ଡ୍ରେନରେ ଭାସି ଛାତ୍ରର ମୃତ୍ୟୁ ଘଟଣା: କୁଆଡ଼େ ଗଲେ ପ୍ରଶାସକ, କମିସନର? ‌

ଲୋକଙ୍କୁ ସାମ୍ନା କରିବାକୁ ସାହସ ଜୁଟାଇ ପାରୁନାହାନ୍ତି, ୨୦ ଲକ୍ଷ କ୍ଷତିପୂରଣ ଦାବି କଲା ଏଆଇଡିଏସ୍‌ଓ

ଭୁବନେଶ୍ୱର : ଡ୍ରେନ୍‌ରେ ଭାସି ଜଣେ ପିଲାର ଜୀବନ ଚାଲିଗଲା। ସୋମବାର ଶବ ମିଳିବା ପରେ ଘଟଣାସ୍ଥଳରୁ ଆରମ୍ଭ କରି ଘର ପର୍ଯ୍ୟନ୍ତ ଏକ ଉତ୍ତେଜନାପୂର୍ଣ୍ଣ ଓ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଗୋଟିଏ ପଟେ ବିରୋଧୀ ଦଳଙ୍କ ହୋ ହଲ୍ଲା ଓ ଅନ୍ୟପଟେ ପରିଜନଙ୍କ ଆକୁଳ କ୍ରନ୍ଦନ ପ୍ରତ୍ୟେକଙ୍କୁ ଭାବବିହ୍ବଳ କରିପକାଇଥିଲା। ହେଲେ ବିଡ଼ମ୍ବନା ହେଲା; ଗତକାଲି ପିଲା ଭାସିଯିବା ଠାରୁ ଆରମ୍ଭ କରି ସୋମବାାର ଦିନ ଶବ ସ୍ବର୍ଗଦ୍ବାର ନେବା ପର୍ଯ୍ୟନ୍ତ ଘଟଣାସ୍ଥଳରେ ବିଏମ୍‌ସି କମିସନର ତ’ ଦୂରର କଥା, ଜଣେ ହେଲେ ବିଏମ୍‌ସିର ବରିଷ୍ଠ ଅଧିକାରୀଙ୍କୁ ଦେଖିବାକୁ ମିଳି ନ ଥିଲା। ବିଏମ୍‌ସି ଦାୟିତ୍ବରେ ଥିବା ପ୍ରଶାସକ, କମିସନର ନା ଘଟଣାସ୍ଥଳକୁ ଯାଇଥିଲେ ନା ଗଣମାଧ୍ୟମରେ ନିଜ ପକ୍ଷ ରଖିଥିଲେ। ଅଫିସର ଶାସନର ଏହି ଅନ୍ଧାରୀ ଦିଗ ଏବେ ସାରା ସହରରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ସଙ୍କଟ ସମୟରେ ଏହି ଅଧିକାରୀମାନଙ୍କ ଅସଲ ମୁଖା ଖୋଲିଯାଇଛି।

ରବିବାର ଅପରାହ୍ଣଠାରୁ ଭୁବନେଶ୍ବର ଉଠୁଛି ପଡ଼ୁଛି। ଡ୍ରେନ୍‌ରେ ଭାସି ଯାଇଥିବା ପିଲାର ଶବ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ, ପୁଲିସ ସହ ମିଶି ସ୍ଥାନୀୟ ଲୋକେ ପ୍ରୟାସ କରୁଥିଲେ। ବିଭିନ୍ନ ରାଜନୈତିକ ଦଳର ନେତାମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକଙ୍କୁ ସମ‌ବେଦନା ଜଣାଇବା ସହ ଲୋକଙ୍କ ସହ ରହିଥିଲେ। କିନ୍ତୁ ବିଏମ୍‌ସିର ପ୍ରଶାସକ ଓ କମିସନର ଆଦୌ ଗତକାଲି ଘଟଣାସ୍ଥଳକୁ ଯାଇ ନ ଥିଲେ। ଉଭୟ ଅଧିକାରୀ ବିଏମ୍‌ସିର ଦାୟିତ୍ବ ସମ୍ଭାଳି ଅଖଣ୍ଡ କ୍ଷମତା ପାଇଥିଲେ ବି ଘଟଣାସ୍ଥଳକୁ ଯାଇ ଲୋକଙ୍କୁ ସାମ୍ନା କରିବାକୁ ସାହସ ଜୁଟାଇ ପାରି ନ ଥିଲେ। ଏହା ଏକ ସର୍ବନିମ୍ନ ଦାୟିତ୍ବବୋଧ ବୋଲି ସେମାନେ ଭୁଲିଗଲେ। ସୋମବାର ଦିନ ମୃତଦେହ ମିଳିଲା ପରେ ମଧ୍ୟ ସେମାନେ ଘଟଣାସ୍ଥଳକୁ ଗଲେ ନାହିଁ। ଏପରିକି ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇବାକୁ ବି ଉଚିତ ମଣିଲେ ନାହିଁ। ଯେମିତି ଗୋଟିଏ ପିଲାର ଜୀବନ ଏମାନଙ୍କ ପାଇଁ ମୂଲ୍ୟହୀନ। କେତେ ଦିନ ଏମିତି ସହରବାସୀଙ୍କୁ ଏପରି ସମ୍ବେଦନହୀନ ଅଧିକାରୀମାନେ ଶାସନ କରିବେ, ତାହା ବର୍ତ୍ତମାନ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ବିଏମ୍‌ସିର ନିର୍ବାଚିତ ଲୋକ ପ୍ରତିନିଧିମାନଙ୍କର କାର୍ଯ୍ୟ ଅବଧି ଶେଷ ହେବା ୨ ବର୍ଷରୁ ଊର୍ଦ୍ଧ୍ବ ସମୟ ବିତିଗଲାଣି। ସେବେଠାରୁ ବିଏମ୍‌ସିର ଶାସନ ଡୋରି ଅଧିକାରୀମାନଙ୍କ ହାତରେ ଧରାଇ ଦିଆଯାଇଛି। ପ୍ରଚୁର କ୍ଷମତା ଉପଭୋଗ କରୁଛନ୍ତି ଏହି ଅଧିକାରୀମାନେ। ନିର୍ବାଚିତ ଜନପ୍ରତିନିଧି ନ ଥିବାରୁ ଯାହା ଇଚ୍ଛା କରୁଛନ୍ତି। ବିଧାୟକ କିମ୍ବା କୌଣସି ନେତାଙ୍କ କଥା ଏମାନେ ଶୁଣନ୍ତିନି। ଏପରିକି ଲୋକଙ୍କ କାମ ନେଇ ଆସୁଥିବା ନେତାଙ୍କୁ ପ୍ରଶାସକ କିମ୍ବା କମିସନର ସହଜରେ ଦେଖା ଦିଅନ୍ତି ନାହିଁ। ସ୍ଲିପ୍ ଦେଇ ସେମାନଙ୍କୁ ଘଣ୍ଟାଘଣ୍ଟା ଦୁଆର ମୁହଁରେ ବସିବାକୁ ପଡ଼େ। ସହରର ସମସ୍ୟା ନେଇ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେବାକୁ ମଧ୍ୟ ସେମାନେ ଚାହାନ୍ତି ନାହିଁ। ନିର୍ବାଚିତ ମେୟର ନ ଥିବାରୁ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ବିଏମ୍‌ସିର ପ୍ରଶା‌ସକ ଭାବେ ନିଯୁକ୍ତି ଦିଆଯାଇଛି। ଏତେ ବଡ଼ ସହରର ମୁଖିଆ ପଦବିରେ ସେ ବସିଥିଲେ ବି ବିଏମ୍‌ସି ଅଫିସକୁ କାଁ ଭାଁ ଆସନ୍ତି। ବିଏମ୍‌ସି ପାଇଁ ତାଙ୍କର ସମୟ ନାହିଁ। ଏତେ ବ୍ୟସ୍ତ ରହୁଥିବା ଜଣେ ଅଧିକାରୀଙ୍କୁ କାହିଁକି ଏଠାରେ ନିଯୁକ୍ତି ଦିଆଯାଇଛି, ତାହା ବୁଝାପଡ଼ୁନି।

୨୦ ଲକ୍ଷ କ୍ଷତିପୂରଣ ଦାବି କଲା ଏଆଇଡିଏସ୍‌ଓ
ଭୁବନେଶ୍ବର : ରବିବାର ଅପରାହ୍ଣରେ ବରମୁଣ୍ଡା ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ପ୍ରାଣ ହରାଇଥିବା ଦଶମ ଶ୍ରେଣୀ ଛାତ୍ର ଜ୍ୟୋତିପ୍ରକାଶ ବେହେରାଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ୨୦ ଲକ୍ଷ ଟଙ୍କା ଦିଆଯାଉ ବୋଲି ଏଆଇଡିଏସ୍‌ଓ ଦାବି କରିଛି। ଏ ନେଇ ସୋମବାର ଏଆଇଡିଏସଓ ଭୁବନେଶ୍ବର ସିଟି କମିଟି ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ୍ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସିଟି କମିଟିର ସଭାପତି ନସିମ ସରକାରଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ବିକ୍ଷୋଭରେ କର୍ମୀମାନେ ବିଏମ୍‌ସିକୁ ଦାୟୀ କରି ବର୍ଷିଥିଲେ। ବିଏମ୍‌ସି ଅଧିକାରୀଙ୍କ ଦାୟିତ୍ବହୀନତା ପାଇଁ ଭୁବନେଶ୍ବର ଜଳମଗ୍ନ ହେଉଛି ବୋଲି ସେମାନେ କହିଥିଲେ। ବର୍ଷ ବର୍ଷ ଧରି ଡ୍ରେନ୍‌ଗୁଡ଼ିକ ମୁକୁଳା ପଡ଼ି ରହିଛି। ଫଳରେ ବାରମ୍ବାର ଏଭଳି ଅଘଟଣ ଘଟୁଛି ବୋଲି ଅଭିଯୋଗ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସଂଗଠନର ରାଜ୍ୟ ସଭାପତି ଗଣେଶ ତ୍ରିପାଠୀ, ସିଟି କମିଟିର ସଂପାଦିକା ସ୍ବସ୍ତି ସଙ୍ଗୀତା ଦଳାଇ, ଅବିନାଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର