ଭୁବନେଶ୍ବର: ଦୀର୍ଘ ବର୍ଷ ହେଲା ପଳାସୁଣୀ-ବାରଙ୍ଗ ରାସ୍ତା ବଡ଼ କଦର୍ଯ୍ୟ ଅବସ୍ଥାରେ ରହିଛି। ସମ୍ପ୍ରତି ରାସ୍ତା ସାରା ବଡ଼ବଡ଼ ଖାଲଖମା ଥିବାରୁ ସ୍ଥାନୀୟ ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି। ବର୍ଷା ପାଣି ଉକ୍ତ ଖାଲ ସବୁରେ ଭରି ରହିଥିବାରୁ ଯାତାୟାତ କରିବାରେ ବଡ଼ ଭୟଙ୍କର ସମସ୍ୟା ଉପୁଜୁଛି। ଏହି ରାସ୍ତାରେ ଛୋଟବଡ଼ ଦୁର୍ଘଟଣା ଏକ ନିତିଦିନିଆ କଥା ପାଲଟିଛି। ବିଶେଷକରି ରାତିରେ ଏହି ରାସ୍ତାରେ ଯାତାୟାତ ପ୍ରାୟ ବନ୍ଦ ହୋଇଯାଉଛି। ନିହାତି ଆବଶ୍ୟକସ୍ଥଳେ ଲୋକେ ବିପଦ ମୁଣ୍ଡେଇ ଏହି ବାଟରେ ଯିବାକୁ ବାଧ୍ୟ ହେଉଛନ୍ତି। ନବୀକରଣ ହେବ ବୋଲି କଣ୍ଟ ପରେ କଣ୍ଟ ଗଡ଼ି ଚାଲିଛି ଓ ଲୋକେ ନୂଆ ରାସ୍ତା ପାଇଁ ବର୍ଷ ବର୍ଷ ଧରି ବ୍ୟାକୁଳ ହୋଇ ଅପେକ୍ଷା କରିଛନ୍ତି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ୧୬ନମ୍ବର ଜାତୀୟ ରାଜପଥ ପଳାସୁଣୀ ଛକରୁ ବାରଙ୍ଗ ପର୍ଯ୍ୟନ୍ତ ଯାଇଥିବା ଲମ୍ବିଥିବା ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ରହିଛି। ପ୍ରାୟ ୧୨ କିଲୋମିଟର ଏହି ରାସ୍ତା ଉପରେ ଭୋଟପଡ଼ା, ପଦାସାହି, ଇଞ୍ଜଣା, ମଞ୍ଚେଶ୍ବର ସମେଇଗାଡ଼ିଆ, ଚକେଇସିହାଣି ଆଦି ଅଞ୍ଚଳର ହଜାର ହଜାର ଲୋକ ଏହି ରାସ୍ତା ଉପରେ ନିର୍ଭର କରନ୍ତି। ସ୍କୁଲ, କଲେଜ ପିଲାଙ୍କଠାରୁ ଆରମ୍ଭ କରି ବ୍ୟବସାୟୀମାନେ ଏହି ରାସ୍ତା ଦେଇ ଯାତାୟାତ କରନ୍ତି। ବାରଙ୍ଗ ଅଞ୍ଚଳର ଚାଷୀମାନେ ମଧ୍ୟ ବିଭିନ୍ନ ପନିପରିବା ବିକିବାକୁ ଏହି ରାସ୍ତା ଦେଇ ଭୁବନେଶ୍ବର ଯା’ଆସ କରୁଛନ୍ତି। ମାତ୍ର ରାସ୍ତା ଅବସ୍ଥା ବଡ଼ କଦର୍ଯ୍ୟ। ଅଧିକାଂଶ ସ୍ଥାନରୁ ପିଚୁ ଉଠିଗଲାଣି। ପଳାସୁଣୀ ଛକଠାରୁ ୧କିମି ଦୂରରେ ଥିବା ଆଖଣ୍ଡଳମଣି ବସ୍ତି ନିକଟରେ ପ୍ରାୟ ୧୦ ମିଟର ଲମ୍ବର ବିଶାଳ ଖାଲ ହୋଇଯାଇଛି। ଚକେଇସିହାଣି ପୁରୁଣା ବ୍ରିଜ୍ ପାଖରେ ହୋଇଥିବା ଖାଲରେ ପାଣି ଜମି ରହୁଛି। ଲୋକମାନେ ସନ୍ଧ୍ୟାରେ ପଳାସୁଣି ବସ୍ଷ୍ଟାଣ୍ଡକୁ ଗଲା ବେଳେ ଏହି ଖାଲଖମାରେ ପଡ଼ି ଦୁର୍ଘଟଣାର ଶିକାର ହେଉଛନ୍ତି। ଏନେଇ ସ୍ଥାନୀୟ ଲୋକଙ୍କ ଭିତରେ ଦିନକୁ ଦିନ ଅସନ୍ତୋଷ କୁହୁଳିବାରେ ଲାଗିଛି।
ସ୍ଥାନୀୟ ବ୍ୟବସାୟୀ ମୋହନ ପରିଡ଼ାଙ୍କ କହିବାନୁସାରେ ପୂର୍ବରୁ ରାସ୍ତାର ସ୍ଥିତି ଯାହା ଥିଲା, କଷ୍ଟକର ହେଉ ପଛେ ଚଳି ହେଉଥିଲା। ହେଲେ କିଛି ଦିନ ତଳେ କେବୁଲ୍ ବିଛାଇବା ପାଇଁ ରାସ୍ତା ଖୋଳି ଦେଲେ ଓ ଭଲରେ ପୋତିଲେନି। ଫଳରେ ବର୍ଷାରେ ମାଟି ବୋହିଗଲା ଏବଂ ରାସ୍ତା ଅତ୍ୟନ୍ତ କଦର୍ଯ୍ୟ ହୋଇପଡ଼ିଛି। ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗର ଜଣେ ବରିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଏହି ରାସ୍ତା ନବୀକରଣ କାର୍ଯ୍ୟ ମାର୍ଚ୍ଚ ମାସରୁ ଆରମ୍ଭ ହୋଇଯାଇଛି। ବର୍ଷା ଯୋଗୁଁ କିଛି ଦିନ ପାଇଁ ବନ୍ଦ ରହିଛି। ବର୍ଷା ପରେ ପୁଣି କାମ ଆରମ୍ଭ ହୋଇଯିବ। ଏହା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ସାମିଲ୍ ହୋଇଥିବାରୁ ନବୀକରଣ ସହ ଓସାର ମଧ୍ୟ ୫.୫ ମିଟରକୁ ବୃଦ୍ଧି କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/29-1.jpg)