ଭୁବନେଶ୍ବର: ଏଥର ବିଏମ୍‌ସିରେ ସଂଖ୍ୟାଧିକ ମହିଳା କେର୍ପାରେଟର ନିର୍ବାଚିତ ହୋଇ ସର୍ବକାଳୀନ ରେକର୍ଡ କରିଛନ୍ତି। ୬୭ ୱାର୍ଡରୁ ପ୍ରଥମ ଥର ପାଇଁ ୪୨ ଜଣ ମହିଳା କର୍ପୋରେଟର ବିଏମ୍‌ସିକୁ ନିର୍ବାଚିତ ହୋଇଛନ୍ତି। ମହିଳାଙ୍କୁ ମର୍ଯ୍ୟାଦା ଦେବାକୁ ଯାଇ ଏଥର ଡେପୁଟି ମେୟର ପଦ ମଧ୍ୟ ମହିଳାଙ୍କୁ ଦିଆଯାଇଛି। ମେୟର ବି ମହିଳା । ଯେତେବେଳେ ମହିଳାମାନେ କର୍ପୋରେଟର ଭାବେ ନିର୍ବାଚିତ ହୋଇ ଆସିଲେ, ଲାଗୁଥିଲା ମହିଳା ମେୟରଙ୍କ ନେତୃତ୍ବରେ ଏହି ମହିଳା କର୍ପୋରେଟରମାନେ ଶାସନର ମଙ୍ଗ ଧରିବେ। ଶପଥ ନେବା ପରେ ଗଣମାଧ୍ୟମରେ ବିବୃତି ରଖିଥିଲେ ଲୋକଙ୍କ ପାଇଁ କାମ କରିବୁ।

Advertisment

ହେଲେ ଶପଥ ନେବାର ମା‌ତ୍ର ୨୦ ଦିନ ଭିତରେ କେତେକ ମହିଳା ‌କର୍ପୋରେଟରଙ୍କ ଅସଲ କଥା ପଦାରେ ପଡ଼ିଗଲା। ପୂର୍ବରୁ ଯେମିତି ସେମାନେ ରବର ଷ୍ଟାମ୍ପ ଥିଲେ ଏବେ ବି ସେମାନେ ରବର ଷ୍ଟାମ୍ପ ବୋଲି ପ୍ରମାଣିତ କରି‌ଦେଲେ। ସେମାନେ ପୂର୍ବବତ୍‌ ଘରେ ବସିଲେ, ସ୍ବାମୀମାନେ ୱାର୍ଡ ଉନ୍ନତି ପାଇଁ ରାସ୍ତାକୁ ଓହ୍ଲାଇଲେ। ଖୋଦ୍‌ ମେୟରଙ୍କ ସହ ୱାର୍ଡରେ ବୁଲି ଲୋକଙ୍କ ଦୁଃଖ ବୁଝିଲେ। ଆଜି ମେୟର ସୁଲୋଚନା ଦାସ ୩୭, ୩୮ ଓ ୩୯ ନମ୍ବର ୱାର୍ଡ ପରିକ୍ରମା କଲାବେଳେ ଏଭଳି ଚିତ୍ର ଗୋଟିଏ ଫ୍ରେମ୍‌ରେ କଏଦ୍‌ ହୋଇଛି। ୩୭ ନମ୍ବର କର୍ପୋରେଟର ବନ୍ଦିତା ପାଲ୍‌ଙ୍କ ସ୍ବାମୀ ଅର୍ଜୁନ ବେହେରା, ୩୮ ନମ୍ବରର ପଦ୍ମଜା ପ୍ରିୟଦର୍ଶିନୀ ଜେନାଙ୍କ ସ୍ବାମୀ ସୌମେନ୍ଦ୍ର ଜେନା ଓ ୩୯ ନମ୍ବର ୱାର୍ଡ କର୍ପୋରେଟର ଗୀତାଞ୍ଜଳି ସାହୁଙ୍କ ସ୍ବାମୀ ବିଷ୍ଣୁପ୍ରସାଦ ସାହୁ ମେୟରଙ୍କ ସହ ୱାର୍ଡରେ ବୁଲି ବିଭିନ୍ନ ସମସ୍ୟା ଓ ତାର ସମାଧାନର ବାଟ ମେୟରଙ୍କୁ ଦେଖାଇଛନ୍ତି।

ପ୍ରଶ୍ନ ଉଠୁଛି କେବେ ଏହି ନିର୍ବାଚିତ ମହିଳା ପ୍ରତିନିଧିମାନେ ଶାସନର ମଙ୍ଗ ଧରିବେ? କେତେଦିନ କେବଳ ରବର ଷ୍ଟାମ୍ପ ହୋଇ ଖାଲି ବୈଠକରେ ବସୁଥିବେ ଓ ସ୍ବାମୀମାନେ ଏଭଳି ରାଜନୀତି କରୁଥି‌ବେ? ଏହା କଣ ମହିଳା ସଶକ୍ତୀକରଣ ବୋଲି କେତେକ ବରିଷ୍ଠ ନାଗରିକ ପ୍ରଶ୍ନ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଏଥର ୪୨ଜଣ ମହିଳା କର୍ପୋରେଟର ନିର୍ବାଚିତ ହୋଇ ବିଏମ୍‌ସିରେ ପରିଷଦକୁ ଆସିଛନ୍ତି। ୫୦% ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ଏହି ସଂଖ୍ୟା ହେଉଛି ୬୧%ରୁ ବେଶି। ଗତଥର ବିଏମ୍‌ସିରେ ୩୮ଜଣ କର୍ପୋରେଟର ରହିଥିଲେ।