ହତ୍ୟା ଅଭିଯୁକ୍ତ ଶୋଭାଯାତ୍ରାରେ ଆସିବା ମାମଲା: କୁଆ‌ଡ଼େ ଗଲେ ବାକି ୩ ଅଭିଯୁକ୍ତ?

ଭୁବନେଶ୍ବର: ବହୁଚର୍ଚ୍ଚିତ ଅମରେଶ ନାୟକ ହତ୍ୟାକାଣ୍ଡ ମାମଲାରେ ଜାମିନ ପାଇଥିବା ୪ ଅଭିଯୁକ୍ତଙ୍କ ଖୋଲା ଜିପ୍‌ ଶୋଭାଯାତ୍ରାକୁ ନେଇ ତନାଘନା ଚାଲିଛି। ବିହାର, ଉତ୍ତରପ୍ରଦେଶ ଭଳି ଭୁବନେଶ୍ବରରେ ଅଭିଯୁକ୍ତ ଶୋଭାଯାତ୍ରା କରିବା ଘଟଣାକୁ କେହି ବରଦାସ୍ତ କରିପାରୁ ନାହାନ୍ତି। ମୁଖ୍ୟମନ୍ତ୍ରୀ କମିସନରେଟ୍‌ ପୁଲିସର କାର୍ଯ୍ୟଦକ୍ଷତାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବାର ପ୍ରମୁଖ କାରଣ ମଧ୍ୟରୁ ଏହି ଅଭିଯୁକ୍ତଙ୍କ ଶୋଭାଯାତ୍ରା ପ୍ରସଙ୍ଗ ପ୍ରମୁଖ ରହିଛି। ଶୋଭାଯାତ୍ରା କରିବାକୁ ସାହସ ଦେଲା କିଏ, ସେ ନେଇ ଓଡ଼ିଶା ପୁଲିସର ଗୁଇନ୍ଦା ବିଭାଗ ମଧ୍ୟ ଲାଗି ପଡ଼ିଥିବା ସୂଚନା ମିଳିଛି। ଜାମିନ୍‌ରେ ଆସିଥିବା ୪ଜଣଙ୍କୁ ଶୋଭାଯାତ୍ରାରେ ଅଣା ଯାଉଥିଲା। ଏହି ଶୋଭାଯାତ୍ରା ପାଇଁ ଗୋଟିଏ କିମ୍ବା ଦୁଇଟି ଥାନା ନୁହେଁ, ବରଂ ଲକ୍ଷ୍ମୀସାଗର, ବଡ଼ଗଡ଼, କ୍ୟାପିଟାଲ, ଏୟାରପୋର୍ଟ, ଏୟାରଫିଲ୍ଡ ଏଭଳି ୫ଟି ଥାନାରେ ଏ ନେଇ ୫ଟି ମାମଲା ରୁଜୁ ହୋଇଛି। ମାମଲାରେ ଦୁଇଟି ଥାନା ୧୦ ଜଣଙ୍କୁ ଗିରଫ କରିସାରିଛି। ଗିରଫଙ୍କ ମଧ୍ୟରେ ଜଣେ ହତ୍ୟା ଅଭିଯୁକ୍ତ ରହିଛି। ଅନ୍ୟ ୩ଜଣ ଅଭିଯୁକ୍ତ କୁଆଡ଼େ ଗଲେ? ସେମାନେ ଲୁଚିଛନ୍ତି ନା ଲୁଚାଇ ଦିଆଯାଇଛି? କେଉଁ ନେତାଙ୍କ ଛତ୍ରଛାୟା ତଳେ ଅଛନ୍ତି ନା ପୁଲିସ ତାଙ୍କୁ ନ ପାଇବାର ଅଭିନୟ କରୁଛି? ଏତେ ଘଟଣା ଘଟିବା ପରେ ମଧ୍ୟ ଏତେ ଅନୁକମ୍ପା କାହିଁକି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।

ଏହି ଶୋଭାଯାତ୍ରା ଆୟୋଜନ ପଛରେ ନେତାଙ୍କ ହାତ ରହିଛି। କାର୍ଯ୍ୟାନୁଷ୍ଠାନ ନ ନେବା ପାଇଁ ପୁଲିସ ଉପରେ ଚାପ ପକାଉଛନ୍ତି। ତେବେ କଥା ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ପହଞ୍ଚି ଥିବାରୁ ଉପରୁ ପ୍ରବଳ ଚାପ ରହିଛି। ଏଣୁ ଫେରାର ୩ ଅଭିଯୁକ୍ତଙ୍କୁ ଧରିବା ପାଇଁ ୫ଥାନାର ଅଧିକାରୀମାନେ ଲାଗି ପଡ଼ିଥିବା ଏକ ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି। ସୂଚନାଯୋଗ୍ୟ, ଗତବର୍ଷ ଦୀପାବଳି ରାତିରେ ଏକାମ୍ର କଲେଜ ନିକଟରେ ବିଡିଏ କଲୋନିର ଅମରେଶ ନାୟକଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିଲା। ପୁଲିସର କୋହଳ ଚାର୍ଜସିଟ୍‌ ଯୋଗୁଁ ଗତ ଗୁରୁବାର ହାଇକୋର୍ଟରୁ ୪ଜଣ ଜାମିନ ମିଳିଥିବା ଅଭିଯୋଗ ହୋଇଥିଲା। ଜେଲ୍‌ରୁ ମୁକୁଳିବା ପରେ ସେମାନଙ୍କୁ ଶୋଭାଯାତ୍ରାରେ ନିଆଯାଇଥିଲା। ଏ ସଂପର୍କ‌‌ରେ ଖବର ପ୍ରକାଶ ପାଇବା ପରେ ୫ଟି ଥାନାରେ ମାମଲା ରୁଜୁ କରି ପୁଲିସ ତନାଘନା କରିଥିଲା।

ସମ୍ବନ୍ଧିତ ଖବର