ଭୁବନେଶ୍ବର: ପ୍ରତି ଘର ପାଇଁ ମଳିବ ଗୋଟିଏ ସ୍ବତନ୍ତ୍ର ନମ୍ବର। ସେହି ନମ୍ବରରୁ ହିଁ ଘରର ସବୁ ତଥ୍ୟ ମିଳିଯିବ। ଠିକଣାକୁ ନେଇ ଦ୍ବନ୍ଦ୍ବ ରହିବ ନାହିଁ। କେବଳ ଠିକଣା ନୁହେଁ, ବରଂ ହୋଲ୍ଡିଂ ଟ୍ୟାକ୍ସ ଠାରୁ ଆରମ୍ଭ କରି ପ୍ରତ୍ୟେକ ଘରକୁ ବିଭିନ୍ନ ସେବା ଯୋଗାଇବା ଓ ରାଜସ୍ବ ଆଦାୟ କ୍ଷେତ୍ରରେ ବିଏମ୍ସି ଅପ୍-ଟୁ-ଡେଟ୍ ରହିପାରିବ। ଏହି ନମ୍ବର ପ୍ରତ୍ୟେକଙ୍କର ନୂଆ ପରିଚୟ ହେବ। ଏଭଳି ଏକ ବ୍ୟବସ୍ଥା ଆପଣେଇଥିଲା ବିଏମ୍ସି। ତାହା ହେଉଛି ଡିଡିଏନ୍ (ଡିଜିଟାଲ ଡୋର ନମ୍ବରିଂ) ସିଷ୍ଟମ୍। ଏକ ଘରୋଇ ସଂସ୍ଥା ଜରିଆରେ ସାରା ଭୁବନେଶ୍ବରରେ ସର୍ବେକ୍ଷଣ କରାଯାଇଥିଲା। ୨୦୨୧ ମସିହା ନଭେମ୍ବର ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବା ପାଇଁ ଯୋଜନା ହୋଇଥିଲା। କିନ୍ତୁ ଅଧିକାରୀମାନଙ୍କର ଅପାରଗତା ଓ ତ୍ରୁଟିଯୁକ୍ତ ସର୍ବେକ୍ଷଣ ଯୋଗୁ ୨ ବର୍ଷ ବିତି ଯାଇଥିଲେ ମଧ୍ୟ ଏହା କାର୍ଯ୍ୟକ୍ଷମ ହୋଇ ପାରିଲା ନାହିଁ। ଗୋଟିଏ ଘରକୁ ଗୋଟିଏ ନମ୍ବର କରିବାକୁ ଯୋଜନା ଥିବା ବେଳେ ଗୋଟିଏ ଘରେ ଚାରିଟି ନମ୍ବର କରାଯାଇଛି। ସରକାରୀ ଜାଗା ଜବରଦଖଲରେ ହୋଇଥିବା ଘରର ବି ଡିଡିଏନ୍ ହୋଇଛି। ଏଣୁ ଏହାକୁ ନେଇ ଏବେ ଚିନ୍ତାରେ ପଡ଼ିଛି ବିଏମ୍ସି। ପୁଣି ଥରେ ସର୍ବେକ୍ଷଣ କରି ଏହି ସବୁ ଘରକୁ ଗୋଟିଏ ଗୋଟିଏ ନମ୍ବର କରିବାକୁ ଯୋଜନା ହେଉଥିବା ଜଣାପଡ଼ିଛି।
ସର୍ବେକ୍ଷଣରେ ଯାବତୀୟ ତ୍ରୁଟି
ଆଉ ଥରେ ସର୍ଭେ ହେବ
ଗୋଟିଏ ହୋଲ୍ଡିଂ, ୪ଟି ଡିଡିଏନ୍
ଏଭଳି ଏକ ବହୁମୂଖୀ ବ୍ୟବସ୍ଥା କରିବାକୁ ତତ୍କାଳୀନ କମିସନର ପ୍ରେମଚନ୍ଦ୍ର ଚୌଧୁରୀ ଯୋଜନା କରିଥିଲେ। ୨୦୧୯ ମସିହାରେ ନବଯୁଗ ସ୍ପେସିଆଲ୍ ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ୍ ସହ ବିଏମ୍ସି ଚୁକ୍ତି କରିଥିଲା। ୨୦୨୧ ଫେବୃଆରି ମାସରୁ ସର୍ଭେ ଆରମ୍ଭ ହୋଇଥିଲା। ୨୦୨୧ ନଭେମ୍ବର ମାସରେ ଏହା କାର୍ଯ୍ୟକ୍ଷମ ହେବାକୁ ସ୍ଥିର କରାଯାଇଥିଲା। ସେତେବେଳେ ଅଗ୍ରିମ ବାବଦକୁ ବିଏମ୍ସି ପ୍ରାୟ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲା। ସର୍ଭେ ପରେ ସଂଗୃହୀତ ହୋଇଥିବା ସମସ୍ତ ତଥ୍ୟ ରଖିବା ପାଇଁ ସମ୍ପୃକ୍ତ ସଂସ୍ଥାକୁ ଏକ ‘ସର୍ଭର୍’ ଆବଶ୍ୟକ ହୋଇଥିଲା।
ଚୁକ୍ତି ମୁତାବକ ବିଏମ୍ସି ଏହି ସର୍ଭର ଯୋଗାଇବା କଥା। ଏ ନେଇ ମାନସମନ୍ଥନ ଚାଲିଥିବା ସମୟରେ ହିଁ ପ୍ରେମଚନ୍ଦ୍ର ଚୌଧୁରୀଙ୍କ ବଦଳି ହୋଇଥିଲା ଓ ସଞ୍ଜୟ ସିଂହ କମିସନର ଭାବେ ଦାୟିତ୍ବ ନେଇଥିଲେ। ସେ ମଧ୍ୟ ସର୍ଭର୍ ଯୋଗାଇ ଦେବା ପାଇଁ ଯୋଜନା କରିଥିଲେ। ସ୍ମାର୍ଟ ସିଟିର ଏ ବାବଦରେ ଅଭିଜ୍ଞତା ଥିବାରୁ ବିଏସ୍ସିଏଲ୍କୁ ଦାୟିତ୍ବ ଦିଆଯାଇଥିଲା। ପ୍ରଥମେ ଓକାକ୍ ଠାରୁ ସର୍ଭର ଭଡ଼ା ସୂତ୍ରରେ ଆଣି ଏହି ତଥ୍ୟ ରଖିବା ପାଇଁ ଯୋଜନା ହୋଇଥିଲା। କିନ୍ତୁ କୌଣସି କାରଣରୁ ଏହା ସମ୍ଭବ ହୋଇନଥିଲା। ଶେଷରେ ବିଏସ୍ସିଏଲ୍ ଏକ ଘରୋଇ ସଂସ୍ଥାର ସର୍ଭର ଭଡ଼ାରେ ନେଇ ଏହାକୁ ରଖିବା ପାଇଁ ନିଷ୍ପତ୍ତି ହେଲା। କେତେ ଜାଗା ଦରକାର ସେ ନେଇ ବିଏସ୍ସିଏଲ୍ ଆକଳନ କଲା। ତେବେ ଏହି ଘରୋଇ ସଂସ୍ଥାର ତଥ୍ୟକୁ ଜଣେ ବରିଷ୍ଠ ଅଧିକାରୀ ପ୍ରମାଣିତ କରିବା ପାଇଁ ବିଏସ୍ସିଏଲ୍ ଚାହିଥିଲା। କିନ୍ତୁ କେହି ଏହାକୁ ପ୍ରମାଣିତ କରିବାକୁ ଚାହିନଥିଲେ। ଇତିମଧ୍ୟରେ ରାଜସ୍ବ ଉପବିଭାଗର ଡେପୁଟି କମିସନର ଶ୍ରୀମନ୍ତ ମିଶ୍ରଙ୍କର ମଧ୍ୟ ବଦଳି ହୋଇଥିଲା। ତାଙ୍କ ପରେ ସପନ କୁମାର ନନ୍ଦ ଏହି ବିଭାଗ ଦାୟିତ୍ବ ନେଇଛନ୍ତି। କିନ୍ତୁ ତାଙ୍କ ପାଖେ କୌଣସି ସୂଚନା ନଥିବା କହିଛନ୍ତି। ବିଏସ୍ସିଏଲ୍କୁ ଗତ ସେପ୍ଟେମ୍ବର ମାସରୁ ଫାଇଲ୍ ଦେଇ ଦିଆଯାଇଛି। ଏବେ କିଏ ଏହାକୁ ପ୍ରମାଣିତ କରିବ? ବାସ୍ତବରେ ଏଥିରେ ଯାବତୀୟ ତ୍ରୁଟି ଥିବାରୁ ଅଧିକାରୀମାନେ ଏହାକୁ ରିସ୍କ ବୋଲି ଭାବୁଛନ୍ତି। ୱାର୍ଡ ଅଫିସରମାନେ ଏହାକୁ ସ୍ବୀକୃତ କରିଥିବାରୁ ସେମାନଙ୍କ ଉପରେ ଅଫିସରମାନେ ବଷୁର୍ଛନ୍ତି। ଆଉ ଥରେ ସର୍ଭେ କରି ତଥ୍ୟଗତ ସଂଶୋଧନ ହେଲେ ଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯାଇପାରିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ସୂଚନା ମୁତାବକ, ଡିଡିଏନ୍ ଏକ ସ୍ଥାୟୀ ଠିକଣା ଭାବରେ କାମ କରିଥାନ୍ତା। କେବଳ ଏହି ନମ୍ବର ଦେଇଦେଲେ ସବୁ ସୁବିଧା ଯେମିତିକି ବିଦ୍ୟୁତ, ପାଣି, ଗ୍ୟାସ୍, ହୋଲ୍ଡିଂ ପ୍ରୃତି ସମସ୍ତ ସେବା ସହଜରେ ମିଳିଯିବ। ଆଧାରକାର୍ଡ ଭଳି ଏହା କାମ କରିଥା’ନ୍ତା। ଅମିନ, ୱାର୍ଡ ଅଫିସର ଓ ଜେଡ୍ଡିସିଙ୍କ ସହାୟତାରେ ବିଭିନ୍ନ ଅଞ୍ଚଳର କୋଡ୍ ପ୍ରସ୍ତୁତ କରାଯାଇଥିଲା। ଘରୋଇ ସଂସ୍ଥା ସଦସ୍ୟମାନେ ଘରକୁ ଘର ବୁଲି ଘର ମାଲିକଙ୍କ ନାମ, ଅଞ୍ଚଳ, ବିଦ୍ୟୁତ ସଂଯୋଗର ବିବରଣୀ, ଫୋନ୍ ନମ୍ବର, ଘରର ବିବରଣୀ, ଆପାର୍ଟମେଣ୍ଟ ହୋଇଥିଲେ ଘର ସଂଖ୍ୟା କେତେ? ଇତ୍ୟାଦି ସଂଗ୍ରହ କରିବା ସହ ଜିଓ ଟ୍ୟାଗିଂ ଆଧାରରେ ବିବରଣୀକୁ ‘ସ୍ମାର୍ଟ ଆଡ୍ରେସ୍ ସର୍ଭର’ରେ ଏଣ୍ଟ୍ରି କରିଥିଲେ। କିନ୍ତୁ ସର୍ଭେ ସମୟରେ ଏମାନେ ଗୋଟିଏ ଘରେ ଯଦି ୪ଟି ଦୁଆର ଅଛି ତେବେ ସେମାନେ ୪ଟି ନମ୍ବର କରି ଦେଇଥିଲେ। କେତେକ ଜବରଦଖଲ ଜାଗାରେ ହୋଇଥିବା ଘରେ ମଧ୍ୟ ନମ୍ବର କରିଥିଲେ। ଫଳରେ ସବୁ ଓଲଟପାଲଟ ହୋଇଯାଇଥିଲା। ହୋଲଡିଂ ଟିକସ ଆଦାୟ ବ୍ୟବସ୍ଥାରେ ଏହାକୁ ଉପଯୋଗ କରିବା ବେଳେ ୪ଟି ଡିଡିଏନ୍ରେ ଗୋଟିଏ ହୋଲ୍ଡିଂ ନମ୍ବର ଆସିଥିଲା। ଫଳରେ ବିଏମ୍ସିର ମୁଣ୍ଡ ବିନ୍ଧା ହୋଇଛି। ତେବେ ଯେଉଁଗୁଡ଼ିକ ଠିକ୍ ରହିଛି କ୍ୟୁଆର କୋଡ୍ ସମ୍ମଳିତ ଡିଡିଏନ୍ ପ୍ଲେଟ୍କୁ ଘର ଘର ବୁଲି କାନ୍ଥରେ ଲଗା ଯାଉଛି।