ଭୁବନେଶ୍ୱର: ଦିନକୁ ଦିନ ମୋ’ ବସ୍‌ର ଲୋକପ୍ରିୟତା ବଢ଼ିବାରେ ଲାଗିଛି। ଏହି ଉତ୍ତମ ପରିବହନ ସେବା ପାଇଁ ରାଜଧାନୀର ଅନ୍ୟାନ୍ୟ ରୁଟ୍‌ରେ ମୋ’ ସେବା ଆରମ୍ଭ କରିବା ପାଇଁ ଦାବି ମଧ୍ୟ ହେଉଛି। କିନ୍ତୁ ପରିତାପର କଥା ବସ୍‌ଷ୍ଟପ୍‌ ବା ବସ୍‌ଷ୍ଟାଣ୍ଡର ଶୋଚନୀୟ ଅବସ୍ଥା ଯାତ୍ରୀମାନଙ୍କୁ ସମସ୍ୟାରେ ପକାଉଛି। ବି‌ଶେଷକରି ବର୍ଷା ଦିନେ ମୋ’ ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରିବା ସମ୍ଭବ ହେଉନାହିଁ। ଛାତ ସହ ଭୂମି ସମାନ୍ତରାଳ ଥିବାରୁ ବର୍ଷା ଜଳ ଯାତ୍ରୀଙ୍କ ଉପରେ ପଡ଼ୁଛି। ପାଣି ଯୋଗୁଁ ଚେୟାରରେ ବସିବା ଦୂରର କଥା, ଠିଆହେବାକୁ ମଧ୍ୟ ଜାଗା ମିଳେ ନାହିଁ। ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରି ବି ବର୍ଷା ପାଣିରେ ଯାତ୍ରୀମାନେ ଭିଜିବାକୁ ବାଧ୍ୟ ହୁଅନ୍ତି। ସେହିଭଳି କିଛି ଡ୍ରାଇଭର ବସ୍‌ଷ୍ଟପ୍‌ଠାରୁ ଦୂରରେ ବସ୍‌ ରଖୁଥିବାରୁ ବର୍ଷା ବେଳେ ଯାତ୍ରୀମାନେ ଭିଜିଭିଜି ବସ୍‌ରେ ଉଠନ୍ତି ଓ ବସ୍‌ରୁ ଓହ୍ଲାନ୍ତି। ସେହିପରି ଆଉ କିଛି ସ୍ଥାନରେ ବସ୍‌ଷ୍ଟପ୍‌ ନଥିବାରୁ ଖରା ବର୍ଷାରେ ଯାତ୍ରୀମାନେ ଠିଆହୋଇ ରହୁଛନ୍ତି।

Advertisment

ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ ପକ୍ଷରୁ ଅତ୍ୟାଧୁନିକ ଢାଞ୍ଚାରେ ତିଆରି ହୋଇଥିବା ଏହି ବସ୍‌ଷ୍ଟପ୍‌ଗୁଡ଼ିକରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି। କିନ୍ତୁ ବସ୍‌ଷ୍ଟାଣ୍ଡର ଛାତରୁ ବର୍ଷା ପାଣି ତଳକୁ ଗଡ଼ୁନାହିଁ। ଛାତ ଉପରେ ବର୍ଷା ପାଣି ଜମି ରହୁଛି। ବହୁ ଦିନ ଧରି ବର୍ଷା ପାଣି ଜମି ରହିବାରୁ କିଛି ସ୍ଥାନରେ ଶିଉଳି ବସିଗଲାଣି। ଜମି ରହୁଥିବା ପାଣି ପଚିଯିବାରୁ ମଶାଙ୍କ ଉପଦ୍ରବ ବଢ଼ୁଛି। ସତ୍ୟନଗର ଛକ, ଇନ୍‌ଫୋସିଟି, ଫାୟାର ଷ୍ଟେସନ, ପଟିଆ ଛକ, ରେଣ୍ଟାଲ୍‌ କଲୋନି, ସିଆର୍‌ପି ଛକ, ୟୁନିଟ୍‌-୮, ଜଗନ୍ନାଥବିହାର, ରୂପାଲି ଛକ, ରବୀନ୍ଦ୍ର ମଣ୍ଡପ ଆଦି ବସ୍‌ଷ୍ଟପ୍‌ରେ ଏହି ସମସ୍ୟା ଦେଖିବାକୁ ମିଳୁଛି। ସେହିପରି ଖଣ୍ଡଗିରି, ବରମୁଣ୍ଡା, ଶିଖରଚଣ୍ଡୀ, ଇସ୍କନ, ଏଜି ଛକ, ରାମ ମନ୍ଦିର ଛକ ପରି ବହୁ ଛକରେ ବସ୍‌ ଷ୍ଟାଣ୍ଡ ନଥିବାରୁ ଯାତ୍ରୀମାନଙ୍କୁ ଖରା ବର୍ଷାରେ ଅପେକ୍ଷା କରିବାକୁ ପଡ଼ୁଛି। ବିଶେଷକରି ଖୋର୍ଦ୍ଧା, ପୁରୀ, ଜଟଣୀ ଆଦି ସ୍ଥାନକୁ ଯାଉଥିବା ବହୁ ରୁଟ୍‌ରେ ବସ୍‌ ଷ୍ଟପ୍‌ ନଥିବାରୁ ଲୋକ ହଇରାଣ ହେଉଛନ୍ତି। ବେଳେବେଳେ ପୂର୍ବ ଛକଗୁଡ଼ିକରେ ଗାଡ଼ିରେ ଯାତ୍ରୀ ଭର୍ତ୍ତି ହୋଇଯିବାରୁ ଲୋକମାନଙ୍କୁ ଆଉ ଗୋଟେ ଗାଡ଼ି ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ୁଛି। ଅଧିକାଂଶ ସ୍ଥାନରେ ଉପକରଣ ଭାଙ୍ଗି ଯାଇଥିବା ବେଳେ ଆଉ କିଛି ସ୍ଥାନରେ ଅସାମାଜିକ ଲୋକମାନେ କବ୍‌ଜା କରି ରହୁଛନ୍ତି। ତେଣୁ ଏହି ବସ୍‌ ଷ୍ଟପ୍‌ କାହା ସ୍ୱାର୍ଥରେ ବୋଲି ବାରମ୍ୱାର ଅଭିଯୋଗ ହେଉଛି। ତେବେ ଏନେଇ କ୍ରୁଟ୍‌ର ମହାପ୍ରବନ୍ଧକ ଦୀପ୍ତି ମହାପାତ୍ରଙ୍କ କହିବା କଥା ହକି ବିଶ୍ୱକପ୍‌ ପୂର୍ବରୁ ସବୁ ଷ୍ଟାଣ୍ଡକୁ ମରାମତି କରାଯାଇଥିଲା। ଅଭିଯୋଗ ଆସିଲେ ପୁଣି ମରାମତି କରାଯାଉଛି। ଆଗକୁ କିପରି ଉନ୍ନତମାନର ରହଣିସ୍ଥଳ ନିର୍ମାଣ କରାଯିବ, ସେଥିପାଇଁ ଡିଜାଇନ କରାଯାଉଛି। ଏଥିରେ ଯାତ୍ରୀମାନଙ୍କ ମତକୁ ଗୁରୁତ୍ବ ଦିଆଯାଉଛି।