ଭୁବନେଶ୍ବର: ଚାଷୀଙ୍କ ଜୀବନରେଖା ଥିବା ଦୟା ୱେଷ୍ଟ୍ କେନାଲ୍ ଆଜି ବିଷ ପାଲଟିଛି। ଭୁବନେଶ୍ବର ସହରର ନାଳ ପାଣି ଏଥିରେ ସିଧାସଳଖ ମିଶୁଛି। ଦଳ ଓ ଆବର୍ଜନାରେ ଅଣନିଃଶ୍ବାସୀ ହୋଇପଡ଼ିଛି ଏକାଧିକ ଜିଲ୍ଲାକୁ ସଂଯୋଗ କରୁଥିବା ଏହି କେନାଲ୍। ଆରମ୍ଭରୁ ଶେଷ, କେବଳ କୁଢ଼ କୁଢ଼ ଆବର୍ଜନା। ନିଜକୁ ସଚେତନ ବୋଲାଉଥିବା ଭୁବନେଶ୍ବରବାସୀ ନିୟମିତ ଏଥିରେ ଆବର୍ଜନା ଫିଙ୍ଗୁଛନ୍ତି। ଯାହା ଚାଷବାସକୁ ଗୁରୁତର ପ୍ରଭାବିତ କରିଛି। କେନାଲ୍‌ରେ ପାଣି ନ ଆସିବାରୁ ଓ ଯେଉଁ ସମୟରେ ଆସିଲା, କେବଳ ନାଳର ବିଷାକ୍ତ ପାଣି ଚାଷ ଜମିରେ ମାଡ଼ିବାରୁ ଚାଷବାସ ଉଜୁଡ଼ିଗଲାଣି। ଏହି କେନାଲ୍ ଉପରେ ନିର୍ଭରଶୀଳ ଚାଷ ଜମି ସବୁ ପଡ଼ିଆ ପଡ଼ିବାରୁ ଦ୍ରୁତ ସହରୀକରଣ ଏହାକୁ ଗ୍ରାସ କରି ନେଲାଣି। ଚାଷ କ୍ଷେତରେ କଂକ୍ରିଟ୍ ଜଙ୍ଗଲ ଠିଆ ହେଲାଣି। ସେପଟେ ଦୀର୍ଘ ବର୍ଷ ଧରି ଏହାକୁ ଜବରଦଖଲ ସହ ଆବର୍ଜନାମୁକ୍ତ କରିବାକୁ ଦାବି ହୋଇ ଆସୁଛି। କିନ୍ତୁ ଆଜି ପର୍ଯ୍ୟନ୍ତ ଜବରଦଖଲରୁ ମୁକ୍ତ ହୋଇପାରିନି ଏହି କେନାଲ୍। ଜିଜିପି କଲୋନି ହେଉ କି ଚକେଇସିଆଣି ଅବା ପଳାଶୁଣି, ସବୁଠି ସମାନ ସ୍ଥିତି। ଚାରିଆଡ଼େ ବିଲାତି ଦଳ ସହ ଅନାବନା ଗଛ ଭର୍ତ୍ତି। ସେପଟେ ଘରୋଇ ଆବର୍ଜନାରେ କେନାଲ୍ ଭରି ଗଲାଣି। ଆବର୍ଜନାର ମୋଟା ଆସ୍ତରଣ ବି କେନାଲ୍ ଭିତରେ ବସିଗଲାଣି। ଜିଜିପି କଲୋନି ବ୍ରିଜ ଦେଇ ଯାଇଥିବା କେନାଲ୍ ସ୍ଥିତି ଦେଖିଲେ ଯେ କେହି ଏହାର ସ୍ଥିତି ସହଜେ ଅନୁମାନ କରିପାରିବ।

Advertisment

ଚାଷୀଙ୍କ ଜୀବନରେଖା ଥିଲା, ଏବେ ବିଷ
୨୪୧୭ ହେକ୍ଟର ଜମିକୁ ଜଳସେଚିତ କରୁଥିଲା, ଏବେ ୧୨୫୫ ହେକ୍ଟର
ଚାରିଆଡ଼ ଦଳ ଓ ଆବର୍ଜନା ଭର୍ତ୍ତି
ଜବରଦଖଲରୁ ହୋଇପାରିଲାନି ମୁକ୍ତ

ଜଳସଂପଦ ବିଭାଗ ସୂଚନା ମୁତାବକ, ଦକ୍ଷିଣରେ ଦୟା ଓ ଉତ୍ତରରେ କୁଆଖାଇରେ ମିଶିଥିବା ଦୟା ୱେଷ୍ଟ କେନାଲ୍‌ର ଲମ୍ବ ପ୍ରାୟ ୩୪.୮୬ କିଲୋମିଟର। ଏହାର ଚଉଡ଼ା ପ୍ରାୟ ୮.୨ ମିଟର ବା ପ୍ରାୟ ୩୦ ଫୁଟ। ୩୪.୮୬ କିଲୋମିଟରରୁ ୧୬.୧୦ କିଲୋମିଟର କେନାଲ୍ ଭୁବନେଶ୍ବର ମହାନଗର ନିଗମ ଦେଇ ଯାଇଛି। ଏହି କେନାଲ୍ ଉଭୟ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାକୁ ଜଳସେଚିତ କରି ଆସୁଥିଲା। ବିଶେଷ କରି ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ବର୍ଷା ଜଳ ନିଷ୍କାସନରେ ଏହା ପ୍ରମୁଖ ଭୂମିକା ନେଇ ଆସିଛି। କିନ୍ତୁ ଦ୍ରୁତ ସହରୀକରଣ ଏହି କେନାଲକୁ ଦିନକୁ ଦିନ ସଂକୁଚିତ କରିବାରେ ଲାଗିଛି। ସରକାରୀ ଅବେହଳାରୁ ଆଜି ଏହି କେନାଲ୍ ଚାଷୀଙ୍କ ଆବଶ୍ୟକତା ମେଣ୍ଟାଇ ପାରୁନି। ସିଏଜି ବି ତାଙ୍କ ରିପୋର୍ଟରେ ଏକଥା ସ୍ପଷ୍ଟ କରି ସାରିଛନ୍ତି। ସିଏଜି କହିଛନ୍ତି, ଦୟା ୱେଷ୍ଟ କେନାଲ୍‌ର ବହୁ ଜାଗା ଜବରଦଖଲକୁ ଚାଲିଗଲାଣି। କୋଠାବାଡ଼ି ସବୁ ଏହା ଉପରେ ଗଢ଼ି ଉଠିଲାଣି। ୨୦୦୫ ମସିହାର ଦୟା ୱେଷ୍ଟ କେନାଲ୍ ସ୍ଥିତି ଓ ବର୍ତ୍ତମାନର ସ୍ଥିତିରେ ଆକାଶପାତାଳ ତଫାତ। ୨୦୦୫ରେ ଏହା ଅବରୋଧମୁକ୍ତ ଥିଲା। ଏବେ ସିଂହଭାଗ ଜାଗା ଜବରଦଖଲକୁ ଚାଲିଗଲାଣି। କେବଳ ଚକେଇସିଆଣି ଅଞ୍ଚଳରେ ୧୧୯୫ଟି ଘର କେନାଲ୍ ଜାଗାରେ ଠିଆ ହୋଇଛି। ସେପଟେ ଏହା ଗୁରୁତର ଭାବେ ଚାଷବାସକୁ ପ୍ରଭାବିତ କରିଛି। ପୂର୍ବରୁ ଦୟା ୱେଷ୍ଟ କେନାଲ୍ ଜରିଆରେ ୨ହଜାର ୪୧୭ ହେକ୍ଟର ଚାଷ ଜମି ଜଳସେଚିତ ହେଉଥିଲା। ଏହା ଅଧାକୁ ଖସି ଆସିଛି। ଏବେ ୧୨୫୫ ହେକ୍ଟର ଜାଗାରେ ଚାଷବାସ ହେଉଛି, ତା’ ପୁଣି ଆଶାଜନକ ନୁହେଁ। ବମିଖାଲ, ସାମନ୍ତରାପୁର ଆଦି ଅଞ୍ଚଳରେ ବହୁ ଜାଗା ଜବରଦଖଲକୁ ଚାଲିଗଲାଣି। ବିଶେଷ କରି ଦୟା ୱେଷ୍ଟ କେନାଲ୍ ଭୁବନେଶ୍ବର ସହରର ବର୍ଷା ଜଳ ନିଷ୍କାସନରେ ସହାୟ ହୋଇ ଆସିଥିଲା। କିନ୍ତୁ ଜବରଦଖଲ କାରଣରୁ ଏହା ସମ୍ଭବପର ହୋଇପାରୁନି। କେନାଲ୍‌ରେ ନାଳ ପାଣି ଛଡ଼ାଯିବାକୁ ନେଇ ସିଏଜି ଉଦ୍‌ବେଗ ପ୍ରକାଶ କରିଛନ୍ତି। କହିଛନ୍ତି, ଭୁବନେଶ୍ବର ମହାନଗର ନିଗମର ୧୧ଟି ସ୍ଥାନରେ ସିଧାସଳଖ ନାଳପାଣି ଦୟା ୱେଷ୍ଟ୍ କେନାଲକୁ ଛଡ଼ାଯାଉଛି। ଏହାବାଦ୍ ସହରର ଆବର୍ଜନା ବି ଏଥିରେ ଫିଙ୍ଗାଯାଉଛି। ଯାହା କେନାଲ୍ ପାଣିକୁ ବିଷାକ୍ତ କରୁଛି ଓ ଚାଷ ଜମିକୁ ପ୍ରଭାବିତ କରୁଛି। ଏହାର ପ୍ରତିକାର ପାଇଁ ସିଏଜି ସରକାରଙ୍କୁ ପରାମର୍ଶ ଦେଇଥିଲେ। ସିଏଜିଙ୍କ ରିପୋର୍ଟ ପରେ ସରକାରୀ ଅଧିକାରୀ ସ୍ତରରେ ଘନ ଘନ ‌ବୈଠକ ହେଲା। କିନ୍ତୁ ଅଦ୍ୟାବଧି ଏ ଦିଗରେ ସନ୍ତୋଷଜନକ ପଦକ୍ଷେପ ନେଇନାହାନ୍ତି।