ସଚିବାଳୟ ମାର୍ଗର ଡିଜାଇନ୍ ବଦଳିଥାନ୍ତା
ତିନି ବର୍ଷ ହେଲା କେବଳ ଯୋଜନାରେ ଅଟକିଛି
କରୋନା ପାଇଁ ଯୋଜନା ଅଟକିଛି: ନିର୍ବାହୀ ଯନ୍ତ୍ରୀ
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ୱର : ସଚିବାଳୟ ମାର୍ଗକୁ ନବୀକରଣ କରି ସ୍ମାର୍ଟ ସଚିବାଳୟ ମାର୍ଗ ବା ‘ଅର୍ବାନ୍ ପାର୍କୱେ’ରେ ପରିଣତ କରାଯାଇଥା’ନ୍ତା। ରାଜଧାନୀବାସୀଙ୍କୁ ଏକ ନୂଆ ପ୍ରକାରର ରାସ୍ତା ‘ଅର୍ବାନ୍ ପାର୍କୱେ’ ଭେଟି ଦେବା ପାଇଁ ୩ ବର୍ଷ ତଳେ ଏମିତି ଯୋଜନା କରିଥିଲେ ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ୍ କର୍ତ୍ତୃପକ୍ଷ, ବିଡିଏ ଓ ପୂର୍ତ୍ତ ବିଭାଗ। ତିନିଟି ସରକାରୀ ସଂସ୍ଥା ମିଳିତ ଭାବେ ଏହାର ଡିଜାଇନ୍ କରିଥିଲେ। ବର୍ଷକରେ ପ୍ରକଳ୍ପ ଶେଷ ହେବ ବୋଲି କହିଥିଲେ। କିନ୍ତୁ ଆଜି ଯାଏ ଏ ନେଇ ଇଞ୍ଚଟିଏ ବି କାମ ହେଲାନି।
ସହରୀ ପାର୍କି˚ ବ୍ୟବସ୍ଥା, ସୌନ୍ଦର୍ଯ୍ୟୀକରଣ, ଅତ୍ୟାଧୁନିକ ସୁବିଧା ସୁଯୋଗ ରଖି ଆଚାର୍ଯ୍ୟ ବିହାର ଛକରୁ ବିମାନବନ୍ଦର ଛକ ପର୍ଯ୍ୟନ୍ତ ରାସ୍ତାକୁ ନୂଆ ରୂପ ଦିଆଯାଇଥା’ନ୍ତା। ବିଭିନ୍ନ ସ୍ଥାନରେ ଲ୍ୟାଣ୍ଡସ୍କେପ୍, ପବ୍ଲିକ୍ ପ୍ଲାଜା, ବିଭିନ୍ନ ପ୍ରକାରର ଗଛ ଲାଗିଥା’ନ୍ତା। ଅତ୍ୟାଧୁନିକ ରାସ୍ତା ହୋଇଥା’ନ୍ତା, କିନ୍ତୁ ସ୍ମାର୍ଟ ଜନପଥ ଭଳି ନୁହେଁ।
ଏହି ରାସ୍ତା ବ୍ୟତୀତ ଜନପଥ ଓ ସଚିବାଳୟ ମାର୍ଗକୁ ସ˚ଯୋଗ କରୁଥିବା ଉଦ୍ୟାନ ମାର୍ଗ, ରାଜପଥ, ମହାତ୍ମା ଗାନ୍ଧୀ ମାର୍ଗ, ମଧୁସୂଦନ ମାର୍ଗ, ବାୟାବାବା ମଠ ରାସ୍ତା ସମେତ ସମସ୍ତ ଗଳିକନ୍ଦି ରାସ୍ତାକୁ ମିଶାଇ ମୋଟ୍ ୯.୩ କିମି ରାସ୍ତାକୁ ନୂଆ ରୂପ ଦିଆଯାଇଥା’ନ୍ତା। ଏଥିପାଇଁ ପ୍ରାୟ ୩୦୦କୋଟି ଖର୍ଚ୍ଚ ହେବ ବୋଲି ଆକଳନ ହୋଇଥିଲା। ଏହି ରାସ୍ତା ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ ଅଧୀନରେ ଯାଉ ନଥିବାରୁ ଏହାକୁ ପୂର୍ତ୍ତ ବିଭାଗ କରିବ ବୋଲି ନିଷ୍ପତ୍ତି ହୋଇଥିଲା। ବର୍ଷକ ମଧ୍ୟରେ ଯେପରି କାମ ଶେଷ ହେବ, ସେଥିପାଇଁ ବିଡିଏ ପକ୍ଷରୁ ଭୁବେନଶ୍ବର ଅର୍ବାନ୍ ନଲେଜ୍ ସେଣ୍ଟର ମାଧ୍ୟମରେ ପୂର୍ତ୍ତ ବିଭାଗ ସହାୟତାରେ ଡିଜାଇନ୍ ପ୍ରସ୍ତୁତ ହୋଇଥିଲା। ହେଲେ ବିଡିଏ ଟେଣ୍ଡର୍ ଆହ୍ବାନ କରିବ ବୋଲି ବିଡିଏ କର୍ତ୍ତୃପକ୍ଷ ଡିସେମ୍ବର ୨୬, ୨୦୧୭ ମସିହାରେ କହିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ବିଡିଏ ଉପାଧ୍ୟକ୍ଷ ବାରମ୍ବାର ବଦଳିଲେ। ସ୍ମାର୍ଟ ସିଟି କର୍ତ୍ତୃପକ୍ଷ ବି ବଦଳିଲେ। ପୂର୍ତ୍ତ ସଚିବ ବି ବଦଳିଗଲେ। ଯେଉଁଠି ସ୍ମାର୍ଟ ଜନପଥ ପ୍ରକଳ୍ପ ଅଧପନ୍ତରା ହୋଇପଡ଼ିଛି, ସେଠାରେ ‘ଅର୍ବାନ୍ ପାର୍କୱେ’ କଥା କିଏ ପଚାରୁଛି।
ବିଡିଏର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ଆଚାର୍ଯ୍ୟ ବିହାରରୁ ବିମାନବନ୍ଦର ପର୍ଯ୍ୟନ୍ତ ପ୍ରାୟ ୬ କିମିର ରାସ୍ତା ଥିବା ବେଳେ ଏହି ରାସ୍ତା ସ˚ଲଗ୍ନ ପ୍ରାୟ ୩ କିମି ରାସ୍ତାର ବି ଉନ୍ନତୀକରଣ ହେବ। ସଚିବାଳୟ ମାର୍ଗ ଏବେ ଚାରିଥାକିଆ ଥିବା ବେଳେ ଏହାକୁ ୬ ଥାକିଆ କରାଯିବ। ଏହି ରାସ୍ତାରେ ଜନପଥ ତୁଳନାରେ କମ୍ ବ୍ୟାବସାୟିକ ପ୍ରତିଷ୍ଠାନ ଥିବାରୁ ଏହାର ଢାଞ୍ଚା ଜନପଥଠାରୁ ସାମାନ୍ୟ ଭିନ୍ନ ହେବ। ଏଠାରେ ଅଧିକ ପାର୍କି˚ ବ୍ୟବସ୍ଥା ରହିବନି। ଦୁଇଟି ସ୍ଥାନରେ ପାର୍କି˚ ବ୍ୟବସ୍ଥା ହେବ। ସ୍ମାର୍ଟ ସଚିବାଳୟ ମାର୍ଗରେ ପ୍ରଶସ୍ତ ଓ ଚକାଚକ୍ ରାସ୍ତା, ଆଧୁନିକ ଟ୍ରାଫିକ ସିଗନାଲ୍, ଦୁର୍ଘଟଣାମୁକ୍ତ ଅଞ୍ଚଳ, ଜବରଦଖଲମୁକ୍ତ, ପଥଚାରୀଙ୍କ ପାଇଁ ଫୁଟପାଥ୍, ସ୍ବତନ୍ତ୍ର ସାଇକେଲ୍ ଟ୍ରାକ୍ ଆଦି ରହିବ। ଗୋଟିଏ ସ୍ଥାନରେ ସୁ-ଉଚ୍ଚ ବିଲଡି˚ରେ ବ୍ୟାବସାୟିକ ପ୍ରତିଷ୍ଠାନ ଓ ଆବାସିକ ପ୍ରକଳ୍ପ ରହିବ।
ଏହି ରାସ୍ତାରେ ଅଧିକ ସରକାରୀ କାର୍ଯ୍ୟାଳୟ, ସଚିବାଳୟ, ବିଧାନସଭା ଭଳି ବହୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟାଳୟ, ରବୀନ୍ଦ୍ର ମଣ୍ଡପ, ଉତ୍କଳ ମଣ୍ଡପ, ଜୟଦେବ ଭବନ ଭଳି ସା˚ସ୍କୃତିକ କାର୍ଯ୍ୟକ୍ରମର ପେଣ୍ଠସ୍ଥଳ ଥିବାରୁ ଏହି ରାସ୍ତାର ଡିଜାଇନ୍ ସେହି ଅନୁଯାୟୀ ପ୍ରସ୍ତୁତ ହେବ। ଏଠାରେ ମୁଖ୍ୟତଃ ସୌନ୍ଦର୍ଯ୍ୟୀକରଣକୁ ଗୁରୁତ୍ବ ଦିଆଯିବ।
ସେହିପରି ଆଇଜି ପାର୍କ, ବିଡିଏ ସିଟି ସେଣ୍ଟର, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ଭଳି ଆମୋଦପ୍ରମୋଦ ସ୍ଥାନ ଥିବାରୁ ଏହାକୁ ବିଶେଷ ଧୢାନ ଦିଆଯିବ। ଏହି ରାସ୍ତା ଯେପରି ଅଧିକ ଆକର୍ଷଣୀୟ ହେବ, ସେଥିପାଇଁ ବିଭିନ୍ନ ସ˚ସ୍ଥା ସହ ଆଲୋଚନା କରି ଡିଜାଇନ୍ ପ୍ରସ୍ତୁତ ହୋଇଛି।
‘ଅର୍ବାନ୍ ପାର୍କୱେ’ରେ ଅନ୍ୟ ରାସ୍ତାଗୁଡ଼ିକ ଭଳି ସ୍ବତନ୍ତ୍ର ସାଇକେଲ୍ ଟ୍ରାକ୍ ଓ ଫୁଟପାଥ୍ ରହିବ। ସମସ୍ତ ଫୁଟପାଥ୍ ଜବରଦଖଲମୁକ୍ତ ହେବା ସହ ପ୍ରତି ଫୁଟପାଥ୍ର ଉଚ୍ଚତା ଉପରେ ଗୁରୁତ୍ବ ଦିଆଯିବ। ପ୍ରତ୍ୟେକ ଫୁଟପାଥ୍ କେବଳ ପଥଚାରୀଙ୍କ ପାଇଁ ଉଦ୍ଦିଷ୍ଟ ରହିବ। ସହଜରେ ଯେପରି ଲୋକ ଯାତାୟାତ କରିବେ, ସେଥିପାଇଁ ୬ରୁ ୯ ଇଞ୍ଚ ଉଚ୍ଚତାର ଓସାରିଆ ଫୁଟପାଥ୍ ନିର୍ମାଣ ହେବ। ଯେଉଁଠି ଗଳିକନ୍ଦି ମୁଖ୍ୟରାସ୍ତାକୁ ସ˚ଯୋଗ କରୁଥିବ, ସେଠାରେ ଫୁଟପାଥ୍ ଗଡ଼ାଣିଆ ରହିବ। ସହଜରେ ଜଣେ ଏହା ଉପରେ ଚଢ଼ିପାରିବ ଓ ଓହ୍ଲାଇ ପାରିବା ଭଳି ବ୍ୟବସ୍ଥା ରହିବ। ଏହାବାଦ୍ ଯେପରି କୌଣସି ଦୁର୍ଘଟଣା ନ ଘଟିବ, ସେଥିପାଇଁ ପ୍ରତି ଗଳି ପାଖରେ ହମ୍ପ୍ସ ରଖିବାର ବ୍ୟବସ୍ଥା ରହିବ ବୋଲି ନିଷ୍ପତ୍ତି ହୋଇଥିଲା। ଏହି ଫୁଟପାଥ୍ରେ ମଧ୍ୟ ବାଇସାଇକେଲ୍ ଟ୍ରାକ୍ ରହିବ।
ସେହିପରି ଏହି ରାସ୍ତାରେ ସ୍ମାର୍ଟ ରୋଡ୍ ନେଟ୍ଵାର୍କ ରହିବ। ସବୁ ରାସ୍ତା ପିଲାମାନଙ୍କ ପାଇଁ ଅନୁକୂଳ ହେବ, ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର ସୁବିଧା ସୁଯୋଗ ରହିବ, ଦୃଷ୍ଟିହୀନ ବି ଆରାମରେ ଯାତାୟାତ କରିପାରିବେ, ସେହିଭଳି ପ୍ରସ୍ତୁତ କରାଯିବ ବୋଲି କୁହାଯାଇଥିଲା।
ଏହା ସବୁ ଯୋଜନାରେ ରହିଯାଇଛି। ଡିଜାଇନ୍ ପ୍ରସ୍ତୁତ ହେବା ସତ୍ତ୍ବେ ଟେଣ୍ଡର ଆହ୍ବାନ ହୋଇନି କି କାମ ଆରମ୍ଭ ହେଲାନି। ଏନେଇ ପୂର୍ତ୍ତ ବିଭାଗର ଭୁବନେଶ୍ବର ଡିଭିଜନ୍-୪ ନିର୍ବାହୀ ଯନ୍ତ୍ରୀ ଏସ୍.କେ ନସରୁଲା କହିଛନ୍ତି ଯେ ଆମ ପୂର୍ବରୁ ଯେଉଁ ଡିଜାଇନ୍ ପ୍ରସ୍ତୁତ ହୋଇଥିଲା, ସେହି ଅନୁଯାୟୀ ‘ଅର୍ବାନ୍ ପାର୍କୱେ’ ରାସ୍ତା ନିର୍ମାଣ ହେବ। କରୋନା ପାଇଁ କାମ ଅଟକି ଯାଇଛି। ପ୍ରଥମ ପର୍ଯ୍ୟାୟରେ ହାଉସିଂବୋର୍ଡ ଛକରୁ ଆଚାର୍ଯ୍ୟବିହାର ଛକ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହେବ। ଏନେଇ ଖର୍ଚ୍ଚ ଆକଳନ ହୋଇଛି। ଟେଣ୍ଡର୍ ହୋଇ କାମ ହେବ।
ଏଠାରେ ପ୍ରଶ୍ନ ଉଠୁଛି, ପୂର୍ତ୍ତ ବିଭାଗ କର୍ତ୍ତୃପକ୍ଷ ତିନି ବର୍ଷ ତଳର ଯୋଜନାକୁ ଆଜି ଯାଏ କାହିଁକି କାର୍ଯ୍ୟକାରୀ କରୁନାହାନ୍ତି। କେଉଁ ଅଧିକାରୀଙ୍କ ଅବହେଳାରୁ ଗୋଟିଏ ପ୍ରକଳ୍ପ ୩ ବର୍ଷ ଘୁଞ୍ଚିଲା। ୩ ବର୍ଷ ତଳେ ଯାହାର ଖର୍ଚ୍ଚ ଅଟକଳ ୩୦୦କୋଟି ଥିଲା, ଏବେ ସେହି କାମ ପାଇଁ ଯେଉଁ ଅଧିକ ଅର୍ଥ ଖର୍ଚ୍ଚ ହେବ, ସେଥିପାଇଁ ଦାୟୀ କିଏ?