କୁଆଡ଼େ ଗଲା ଶ୍ମଶାନ ଯୋଜନା? ପଲିଥିନ୍‌ ତଳେ ଜଳିଲା ଜୁଇ

ବାଲିପାଟଣା: ଗାଁ ଗାଁରେ ଶ୍ମଶାନ ଯୋଜନା ପହଞ୍ଚିନଥିବାରୁ ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ବର୍ଷା ଦିନରେ ଖୋଲାମେଲା ଶ୍ମଶାନ ପଡ଼ିଆରେ ଲୋକେ ବଡ଼ କଲବଲ ହୋଇ ଶବଦାହ କରୁଛନ୍ତି। ଆଜି ବାଲିପାଟଣା ବ୍ଲକ ପମ୍ପାଲୋ ପଞ୍ଚାୟତ କୁଳନ୍ତିରା ଶାସନ ଗାଁରେ ଜଣେ ମହିଳାଙ୍କ ଶବଦାହ କଲା ବେଳେ ସମ୍ପର୍କୀୟମାନେ ବଡ଼ ଦୟନୀୟ ପରିସ୍ଥିତିରେ ପଡ଼ିଥିବା ଜଣାପଡ଼ିଛି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସରକାରଙ୍କ ଶ୍ମଶାନ ଯୋଜନାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଶବଦାହ ବେଳେ ବର୍ଷା ହେବାରୁ ଲୋକେ ପଲିଥିନ୍‌ ତଳେ ଜୁଇ ଜଳାଇ ବଡ଼ କଷ୍ଟରେ ମହିଳାଙ୍କ ଅନ୍ତିମ ସଂସ୍କାର କରିଥିଲେ।

ଆଜି ସକାଳେ କୁଳନ୍ତିରା ଶାସନ ଗାଁର ପୂର୍ଣିମା ବେହେରା(୬୭)ଙ୍କ ଦେହାନ୍ତ ହୋଇଥିଲା। ଶବ ସଂସ୍କାର ପାଇଁ ମାଲ ଭାଇ ଓ ସମ୍ପର୍କୀୟମାନେ ଗାଁ ମଶାଣିକୁ ମୃତଦେହ ନେଇ ଯାଇଥିଲେ। ତେବେ ଜୁଇରେ ନିଆଁ ଲାଗିବା ବେଳକୁ ଆରମ୍ଭ ହେଲା ପ୍ରବଳ ବର୍ଷା। ଜୁଇ ଲିଭିବା ଅବସ୍ଥାକୁ ଆସିଗଲା। କାଠ ଜଳିବା ବଦଳରେ ପ୍ରବଳ ଧୂଆଁ ସୃଷ୍ଟି ହେଲା। ମାଲ ଭାଇମାନେ ଉପାୟଶୂନ୍ୟ ହୋଇପଡ଼ିଥିଲେ ବି ସମ୍ପର୍କୀୟମାନେ ଗାଁରୁ ପଲିଥିନ୍‌ ମଗା‌ଇ ଜୁଇ ଉପରେ ଛାମୁଣ୍ଡିଆ ବାନ୍ଧିଲେ। ତଥାପି ବର୍ଷା ଛିଟିକାରେ ଜୁଇ ଭଲ ଜଳିଲା ନାହିଁ। ପରିବାର ଲୋକେ ଘିଅ, ଝୁଣା, ଚିନି ଆଦି ଯୋଗାଇ ଦେବା ପରେ ମାଲ ଭାଇମାନେ ସେସବୁକୁ ପକାଇ ଜୁଇ ଜଳାଇ ରଖିଲେ ଏବଂ ବଡ଼ କଷ୍ଟରେ ଶବଦାହ କଲେ।

ଆଜିର ଘଟଣା ଏକ ନମୁନା ମାତ୍ର। ସମଗ୍ର ବାଲିପାଟଣାରେ ଏମିତି ଘଟଣା କିଛି ନୂଆ ନୁହେଁ। ବହୁ ଗାଁରେ ଶ୍ମଶାନ ଯୋଜନା କାର୍ଯ୍ୟକାରୀ ହୋଇନଥିବାରୁ ଲୋକେ ଏମିତି କଲବଲ ହେଉଛନ୍ତି। କେଉଁଠି ଗାଁ ମଶାଣିକୁ ଭଲ ରାସ୍ତା ନାହିଁ ତ କେଉଁଠି ଶ୍ମଶାନ ଘର ଓ ଚୁଲା ନାହିଁ। ପଞ୍ଚଦଶ କେନ୍ଦ୍ର ଅର୍ଥ କମିସନ ଓ ୫ମ ରାଜ୍ୟ ଅର୍ଥ କମିସନ ପାଣ୍ଠିରୁ ୨୦୧୫/୧୬ ମସିହାରେ ଗାଁ ଶ୍ମଶାନ ଲାଗି ଅର୍ଥ ମଞ୍ଜୁର ହେଉଥିଲା। ଅଢ଼େଇ ଲକ୍ଷ ଟଙ୍କା ବିନିମୟରେ ଚୁଲା ଓ ଘର ନିର୍ମାଣ ହେଉଥିଲା। କିନ୍ତୁ ୨୦୧୯/୨୦ ରୁ ଏହି ଯୋଜନା ଏକପ୍ରକାର ସ୍ଥଗିତ ରହିଛି ବୋଲି ଅଭିଯୋଗ ହେଉଛି। ଏନେଇ ପମ୍ପାଲୋ ପଞ୍ଚାୟତ ସରପଞ୍ଚ ବାହାନ ଭୋଇଙ୍କ କହିବା କଥା ଏହି ସ୍କିମ୍‌ ଏବେ ବନ୍ଦ ଅଛି। କିନ୍ତୁ ବିଡିଓ ଆଦିକନ୍ଦ ବେହେରାଙ୍କ କହିବା କଥା ପଞ୍ଚଦଶ କେନ୍ଦ୍ର ଅର୍ଥ କମିସନ ଓ ୫ମ ରାଜ୍ୟ ଅର୍ଥ କମିସନ ପାଣ୍ଠିରେ ଗାଁ ଶ୍ମଶାନ ଘର ଓ ଚୁଲା ନିର୍ମାଣ ହୋଇପାରିବ। ପ୍ରଶାସନ ପକ୍ଷରୁ ଏଥିପାଇଁ ପଞ୍ଚାୟତ ଜନପ୍ରତିନିଧିମାନଙ୍କୁ ସଚେତନ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର