ପାଞ୍ଚ ପ୍ରାଚୀନ ଶିବଲିଙ୍ଗ ଏବେ କେଉଁଠି? ସୁବର୍ଣ୍ଣ ମୁକୁଟେଶ୍ବର ମନ୍ଦିର ନିକଟରେ ଖନନ ବେଳେ ମିଳିଥିଲା

ପୁନରୁଦ୍ଧାର କାମ ଅଧାରେ ବନ୍ଦ, ଭୁଶୁଡ଼ିବା ସ୍ଥିତିରେ ମନ୍ଦିର

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଥିବା ଏକାଦଶ ଶତାବ୍ଦୀର ପ୍ରାଚୀନ ଶୈବପୀଠ ସୁବର୍ଣ୍ଣ ମୁକୁଟେଶ୍ବର ମନ୍ଦିର ଏବେ ଦୟନୀୟ ଅବସ୍ଥାରେ। ଅନେକ ବର୍ଷହେଲା ଅବହେଳିତ ଅବସ୍ଥାରେ ଥିବାରୁ ଏହି ମନ୍ଦିର ଏବେ ଭୁଶୁଡ଼ି ପଡ଼ିବା ଆଶଙ୍କା ଦେଖାଦେଇଛି। ମନ୍ଦିରର ବହୁ ଅଂଶରେ ବରଗଛ ଚେର ମାଡ଼ି ଚାଲିଥିବାରୁ ଫାଟ ସୃଷ୍ଟି ହେଲାଣି। ଐତିହ୍ୟ ସୁରକ୍ଷା ପାଇଁ ବହୁ ଯୋଜନା ଚାଲିଥିବାବେଳେ ଏହି ମନ୍ଦିର ଦାୟିତ୍ବରେ ଥିବା ସଂସ୍ଥା ଓ ଅଧିକାରୀମାନଙ୍କ ନଜର ଆଢ଼ୁଆଳରେ ରହିଯାଇଛି। ପ୍ରତ୍ନତତ୍ତ୍ବ ବିଭାଗ ୨୦୧୬ ମସିହାରୁ ଏହି ମନ୍ଦିରର ପୁନରୁଦ୍ଧାର କାମ ଆରମ୍ଭ କରି ଅଧାରୁ ବନ୍ଦ ରଖିଥିବାରୁ ଏଭଳି ସ୍ଥିତି ଉପୁଜିଥିବା ଅଭିଯୋଗ ହେଉଛି। ତେବେ ବଡ଼ କଥା ହେଉଛି, ଏହି ମନ୍ଦିରରୁ ମିଳିଥିବା ୫ଟି ପ୍ରାଚୀନ ଶିବଲିଙ୍ଗ କୁଆଡ଼େ ଉଭାନ ହୋଇଯାଇଛି। ୨୦୧୬ ମସିହାରେ ଏହି ମନ୍ଦିର ନିକଟରେ ଖନନ କାମ ଚାଲିଥିବାବେଳେ ମିଳିଥିବା ୫ଟି ଶିବଲିଙ୍ଗ ସମ୍ପର୍କରେ ବର୍ତ୍ତମାନ କୌଣସି ସୂଚନା ନଥିବାରୁ ସେବାୟତ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଶ୍ରୀଲିଙ୍ଗରାଜ ମନ୍ଦିରର ସିଂହଦ୍ବାରଠାରୁ ଦକ୍ଷିଣ-ପୂର୍ବ କୋଣରେ ମାତ୍ର ୪୦ ଫୁଟ୍ ଦୂରରେ ରହିଛି ସୁବର୍ଣ୍ଣ ମୁକୁଟେଶ୍ବର (ଏକାମ୍ରେଶ୍ୱର) ମନ୍ଦିର। ଦୀର୍ଘ କାଳ ଧରି ଅବହେଳିତ ହୋଇ ରହିଥିବା ଏହି ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟ ୫ ବର୍ଷ ପୂର୍ବେ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ଆରମ୍ଭ କରିଥିଲା। ମନ୍ଦିରର ବହୁ ଅଂଶ ପୋତି ହୋଇ ରହିଥିବାରୁ ଖନନ କରି ପୂରା ମନ୍ଦିରକୁ ବାହାର କରିବାକୁ ଯୋଜନା ହୋଇଥିଲା।

ସୂଚନାଯୋଗ୍ୟ ଯେ ମନ୍ଦିରଟି ଭୁଶୁଡ଼ି ପଡିବା ଆଶଙ୍କା ଥିବାରୁ ୨୦୧୨ ଡିସେମ୍ବର ୩ରେ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗର ବୈଷୟିକ ବିଶେଷଜ୍ଞ ଦଳ ଏହାକୁ ଯାଞ୍ଚ କରିଥିଲେ। ପ୍ରଫେସର ଜି.ସି. ମିତ୍ରଙ୍କ ନେତୃତ୍ବରେ ଏକ ଦଳ ଏହି ମନ୍ଦିର ଅନୁଧ୍ୟାନ କରିଥିଲେ। ଅନୁଧ୍ୟାନ ବେଳେ ପ୍ରାୟ ୧୫ରୁ ୨୦ ଫୁଟ୍ ମାଟି ତଳେ ମନ୍ଦିରର କିଛି ଅଂଶ ପୋତି ହୋଇ ରହିଥିବା ଦେଖିବାକୁ ମିଳିଥିଲା ଏହା ପରେ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରଥମେ ମନ୍ଦିର ଚତୁଃପାର୍ଶ୍ୱରୁ ମାଟି ବାହାର କରାଯାଇଥିଲା। ପଶ୍ଚିମ-ଦକ୍ଷିଣ ପାର୍ଶ୍ୱରେ ପ୍ରାୟ ୧୨ ଫୁଟ୍ ଖନନ ପରେ ଏକ ଭଗ୍ନ ମନ୍ଦିରର ସନ୍ଧାନ ମିଳିଥିଲା। ସେହିପରି ପୂର୍ବ-ଉତ୍ତର କୋଣରେ ମଧ୍ୟ ଏକ ଭଗ୍ନ ମନ୍ଦିର ବାହାରିଥିଲା। ୨୦୧୬ ମସିହା ଅକ୍ଟୋବର ୨୯ରେ ଗୋଟିଏ ତିନିକୋଣିଆ ଶିବଲିଙ୍ଗ ବାହାରି ଥିବାବେଳେ ଡିସେମ୍ବର ୪ରେ ଆହୁରି ଦୁଇଟି ଶିବଲିଙ୍ଗ ବାହାରିଥିଲା। ଏହାପରେ ଡିସେମ୍ବର ୭ରେ ଆହୁରି ପୁଣି ଦୁଇଟି ଶିବଲିଙ୍ଗ ବାହାରିଥିଲା। ପଞ୍ଚାୟତନ ଶୈଳୀ‌ରେ ଏହି ମନ୍ଦିର ନିର୍ମାଣ ହୋଇଥିଲା ବୋଲି ସ୍ପଷ୍ଟ ହୋଇଥିଲା।

ଖନନ ପରେ ପୂରା ମନ୍ଦିରକୁ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ସୌନ୍ଦର୍ଯ୍ୟୀକରଣ କରିବ ବୋଲି କୁହାଯାଇଥିଲା। ସେହି ଅନୁସାରେ ମନ୍ଦିରର ଭାଙ୍ଗିଯାଇଥିବା କିଛି ପଥର ଖଣ୍ଡକୁ ମଧ୍ୟ ଯୋଡ଼ା ଯାଇଥିଲା। କିନ୍ତୁ ସେଇଠି ଅଟକି ଯାଇଥିଲା ପୁନରୁଦ୍ଧାର କାର୍ଯ୍ୟ। ଅଧା ଖନନ ହୋଇ ମନ୍ଦିର ରହିଗଲା। ଏବେ ମନ୍ଦିରର ବିଭିନ୍ନ ସ୍ଥାନରେ ଫାଟ ଦେଖା ଗଲାଣି। ବାଉଁଶବାଡ଼ ଘେରା ହୋଇଥିବାରୁ ସେଠାକୁ କେହି ଯା’ଆସ କରୁନାହାନ୍ତି। ଅନ୍ୟପଟେ ୫ଟି ଯାକ ପ୍ରାଚୀନ ଶିବଲିଙ୍ଗର ଖୋଜଖବର ନଥିବାରୁ ସେବାୟତମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଶ୍ଚର୍ଯ୍ୟର ବିଷୟ ହେଉଛି, ଏନେଇ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ କୌଣସି ଅଧିକାରୀ କିଛି କହିବାକୁ ନାରାଜ।

ସମ୍ବନ୍ଧିତ ଖବର