କୁଆଡ଼େ ଗଲା ଭୂତାଣୁନାଶ ଅଭିଯାନ

ଭୁବନେଶ୍ବର: କରୋନା ନ ବ୍ୟାପିବା ପାଇଁ ପ୍ରଶାସନ ପକ୍ଷରୁ ଭୂତାଣୁନାଶ ଅଭିଯାନ ଆରମ୍ଭ ହେଲା। ମୁଖ୍ୟରାସ୍ତା, ମାର୍କେଟ୍‌ ଅଞ୍ଚଳ ଓ ପ୍ରମୁଖ ରାସ୍ତା ପାର୍ଶ୍ବ ବିଲ୍‌ଡିଂର ବାହାର ପାଖ ଓ ସର୍ବସାଧାରଣ ସ୍ଥାନ ବିଶୋଧନ କରାଗଲା। ‌ବିଏମ୍‌ସି ପକ୍ଷରୁ ଅଗ୍ନିଶମ ବାହିନୀର ସହଯୋଗରେ ଏପରି ନିୟମିତ କରାଯାଉଥିଲା। ଫଳରେ ଲୋକେ ଯା’ଆସ କରୁଥିବା ସ୍ଥାନ ବିଶୋଧନ ହୋଇଥିବା ନେଇ କିଛିଟା ଆଶ୍ବସ୍ତ ହେଉଥିଲେ। କିନ୍ତୁ ଏବେ ରାଜଧାନୀରେ କରୋନା ସ୍ଥିତି ଅସମ୍ଭାଳ ହେବା ବେଳକୁ ଅନେକ ଅଞ୍ଚଳ ଆଉ ବିଶୋଧନ କରାଯାଉ ନାହିଁ।

ଅଗ୍ନିଶମ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ପ୍ରଥମ ପର୍ଯ୍ୟାୟରେ ୪ଟି ଫାୟାର ଟେଣ୍ଡର ଭାରୀଯାନ ସହାୟତାରେ ରାଜଧାନୀରେ ବିଶୋଧନ ତଥା ଭୂତାଣୁନାଶ ଅଭିଯାନ କରାଯାଇଥିଲା। ବିଏମ୍‌ସିର ନିର୍ଦେଶ ମୁତାବକ ବିଭିନ୍ନ ସ୍ଥାନକୁ ଗାଡ଼ି ପଠାଯାଉଥିଲା। ମାତ୍ର ପରବର୍ତୀ ସମୟରେ ରାଜଧାନୀ‌ରେ ୧୪ ଜଣ ସାନିଟାଇଜର ଇନ୍ସପେକ୍ଟରଙ୍କ ଅଧୀନରେ ୮ଟି ଗାଡ଼ି ଦିଆଯାଇଛି। ଯେପରି ନିର୍ଦେଶ ଆସୁଛି ସେହି ଅନୁଯାୟୀ ବିଶୋଧନ କାର୍ଯ୍ୟ କରାଯାଉଥିବା କୁହାଯାଉଛି। ମାତ୍ର ବାସ୍ତବ ଚିତ୍ର ଭିନ୍ନ। ୬୩ ନମ୍ବର ୱାର୍ଡର ପୂର୍ବତନ କର୍ପୋରେଟର୍‌ ରଘୁନାଥ ମହାନ୍ତି କହିଛନ୍ତି, ଯେତେବେଳେ କରୋନା ରୋଗୀ ଏ ୱାର୍ଡ‌ରେ ଚିହ୍ନଟ ହୋଇ ନଥିଲେ, ସେପର୍ଯ୍ୟନ୍ତ ଅଗ୍ନିଶମ ଗାଡ଼ି ବୁଲି କିଛିଦିନ ଲେଖାଏଁ ଅନ୍ତରରେ ବିଶୋଧନ କରୁଥିଲା। ହେଲେ ଏବେ ସବୁଠି ମାଳମାଳ କରୋନା ଆକ୍ରାନ୍ତ ରହୁଥିଲେ ବି ଆଉ ବିଶୋଧନ ହେଉନାହିଁ। ଲକ୍‌ଡାଉନ୍‌ ସମୟରେ ସୋଡିୟମ ହାଇପୋକ୍ଲୋରାଇଟ୍‌ ଓ ପାଣିର ମିଶ୍ରଣ ସର୍ବସାଧାରଣ ସ୍ଥାନରେ ଓ ପ୍ରମୁଖ ରାସ୍ତାରେ ସିଞ୍ଚନ କରାଯାଉଥିଲା। ଯଦିଓ ଲୋକଙ୍କ ଭିଡ଼ ରହୁଥିବାରୁ ଦିନ ବେ‌ଳା ଏହା ସିଞ୍ଚନ କରାଯାଇପାରୁନାହିଁ, କିନ୍ତୁ ରାତି ବେ‌ଳା ଫାଙ୍କାରେ ଏହା ସିଞ୍ଚନ କରାଯାଇପାରନ୍ତା। କିନ୍ତୁ ଆରମ୍ଭରୁ କିଛି ଦିନ ଏଭଳି କରିବା ପରେ ପ୍ରଶାସନ ଭୁଲିଗଲା।

ଜାଗମରାର ବାସିନ୍ଦା ସୂର୍ଯ୍ୟ ସାହୁ କହିଛନ୍ତି, ଏବେ ଅନେକ ରୋଗୀଙ୍କୁ ନିଜ ଘରେ ପୃଥକବାସରେ ରହିବାକୁ କୁହାଯାଉଛି। ତେବେ କିଛି ବ୍ୟକ୍ତି ଟିକେ ସୁସ୍ଥ ଅନୁଭବ କଲେ ଅମାନିଆ ଭାବେ ବାହାରେ ଆସି ବୁଲାବୁଲି କରୁଥିବା ଦେଖିବାକୁ ମିଳୁଛି। ଏଭଳି ସ୍ଥଳେ ବିଶୋଧନ କରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି। ବୃହତ୍ତର ଜନତାଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ପୁନଃ ବିଶୋଧନ ବ୍ୟବସ୍ଥା ଆରମ୍ଭ କରିବାକୁ ସେ ନିବେଦନ କରିଛନ୍ତି। ଡାକ୍ତର ଇନ୍ଦ୍ରମଣି ଜେନା କହିଛନ୍ତି, ସର୍ବସାଧାରଣ ସ୍ଥାନରେ ଏହା ସିଞ୍ଚନ କରିବା ନିତାନ୍ତ ଆବଶ୍ୟକ। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ଲୋକଙ୍କ ଚଳପ୍ରଚଳ ଓ ଯା’ ଆସ ବହୁ ମାତ୍ରାରେ ବଢ଼ି ଯାଇଛି। ତେବେ ଏହା ଯେପରି ଲୋକଙ୍କ ଉପରେ ନପଡ଼େ, ତା’ ପରେ ମଧ୍ୟ ଗୁରୁତ୍ବ ଦେବା ଆବଶ୍ୟକ। ଯଦିଓ ଏହା ସମୁଦ୍ରଙ୍କୁ ଶଙ୍ଖେ ସଦୃଶ ଏବଂ ପୂରା ପରିବେଶକୁ ବିଶୋଧନ କରିବାକୁ ସମର୍ଥ ନୁହେଁ, କିନ୍ତୁ ଯେଉଁଠାରେ ଲୋକଙ୍କ ଚଳପ୍ରଚଳ ବେଶି ସେ ସ୍ଥାନରେ ପ୍ରତ୍ୟେକ ଦିନ ବିଶୋଧନ କରାଯିବା ଆବଶ୍ୟକ ବୋଲି ଡାକ୍ତର ଜେନା କହିଛନ୍ତି।

ସମ୍ବନ୍ଧିତ ଖବର