କେବେ ଖୋଲିବ ଗାନ୍ଧୀ ଶାନ୍ତି କେନ୍ଦ୍ର? ଉଦ୍‌ଘାଟନର ମାସକ ପରେ ବନ୍ଦ

ଭୁବନେଶ୍ବର : ଦୀର୍ଘ ୧୦ ମାସ କାଳର କରୋନା କଟକଣା ପରେ ଏବେ ଧୀରେ ଧୀରେ ରାଜଧାନୀରେ ସାଂସ୍କୃତିକ ଅନୁଷ୍ଠାନ, ଧାର୍ମିକ ଅନୁଷ୍ଠାନ, ବିଭିନ୍ନ ପର୍ଯ୍ୟଟନସ୍ଥଳୀ, ସଂଗ୍ରହାଳୟ ଓ ଅନ୍ୟାନ୍ୟ ପ୍ରତିଷ୍ଠାନଗୁଡ଼ିକୁ ଖୋଲିବା ପାଇଁ ଅନୁମତି ମିଳୁଛି। ତେଣୁ ଗତ କିଛି ଦିନ ହେଲା ଏହି ସବୁ ଅଞ୍ଚଳ ଚଳଚଞ୍ଚଳ ହୋ‌ଇ ପଡ଼ିଛି। ମାତ୍ର ‘ଗାନ୍ଧୀ ଶାନ୍ତି କେନ୍ଦ୍ର’ ଏବେ ବି ବନ୍ଦ ହୋଇପଡ଼ିଛି।

ଏହି ଅନୁଷ୍ଠାନ ବ୍ୟାଖ୍ୟାନ କେନ୍ଦ୍ରରୁ ଗାନ୍ଧୀ ଶାନ୍ତି କେନ୍ଦ୍ରକୁ ପରିବର୍ତ୍ତନ ହୋଇଛି। ଗତବର୍ଷ ଫେବ୍ରୁଆରି ୨୨ ତାରିଖରେ ମୁଖ୍ୟମନ୍ତ୍ରୀ ଏହାର ଉଦ୍‌ଘାଟନ କରିଥିଲେ। ଉଦ୍ଦେଶ୍ୟ ଥିଲା ଖଣ୍ଡଗିରିକୁ କେବଳ ପ୍ରାକୃତିକ ସୌନ୍ଦର୍ଯ୍ୟ କ୍ଷେତ୍ରରେ ସୀମିତ ନ ରଖି ଏଠାକୁ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା। ଖଣ଼୍ଡଗିରି ଓ ଉଦୟଗିରିର ପାହାଡ଼, ଗୁମ୍ଫା, ପ୍ରାଚୀନ କୀର୍ତ୍ତିରାଜି ବ୍ୟତୀତ ଗାନ୍ଧୀଙ୍କର ବିଶ୍ବସ୍ତରୀୟ ଶାନ୍ତି କେନ୍ଦ୍ର ପ୍ରତିଷ୍ଠା କରି ପର୍ଯ୍ୟଟନ କ୍ଷେତ୍ରରେ ଖଣ୍ଡଗିରିକୁ ଅଧିକ ସମୃଦ୍ଧ କରିବା ଥିଲା ମୁଖ୍ୟ ଲକ୍ଷ୍ୟ। ବର୍ତ୍ତମାନ ପର୍ଯ୍ୟଟନ ଋତୁ ଚାଲିଛି ଓ କରୋନା କଟକଣା କୋହଳ ହୋଇଥିବାରୁ ପର୍ଯ୍ୟଟକମାନେ ଏଠାକୁ ଆସୁଛନ୍ତି। କିନ୍ତୁ ଗାନ୍ଧୀ ଶାନ୍ତି କେନ୍ଦ୍ର ବନ୍ଦ ଥିବାରୁ ଲୋକେ ଏହାକୁ ଦେଖିବା ସୁଯୋଗ ହରାଉଛନ୍ତି। ଫଳରେ ଏହି କେନ୍ଦ୍ର ପ୍ରତିଷ୍ଠା ପଛରେ ଥିବା ମୂଳ ଲକ୍ଷ୍ୟ ସାଧିତ ହୋଇପାରୁନାହିଁ। ଯୁବପିଢ଼ି ଓ ପର୍ଯ୍ୟଟକମାନେ ଗାନ୍ଧୀଙ୍କ ଅହିଂସା ଚିନ୍ତାଧାରାର ନିଦର୍ଶନ ଦେଖିବା ଓ ଉପଲବ୍‌ଧି କରିବା ସୁଯୋଗ ହରାଉଛନ୍ତି। ଏହି କେନ୍ଦ୍ର ଉଦ୍‌ଘାଟନ ହେବାର ମାତ୍ର ଗୋଟିଏ ମାସ ପରେ ମହାମାରୀ କରୋନା ଯୋଗୁଁ ବନ୍ଦ ହୋଇଯିବା ଓ କଟକଣା କୋହଳ ହେବା ପରେ ବି ନ ଖୋଲିବା ପର୍ଯ୍ୟଟକଙ୍କୁ ହତାଶ କରୁଥିବା ଅଭିଯୋଗ ହେଉଛି। ବର୍ତ୍ତମାନ ପ୍ରାୟ ବିଭିନ୍ନ ସଂଗ୍ରହାଳୟ, ପ୍ରତିଷ୍ଠାନ, ଧର୍ମାନୁଷ୍ଠାନଗୁଡ଼ିକ ଖୋଲାଯାଇଥିଲେ ସୁଦ୍ଧା ଗାନ୍ଧୀ ଶାନ୍ତି କେନ୍ଦ୍ର ଖୋଲିବାକୁ କୌଣସି ପଦକ୍ଷେପ ନ ନେବା ସରକାରଙ୍କ ଗାନ୍ଧୀ ଦର୍ଶନର ପ୍ରଚାର ପ୍ରତି ଥିବା ଆନ୍ତରିକତାକୁ ପଦାରେ ପକାଇଛି ବୋଲି କୁହାଯାଉଛି।

ଉଲ୍ଲେଖଯୋଗ୍ୟ ଗାନ୍ଧୀ ଶାନ୍ତି କେନ୍ଦ୍ର ଉଦ୍‌ଘାଟନ ସମୟରେ ଯେତିକି ଆଡ଼ମ୍ବରରେ ଉତ୍ସବ ଆୟୋଜନ କରାଯାଇଥିଲା, ଆଜି ତାହା ନାହିଁ। ସେତେବେଳେ ଏହା ଖୁବ୍ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଥିଲା। ବିଶ୍ବରେ ଏହା ଚତୁର୍ଥ ଗାନ୍ଧୀ ଶାନ୍ତି କେନ୍ଦ୍ର ବୋଲି ପ୍ରଚାର କରି ଢେର୍ ପ୍ରଶଂସା ସାଉଁଟିଥିଲେ ସରକାର। ହେଲେ ଏବେ ଏହି କେନ୍ଦ୍ରରେ ତାଲା ଝୁଲି ରହିଥିବାରୁ ଲୋକେ ଭିନ୍ନ କଥା ଆଲୋଚନା କରୁଛନ୍ତି। ଏହି କେନ୍ଦ୍ର ନିର୍ମାଣ ପଛରେ ଥିବା ମୂଳ ଉଦ୍ଦେଶ୍ୟ ଅର୍ଥାତ୍ ଗାନ୍ଧୀଜୀଙ୍କ ନୀତି, ଆଦର୍ଶ ଓ ଅହିଂସାର ଚିନ୍ତାଧାରାକୁ ଅନୁଭବ କରିବା ଏବେ ସଙ୍ଗରୋଧରେ ରହିଛି ବୋଲି ଆଲୋଚନା ହେଉଛି। ଉଦ୍‌ଘାଟନର ମାସକ ପରେ ଏହି ଅନୁଷ୍ଠାନଟି ବନ୍ଦ ହୋଇ ରହିଥିବାରୁ ଏହା କୋମାକୁ ଯାଇ ପରିଶେଷରେ ବନ୍ଦ ହୋଇଯିବ କି ବୋଲି ଗାନ୍ଧୀବାଦୀମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଏ ନେଇ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବଙ୍କୁ ପଚରାଯିବାରୁ ସେ କହିଛନ୍ତି ଯେ ଏହା ପର୍ଯ୍ୟଟନ ବିଭାଗର ଅଧୀନରେ ନାହିଁ। ଏହା ଆଦିତ୍ୟ ବିର୍ଲା ଫାଉଣ୍ଡେସନ୍ ଅଧୀନରେ ରହିଛି। ତେଣୁ ଉକ୍ତ ଫାଉଣ୍ଡେସନର ନିଷ୍ପତ୍ତି ଅନୁସାରେ ହିଁ ଏହି କେନ୍ଦ୍ର ଖୋଲିବ। ୨୦୧୭ ମେ’ରେ ପର୍ଯ୍ୟଟନ ବିଭାଗ’ ଓ ‘ଆଦିତ୍ୟ ବିର୍ଲା ଫାଉଣ୍ତେସନ୍‌’ ମଧ୍ୟରେ ଗାନ୍ଧୀ ଶାନ୍ତି କେନ୍ଦ୍ର ନିର୍ମାଣ ନେଇ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା ଓ ଉକ୍ତ ଫାଉଣ୍ଡେସନ ଏହି କେନ୍ଦ୍ରର ନିର୍ମାଣ କରିଥିଲା।

ସମ୍ବନ୍ଧିତ ଖବର