ଭୁବନେଶ୍ୱର : ମୋ ଭାଇ କୁଆଡ଼େ ଗଲା ? ତାକୁ ଗାଁରେ ସବୁ ଅପେକ୍ଷା କରିଛନ୍ତି। ଘର ଲୋକ ସବୁ ଚାହିଁ ବସିଛନ୍ତି। ଭାଇ ଆସିଲେ ଘରକୁ ଆମେ ସବୁ ଆସିବୁ। ସେ ଆମ ପାଇଁ କେତେ କ’ଣ ଆଣିଥିବ....
ଏମିତି କେତେ କଥା କହି ନିଜ ବଡ଼ ଭାଇ ସୀମାଞ୍ଚଳଙ୍କୁ ଝୁରି ହେଉଛନ୍ତି ସାନ ଭଉଣୀ ମଞ୍ଜୁଲତା। ଗତକାଲିର ବିସ୍ଫୋରଣ ପରେ ନିଖୋଜ ଥିବା ସୀମାଞ୍ଚଳଙ୍କୁ ଖୋଜିବା ପାଇଁ ମଞ୍ଜୁଲତା ଭୁବନେଶ୍ବରରେ ପହଞ୍ଚିଛନ୍ତି। ରାଜଭବନ ନିକଟରେ ତାଙ୍କର ଏମିତି କାନ୍ଦବୋବାଳି ହୃଦୟ ବିଦାରକ ଥିଲା। ମଞ୍ଜୁଲତା ଭୁବନେଶ୍ବରର କ୍ୟାପିଟାଲ୍ ହସ୍ପିଟାଲ୍ ଓ ଅନ୍ୟ ଘରୋଇ ହସ୍ପିଟାଲ୍, କଟକର ଏସ୍ସିବି ମେଡିକାଲ କଲେଜରେ ଭାଇଙ୍କୁ ଖୋଜିଥିଲେ। କିନ୍ତୁ ସବୁଠି ନିରାଶ ହୋଇଥିଲେ।
ସୀମାଞ୍ଚଳ ପରିଡ଼ାଙ୍କ ଘର ହେଉଛି ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରସ୍ଥିତ ବାଲିପଦରରେ। ସେ ଆଇଓସିଏଲ୍ ଅନୁବନ୍ଧିତ ସଂସ୍ଥା ‘ସୌରଶକ୍ତି’ ସାଇଟ୍ ଇଞ୍ଜିନିୟର୍ ଭାବେ ୧୦ ବର୍ଷରୁ ଅଧିକ ଦିନ ହେଲା କାମ କରୁଛନ୍ତି। ଏହି ସଂସ୍ଥା ଗତକାଲି ସେଠାରେ ଗ୍ୟାସ୍ ଟାଙ୍କିରେ ରକ୍ଷଣାବେକ୍ଷଣ କାର୍ଯ୍ୟ କରୁଥିଲା ଓ ସୀମାଞ୍ଚଳ ସେସବୁର ତଦାରଖ କରୁଥିଲେ। ଗତକାଲିର ବିସ୍ଫୋରଣ ପରେ ହିଁ ତାଙ୍କର ଖୋଜ ଖବର ମିଳୁନି।
୫ ଭଉଣୀରେ ଗୋଟିଏ ଭାଇ ହେଲେ ସୀମାଞ୍ଚଳ। ଘରର ଏକମାତ୍ର ପୁଅ ହୋଇଥିବାରୁ ତାଙ୍କୁ ଘରର ସମସ୍ତେ ବେଶ୍ ସ୍ନେହ ଶ୍ରଦ୍ଧା କରନ୍ତି। ଗାଁରୁ ଆସୁଥିବା ନାରାୟଣୀ ବସ୍ରେ ପୁଅ ପାଇଁ ଚାଉଳ ପଠାଇଥିଲେ। ସେ ଚାଉଳ ପାଇଲା କି ନାହିଁ ଜାଣିବା ପାଇଁ ଯୋଗାଯୋଗ କଲା ବେଳକୁ ସେ ଫୋନ୍ ଉଠାଇନଥିଲେ। ଅନ୍ୟପଟରେ ଅଘଟଣ ପରଠୁ ସୀମାଞ୍ଚଳଙ୍କ ସହ ପରିବାର ଲୋକଙ୍କର ଯୋଗାଯୋଗ ହୋଇ ନ ଥିବାରୁ ସେମାନେ ପାଗଳ ପ୍ରାୟ ହୋଇଗଲେଣି। ନା ସେ ଚାକିରି କରୁଥିବା ସଂସ୍ଥାର କର୍ତ୍ତୃପକ୍ଷ କିଛି କହିପାରୁଛନ୍ତି ନା ପୁଲିସ୍। ଭାଇକୁ ବାହୁନି ବାହୁନି ଭଉଣୀ ମଞ୍ଜୁଲତାଙ୍କ ଆଖିରୁ ଲୁହ ଶୁଖୁନି।
ଆଜି ପୁଲିସ ପରିବାର ଲୋକଙ୍କୁ ଡାକି ଘଟଣାସ୍ଥଳରୁ ମିଳିଥିବା ଫୋନ୍, ପର୍ସ ଓ ବ୍ୟାଗ୍ ସୀମାଞ୍ଚଳଙ୍କର ବୋଲି ଚିହ୍ନଟ କରିଥିଲା। ଏହା ପରେ ଭଉଣୀ ଆହୁରି ବିକଳ ହୋଇ କାନ୍ଦିଥିଲେ। ଘଟଣାସ୍ଥଳରେ ବିଚ୍ଛୁରିତ ହୋଇ ପଡ଼ିଥିବା ପୁଳା ପୁଳା ମାଂସ ଓ ହାଡ଼ ଦେଖି ସେ ନିଜକୁ ସମ୍ଭାଳିପାରୁ ନ ଥିଲେ। କିନ୍ତୁ ନିଜକୁ ବୁଝାଉଥିଲେ, ମୋ ଭାଇର କିଛି ହୋଇନି। ସେ ଆମ ପାଖକୁ ନିଶ୍ଚିତ ଫେରିବ। ଆମେ ସମସ୍ତେ ମିଶି ଗାଁକୁ ଯିବୁ....।
ଦୀର୍ଘ ୧୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଏ କ୍ଷେତ୍ରରେ କାମ କରୁଥିବା ସୀମାଞ୍ଚଳ କାମ ବେଳେ ସବୁ ପ୍ରକାରର ସାବଧାନତା ଅବଲମ୍ବନ କରନ୍ତି ବୋଲି ପରିବାର ଲୋକେ କହିଛନ୍ତି। ଗତକାଲି ମଧ୍ୟ ବିସ୍ଫୋରଣ ଘଟିବାର କିଛି ସମୟ ପୂର୍ବରୁ ତାଙ୍କ ଉପରିସ୍ଥ ଅଧିକାରୀଙ୍କ ଫୋନ୍ କରିଥିଲେ। ମାତ୍ର ଅନ୍ଲାଇନ କନ୍ଫରେନ୍ସରେ ଥିବାରୁ ସେ ତାଙ୍କ ଫୋନ୍ ଉଠାଇ ନ ଥିଲେ। ଏହାର କିଛି ସମୟ ପରେ ଏଭଳି ଏକ ବଡ଼ ଅଘଟଣ ଘଟିଥିଲା। ସୀମାଞ୍ଚଳଙ୍କ ତିନି ସହଯୋଗୀଙ୍କ ସଂପର୍କରେ ପୁଲିସ କମିସନର୍ ସବିଶେଷ ତଥ୍ୟ ଦେଇଥିଲେ ମଧ୍ୟ ସୀମାଞ୍ଚଳ ନିଖୋଜ ବୋଲି କହିଥିଲେ। ଆଜି ଅପରାହ୍ନରେ ସୀମାଞ୍ଚଳଙ୍କ ଭିଣୋଇ ବସନ୍ତ ଲେଙ୍କା କ୍ୟାପିଟାଲ୍ ଥାନାରେ ନିଖୋଜ ସମ୍ପର୍କରେ ଏତଲା ଦେଲା ପରେ ପୁଲିସ୍ ମାମଲା ରୁଜୁ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/simachal-sister.jpg)