ଭୁବନେଶ୍ବର, ୩/୨(ଇମିସ): ଅଙ୍ଗନବାଡ଼ି ଖୋଲିଲାଣି। ପିଲାଙ୍କ ପାଠପଢ଼ା ଆରମ୍ଭ ହେଲାଣି। ପ୍ରାଥମିକ ବିଦ୍ୟାଳୟ ତଥା ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବାକୁ ବି ରାଜ୍ୟ ସରକାର ସଜବାଜ ଆରମ୍ଭ କରିଦେଲେଣି। ତେବେ ରାଜ୍ୟରେ ଥିବା ହଜାର ହଜାର ପ୍ଲେ ସ୍କୁଲ ଖୋଲିବ କି ନାହିଁ ସେନେଇ କାହା ପାଖରେ ଉତ୍ତର ନାହିଁ। ରାଜ୍ୟ ସରକାର ଏଦିଗରେ କୌଣସି ପଦକ୍ଷେପ ନେଉ ନ ଥିବାରୁ ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ପାଠପଢ଼ା ନେଇ ଉଭୟ ଅଭିଭାବକ ଓ ସ୍କୁଲ କର୍ତୃପକ୍ଷ ଏବେ ଚିନ୍ତାରେ ପଡ଼ିଛନ୍ତି।
ସବୁଠାରୁ ବଡ଼ କଥା ହେଲା ପ୍ଲେ ସ୍କୁଲ ଖୋଲିବାକୁ ଅନୁମତି ଦେବ କିଏ? ରାଜ୍ୟ ସରକାରଙ୍କ କେଉଁ ବିଭାଗ ଅଧୀନରେ ପ୍ଲେ ସ୍କୁଲ ରହିଛି? ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଅଛି ନା ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ? ଗାଁ ଗହଳିଠାରୁ ସହର ପର୍ଯ୍ୟନ୍ତ ପ୍ଲେ ସ୍କୁଲ ଖୋଲିଥିଲେ ମଧ୍ୟ ଏହା କାହା ଅଧୀନରେ ରହିଛି ତାହା ଖୋଦ୍ ରାଜ୍ୟ ସରକାରଙ୍କ ଅଧିକାରୀ ବି ଜାଣି ନାହାନ୍ତି। କାରଣ ପ୍ଲେ ସ୍କୁଲ ଖୋଲିବା ଦାବି କରି କେତେକ ସ୍କୁଲ କର୍ତୃପକ୍ଷ ମହିଳା ଓ ଶିଶୁ ବିକାଶ ବିଭାଗ ଅଧିକାରୀଙ୍କୁ ସାକ୍ଷାତ କରି ଦାବି ଜଣାଇଥିଲେ। ସମସ୍ୟା ସମ୍ପର୍କରେ ଜଣାଇବା ସହ ଅନୁମତି ଦେବାକୁ ଅନୁରୋଧ କରିଥିଲେ। ତେବେ ବିଭାଗ ପକ୍ଷରୁ କୁହାଯାଇଥିଲା ଯେ ପ୍ଲେ-ସ୍କୁଲ ଆମ ଅଧୀନରେ ନାହିଁ। ଆମେ ଏନ୍ଓସି ଦେଇନାହୁଁ। ତୁମେ ଗଣଶିକ୍ଷା ବିଭାଗ ଅଧିକାରୀଙ୍କୁ ଭେଟ। ସ୍କୁଲ କର୍ତୃପକ୍ଷମାନେ ଗଣଶିକ୍ଷା ବିଭାଗ ଅଧିକାରୀଙ୍କୁ ଭେଟିଥିଲେ ମଧ୍ୟ ନିରାଶ ହୋଇ ଫେରିଥିଲେ। ପରିଣାମ ସ୍ବରୂପ ଏବେ ପ୍ଲେ ସ୍କୁଲ ଖୋଲିବା ଭାଗ୍ୟ ଝୁଲି ରହିଛି।
ଅନ୍ୟପକ୍ଷରେ ଅଙ୍ଗନବାଡ଼ି ଖୋଲିବାକୁ ଅନୁମତି ଦିଆଯାଇଥିବାରୁ ଗାଇଡ୍ଲାଇନ୍ ମାଧ୍ୟମରେ ପ୍ଲେ ସ୍କୁଲ ଖୋଲିବାକୁ ତୁରନ୍ତ ଅନୁମତି ଦେବାକୁ ଅଲ୍ ଓଡ଼ିଶା ପ୍ଲେ ସ୍କୁଲ ଆସୋସିଏସନ ଦାବି କରିଛି। ସଂଘ ପକ୍ଷରୁ ଗଣଶିକ୍ଷା ବିଭାଗ ସଚିବଙ୍କୁ ଚିଠି ଲେଖାଯାଇ କୁହାଯାଇଛି ଯେ କୋଭିଡ୍-୧୯ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସ୍କୁଲଗୁଡ଼ିକ ବନ୍ଦ କରିବା ଲାଗି ୨୦୨୦ ମାର୍ଚ୍ଚ ମାସରେ ଗାଇଡ୍ଲାଇନ୍ ଜାରି କରିଥିଲେ। ଯାହାକୁ ଆଧାର କରି ପ୍ଲେ ସ୍କୁଲ ସମେତ ସମସ୍ତ ସ୍କୁଲ ବନ୍ଦ ରହିଥିଲା। ବିଭିନ୍ନ ସମୟରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଗାଇଡ୍ଲାଇନ୍କୁ ଆଧାର କରି ଲକ୍ଡାଉନ୍ ସମୟରେ ଛାତ୍ରଛାତ୍ରୀଙ୍କୁ ଅନ୍ଲାଇନ୍ ଶିକ୍ଷା ଦିଆଯାଇଥିଲା। ଛୋଟ ପିଲାଙ୍କ ବୟସକୁ ଦୃଷ୍ଟିରେ ରଖି ଯେତେଦୂର ସମ୍ଭବ କମ୍ ସମୟ ପାଇଁ ଅନ୍ଲାଇନ୍ରେ ପାଠପଢ଼ା ଯାଇଥିଲା। ସରକାରଙ୍କ ନିର୍ଦେଶ ଅନୁଯାୟୀ ନିର୍ଦ୍ଧାରିତ ସମୟ ଯାଏ ପାଠପଢ଼ା ଚାଲିଥିଲା। ଯେତେ ଯାହା ଶିକ୍ଷା ଦିଆଗଲେ ମଧ୍ୟ ଅନ୍ଲାଇନ୍ ଶିକ୍ଷା ଛାତ୍ରଛାତ୍ରୀଙ୍କ ଲାଗି ଯଥେଷ୍ଟ ନୁହେଁ, ଏହା ଏକ ବିକଳ୍ପ ମାତ୍ର।
ଏବେ କରୋନା ସଂକ୍ରମଣ କମିଥିବାରୁ ରାଜ୍ୟ ସରକାର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ଖୋଲିବା ଲାଗି ଅନୁମତି ଦେଇଛନ୍ତି। ବିଜ୍ଞପ୍ତି ଜାରି ହେବା ସହ ଗାଇଡ୍ଲାଇନ୍ ବି ପ୍ରକାଶ ପାଇଛି। ତେଣୁ ପ୍ଲେ ସ୍କୁଲ ଖୋଲିବା ଲାଗି ଅନୁମତି ଦେବାକୁ ଆସୋସିଏସନ୍ ଦାବି କରିଛି। ଆହୁରି କୁହାଯାଇଛି ଯେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ କୋଭିଡ୍-୧୯ ଗାଇଡ୍ଲାଇନ୍ରେ ପ୍ଲେ-ସ୍କୁଲ ଖୋଲିବାକୁ ଆମେ ପ୍ରସ୍ତୁତ ରହିଛୁ। ସମସ୍ତ ପ୍ରକାର ନିୟମ ପାଳନ କରାଯିବ। କୌଣସି ବି ସ୍ଥାନରେ ଯେପରି ତ୍ରୁଟି ବିଚ୍ୟୁତି ନ ହୁଏ ସେଥିପ୍ରତି ଦୃଷ୍ଟି ଦିଆଯିବ। ତେଣୁ ଛାତ୍ରଛାତ୍ରୀଙ୍କ ସ୍ବାର୍ଥ ଦୃଷ୍ଟିରୁ ପ୍ଲେ ସ୍କୁଲ ଖୋଲିବାକୁ ଅନୁମତି ଦେବାକୁ ସଂଘ ଚିଠିରେ ଉଲ୍ଲେଖ କରିଛି।