ଭୁବନେଶ୍ବର: କୁଆଖାଇ ନଦୀ ଟଙ୍କପାଣି ବ୍ରିଜ୍‌ ମରାମତି କାମ ଚାଲିଛି। ପ୍ରାୟ ୧ କିଲୋମିଟର ଲମ୍ବର ଏହି ବ୍ରିଜ୍‌ରେ ଥିବା ୧୯ ଜଏଣ୍ଟର ମରାମତି ଚାଲିଛି। ସବୁ ଜଏଣ୍ଟରେ ନୂଆ ଲୁହା ପ୍ଲେଟ୍‌ ପଡ଼ୁଛି। ମାତ୍ର ୩ ମାସ ହେଲା ଏତିକି କାମ ସରିପାରୁନି। ଠିକା ସଂସ୍ଥାର ଅହେତୁକ ବିଳମ୍ବ କାରଣରୁ ଲୋକେ ବହୁ ହନ୍ତସନ୍ତ ହେଉଥିବା ଅଭିଯୋଗ ହେଉଛି। ଦୀର୍ଘ କାଳ ଧରି ଭଙ୍ଗା ବ୍ରିଜ୍‌ରେ ଯାତାୟାତ କରି ବହୁ ଦୁର୍ଦ୍ଦଶାର ଶିକାର ହୋଇଥିବା ଲୋକେ ଏବେ ବି ମରାମତି କାମ ବିଳମ୍ବ ପାଇଁ ଯମ ଯନ୍ତ୍ରଣା ଭୋଗୁଥିବା କହୁଛନ୍ତି।

Advertisment

ପ୍ରତିଦିନ ବ୍ରିଜ୍‌ ଉପରେ ନିର୍ଭର କରୁଥିବା ଲୋକଙ୍କ ଅଭିଯୋଗ ଅନୁସାରେ ଠିକାସଂସ୍ଥା ମରାମତି କାମ ବିଳମ୍ବ କରୁଛି। ସମ୍ପ୍ରତି ୧୯ଟି ଯାକ ଜଏଣ୍ଟରେ ନୂଆ ଲୁହା ପ୍ଲେଟ୍‌ ପଡ଼ି ଯାଇଛି ଏବଂ ସେଠାରେ କଂକ୍ରିଟ୍‌ ଢଳେଇ ଦିଆଯାଇଛି। ମାତ୍ର ବ୍ରିଜ୍‌ ଉପର ରାସ୍ତାରେ ନୂଆ ପିଚୁ ପଡ଼ୁନାହିଁ। ଫଳ‌ରେ ବ୍ରିଜ୍‌ ଉପର ରାସ୍ତାଠାରୁ ଜଏଣ୍ଟଗୁଡ଼ିକର ଉଚ୍ଚତା ବଢ଼ିଯାଇ ହମ୍ପସ୍‌ ଭଳି ହୋଇଯାଇଛି। ତେଣୁ ମାତ୍ର ୧ କିଲୋମିଟର ଲମ୍ବର ବ୍ରିଜ୍‌ରେ ଏବେ ୧୯ ହମ୍ପସ୍‌ ବଡ଼ ସମସ୍ୟା କରୁଛି। ଗାଡ଼ି ମଟର ଗଲା ବେଳେ ଏସବୁ ହମ୍ପସ୍‌ରେ ପଡ଼ୁଛି। ବଡ଼ ଗାଡ଼ି କଥା ଅଲଗା।

ବାଇକ୍‌, ସ୍କୁଟି ଭଳି ଗାଡ଼ି ଏସବୁ ହମ୍ପସ୍‌ ପାର୍‌ ହେବା ବେଳେ ଚାଳକମାନେ ଭାରସାମ୍ୟ ହରାଉଛନ୍ତି। ବି‌ଶେଷକରି ବାଇକ୍‌, ସ୍କୁଟିରେ ଦୁଇଜଣ ଥିବା ବେଳେ ଏହି ସବୁ ହମ୍ପସ୍‌ ପାର୍‌ ହେବା କଷ୍ଟକର ହେଉଛି। ତେଣୁ ପ୍ରତିଦିନ ଛୋଟମୋଟ ଦୁର୍ଘଟଣା ଘଟୁଛି। ରାତିରେ ବେଶି ସମସ୍ୟା। ଲାଇଟ୍‌ କମ୍‌ ଥିବା ବାଇକ୍‌ ବା ସ୍କୁଟି ଚାଳକମାନେ ପଡ଼ିବା ଥୟ। ଏମିତିକି ଅନେକ ସମୟରେ ବାଇକ୍‌ ପଛରେ ବସିଥିବା ମହିଳାମାନେ ଖସି ପଡ଼ି ଖଣ୍ଡିଆ ଖାବରା ହେଉଥିବା ଅଭିଯୋଗ ହେଉଛି। ସେହିଭଳି ଉଭୟ ପାର୍ଶ୍ବରୁ ବ୍ରିଜ୍‌କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ମଧ୍ୟ ପିଚୁ ହୋଇନାହିଁ। ଫଳରେ ମୁଖ୍ୟ ରାସ୍ତାରୁ ବ୍ରିଜ୍‌ ଉପରକୁ ଚଢ଼ିବା ବେଳେ ବାଇକ୍‌ ଆଗ ଚକ ବାଡ଼େଇ ହେଉଛି ଏବଂ ପଛ ଚକ ଉଠି ପାରୁନାହିଁ। ଉଭୟ ପାର୍ଶ୍ବର ଏହି ଦୁଇ ସ୍ଥାନରେ ବି ସବୁବେଳେ କେହି ନା କେହି ଗାଡ଼ିରୁ ପଡ଼ି ଆହତ ହେଉଥିବା ଦେଖିବାକୁ ମଳୁଛି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ବିଗତ ଦିନରେ ଏହି ବ୍ରିଜ୍‌ ନିକଟରୁ ମାଫିଆମାନେ ଆଖିବୁଜା ବାଲି ଉଠାଇ ବିକିଲେ। ନିଲାମଧାରୀ ହୋଇଥିଲେ ବି ରାଜସ୍ବ ବିଭାଗର ନିୟମ ପ୍ରତି ଆଖି ବୁଜିଦେଇ ମାଫିଆମାନେ ଅତ୍ୟାଧୁନିକ ମେସିନ୍‌ ଯୋଗେ ଦିନରାତି ବାଲି ବୋହିନେଲେ। ବ୍ରିଜ୍‌ ନିକଟ ନିଷିଦ୍ଧ ଅଞ୍ଚଳରୁ ବି ବାଲି ଖୋଳି ବୋହି‌ନେଲେ। ବ୍ରିଜ୍‌ ଉପରେ ଦୈନିକ ଶହଶହ ବାଲି ବୋଝେଇ ଟ୍ରକ୍‌ ଓ ହାଇୱା ଚାଲିଲା। ସେତେବେଳେ ବାଲି ଚୋରିକୁ ରାଜସ୍ବ ବିଭାଗ ରୋକିଲା ନାହିଁ କି ଟଙ୍କପାଣି ବ୍ରିଜ୍‌ ପ୍ରତି ବିପଦ ସୃଷ୍ଟି ହେଉଥିବା ଜାଣି ମଧ୍ୟ ପୂର୍ତ୍ତ ବିଭାଗ ମୁହଁ ଖୋଲିଲା ନାହିଁ। ଫଳରେ ବ୍ରିଜ୍‌ର ଜଏଣ୍ଟ ସ୍ଥାନଗୁଡ଼ିକ ଭାଙ୍ଗିଗଲା। ଏଥିସହ ବ୍ରିଜ୍‌ ଉପରେ ଖାଲଖମା ସୃଷ୍ଟି ହେଲା ଏବଂ ବହୁ ସ୍ଥାନରେ ପିଚୁ ଓ କଂକ୍ରିଟ୍‌ ଛାଡ଼ିଯିବା ଦ୍ବାରା ଲୁହା ରଡ୍‌ ବାହାରିଗଲା।

ଏନେଇ ସ୍ଥାନୀୟ ଲୋକେ ବିଭିନ୍ନ ଫୋରମ୍‌ରେ ଅଭିଯୋଗ କଲେ ଏବଂ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରସାରଣ ହେଲା। ତଥାପି ବି ବିଭାଗୀୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଲେନାହିଁ। ସେହିଭଳି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ସାମ୍ବାଦିକ ସମ୍ମିଳନୀ କରି ଜିଲ୍ଲା ପ୍ରଶାସନକୁ ଟାର୍ଗେଟ୍‌ କଲେ। ତେଣୁ ସବୁ ଦିଗରୁ ଚାପ ପଡ଼ିବା ପରେ ବାଲିଘାଟ ବନ୍ଦ ହେଲା। କିନ୍ତୁ ସେତେବେଳକୁ ନେଡ଼ିଗୁଡ଼ କହୁଣୀରେ ପହଞ୍ଚି ସାରିଥିଲା। ବ୍ରିଜ୍‌ ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା। ତେବେ ମରାମତି କାମ ଆରମ୍ଭ ହେବା ପରେ ଲୋକେ ଆଶ୍ବସ୍ତ ହୋଇଥିଲେ। ମାତ୍ର ଏବେ ଠିକାସଂସ୍ଥା ଯେମିତି ବିଳମ୍ବ କରୁଛି, ସେଥିରେ ଲୋକଙ୍କ ଦୁର୍ଦ୍ଦଶା ପୂର୍ବାପେକ୍ଷା ବଳେଇ ପଡ଼ିଛି ବୋଲି ଅଭିଯୋଗ ହେଉଛି। ମରାମତି କାମ ବିଳମ୍ବ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କ କହିବା କଥା ସବୁ ଜଏଣ୍ଟରେ ନୂଆ ପ୍ଲେଟ୍‌ ପଡ଼ିସାରିଛି। କେବଳ ପିଚୁ କାମ ବାକି ରହିଛି। ଖୁବ୍‌ ଶୀଘ୍ର କାମ ଶେଷ କରାଯିବ।