ଡିଜାଇନ୍ ପାଇଁ ଗଲାଣି ୮ ମାସ: କେବେ ହେବ କୁଆଖାଇ ଓ କୁଶଭଦ୍ରା ବ୍ୟାରେଜ୍‌? 

ବାଲିଅନ୍ତା: ପ୍ରତିବର୍ଷ ବନ୍ୟା ଆସୁଛି ଓ ଚାଲି ଯାଉଛି। ଲକ୍ଷ ଲକ୍ଷ କ୍ୟୁସେକ୍ ଜଳ ସମୁଦ୍ରକୁ ବୋହି ଯାଉଛି। ଧାନ ଫସଲ, ପରିବା ଫସଲ ଓ ଘର ଦ୍ବାର, ରାସ୍ତାଘାଟ ଭାଙ୍ଗି ନଷ୍ଟ କରିବା ଭଳି ନାନାପ୍ରକାର କ୍ଷତି କରିବା କଥା କରୁଛି ଓ ତା’ପରେ ଯାଇ ବନ୍ୟା ଛାଡ଼ୁଛି। କିନ୍ତୁ ଏହା ପରେ ନଦୀଦ୍ବୟ ଶୁଖିଲା ପଡ଼ୁଛି। ବର୍ଷର ୧୦ ମାସ ଶୁଖିଲା। ଏ ହେଉଛି କୁଆଖାଇ ଓ କୁଶଭଦ୍ରା ନଦୀର ଅବସ୍ଥା। ବ୍ୟାରେଜ୍‌ ନିର୍ମାଣ ହେଲେ, ରାଜଧାନୀକୁ ଯଥେଷ୍ଟ ପାନୀୟ ଜଳଯୋଗାଣ ହେବା ସହ ସ୍ଥାନୀୟ କୃଷକଙ୍କ ଜୀବନଜୀବିକାରେ ବହୁ ଉନ୍ନତି ହେବ ଓ ପର୍ଯ୍ୟଟନ ଶିଳ୍ପ ମଧ୍ୟ ଲାଭବାନ ହେବ ବୋଲି ଯୋଜନା କରାଯାଇଛି। ଜଳ ସମ୍ପଦ ବିଭାଗ ବ୍ୟାରେଜ୍‌ ଦ୍ବୟର ଡିଜାଇନ୍‌ ପ୍ରସ୍ତୁତ ପାଇଁ ସରଜମିନ୍ ଯାଞ୍ଚ ମଧ୍ୟ କରି ସାରିଛି। ବ୍ୟାରେଜ୍ ପାଇଁ ଉପଯୁକ୍ତ ସ୍ଥାନ, ବ୍ୟାରେଜ୍‌ରେ ସଂଚିତ ଜଳର ବ୍ୟବହାର ଆଦି ଉପରେ ସରଜମିନ୍ ତଦନ୍ତ ହେବା ପରେ ନକ୍‌ସା ପ୍ରସ୍ତୁତ ପାଇଁ ବିଭାଗୀୟ ଦପ୍ତରକୁ ଫାଇଲ୍ ମଧ୍ୟ ଯାଇଛି। କିନ୍ତୁ ଏହା ଭିତରେ ୮ ମାସ ବିତି ଯାଇଛି। ବିଭାଗୀୟ ନାଲିଫିତା ତଳେ ଉକ୍ତ ଫାଇଲ୍ ସେମିତି ଅଣନିଃଶ୍ବାସୀ ହୋଇ ପଡ଼ିରହିଛି।

ବାଲିଅନ୍ତା କେନାଲ ସବ୍‌ଡିଭିଜନ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, କୁଶଭଦ୍ରାରେ ବାଲିଅନ୍ତା ସାଇଫନ ଛକ ନିକଟରେ ଓ କୁଆଖାଇରେ ପାଣ୍ଡରା ହାଇଟେକ୍‌ ହସ୍ପିଟାଲଠାରୁ ୯୦୦ ମିଟ‌ର ଦୂରରେ ବ୍ୟାରେଜ୍‌ ନିର୍ମାଣ କରାଯିବ ବୋଲି ସ୍ଥିର କରାଯାଇଛି। ଏଥିପାଇଁ ପ୍ରାକ୍ ପ୍ରସ୍ତୁତି ମଧ୍ୟ ସରିଛି। ନଦୀଶଯ୍ୟାର ଦୈର୍ଘ୍ୟ ଓ ଗଭୀରତାକୁ ନେଇ ସ୍କେଚ୍ ମ୍ୟାପ୍‌ ପ୍ରସ୍ତୁତ ହୋଇ ସାରିଛି। ନଦୀଶଯ୍ୟାରେ ପାଖାପାଖି ଦୁଇ କିମି ପର୍ଯ୍ୟନ୍ତ ହଂସପାଳ ସେତୁ ପର୍ଯ୍ୟନ୍ତ ଜଳ ସଂରକ୍ଷଣ ହୋଇପାରିବ। ବ୍ୟାରେଜ୍‌ ନିର୍ମାଣ ହେଲେ ଏ ଅଞ୍ଚଳର ସାମଗ୍ରିକ ବିକାଶ ଘଟିବ। ଲୋକଙ୍କ ପିଇବା ପାଣି ସମସ୍ୟା ଦୂର ହେବ। ଉଠା ଜଳସେଚନ ବ୍ୟବସ୍ଥାରେ ୧୦ ହଜାର ହେକ୍ଟର ଚାଷ ଜମି ଶସ୍ୟ ଶ୍ୟାମଳା ହେବ। ମରୁଡ଼ି ବେଳେ ଆଉ ଜଳ ସଂକଟ ଦେଖାଯିବ ନାହିଁ। ସେହିପରି ଭୁବନେଶ୍ବର ମହାନଗରବାସୀଙ୍କୁ ପାନୀୟ ଜଳ ଯୋଗାଣ ଯଥେଷ୍ଟ ହୋଇପାରିବ। ଖାଲି ସେତିକି ନୁହେଁ, ଏହି ବ୍ୟାରେଜ୍‌ ଦ୍ବୟ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇବ। ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ଲାଗି ସଂରକ୍ଷିତ ଜଳଭଣ୍ଡାରରେ ବୋଟିଂ ବ୍ୟବସ୍ଥା କରାଯିବ। ନଦୀପଠାରେ ମନୋରମ ପାର୍କ ପ୍ରତିଷ୍ଠା ହେବ। କୁଶଭଦ୍ରା ଓ କୁଆଖାଇରେ ଆନିକଟ ନିର୍ମାଣ ହେବା ଦ୍ବାରା ହିଁ ଏସବୁ ସଫଳ ହୋଇପାରିବ। ପ୍ରାଚୀ ଜଳସେଚନ ଡିଭିଜନ ଅଧୀନ କୁଆଖାଇ ଓ କୁଶଭଦ୍ରା ନଦୀ ଦ୍ବୟ ବର୍ଷ ସାରା ଆଉ ଶୁଖିଲା ପଡ଼ିବ ନାହିଁ। ମାତ୍ର ଏହି ଦୀର୍ଘମିଆଦି ଯୋଜନା ଏବେ କୁଆଡ଼େ ଗଲା ବୋଲି ଲୋକେ ପ୍ରଶ୍ନ କରୁଛନ୍ତି। ଉଭୟ ନଦୀ ଶଯ୍ୟାରେ ଦୁଇଟି ବ୍ୟାରେଜ୍‌ ନିର୍ମାଣ ହେବା ନେଇ ବାଲିଅନ୍ତା କେନାଲ ସବ ଡିଭିଜନ ପକ୍ଷରୁ ଯେଉଁ ସରଜମିନ ତଦନ୍ତ ହୋ‌ଇଥିଲା, ତାହା କେବଳ ଲୋକ ଦେଖାଣିଆ ବୋଲି ଲୋକେ ଆଲୋଚନା କରୁଛନ୍ତି। ନ ହେଲେ, ବ୍ୟାରେଜ୍‌ ନିର୍ମାଣ ସଂପର୍କିତ ଫାଇଲ୍‌ ଜଳ ସଂପଦ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ଡିଜାଇନ ସେକସନ୍‌ରେ ଦୀର୍ଘ ୮ ମାସ ହେଲା କାହିଁକି ପଡ଼ି ରହିଛି ବୋଲି ଲୋକେ କଟାକ୍ଷ କରୁଛନ୍ତି। ଗତ ଫେବ୍ରୁଆରୀ ମାସରେ ବ୍ୟାରେଜ୍‌ ଡିଜାଇନ୍‌ ଫାଇଲ୍‌ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଯାଇଥିବା ସତ୍ତ୍ବେ ତାହା ସେମିତି ନାଲି ଫିତା ତଳେ ଚାପି ହୋଇରହିଯାଇଛି। ଫଳରେ ଶୁଖିଲା ନଦୀ ଦ୍ବୟରୁ କେହି ଫାଇଦା ନ ଉଠାଇଲେ ବି ବାଲି ମାଫିଆମାନେ ମା‌ଲେମାଲ୍ ହେଉଛନ୍ତି। ଏବେ ବନ୍ୟା ଛାଡ଼ି ଯାଇଛି। ମାତ୍ର ଗୋଟିଏ ସପ୍ତାହ ବିତିଛି କି ନାହିଁ, ନଦୀ ଶଯ୍ୟାରେ ଶହ ଶହ ହାଇୱା ବାଲି ବୋହିବା ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର