କେବେ ସୁଧୁରିବ କେଦାରଗୌରୀ କୁଣ୍ଡ?

ଭୁବନେଶ୍ୱର: ପୁରୁଣା ଭୁବନେଶ୍ବର କେଦାରଗୌରୀ ମନ୍ଦିର ପରିସରରେ ଥିବା ୪ଟି କୁଣ୍ଡ ଦୀର୍ଘ ୬ ବର୍ଷ ହେବ ଅବହେଳିତ ହୋଇ ପଡ଼ିରହିଛି। ଏହି କୁଣ୍ଡଗୁଡ଼ିକର ପାଣିରୁ ପଚା ଦୁର୍ଗନ୍ଧ ବାହାରୁଛି। ସାଢ଼େ ୩ ବର୍ଷ ହେଲା ଏଠାରେ ପୁନରୁଦ୍ଧାର କାମ ଚାଲିଥିଲେ ମଧ୍ୟ କୁଣ୍ଡର ଅବସ୍ଥା ସୁଧାରିବା ଉପରେ କେହି ନଜର ଦେଉନଥିବା ଅଭିଯୋଗ ହେଉଛି। ଫଳରେ ଏହି କିମ୍ବଦନ୍ତୀର କୁଣ୍ଡ ଅବହେଳିତ ହୋଇ ପଡ଼ିଛି।

କେଦାରଗୌରୀ ମନ୍ଦିରର ସୌନ୍ଦର୍ଯ୍ୟୀକରଣ ଓ ପୁନରୁଦ୍ଧାର ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ୧କୋଟି ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା ଓ ଏହି କାମ ଆରମ୍ଭ ହୋଇଥିଲା। ପାଖାପାଖି ସାଢ଼େ ୩ ବର୍ଷ ଧରି କାମ ଚାଲିଥିଲା। କେବଳ ମନ୍ଦିର ପରିସରରେ ପଥର ବସାଯିବା ପରେ କାମ ବନ୍ଦ ରହିଛି। ମାତ୍ର ପ୍ରସିଦ୍ଧ ୪ଟି କୁଣ୍ଡର କୌଣସି ଉନ୍ନତି ହୋଇପାରିନାହିଁ। ଏଥିରୁ ଜଳ ନିଷ୍କାସନ ହେଉ ନଥିବାରୁ ବର୍ଷ ବର୍ଷ ଧରି ଜମି ରହିଥିବା ପାଣିରୁ ପଚା ଗନ୍ଧ ବାହାରୁଛି। ଏହି କୁଣ୍ଡ ମଧ୍ୟରେ ରହିଛି ପ୍ରସିଦ୍ଧ କ୍ଷୀର କୁଣ୍ଡ। ଏଥିରୁ ପାଣି ପିଇଲେ, ଯାବତୀୟ ପେଟ ରୋଗ ଭଲ ହୋଇଥାଏ ବୋଲି ବିଶ୍ୱାସ ରହିଛି। କିନ୍ତୁ ଏହି କୁଣ୍ଡର ପାଣି ବେଶି ଗନ୍ଧ ହେଉଥିବାରୁ ଲୋକେ ଦୀର୍ଘ ବର୍ଷ ହେଲା ଏହାକୁ ଆଡ଼ ନଜରରେ ମଧ୍ୟ ଦେଖିବାକୁ ଆଗ୍ରହ କରୁନାହାନ୍ତି। ଏହି କ୍ଷୀର କୁଣ୍ଡର ବଳକା ପାଣି କେଦାର କୁଣ୍ଡକୁ ପ୍ରବାହିତ ହୋଇଥାଏ। କେଦାର କୁଣ୍ଡର ପାଣି ଦେବାଦେବୀଙ୍କ ସ୍ନାନ ଓ ରୋଷେଇ କାର୍ଯ୍ୟରେ ବ୍ୟବହୃତ ହୁଏ। ଏହି କୁଣ୍ଡର ବଳକା ପାଣି ଗୌରୀ କୁଣ୍ଡକୁ ଯାଇଥାଏ। ଏହି ଗୌରୀ କୁଣ୍ଡରେ ଶ୍ରଦ୍ଧାଳୁମାନେ ସ୍ନାନ କରିଥାନ୍ତି। ଗୌରୀ କୁଣ୍ଡର ମଇଳା ପାଣି ଏକ ଅସୁରୁଣୀ ମୁହଁ ଦେଇ ସାବୁନ କୁଣ୍ଡରେ ପଡ଼େ।

ଶେଷରେ ଏହି ସାବୁନ କୁଣ୍ଡର ମଇଳା ପାଣି ଜାତୀୟ ରାଜପଥ କଡ଼ରେ ଯାଇଥିବା ଏକ ବଡ଼ ନଳାକୁ ବହିଯାଏ । ତେବେ ଗତ ୬ ବର୍ଷ ହେଲା ୪ଟିଯାକ କୁଣ୍ଡର ପାଣି ନଷ୍ଟ ହୋଇଯାଇଛି। ଏହି ମନ୍ଦିରର ସୌନ୍ଦର୍ଯ୍ୟୀକରଣ ପାଇଁ ହୋଇଥିବା ଡ୍ରେନ୍‍ ପ୍ଲାନ୍‍ କାମ କରୁନଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି ବୋଲି ସ୍ଥାନୀୟ ସେବାୟତ ଓ ଏକାମ୍ର ଜନ ଜାଗରଣ ମଞ୍ଚ ପକ୍ଷରୁ ଅଭିଯୋଗ କରାଯାଇଛି। ମଞ୍ଚର ସଭାପତି ଭୀଷ୍ମ ନାରାୟଣ ନାୟକଙ୍କ କହିବା କଥା କୁଣ୍ଡରୁ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥାରେ ତ୍ରୁଟି ରହିଛି। ଡ୍ରେନ୍‍ର ଉଚ୍ଚତା ଓ ଜାତୀୟ ରାଜପଥରେ ଯାଇଥିବା ଡ୍ରେନ୍‍ର ଉଚ୍ଚତା ସମାନ ହୋଇଥିବାରୁ ମଇଳା ପାଣି ବାହାରକୁ ଯାଇ ପାରୁନାହିଁ। ତୁରନ୍ତ ଏହା ସମାଧାନ ‌ନ ହେଲେ ଲୋକେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସେ କହିଛନ୍ତି। ଏନେଇ ରାଜ୍ୟ ପର୍ଯ୍ୟଟନ (ଓଟିଡିସି) ବିଭାଗ ଯନ୍ତ୍ରୀଙ୍କୁ ପଚାରିବାରୁ ସେ କୁଣ୍ଡର ନଷ୍ଟ ପାଣି ବଡ଼ ଲମ୍ୱା ଡ୍ରେନ୍ ଦେଇ ବହୁଥିବାରୁ ଏହା ଠିକଣାଭାବେ ସଫେଇ ହୋଇପାରୁନାହିଁ। ତେବେ କାମ ଅଧାରେ ରହିଛି ଓ ପରେ ଏହାର ସ୍ଥ‌ାୟୀ ସମାଧାନ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର