କ୍ରୀଡ଼ା ଦୁନିଆରେ ଜାତୀୟସ୍ତରରେ ଓଡ଼ିଶା ଦବ୍‌ଦବା ଦେଖାଇ ପାରୁ ନାହିଁ। ଖୋଦ୍ ରାଜଧାନୀ ଭୁବନେଶ୍ବରରେ ଦୟନୀୟ ସ୍ଥିତି ‘ଭାତ ହାଣ୍ଡିରୁ ଗୋଟିଏ’ ଭଳି। ବହୁ ଖେଳାଳି, ଖେଳ ଅନୁରାଗୀ ବ୍ୟକ୍ତି, ଖେଳ ପ୍ରଶାସକ ଏଇଠାରେ ରହୁଛନ୍ତି। କିନ୍ତୁ ଖେଳାଳି ଗଢ଼ିବାଠାରୁ ଆରମ୍ଭ କରି ଖେଳ ପାଇଁ ଏକ ଅନୁକୂଳ ପରିବେଶ ଯୋଗାଇଦେବାରେ ବି ସଫଳ ହୋଇ ନାହିଁ ଭୁବନେଶ୍ବର। ତୃଣମୂଳସ୍ତରରେ ଖେଳ ଓ ଖେଳାଳିଙ୍କ ପାଇଁ ପ୍ରତିବନ୍ଧକ ସାଜୁଥିବା ଏକାଧିକ ପ୍ରସଙ୍ଗକୁ ଲୋକଲୋଚନକୁ ଆଣିବାକୁ ‘ସମ୍ବାଦ’ ଯୋଜନା କରିଛି। ଖେଳ ଓ ଖେଳାଳିଙ୍କ ପାଇଁ ଏକ‌ ମୌଳିକ ଆବଶ୍ୟକତା ‘ଖେଳ ପଡ଼ିଆ’ର ଅଭାବ ପ୍ରସଙ୍ଗକୁ ଏଥର ସ୍ଥାନ ଦେଇଛୁ।   ରିପୋର୍ଟ - ସୁରେଶ ସ୍ବାଇଁ

Advertisment

ରାଜଧାନୀର କଳେବର ଯେତେ ଦ୍ରୁତ ଗତିରେ ବଢ଼ୁଛି, ଖେଳ ପଡ଼ିଆର ଅଭାବ ସେତିକି ଅନୁଭୂତ ହେଉଛି। ରାଜଧାନୀରେ ଖେଳ ପାଇଁ ୨୪ ଘଣ୍ଟା ଉପଲବ୍‌ଧ ଥିବା ଭଳି ଗୋଟିଏ ବି ପଡ଼ିଆ ନାହିଁ। ଭୁବନେଶ୍ବରରେ ଖେଳ କହିଲେ ଏହା କିଛି କ୍ରିକେଟ୍‌ କ୍ଲବ୍ ଓ ସ୍କୁଲ୍‌ ପଡ଼ିଆରେ ସୀମିତ। କ୍ରିକେଟ୍‌ କ୍ଲବ୍‌ଗୁଡ଼ିକ ନିୟମିତ ଭାବେ ଖେଳୁଥ‌ିଲେ ମଧ୍ୟ ଅଧିକାଂଶଙ୍କର ନିଜସ୍ବ ପଡ଼ିଆ ନାହିଁ। ସ୍କୁଲ୍‌ ପଡ଼ିଆକୁ ସେମାନେ ବ୍ୟବହାର କରି କାମ ଚଳାଉଛନ୍ତି। ସ୍କୁଲ୍‌ଗୁଡ଼ିକରେ ଏବେ ଖେଳ କ୍ଲାସ୍‌, ଖେଳ ଯୋଜନା ଆଦି କାଁ ଭାଁ ଚାଲୁଥିବାରୁ ସେମାନଙ୍କୁ ବି ଏହା ସୁହାଉଛି। ଫଳରେ ଖେଳାଳି ଗଢ଼ିବାର ମୂଳ ଉତ୍ସ ସ୍କୁଲ୍‌ରେ ଖେଳ ପ୍ରତି ଆଦର କ୍ରମେ କମି ଚାଲିଛି। ପ୍ରତିଯୋଗିତା ଓ ପ୍ରତିଦ୍ବନ୍ଦ୍ବିତା ମନୋଭାବର ଅଭାବ ହିଁ ଭଲ ଖେଳାଳି ଗଢ଼ିବାରେ ପ୍ରତିବଂଧକ ସାଜିଛି।

ରାଜଧାନୀର ଅଗ୍ରଣୀ କ୍ରିକେଟ୍ କ୍ଲବ୍‌ଗୁଡ଼ିକ ମଧ୍ୟରେ ରାମେଶ୍ବର ସ୍ପୋର୍ଟିଂ କ୍ଲବ୍‌ ବର୍ଷ ବର୍ଷ ଧରି ବିଏମ୍‌ ହାଇସ୍କୁଲ୍‌ ପଡ଼ିଆକୁ, ପାରାମାଉଣ୍ଟ୍ ସ୍ପୋର୍ଟିଂ କ୍ଲବ୍‌ ବିଜେବି କଲେଜ୍ ପଡ଼ିଆକୁ, ସ୍କାନ୍ ସ୍ପୋର୍ଟିଂ ୟୁନିଟ୍‌-୩ ବାଳିକା ହାଇସ୍କୁଲ୍‌ ପଡ଼ିଆକୁ, ଓସ୍କାର ସ୍ପୋର୍ଟିଂ ରାଜଭବନ ୟୁପି ସ୍କୁଲ୍‌ ପଡ଼ିଆକୁ, ଜାଗୃତି କ୍ରିକେଟ୍ ଏକାଡେମି ଏସ୍‌ଜିଓ ନୂଆପଲ୍ଲୀ ପଡ଼ିଆକୁ, ମୁକ୍ତେଶ୍ବର କ୍ରିକେଟ୍ କ୍ଲବ୍‌ ଜିଏ ଅଧୀନ ପଡ଼ିଆକୁ ବ୍ୟବହାର କରି ଖେଳାଳି ଗଢ଼ିବା କାମରେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ସେହିଭଳି ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ଅଧୀନ ଗ୍ରାଉଣ୍ଡ୍‌କୁ ବ୍ୟବହାର କରୁଛନ୍ତି ସହିଦ ସ୍ପୋର୍ଟିଂ କ୍ଲବ୍‌ ଓ ପ୍ରଗତି ସ୍ପୋର୍ଟିଂ କ୍ଲବ୍‌। ପୁରୁଣା ଭୁବନେଶ୍ବରର ମୂଳାପଡ଼ିଆ ସମ୍ଭବତଃ ଏକମାତ୍ର ପଡ଼ିଆ ଯାହା ଟାଉନ୍ କ୍ଲବ୍‌ର ନିଜ ନାମରେ ରହିଛି। କ୍ରିକେଟ୍ କ୍ଲବ୍‌ କଥାକୁ ଛାଡ଼ିଦେଲେ ସ୍କୁଲ୍‌ ପଡ଼ିଆଗୁଡ଼ିକ ଜବରଦଖଲ ହେବା ଏବଂ ସ୍କୁଲ୍‌ରେ ଆଉ ଖେଳ ନ ହେବା ମଧ୍ୟ‌ ଖେଳ ପାଇଁ ପ୍ରତିକୂଳ ପରିବେଶ ସୃଷ୍ଟି କରୁଛି। ଫଳରେ ଜଣେ ସାଧାରଣ ଲୋକ ଫିଟ୍‌ନେସ୍‌ ପାଇଁ ହେଉ କି ନିଜ ପିଲାକୁ ପେସାଦାର ଖେଳାଳିଟିଏ ଗଢ଼ିବା ପାଇଁ ଚେଷ୍ଟା କରିବାକୁ ବାହାରିଲେ ପ୍ରଥମେ ପଡ଼ିଆ ପ୍ରତିବନ୍ଧକର ସମ୍ମୁଖୀନ ହେଉଛି। 

କିଛି ବର୍ଷ ତଳେ ରାଜଧାନୀରେ ୨୦ଟି ଖେଳ ପଡ଼ିଆ ପାଇଁ କାର୍ଯ୍ୟାରମ୍ଭ କରିଥ‌ିଲେ ମଧ୍ୟ ତାହାର ଏବେ ଖୋଜ ଖବର ନାହିଁ। ବରଂ ସରକାର ନିଜେ ରାଜଧାନୀର ଦୁଇ ପ୍ରମୁଖ ଶିକ୍ଷାନୁଷ୍ଠାନ ୟୁନିଟ୍‌-୧ ବାଳକ ହାଇସ୍କୁଲ୍ ଓ କ୍ୟାପିଟାଲ୍ ହାଇସ୍କୁଲ୍‌ ପଡ଼ିଆକୁ ଜବରଦଖଲ କରି ଫୁଟ୍‌ବଲ୍ ଏକାଡେମୀ ଗ୍ରାଉଣ୍ଡ୍‌ରେ ପରିଣତ କରିବା ଏହାର ବ୍ୟାପକତାକୁ ସଂକୀର୍ଣ୍ଣ କରି ଦେଇଛି। ରାଜଧାନୀରେ ଖେଳର ହାଲଚାଲ୍ ବୁଝୁଥିବା ସଂସ୍ଥା ‘ଭୁବନେଶ୍ବର ଆଥଲେଟିକ୍ ଆସୋସିଏସନ୍‌’ ବି ସମସ୍ତଙ୍କ ପାଇଁ ପଡ଼ିଆ ଯୋଗାଇବାକୁ ସରକାରଙ୍କ ଦ୍ବାରସ୍ଥ ହୋଇ ବିଫଳ ହୋଇଛି। ୟୁନିଟ୍‌-୬ ଦୌଡ଼କୁଦ ସଂଘ ସେଠାକାର ବାଳକ ହାଇସ୍କୁଲ୍ ଗ୍ରାଉଣ୍ଡ୍‌କୁ ବ୍ୟବହାର କରୁଥିଲେ ମଧ୍ୟ ଏବେ ବିବାଦୀୟ ପରିସ୍ଥିତ କାରଣରୁ ସେଠାରେ ଖେଳ ମାହୋଲ ପ୍ରଭାବିତ ହୋଇଛି। କୋଲକାତାର ମଇଦାନ ଓ ମୁମ୍ବାଇର ଜିମ୍‌ଖାନା ଓ ଶିବାଜୀ ପାର୍କ ଭଳି ପଡ଼ିଆ ବର୍ଷସାରା ଚଳଚଞ୍ଚଳ ରହିବା ସହ ସାଧାରଣ ଖେଳାଳିଟିଏ ପାଇଁ ଉନ୍ମୁକ୍ତ ରହୁଥିବା ବେଳେ ଭୁବନେଶ୍ବରରେ କ୍ରମେ ଖେଳ ପଡ଼ିଆ ପରିସର ସଙ୍କୁଚିତ ହେଉଥିବାରୁ ଅସନ୍ତୋଷ ବ୍ୟାପିବାରେ ଲାଗିଛି। 
ପୂର୍ବ ସରକାର ଭଳି ବର୍ତ୍ତମାନ ସରକାର ଖେଳକୁ ଅଗ୍ରାଧିକାର ‌ଦେଉଥିବାର ଡିଣ୍ଡିମ ପିଟୁଛନ୍ତି। ବହୁ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନ କରି ବାହାବା ନେବା ଏବଂ ଏକାଧିକ ବିଶ୍ବସ୍ତରୀୟ ଭିତ୍ତିଭୂମି ଗଢ଼ିତୋଳିବା ଅପେକ୍ଷା ଭବିଷ୍ୟତର ତାରକା ସୃଷ୍ଟି କରିବା ଲକ୍ଷ୍ୟରେ ଗଣ ଅଂଶଗ୍ରହଣ ପାଇଁ ପଡ଼ିଆ ଭଳି ମୌଳିକ ଆବଶ୍ୟକତାକୁ ଗଳିକନ୍ଦିରେ ଯୋଗାଇବାର ଅଧିକ ଗୁରୁତ୍ବ ରହିଛି। ନ ହେଲେ କଳିଙ୍ଗ ଷ୍ଟାଡିୟମ୍‌ ସହିତ ପୋଖରୀପୁଟ, ନୀଳାଦ୍ରିବିହାର, ଲକ୍ଷ୍ମୀସାଗର, ସହିଦ ନଗର, ୟୁନିଟ୍‌-୧ ଆଦି ଅଞ୍ଚଳରେ ଥିବା ଇନ୍‌ଡୋର୍ ଷ୍ଟାଡିୟମ୍‌ ବ୍ୟବସ୍ଥା କେବଳ ସୀମିତ ସୁଯୋଗ ଦେବ ସିନା ପର୍ଯ୍ୟାପ୍ତ ଖେଳାଳି ଯୋଗାଇ ପାରିବ ନାହିଁ।

କିଛି ବର୍ଷ ତଳେ ଗତ ସରକାର ରାଜଧାନୀରେ ୨୦ଟି ଖେଳ ପଡ଼ିଆ ପାଇଁ କାର୍ଯ୍ୟାରମ୍ଭ କରିଥ‌ିଲେ ମଧ୍ୟ ଏହାର ଖୋଜ ଖବର ନାହିଁ। ବରଂ ସରକାର ନିଜେ ରାଜଧାନୀର ଦୁଇ ପ୍ରମୁଖ ଶିକ୍ଷାନୁଷ୍ଠାନ ୟୁନିଟ୍‌-୧ ବାଳକ ହାଇସ୍କୁଲ୍ ଓ କ୍ୟାପିଟାଲ୍ ହାଇସ୍କୁଲ୍‌ ପଡ଼ିଆକୁ ଜବରଦଖଲ କରି ଫୁଟ୍‌ବଲ୍ ଏକାଡେମୀ ଗ୍ରାଉଣ୍ଡ୍‌ରେ ପରିଣତ କରିବା ଏହାର ବ୍ୟାପକତାକୁ ସଂକୀର୍ଣ୍ଣ କରି ଦେଇଛି। ବିଲ୍ଡରମାନେ ଘର କରିବା ଅନ୍ୟତମ ସମସ୍ୟା ଭାବେ ଉଭା ହୋଇଛି। କୋଲକାତାର ମଇଦାନ ଓ ମୁମ୍ବାଇର ଜିମ୍‌ଖାନା ଓ ଶିବାଜୀ ପାର୍କ ଭଳି ପଡ଼ିଆ ବର୍ଷସାରା ଚଳଚଞ୍ଚଳ ରହିବା ସହ ସାଧାରଣ ଖେଳାଳିଟିଏ ପାଇଁ ଉନ୍ମୁକ୍ତ ରହୁଥିବା ବେଳେ ଭୁବନେଶ୍ବରରେ କ୍ରମେ ଖେଳ ପଡ଼ିଆ ପରିସର ସଙ୍କୁଚିତ ହେଉଛି।-ଅଶୋକ ମହାନ୍ତି, ପୂର୍ବତନ କ୍ରୀଡ଼ା ପ୍ରଶାସକ

‘ଭୁବନେଶ୍ବର ଆଥଲେଟିକ୍ ଆସୋସିଏସନ୍‌’ ବି ସମସ୍ତଙ୍କ ପାଇଁ ସବୁ ଖେଳର ପଡ଼ିଆ ଯୋଗାଇବାକୁ ସରକାରଙ୍କ ଦ୍ବାରସ୍ଥ ହୋଇ ବିଫଳ ହୋଇଛି। ନୂଆ ସରକାରଙ୍କୁ ବି ପ୍ରସ୍ତାବ ଦେବୁ। ଅଧିକ ମାତ୍ରାରେ ଖୋଲା ପଡ଼ିଆ ନ ରହିଲେ ଖେଳର ସମଗ୍ର ବିକାଶ ସମ୍ଭବ ହୋଇପାରିବ ନାହିଁ। ଏଥି ପାଇଁ ସରକାରୀ ସମର୍ଥନ ଅପରିହାର୍ଯ୍ୟ।
ସୌର୍ଯ୍ୟରଂଜନ ପରିଜା
ସମ୍ପାଦକ, ଭୁବନେଶ୍ୱର ଦୌଡ଼କୁଦ ସଂଘ