କେବେ ହେବ ଭିଏସ୍‌ଏସ୍‌ନଗର ଆର୍‌ଓବି? ଭିତ୍ତିପ୍ରସ୍ତରରେ ବିତିଗଲାଣି ୩ବର୍ଷ

ଟ୍ରାଫିକ୍‌ କଟକଣାକୁ ଫୁ’, ନିଷିଦ୍ଧାଞ୍ଚଳରେ ଚଳାଚଳ କରୁଛି ଭାରୀଯାନ

ଭୁବନେଶ୍ବର: ଭିଏସ୍‌ଏସ୍‌ନଗର ରେଳ ଫାଟକ ନିକଟରେ ହେବାକୁ ଥିବା ରେଳ ଓଭରବ୍ରିଜ୍‌ (ଆର୍‌ଓବି)ଏବେ ଲୋକଙ୍କ ପାଇଁ ସ୍ବପ୍ନ ପାଲଟିଛି। ୩ ବର୍ଷ ତଳୁ ଭିତ୍ତିପ୍ରସ୍ତର ପଡ଼ିଥିଲେ ବି ନିର୍ମାଣ ପାଇଁ ଇଟା ଖଣ୍ଡେ ପଡ଼ିପାରିଲାନି। ତେଣୁ ସ୍ଥାନୀୟ ଲୋକଙ୍କ ବର୍ଷ ବର୍ଷର ଦୁଃଖ ଘୁଞ୍ଚିବାର ଆଶା ସେମିତି ସ୍ବପ୍ନ ହୋଇରହିଛି। ନେତାଙ୍କ ପ୍ରତିଶ୍ରୁତି ପାଣିର ଗାର ପାଲଟିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ବିଏମ୍‌ସି ଅଧୀନସ୍ଥ ୫ଟି ୱାର୍ଡର ବାସିନ୍ଦାମାନେ ଏହି ବାଟ ଦେଇ ଯାତାୟାତ କରନ୍ତି। ଭିଏସ୍‌ଏସ୍‌ନଗର, ଚକେଇସିଆଣି, ଭୋଟପଡ଼ା, ସମେଇଗାଡ଼ିଆ, ରଙ୍ଗମାଟିଆ, ଗାଡ଼କଣ, ମଞ୍ଚେଶ୍ବର ଆଦି ଅଞ୍ଚଳର ୫୦ ହଜାରରୁ ଅଧିକ ଲୋକ ଏହି ରେଳ ଫା‌ଟକ ଦେଇ ଯାତାୟାତ କରନ୍ତି। ଏହି ଅଞ୍ଚଳରେ ଥିବା ହସ୍ପିଟାଲ୍‌ ଓ ଶିକ୍ଷାନୁଷ୍ଠାନ ଭଳି ଗୁରୁତ୍ବପୂର୍ଣ୍ଣ ଅନୁଷ୍ଠାନକୁ ମଧ୍ୟ ଶହଶହ ଲୋକ ଓ ଛାତ୍ରଛାତ୍ରୀ ଯିବାଆସିବା କରନ୍ତି। ମାତ୍ର ଟ୍ରେନ୍‌ ଚଳାଚଳ ଯୋଗୁଁ ଫାଟକ ଅଧିକାଂଶ ସମୟ ବନ୍ଦ ରହୁଥିବାରୁ ଲୋକେ ଦୀର୍ଘ ସମୟ ଧରି ଅପେକ୍ଷା କରୁଛନ୍ତି। ବେଳେବେଳେ ଫାଟକ ୧୫ରୁ ୨୦ ମିନିଟ୍‌ ପର୍ଯ୍ୟନ୍ତ ବନ୍ଦ ରହୁଛି। ଫଳ‌ରେ ଫାଟକର ଦୁଇ ପାର୍ଶ୍ବରେ ପ୍ରବଳ ଟ୍ରାଫିକ୍ ଜାମ୍‌ରେ ହେଉଛି ଓ ଲୋକେ ଟ୍ରାଫିକ୍‌ରେ ଫସି ରହୁଛନ୍ତି। ବଡ଼ କଥା ହେଉଛି, ଶିଳ୍ପାଞ୍ଚଳ ହୋଇଥିବାରୁ ପ୍ରତିଦିନ ଏହି ଫାଟକ ଦେଇ ଟ୍ରକ ଓ ବିଭିନ୍ନ ମାଲ୍‌ବାହୀ ଗାଡ଼ି ଯାତାୟାତ କରୁଛି। ଏହା ବି ଏଠାରେ ଟ୍ରାଫିକ୍ ଜାମ୍‌ର ଅନ୍ୟତମ କାରଣ ହେଉଛି। ତେଣୁ ଫାଟକ ନିକଟରେ ଲୋକେ ଖରା, ବର୍ଷାରେ ଘଣ୍ଟା ଘଣ୍ଟା ଧରି ଠିଆ ହୋଇ ହନ୍ତସନ୍ତ ହେଉଛନ୍ତି। ବହୁ ସମୟ ଧରି ଲମ୍ବା ଲାଇନ୍‌ରେ ଛିଡ଼ା ହେବାକୁ ପଡ଼ୁଛି। ତେଣୁ ଏଠାରେ ଏକ ଫ୍ଲାଏଓଭର୍‌ ନିର୍ମାଣ ପାଇଁ ଲୋକେ ଦାବି କରିଥିଲେ। ୨୦୧୯ ମସିହାରେ ଫ୍ଲାଏଓଭର୍‌ ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ପୂର୍ତ୍ତ ଓ ରେଳ ବିଭାଗ ମିଳିତ ଆଲୋଚନା କରିବା ପରେ ବ୍ରିଜ୍‌ର ଉଭୟ ପାର୍ଶ୍ବକୁ ୩ଶହ ମିଟର ଲମ୍ବା ସହ ୧୦ମିଟର ଚଉଡ଼ାର ବ୍ରିଜ୍‌ ନିର୍ମାଣ ପାଇଁ ନିଷ୍ପତ୍ତି ନିଆଗଲା। ଏଥିପାଇଁ ୪୬ କୋଟି ବ୍ୟୟବରାଦ କରାଗଲା। ଟେଣ୍ଡର୍‌ ବି ହେଲା। ଫ୍ଲାଏଓଭର୍‌ ନିର୍ମାଣ ପାଇଁ ପ୍ରଥମେ ୨୦୧୯ ଫେବ୍ରୁଆରି ୨୫ରେ ରେଳ ବିଭାଗ ଓ ମାର୍ଚ୍ଚ ୭ରେ ପୂର୍ତ୍ତ ବିଭାଗ ଉଭୟ ବିଭାଗ ସ୍ଥାନୀୟ ବିଧାୟକ ଓ ସାଂସଦଙ୍କୁ ନେଇ ଦୁଇ ଦୁଇଥର ଭିତ୍ତିପ୍ରସ୍ତର ସ୍ଥାପନ କଲେ। ମାତ୍ର ଏହା ଭିତରେ ୩ ବର୍ଷ ବିତିଗଲା ସିନା ମାଟି ମୁଠାଏ ପଡ଼ିଲାନି।

ଏନେଇ ଏସ୍‌ଡିଓ ରବୀନ୍ଦ୍ର ବେହେରା କହିଛନ୍ତି ଯେ ୪ମାସ ତଳେ ଟେଣ୍ଡର୍‌ ହୋଇଥିଲା। ଏଥିରେ ୯ଟି ସଂସ୍ଥା ଅଂଶଗ୍ରହଣ କରିଥିବା ବେଳେ ଦୁଇଟି ସଂସ୍ଥା ସମାନ ଦର‌ରେ ଟେଣ୍ଡର ପକାଇଥିବାରୁ ସମସ୍ୟା ହୋଇଥିଲା। ସରକାରଙ୍କୁ ସମସ୍ତ ଫାଇଲ୍‌ ପଠାଯାଇଛି। ଲଟେରି ପରେ ମାର୍ଚ୍ଚ ଆରମ୍ଭରେ କାମ ଆରମ୍ଭ ହେବ। ସହକାରୀ ଯନ୍ତ୍ରୀ ରଂଜନ ବିଶ୍ବାଳ କହିଛନ୍ତି ଯେ ଫ୍ଲାଏଓଭର୍‌ ନ ହେବାକୁ କୋର୍ଟରେ ୩ଟି କେସ୍‌ ହୋଇଥିଲା। ୨ଟିର ସମାଧାନ ହୋଇଥିବା ‌ବେଳେ ଏବେ ଗୋଟିଏ ମାମଲାର ରହିତାଦେଶ କାଏମ୍‌ ରହିଛି। ଏଥିପାଇଁ ଫ୍ଲାଏଓଭର ନିର୍ମାଣରେ ବିଳମ୍ବ ହୋଇଛି। ଖୁବ୍‌ଶୀଘ୍ର ଏହାର ସମାଧାନ କରାଯାଇ ନିର୍ମାଣ କାମ ଆରମ୍ଭ ହେବ ବୋଲି ସେ କହିଛନ୍ତି।

ନିଷିଦ୍ଧାଞ୍ଚଳରେ ଚଳାଚଳ କରୁଛି ଭାରୀଯାନ
ଭୁବନେଶ୍ବର: ଭିଏସ୍‌ଏଏସ୍‌ନଗରରେ ଟ୍ରାଫିକ୍‌ କଟକଣାକୁ ଫୁ’ କରି ଦିଆଯାଉଛି। ସର୍ବସାଧାରଣ ରାସ୍ତାକୁ ବେପାରୀମାନେ କବ୍‌ଜା କରିଥିବା ବେଳେ ନିଷିଦ୍ଧାଞ୍ଚଳରେ ଭାରୀଯାନ ଚଳା‌ଚଳ କରୁଛି। ଫଳରେ ରାସ୍ତାରେ ଟ୍ର‌ାଫିକ୍ ଜାମ୍‌ ଏଠାରେ ଏକ ନିତିଦିନିଆ ସମସ୍ୟା ହୋଇ ରହିଛି। ମାତ୍ର ଏନେଇ ବିଏମ୍‌ସି କିମ୍ବା ଟ୍ରାଫିକ୍ କର୍ତ୍ତୃପକ୍ଷଙ୍କ ନିଘା ନାହିଁ ବୋଲି ଅଭିଯୋଗ ହେଉଛି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଅଫିସ୍‌ ସମୟରେ ତଥା ପିଲାଙ୍କ ସ୍କୁଲ ଯିବା ଆସିବା ସମୟରେ ବଡ଼ ଯନ୍ତ୍ରଣାଦାୟକ ହେଉଛି ଟ୍ରାଫିକ୍ ସମସ୍ୟା। ସନ୍ଧ୍ୟା ସମୟର କଥା ଆହୁରି କଷ୍ଟକର। ନିଷିଦ୍ଧାଞ୍ଚଳରେ ଭାରୀଯାନ ପ୍ରବେଶ, ବେଆଇନ ପାର୍କିଂ ଏବଂ ବେପାରୀଙ୍କ ରାସ୍ତା କବ୍‌ଜା ଏହାର ପ୍ରମୁଖ କାରଣ ବୋଲି ଲୋକେ ଅଭିଯୋଗ କରୁଛନ୍ତି। ନିୟମାନୁସାରେ ସହର ଭିତରକୁ ଭାରୀଯାନ ପ୍ରବେଶ କରିବା କଥା ନୁହେଁ। ମାତ୍ର ଏହି ଅଞ୍ଚଳରେ ଶିଳ୍ପାଞ୍ଚଳ ଥିବା ଆଳରେ ଭାରୀଯାନ ଅବାଧରେ ପଶୁଛି। କଟକଣାକୁ ଖୋଲାଖୋଲି ଉଲ୍ଲଂଘନ କରି ପ୍ରତିଦିନ ଶହ ଶହ ଭାରୀଯାନ ମୁଖ୍ୟବଜାର ଦେଇ ଯାତାୟାତ କରୁଛନ୍ତି। ସେମିତି ହାଟ ସମ୍ମୁଖ ରାସ୍ତାରେ ବଢ଼ିଚାଲିଛି ଉଠା ବ୍ୟବସାୟୀଙ୍କ ଦୋକାନ। ଏହି ବ୍ୟବସାୟୀମାନେ ଦୋକାନ ଆଗକୁ ଆଗକୁ ନେଇ ରାସ୍ତାକୁ କବ୍‌ଜା କରି ଚାଲିଛନ୍ତି। ସେମିତି ଗ୍ରାହକମାନେ ଯିଏ ଯୁଆଡ଼େ ପାରିଲେ ଗାଡ଼ି ମଟର ପାର୍କିଂ କରୁଛନ୍ତି। କୌଣସି କଟକଣା ନାହିଁ। ବିଏମ୍‌ସି ଓ ଟ୍ରାଫିକ୍‌ ପୁଲିସ ହାତ ଟେକି ଦେଇଛନ୍ତି। ଫଳରେ ରସ୍ତା ସଂକୁଚିତ ହୋଇଯାଇଛି। ଏହି କାରଣରୁ ରାସ୍ତାରେ ଟ୍ରାଫିକ୍ ଜାମ୍‌ ଏକ ସାଧାରଣ କଥା ହୋଇଗଲାଣି। ଫଳରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ଭିଏସ୍‌ଏସ୍‌ନଗର, ଚକେଇସିଆଣି, ଭୋଟପଡ଼ା, ସମେଇଗାଡ଼ିଆ, ରଙ୍ଗମାଟିଆ, ଗାଡ଼କଣ, ମଞ୍ଚେଶ୍ବର ଆଦି ଅଞ୍ଚଳର ହଜାର ହଜାର ଲୋକ ପ୍ରଭାବିତ ହେଉଛନ୍ତି।

ସମ୍ବନ୍ଧିତ ଖବର