନଗ୍ରହଳିପୂର୍ଣ୍ଣ ରାସ୍ତାକୁ ସମ୍ପ୍ରସାରଣ କରାଯିବ ନାହିଁ। କାରଣ ଏହାକୁ ୬ ଲେନ୍‌ କରାଯିବା ପରେ ଆଉ ସେଭଳି ଜାଗା ହିଁ ନାହିଁ। ୮ ଲେନ୍‌ କରିବାକୁ ହେଲେ ବହୁ ଗଛ କାଟିବାକୁ ପଡ଼ିବ। ସ୍ବରେଜ ଲାଇନ୍‌ ଓ ପାଣି ପାଇପ୍‌ ଲାଇନ୍‌କୁ ଉଠାଇବାକୁ ପଡ଼ିବ। ଡ୍ରେନେଜ୍‌ ସମସ୍ୟା ବି ସୃଷ୍ଟି ହେବ। ତେଣୁ ଗହଳି କମାଇବା ଲାଗି ଦୁଇଟି ବିକଳ୍ପ ରାସ୍ତା ନିର୍ମାଣ କରିବାକୁ ସେତେବେଳେ ଯୋଜନା କରିଥିଲେ ସରକାରୀ ବାବୁ।

ଆଉ ବିକଳ୍ପ ସ୍ବରୂପ ରାଜ୍ୟ ସାରକାରଙ୍କ ସମସ୍ତ ବିଭାଗ ଓ ସଂସ୍ଥାଙ୍କ ସହମତି ଭିତ୍ତିରେ ସମାନ୍ତରାଳ ରାସ୍ତା ନିର୍ମାଣ କରିବାକୁ ସ୍ଥିର ହେଲା। ବଜେଟ୍‌ ପ୍ରସ୍ତୁତ ସହ ସମାନ୍ତରାଳ ରାସ୍ତା କାମ ଚାଲିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଖୋଲି ନାହିଁ। ତା’ ଭିତରେ ପୂର୍ତ୍ତ ବିଭାଗର ବାବୁମାନେ ପୁରୁଣା ନିଷ୍ପତ୍ତିକୁ ମୋଡ଼ି ମକଚି ପୁଣିଥରେ ନକ୍ସା ପ୍ରସ୍ତୁତ କରିଛନ୍ତି। ୨୦୩୦କୁ ଆଖିରେ ରଖି ସମାନ୍ତରାଳ ରାସ୍ତା କରିବାକୁ ଯୋଜନା ହୋଇଥିଲା। ଫଳରେ ଭିଡ଼ରେ ନ ପଶି ସମାନ୍ତରାଳ ରାସ୍ତା ମାଧ୍ୟମରେ ଲୋକେ ନିଜ ଗନ୍ତବ୍ୟସ୍ଥଳକୁ ଯାଇପାରିବେ। ଉଦାହରଣ ସ୍ବରୂପ ଜଣେ ଜୟଦେବ ବିହାରରୁ ନୀଳାଦ୍ରିବିହାରକୁ ଯିବାକୁ ଚାହିଁଲେ ଜାଭିଅର ଛକ, ନାଲକୋ ଛକ, ଡମଣା ଛକ ଭିଡ଼ରେ ନ ଫସି ଜାଭିଅର ଛକରୁ ସମାନ୍ତରାଳ ରାସ୍ତା ଦେଇ ସିଧାସଳଖ ନୀଳାଦ୍ରିବିହାରରେ ବାହାରି ପାରିବେ। ସେହିପରି ସମାନ୍ତରାଳ ରାସ୍ତା ଦେଇ ସିଆର୍‌ପି ଛକରୁ ଜଣେ ରୋଗୀ ସିଧାସଳଖ କେୟାର ହସ୍ପିଟାଲ, ଉତ୍କଳ ହସ୍ପିଟାଲ, କିମ୍‌ସ ହସ୍ପିଟାଲକୁ ଯାଇପାରିବେ। ଜୟଦେବ ବିହାର-ନନ୍ଦନକାନନ ରାସ୍ତା ଭିଡ଼ରେ ଆଉ ଫସିବେ ନାହିଁ। କିନ୍ତୁ ୪ ବର୍ଷ ତଳର ଏହି ନିଷ୍ପତ୍ତିକୁ ପରିବର୍ତନ କରି ଜୟଦେବ ବିହାର-ନନ୍ଦନକାନନ ରାସ୍ତାରେ ଦୁଇଟି ଫ୍ଲାଏଓଭର ବ୍ରିଜ୍‌ ନିର୍ମାଣ କରିବାକୁ ଏବେ ପୂର୍ତ୍ତ ବିଭାଗ ଅଧିକାରୀ ନକ୍ସା ପ୍ରସ୍ତୁତ କରିଛନ୍ତି। ଯେଉଁଥିରେ ଏହି ରାସ୍ତାକୁ ୮ ଥାକିଆ କରିବା ଲାଗି ବି ପ୍ରସ୍ତାବ ରହିଛି। ପୂର୍ତ୍ତ ବିଭାଗ ଏଭଳି ନିଷ୍ପତ୍ତି ନେଇଥିବା ବେଳେ ବିଡିଏ, ବିଏମ୍‌ସି, ସ୍ମାର୍ଟ ସିଟିର ଅଧିକାରୀମାନେ ଚୁପ୍‌ ବସିଛନ୍ତି। ବିଡିଏର ଜଣେ ଅଧିକାରୀ କହିଛନ୍ତି ଯେ ଚନ୍ଦ୍ରଶେଖରପୁର ଆଡ଼କୁ ସହର ବଢ଼ୁଛି। ୨୦୩୦ ସୁଦ୍ଧା ଏହି ଅଞ୍ଚଳର ଜନସଂଖ୍ୟା ୭ଲକ୍ଷ ଟପିଯିବ ବୋଲି ଆକଳନ କରାଯାଉଛି। ତେଣୁ ଏହି ଅଞ୍ଚଳକୁ ସଂଯୋଗ କରୁଥିବା ଜୟଦେବବିହାର-ନନ୍ଦନକାନନ ରାସ୍ତା ଭିଡ଼ ନିୟନ୍ତ୍ରଣରେ ଫେଲ ମାରିଥିବାରୁ ଆଗକୁ ଏହା ଅଧିକ ଜଟିଳ ରୂପ ନେଇପାରେ। ତେଣୁ ଏହି ରାସ୍ତାର ବିକଳ୍ପ ରାସ୍ତା ନିର୍ମାଣ ଚାଲିଛି। ତେବେ ସବୁଠି ଜବରଦଖଲ ସମସ୍ୟା ସୃଷ୍ଟି କରୁଛି। ଗାଡ଼କଣ ମୌଜାରେ ଥିବା ଦୁଇଟି ବସ୍ତି ନିକଟରୁ ଜବରଦଖଲ ହଟାଇ ରାସ୍ତା ଫିଟାଇବା ବଡ଼ ଚାଲେଞ୍ଜ ହେଉଛି। ପ୍ରତିଥର ବିରୋଧ ସତ୍ତ୍ବେ ଉଚ୍ଛେଦ ଜାରି ରହିଛି। ସେପଟେ ସାଲିଆସାହି ବସ୍ତି ଯୋଗୁଁ ସମାନ୍ତରାଳ ରାସ୍ତା କାମ ଆଗେଇପାରୁ ନାହିଁ। ଏବେ ଯେଉଁ ସ୍ଥିତିରେ ରହିଛି ଯଦି ସବୁ କିଛି ଠିକ୍‌ଠାକ୍‌ ଚାଲେ ତେବେ ଆସନ୍ତା ବର୍ଷକ ମଧ୍ୟରେ ଏହି ରାସ୍ତା କାମ ଶେଷ ହୋଇଯିବ।

ଭୁବନେଶ୍ବର ଆର ଆଣ୍ଡ୍‌ ବି ଡିଭିଜନ୍‌-୩ର ନିର୍ବାହୀ ଯନ୍ତ୍ରୀ ହିମାଂଶୁ ଶେଖର ଷଡ଼ଙ୍ଗୀଙ୍କ କହିବାନୁଯାୟୀ ସହରର ଲୋକ ସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି। ୨୦୦୭ ମସିହାରେ ଜୟଦେବ ବିହାର-ନନ୍ଦନକାନନ ରାସ୍ତାର ନକ୍ସା ପ୍ରସ୍ତୁତ ହୋଇଥିଲା। ଆଉ ଏବେ ଆମେ ୨୦୨୧ରେ ପହଞ୍ଚିଲେଣି। ଯେଉଁଭଳି ଭାବେ ସହରର କଳେବର ବଢ଼ୁଛି ୬ ଲେନ୍‌ ବିଶିଷ୍ଟ ରାସ୍ତା ବି କମ୍‌ ହେଉଛି। ନନ୍ଦନକାନନ ରାସ୍ତା ଦେଇ କଟକକୁ ବାଟ ଫିଟିବା ପରେ ଭୁବନେଶ୍ବର-କଟକ ମଧ୍ୟରେ ଦୂରତ୍ବ କମିଛି। ଲୋକେ ଏହି ରାସ୍ତା ଦେଇ ଯିବାକୁ ପସନ୍ଦ କରୁଛନ୍ତି। ତେଣୁ ଆସନ୍ତା ୧୦ରୁ ୧୫ ବର୍ଷ ଭିତରେ ଭିଡ଼ ଆହୁରି ବଢ଼ିବ। ତାହାକୁ ଆଖିରେ ରଖି ସମାନ୍ତରାଳ ରାସ୍ତା ସହ ଦୁଇଟି ଫ୍ଲାଏଓଭର ଓ ଜୟଦେବ ବିହାର-ନନ୍ଦନକାନନ ରାସ୍ତାକୁ ୮ ଥାକିଆ କରିବାକୁ ପ୍ରସ୍ତାବ ଦିଆଯାଇଛି। ଏହା ଏ ପର୍ଯ୍ୟନ୍ତ ଚୂଡ଼ାନ୍ତ ରୂପ ନେଇ ନାହିଁ।

୩ ବର୍ଷରେ ୩୦ ଥର ଜବରଦଖଲ ଉଚ୍ଛେଦ
ଜନଗ୍ରହଳିପୂର୍ଣ୍ଣ ରାସ୍ତାର ବିକଳ୍ପ ଭାବେ ଦୁଇଟି ବିକଳ୍ପ ରାସ୍ତା ନିର୍ମାଣ କରିବାକୁ ଯୋଜନା ହୋଇଥିଲା। ଆଚାର୍ଯ୍ୟ ବିହାରରୁ ଡମଣାକୁ ସଂଯୋଗ କରିବାକୁ ଥିବା ରାସ୍ତା କାମ ୨୦୧୮ ସୁଦ୍ଧା ଓ ଚନ୍ଦକା ରୋଡ଼-ଏକାମ୍ର କାନନ ୧୫ କିମି ବିଶିଷ୍ଟ ୨୦୦ ଫୁଟିଆ ରାସ୍ତା ୨୦୧୯ ମଧ୍ୟରେ ଖୋଲିବାକୁ ଧାର୍ଯ୍ୟ ହୋଇଥିଲା। ପୂର୍ତ୍ତ ବିଭାଗ ସମେତ ଜଙ୍ଗଲ ବିଭାଗ, ବିଡିଏ, ବିଏମ୍‌ସି ମିଳିତ ଭାବେ ଏଭଳି ନକ୍ସ‌ା ପ୍ରସ୍ତୁତ କରିଥିଲେ। ଇତିମଧ୍ୟରେ ୪ ବର୍ଷ ବିତିଲାଣି। ତଥାପି ଗୋଟିଏ ବି ବିକଳ୍ପ ରାସ୍ତା ନିର୍ମାଣ ସରିନି। ଆଚାର୍ଯ୍ୟବିହାର-ଡମଣା ଛକ ରାସ୍ତାରେ ଜମି ଅଧିଗ୍ରହଣକୁ ନେଇ ସମସ୍ୟା ସୃଷ୍ଟି ହେଉଥିବାରୁ କାମ ଆଗେଇ ପାରୁନାହିଁ। ୩ ବର୍ଷ ଭିତରେ ବିଡିଏ ପକ୍ଷରୁ ଏହି ରାସ୍ତାରେ ପ୍ରାୟ ୩୦ ଥର ଜବରଦଖଲ ଉଚ୍ଛେଦ ହେଲାଣି। ତା’ପରେ ବି ବାଟ ଫିଟିପାରୁ ନାହିଁ। ଜବରଦଖଲ ଉଚ୍ଛେଦ ହେବାର ୧୦ରୁ ୨୦ ଦିନ ଯାଉଛି କି ନାହିଁ, ପୁଣିଥରେ ଘର ଗଢ଼ିଉଠୁଛି। ଉଚ୍ଛେଦ ସମୟରେ ବସ୍ତିବାସିନ୍ଦା ଓ ପ୍ରଶାସନ ବାରମ୍ବାର ମୁହାଁମୁହଁ ହେଉଛନ୍ତି।

ରାସ୍ତା ମରାମତି ଦରକାର ହେଲାଣି
ପାଖାପାଖି ୧୫ କିମି ବିଶିଷ୍ଟ ହେବାକୁ ଥିବା ଚନ୍ଦକା ରୋଡ଼-ଏକାମ୍ରକାନନ ରାସ୍ତା ୪ ବର୍ଷ ହେଲା ପର୍ଯ୍ୟାୟ କ୍ରମେ ଚାଲିଛି। ୨୦୧୭ରୁ ନୀଳାଦ୍ରିବିହାରର ଉତ୍କଳ ହସ୍ପିଟାଲରୁ ଶୈଳଶ୍ରୀବିହାରର ଓଇଆରସି ପର୍ଯ୍ୟନ୍ତ ରାସ୍ତା କାମ ଶେଷ ହେଲାଣି। ୨୦୦ ଫୁଟ୍‌ ଓସାରର ଏହି ରାସ୍ତା ୪ ଥାକିଆ ହୋଇଛି। ଡିଭାଇଡର୍‌ରେ ଲାଗିଥିବା ଗଛ ଏବେ ବଡ଼ ହୋଇଗଲାଣି। ତେବେ ସମ୍ପୂର୍ଣ୍ଣ ବାଟ ଫିଟୁ ନ ଥିବାରୁ ଏହି ରାସ୍ତା କାମରେ ଲାଗିପାରୁ ନାହିଁ। ଅସାମାଜିକଙ୍କ ଆଡ଼ା ଜମୁଛି। ସନ୍ଧ୍ୟା ହେଲେ ଲୋକେ ଯିବାକୁ ଡରୁଛନ୍ତି। ଦୀର୍ଘଦିନ ହେଲା ରାସ୍ତା କାମରେ ଲାଗୁ ନ ଥିବାରୁ ମରାମତି ଲୋଡ଼ା ହେଲାଣି।

ଆଚାର୍ଯ୍ୟ ବିହାର-ଡମଣା ରାସ୍ତାର ବ୍ଲୁ ପ୍ରିଣ୍ଟ ଥିଲା ଏମିତି
ସୈନିକ ସ୍କୁଲ୍ ମୁଖ୍ୟ ଗେଟରୁ ଡମଣା ଛକ ପର୍ଯ୍ୟନ୍ତ ହେବାକୁ ଥିବା ୩.୪୯ କିମି ବିଶିଷ୍ଟ ରାସ୍ତା ନିର୍ମାଣ ନିମନ୍ତେ ପ୍ରାରମ୍ଭିକ ପର୍ଯ୍ୟାୟରେ ୩୩ କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିଲା। ୬ ଲେନ୍‌ ବିଶିଷ୍ଟ ଏହି ରାସ୍ତା ସୈନିକ ସ୍କୁଲରୁ ମଞ୍ଚେଶ୍ୱର ରେଲୱେ ହସ୍ପିଟାଲ-ରେଲୱେ ଵାର୍କସପ କଲୋନି-କେନ୍ଦ୍ରୀୟ ବିଦ୍ୟାଳୟ-୩-ନେତାଜୀ ସୁଭାଷ ଏନକ୍ଲେଭ-ଗୁରୁ କେଳୁଚରଣ ପାର୍କ ହୋଇ ଡମଣା ଛକ ସହିତ ସଂଯୁକ୍ତ ହେବ। ଏହି ରାସ୍ତାରେ ଲୋକଙ୍କ ଗମନାଗମନ ପାଇଁ ଫୁଟ୍‌ପାଥ୍‌ ରହିବା ସହିତ ସାଇକେଲ ଟ୍ରାକ୍‌ର ବ୍ୟବସ୍ଥା, ଜଳ ନିଷ୍କାସନ ନିମନ୍ତେ ଡ୍ରେନ, ସାଧାରଣ ଡ୍ରେନେଜ ବ୍ୟବସ୍ଥା ରହିବ। ସ୍ଥାନୀୟ ଲୋକଙ୍କ ସୁବିଧା ଦୃଷ୍ଟିରୁ ଏହି ରାସ୍ତା ମଧ୍ୟରେ ଏକ ଅଣ୍ଡରପାସ୍‌ ନିର୍ମାଣ ହେବ। ସେହିପରି ସୈନିକ ସ୍କୁଲ ନିକଟରେ ଭିଡ଼ କମାଇବା ତଥା ରାସ୍ତା ଅତିକ୍ରମ କରିବାରେ ସୁବିଧା ନିମନ୍ତେ ଏକ ଫୁଟ୍‌ ଓଭରବ୍ରିଜ ମଧ୍ୟ ନିର୍ମାଣ କରାରିବାକୁ ଯୋଜନା ହୋଇଥିଲା।

ଏ ବର୍ଷ ଜାଭିଅର ଛକ ଛୁଇଁବ
୨୦୧୯ ମାର୍ଚ୍ଚ ୨ରୁ ଉତ୍କଳ ହସ୍ପିଟାଲରୁ ରେଳ ବିହାର ପର୍ଯ୍ୟନ୍ତ ରାସ୍ତା କାମ ଆରମ୍ଭ ହୋଇଥିଲା। ପାହାଡ଼ କଟା ଯାଇ ରାସ୍ତା କାମ ଚାଲିଛି। ୨୧ କୋଟି ୬୬ ଲକ୍ଷ ୫୮ ହଜାର ୮୭୨ ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ଏହି ଦେଢ଼ କିମି ରାସ୍ତା କାମ ଗତ ଜୁନ୍‌ ମାସ ପହିଲା ସୁଦ୍ଧା ଶେଷ ହେବ ବୋଲି ଧାର୍ଯ୍ୟ ହୋଇଥିଲା। ତେବେ କରୋନା ଯୋଗୁଁ ବିଳମ୍ବିତ ହୋଇଛି। ଆହୁରି କିଛି ରାସ୍ତା ସମ୍ପୂର୍ଣ୍ଣ ହେବାକୁ ବାକି ରହିଛି। ରେଳବିହାର ପର୍ଯ୍ୟନ୍ତ ରାସ୍ତା ଆଉ ୬ ମାସ ମଧ୍ୟରେ ଶେଷ ହୋଇଯିବ ବୋଲି ଆକଳନ କରାଯାଇଛି। ଏହାପରେ ରେଳବିହାର ନିକଟରୁ ମୈତ୍ରୀବିହାର ଦେଇ ଜାଭିଅର ଛକରେ ଏହି ରାସ୍ତାକୁ ମିଶାଇବାକୁ ଲକ୍ଷ୍ୟ ରଖାଯାଇଛି।

ସମ୍ବନ୍ଧିତ ଖବର