ଭୁବନେଶ୍ବର: ପୂର୍ତ୍ତ ବିଭାଗ ତିଆରି କରିବ ଡ୍ରେନ୍‌। ଆଉ ସେଥିପାଇଁ କଟା ଚାଲିଛି ଗଛ। ପ୍ରତି ଘଣ୍ଟାରେ ଗୋଟିଏ ପରେ ଗୋଟିଏ ଗଛ ମାଟିରେ ଲୋଟି ପଡ଼ୁଛି। ଡାଳ ପତ୍ରକୁ ସଙ୍ଗେ ସଙ୍ଗେ କଟାଯାଇ ଅନ୍ୟତ୍ର ନିଆଯାଉଛି। କେହି ପ୍ରତିବାଦ କରୁନାହାନ୍ତି କି ସାମ୍ନାକୁ ଆସୁନାହାନ୍ତି। ଆଜି ଏଭଳି ଚିତ୍ର ଦେଖିବାକୁ ମିଳିଛି ପାୱାର ହାଉସ ଛକରୁ ୟୁନିଟ୍‌-୮ ଡିଏଭି ଛକ ରାସ୍ତାରେ। ଦିନ ଦିପହରରେ ଗଛ କଟାଯାଉଥିବା ବେଳେ ଜଙ୍ଗଲ ବିଭାଗର ଅଧିକାରୀ କହୁଛନ୍ତି ପୂର୍ତ୍ତ ବିଭାଗ ଡ୍ରେନ ତିଆରି କରିବାକୁ ଗଛ କାଟୁଛି। ତେବେ କେତେ ଗଛ କଟିବ ସେନେଇ କାହାରି ପାଖରେ ଖବର ନାହିଁ। ପରିଣାମସ୍ବରୂପ କର୍ମଚାରୀମାନେ ନିଜ ମନଇଚ୍ଛା ଗଛ କାଟିଚାଲିଛନ୍ତି।

Advertisment

ଗୋଟିଏ ପଟେ ମାର୍ଚ୍ଚ ଆରମ୍ଭରୁ ରାଜଧାନୀରେ ତାପମାତ୍ରା ୩୮ ଡିଗ୍ରି ଟପିଲାଣି। ଅନ୍ୟପଟେ ସହରୀ ସଭ୍ୟତାକୁ ଆଗକୁ ନେବାକୁ ବଳି ପଡ଼ୁଛି ଗଛ। ଫଳରେ ଏବେ କଂକ୍ରିଟ୍‌ ଜଙ୍ଗଲ ଭିତରେ ସବୁଜିମା ହଜିବାକୁ ବସିଲାଣି। ବ୍ୟକ୍ତିଗତ ଜାଗା ହେଉ ଅଥବା ସରକାରୀ ଜାଗା। ରାଜଧାନୀ ଭିତରେ ଗଛଟିଏ କାଟିଲେ କେହି ରୋକିବାକୁ ନାହିଁ। ଦଣ୍ଡବିଧାନର ବ୍ୟବସ୍ଥା ହେଉନି। ‌ଯେଉଁଥିପାଇଁ ଏବେ ସହରରେ ଥିବା ଗଛ ପ୍ରତି ବିପଦ ସୃଷ୍ଟି ହୋଇଛି। ରାଜଧାନୀକୁ ଲାଗି ଚନ୍ଦକା, ଓଏଫ୍‌ଡିସି ଓ ସିଟି ଫରେଷ୍ଟ ଡିଭିଜନ୍‌ ରହିଛି ଏବଂ ଏମାନଙ୍କ ତତ୍ତ୍ୱାବଧାନରେ ବୃକ୍ଷରୋପଣ କରାଯିବା ସହିତ ଜଙ୍ଗଲ ସୃଷ୍ଟିର ଦାୟିତ୍ୱ ନ୍ୟସ୍ତ। ମାତ୍ର ଗତ କିଛି ବର୍ଷର ପରିସଂଖ୍ୟାନକୁ ଅନୁଧ୍ୟାନ କଲେ ନୂତନ ଜଙ୍ଗଲ ସୃଷ୍ଟି କରିବାରେ ସରକାରୀ ସଂସ୍ଥାଗୁଡ଼ିକ ବିଫଳ ହୋଇଛନ୍ତି। ଉକ୍ତ ତିନିଟି ସଂସ୍ଥା ମିଳିତ ଭାବେ ଯେତିକି ଗଛ ଲଗାଇଥିବା ଦାବି କରୁଛନ୍ତି ସେଥିରୁ କେତେ ବଞ୍ଚୁଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପରିବେଶବିତ୍‌ଙ୍କ କହିବାନୁଯାୟୀ ୨୦୦୮ରେ ଓଡ଼ିଶା ଜଙ୍ଗଲ ଉନ୍ନୟନ ନିଗମ(ଓଏଫ୍‌ଡିସି) ଅଧୀନରେ ରାଜଧାନୀ ଓ ଏହାର ଉପକଣ୍ଠ ଅଞ୍ଚଳରେ ବ୍ୟାପକ ବୃକ୍ଷରୋପଣ ନିମନ୍ତେ ଏକ ଯୋଜନା ହୋଇଥିଲା। ତାହା ସଫଳ ହେବା ପରେ ରାଜ୍ୟ ସରକାର ଏହାକୁ ସାରା ରାଜ୍ୟରେ ପ୍ରଚଳିତ କରାଇବା ସହିତ ‘ଗ୍ରିନ୍‌ ଓଡ଼ିଶା’ ନାମ ଦେଇଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଏହି ଯୋଜନା ସମ୍ପର୍କରେ କୌଣସି ଖବର ନାହିଁ। ସେହିପରି ଅଣଜଙ୍ଗଲ ଜମିରେ ବୃକ୍ଷରୋପଣ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଫଳ ଶୂନ। ଜନବସତିପୂର୍ଣ୍ଣ କଲୋନି, ଶିକ୍ଷାନୁଷ୍ଠାନ, ରାସ୍ତା ପାର୍ଶ୍ୱବର୍ତ୍ତୀ ସ୍ଥାନଗୁଡ଼ିକରେ ଗଛ ଲଗାଯାଉଥିଲେ ମଧ୍ୟ ତାହାର କୌଣସି ସୁଫଳ ମିଳୁନି। କାରଣ ଘର କରିବା ଲାଗି ହେଉ କିମ୍ବା ବିଭିନ୍ନ କାରଣ ପାଇଁ ଏହି ଗଛ ଗୁଡ଼ିକୁ ଅବାଧରେ କଟାଯାଉଛି। ଗୋଟିଏ ଗଛ କାଟିଲେ ୧୦ଟି ଗଛର ପଇସା ଦେବାକୁ ପଡ଼ିବ। ଏହି ନିୟମକୁ ମଧ୍ୟ ଅନେକ ବେଖାତିର୍‌ କରୁଛନ୍ତି। ସରକାରୀ ଜାଗାରେ ଥିବା ଗଛଗୁଡ଼ିକ କାଟିଲେ ଭାରତୀୟ ଆଇନ ବ୍ୟବସ୍ଥାରେ ଦଣ୍ଡବିଧାନର କୌଣସି ବିହିତ ବ୍ୟବସ୍ଥା ନଥିବାରୁ ଏମିତି ପରିସ୍ଥିତି ଉପୁଜୁଛି। ଏଭଳି ପରିସ୍ଥିତିର ମୁକାବିଲା କରିବାକୁ ହେଲେ ଏକ ଶକ୍ତିଶାଳୀ ଟ୍ରି ଆକ୍ଟ୍‌ର ପ୍ରଣୟନ ଜରୁରୀ ହୋଇପଡ଼ିଥିବା ପରିବେଶବିତ୍‌ମାନେ ମତ ଦେଇଛନ୍ତି।

ଅନ୍ଧାରୁଆ ନିକଟ ଜଙ୍ଗଲରେ ନିଆଁ

ଭୁବନେଶ୍ବର: ଗ୍ରୀଷ୍ମ ଆରମ୍ଭରୁ ରାଜ୍ୟରେ ଜଳୁଛି ଜଙ୍ଗଲ। ବିଭିନ୍ନ ସ୍ଥାନରେ ନିଆଁ ଲାଗିବାର ଖବର ସାମ୍ନାକୁ ଆସୁଥିବା ବେଳେ ଆଜି ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଜଙ୍ଗଲ ନିକଟରେ ନିଆଁ ଲାଗିଥିବା ଖବର ସାମ୍ନାକୁ ଆସିଛି। ଅପରାହ୍ଣରେ ଅନ୍ଧାରୁଆ ଗାଁ ନିକଟ ଜଙ୍ଗଲରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ଏହା ଦେଖିବା କ୍ଷଣି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।
କିଛି ସମୟ ମଧ୍ୟରେ ଅଗ୍ନିଶମ ବାହିନୀର ଅଧିକାରୀମାନେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟରେ ଲାଗିପଡ଼ିଥିଲେ। ସମ୍ପୂର୍ଣ୍ଣ ନିଆଁ ଆୟତ୍ତ ଲାଗି ୫ରୁ ୬ ଘଣ୍ଟା ସମୟ ଲାଗିଥି‌ଲା। ଏଥିରେ କୌଣସି ବ୍ୟକ୍ତିବିଶେଷ କିମ୍ବା ବନ୍ୟପ୍ରାଣୀଙ୍କ କ୍ଷତି ହୋଇ ନ ଥିବା ଜଣାପଡ଼ିଛି। ରାତି ସୁଦ୍ଧା ରିପୋର୍ଟ ଲେଖାଯିବା ବେଳକୁ ନିଆଁ ଆୟତ୍ତ ହୋଇଥିବା ଜଣାପଡ଼ିଛି।