‌କୋଭିଡ୍‌ ହସ୍ପିଟାଲରୁ ତ୍ରିନାଥ ଗଲେ କୁଆଡ଼େ? ମୃତ ନା ଜୀବିତ କେହି କହିପାରୁ ନାହାନ୍ତି

୧୬ଦିନ ହେଲା ବୁଲୁଛନ୍ତି ପରିବାରଲୋକ, ପୁଲିସ ଚୁପ୍

ଭୁବନେଶ୍ବର : ମେ’ ୧୯ ତାରିଖ ସକାଳେ ରାଜଧାନୀର ଏକ କୋଭିଡ୍ ହସ୍ପିଟାଲ୍‌ରୁ ଜଣେ କରୋନା ଆକ୍ରାନ୍ତଙ୍କ ପରିବାରଲୋକଙ୍କୁ ଫୋନ୍ କରି କୁହାଗଲା, ଆପଣଙ୍କ ବାପା ସୁସ୍ଥ ହୋଇଯାଇଛନ୍ତି, ଡାକ୍ତରଖାନାରୁ ଡିସ୍‌ଚାର୍ଜ କରି ନେଇଯାଆନ୍ତୁ। ବାପାଙ୍କୁ ନେବା ଲାଗି ୬୦ କିମି ଦୂରରୁ ଆକ୍ରାନ୍ତଙ୍କ ପୁଅ ଓ ପରିବାରଲୋକେ ଧାଇଁ ଆସି‌ଲେ। ମାତ୍ର ଡାକ୍ତରଖାନାରେ ପହଞ୍ଚି ଯାହା ଶୁଣି‌ଲେ, ସେମାନଙ୍କ ପାଦ ତଳୁ ମାଟି ଖସିଗଲା। କାଗଜପତ୍ର ଦେଖି ହସ୍ପିଟାଲ କର୍ତ୍ତୃପକ୍ଷ କହିଲେ, ପ୍ରାୟ ମାସେ ହେବ ରୋଗୀଙ୍କ ମୃତ୍ୟୁ ହୋଇସାରିଲାଣି। ହେଲେ ତାଙ୍କ ଶବ କାହିଁ ବୋଲି ପଚାରିବାରୁ କିଛି ଉତ୍ତର ମିଳିଲା ନାହିଁ। ଏହା ପରଠାରୁ ୧୬ ଦିନ ହେଲା ରୋଗୀଙ୍କୁ ଖୋଜି ବୁଲୁଛନ୍ତି ପରିବାରଲୋକ। ସେ ଜୀବିତ ନା ମୃତ, ତାହା କେହି କହି ପାରୁନାହାନ୍ତି।

ପୁରୀ ବାଲିନୋଳିଆ ସାହିର ଏନ୍ ତ୍ରିନାଥ ଗତ ଏପ୍ରିଲ୍ ୧୯ରେ କରୋନା ଆକ୍ରାନ୍ତ ହେବାରୁ ତାଙ୍କୁ ପ୍ରଥମେ ନିକଟସ୍ଥ କଲରା କୋଭିଡ୍ ସେଣ୍ଟର୍‌କୁ ନିଆ ଯାଇଥିଲା। ତେବେ ଉନ୍ନତମାନର ଚିକିତ୍ସା ପାଇଁ ଡାକ୍ତର ତାଙ୍କୁ ଭୁବନେଶ୍ବରର ଏକ କୋଭିଡ୍‌ ଡାକ୍ତରଖାନାକୁ ନେଇଯିବା ପାଇଁ ପରିବାର ଲୋକଙ୍କୁ ପରାମର୍ଶ ଦେଇଥିଲେ। ପରେ ତ୍ରିନାଥଙ୍କୁ ଏହି କୋଭିଡ୍ ଡାକ୍ତରଖାନାରେ ଆଣି ଭର୍ତ୍ତି କରାଗଲା। ତ୍ରିନାଥ କରୋନାରେ ଆକ୍ରାନ୍ତ ଥିବାରୁ କେହି ତାଙ୍କ ପାଖରେ ରହିବେ ନାହିଁ ବୋଲି ଡାକ୍ତରଖାନା ପକ୍ଷରୁ କୁହାଯିବା ପରେ ପରିବାରଲୋକ ବାଧ୍ୟ ହୋଇ ପୁରୀ ଫେରିଗଲେ। ବାପାଙ୍କ ଭଲମନ୍ଦ ବୁଝିବା ପାଇଁ ହସ୍ପିଟାଲ୍ ପକ୍ଷରୁ ଜାରି ହୋଇଥିବା ୩ଟି କୋଭିଡ୍ ଫୋନ୍ ନମ୍ବର ମଧ୍ୟ ସାଙ୍ଗରେ ନେଇଗଲେ। ସବୁ ଦିନ ଉକ୍ତ ନମ୍ବରକୁ ଫୋନ୍ କରି ତ୍ରିନାଥଙ୍କ ପୁଅ ଏନ୍ ଭାସ୍କର ତାଙ୍କ ଭଲମନ୍ଦ ବୁଝୁଥିଲେ। ବାପା ଧୀରେ ଧୀରେ ସୁସ୍ଥ ହେଉଛନ୍ତି, ଆଉ କିଛି ଦିନ ପରେ ଡିସ୍‌ଚାର୍ଜ ହେବେ ବୋଲି ଅଭୟବାଣୀ ଶୁଣାଉଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ। ଶେଷରେ ମେ’ ୧୯ରେ ଭାସ୍କରଙ୍କ ପାଖକୁ ଫୋନ୍ ଆସିଲା, ବାପା ତ୍ରିନାଥ ସୁସ୍ଥ ହୋଇଯାଇଛନ୍ତି। ଡାକ୍ତରଖାନାରୁ ଆସି ନେଇଯାଆନ୍ତୁ।

ସେମାନେ ତୁରନ୍ତ ଏକ ଅଟୋରେ ବାପାଙ୍କୁ ନେଇଯିବାକୁ ହସ୍ପିଟାଲରେ ପହଞ୍ଚିବା ପରେ ହସ୍ପିଟାଲ୍ କର୍ତୃପକ୍ଷ କହିଲେ; ତ୍ରିନାଥଙ୍କର ଗତ ଏପ୍ରିଲ ୨୦ରୁ ମୃତ୍ୟୁ ହୋଇଯାଇଛି। ଏହା ଶୁଣି ଭାସ୍କରଙ୍କ ମୁଣ୍ଡ କାମ କଲାନି। ବାପା କେମିତି ମଲେ? ଯଦି ତାଙ୍କ ମୃତ୍ୟୁ ହୋଇ ସାରିଥିଲା, ମାସେ କାଳ ବାପା ସୁସ୍ଥ ଅଛନ୍ତି ଏବଂ ଖାଇବା ପିଇବା ସବୁ ଠିକ୍ ଚାଲିଛି ବୋଲି ତାଙ୍କୁ କାହିଁକି କୁହାଯାଉଥିଲା? ହସ୍ପିଟାଲ ପକ୍ଷରୁ ଭାସ୍କରଙ୍କ ଏସବୁ ପ୍ରଶ୍ନର କୌଣସି ଉତ୍ତର ମିଳି ନଥିଲା। ଏପରିକି ଯଦି ମୃତ୍ୟୁ ହୋଇଛି, ତେବେ ତାଙ୍କ ବାପାଙ୍କ ଶବ କୁଆଡ଼େ ଗଲା ବୋଲି ପଚାରିବାରୁ ମଧ୍ୟ ହସ୍ପିଟାଲ କର୍ତ୍ତୃପକ୍ଷ ନିରବ ରହିଲେ। ସେବେଠୁ ନିଜ ବାପାଙ୍କୁ ଖୋଜିବୁଲୁଛନ୍ତି ଭାସ୍କର। ସେ ଜୀବିତ ନା ମୃତ ଜାଣିବା ପାଇଁ ଏ ଅଫିସ ସେ ଅଫିସ ବୁଲୁଛନ୍ତି। ମାତ୍ର କେହି କିଛି କହି ପାରୁନାହାନ୍ତି।

ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କଥା ଯଦି ସତ ହୋଇଥାଏ, ତେବେ ତ୍ରିନାଥଙ୍କ ମରିବାକୁ ଇତି ମଧ୍ୟରେ ଦେଢ଼ମାସରୁ ଅଧିକ ଦିନ ବିତିଲାଣି। ହେଲେ ତାଙ୍କ ମୃତ୍ୟୁ ଖବରକୁ ଉଭୟ ବିଏମ୍‌ସି ଓ ହସ୍ପିଟାଲ୍ କର୍ତ୍ତୃପକ୍ଷ ତଥ୍ୟ ଆକାରରେ ଦେଇ ପାରୁନାହାନ୍ତି। ତ୍ରିନାଥଙ୍କ ମୃତ୍ୟୁ ପରେ ତାଙ୍କୁ ଭୁବନେଶ୍ବରର କେଉଁ ଶ୍ମଶାନରେ ଦାହ କରାଗଲା, ତା’ର ମଧ୍ୟ କୌଣସି ତଥ୍ୟ ନାହିଁ।
ନିକଟରେ ଇଣ୍ଟରନ୍ୟାସନାଲ୍ ହ୍ୟୁମାନ୍ ରାଇଟ କମିସନ(ଆଇଏଚ୍‌ଆର୍‌ସି) ନାମକ ଏକ ସଂସ୍ଥା ଏହି ଘଟଣାର ଅଧିକ ଖୋଳତାଡ଼ କରିବା ପରେ ଉଭୟ ହସ୍ପିଟାଲ୍ ଓ ବିଏମ୍‌ସିର ଦାୟିତ୍ବହୀନତା ସମ୍ମୁଖକୁ ଆସିଥିଲା। ଗତ ଏପ୍ରିଲ୍‌ ୧୯ରେ ତ୍ରିନାଥଙ୍କ ଡାକ୍ତରଖାନାରେ ଆଡମିସନ୍ ହେବା ପରେ ତାଙ୍କର ପାଗଳାମି ଆରମ୍ଭ ହୋଇଥିଲା ବୋଲି କୁହାଯାଉଛି। ସେ କୁଆଡ଼େ ଡାକ୍ତରଖାନାରେ ଥିବା ବିଭିନ୍ନ ରୋଗୀଙ୍କ ମୁହଁରୁ ମାସ୍କ୍ ଖୋଲି ଦେଉଥିଲେ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ ଆଇଏଚ୍‌ଆର୍‌ସିର ସଭାପତି ଶିବ ସ୍ବାଇଁଙ୍କୁ ସୂଚନା ଦେଇଛନ୍ତି। ଏହା ପରେ ତ୍ରିନାଥଙ୍କୁ ଡୁମୁଡୁମାସ୍ଥିତ ଏକ କୋଭିଡ୍ ସେଣ୍ଟରକୁ ନିଆଯାଇଥିଲା। ଏହା ପରେ ଡୁମୁଡୁମାରେ ତ୍ରିନାଥଙ୍କର ୨୦ଏପ୍ରିଲ୍‌ରେ ମୃତ୍ୟୁ ଘଟିଥିଲା। ମୃତ୍ୟୁ ହେବା ପରେ ତାଙ୍କୁ ୨୧ ଏପ୍ରିଲ୍‌ରେ ସତ୍ୟନଗର ଶ୍ମଶାନରେ ଦାହ କରାଯାଇଛି। ଖାଲି ମୌଖିକ ଭାବେ ଉଭୟ ହସ୍ପିଟାଲ୍, କ୍ୟାପିଟାଲ୍ ଫାଣ୍ଡି ଓ ସତ୍ୟନଗର ଶ୍ମଶାନ କର୍ମଚାରୀ ଏକଥା କହୁଥିଲେ ହେଁ ଲିଖିତ ଆକାରରେ କୌଣସି ତଥ୍ୟ ଦେଉନାହାନ୍ତି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ତ୍ରିନାଥ ଉକ୍ତ ଘରୋଇ କୋଭିଡ୍ ହସ୍ପିଟାଲ୍‌ରୁ ଡୁୁମୁଡୁମା କୋଭିଡ୍ ସେଣ୍ଟର୍‌କୁ ଯିବାର କୌଣସି ତଥ୍ୟ ହସ୍ପିଟାଲ ନିକଟରେ ନାହିଁ। ଏପରିକି ତ୍ରିନାଥଙ୍କର ଗୋଟିଏ କୋଭିଡ୍ ହସ୍ପିଟାଲ୍‌ରୁ ଆଉ ଏକ କୋଭିଡ୍ ହସ୍ପିଟାଲ୍‌କୁ ହସ୍ତାନ୍ତର କରାଯାଇଥିଲେ ହେଁ ଏନେଇ ପରିବାରଲୋକଙ୍କୁ ଅବଗତ କରାଯାଇନାହିଁ। ସେହିଭଳି ତ୍ରିନାଥ ଡୁମୁଡୁମା ଯିବା ପରେ ସେଠାରେ କାହିଁକି ତାଙ୍କର ନାଁ କୋଭିଡ୍ ରେଜିଷ୍ଟର୍‌ରେ ଚଢ଼ାଗଲା ନାହିଁ, ତା’କୁ ନେଇ ଦ୍ବନ୍ଦ୍ବ ସୃ୍ଷ୍ଟି ହେଉଛି। ମୃତ୍ୟୁ ପରେ ତ୍ରିନାଥ କେଉଁ ଗାଡ଼ିରେ ସତ୍ୟନଗର ଶ୍ମଶାନ ଗଲେ ସେଠାରେ ମଧ୍ୟ କୌଣସି ତଥ୍ୟ ନାହିଁ। ଏପରିକି ତ୍ରିନାଥଙ୍କ ଶବଦାହ ହୋଇଛି ନା ନାହିଁ, ତା’ର କୌଣସି ପ୍ରମାଣ ନାହିଁ। ପରିବାରଲୋକେ ଗତ ମେ’ ୨୨ରୁ ଭରତପୁର ଥାନାରେ ଏତଲା ଦେଇଥିଲେ ହେଁ ତଦନ୍ତ ପ୍ରକ୍ରିୟାରେ କୌଣସି ତ୍ବରାନ୍ବିତ ହୋଇନଥିବା ପରିବାରଲୋକ ଅଭିଯୋଗ କରିଛନ୍ତି। ମାମଲାର ତଦନ୍ତାକାରୀ ଅଧିକାରୀ ଛୁଟିରେ ଅଛନ୍ତି। ଥାନାର ଆଇଆଇସି ୫ଦିନ ହେଲା ନୂଆ କରି ଦାୟିତ୍ବ ଗ୍ରହଣ କରିଛନ୍ତି। ତେଣୁ ଏଯାଏ ଏଭଳି ଏକ ସମ୍ବେଦନଶୀଳ ମାମଲାର ତଦନ୍ତ ମଧ୍ୟ ଆରମ୍ଭ ହୋଇନାହିଁ। ତ୍ରିନାଥ ମୃତ ନା ଜୀବିତ, ଏହାକୁ ନେଇ ଦ୍ବନ୍ଦ୍ବ ଲାଗି ରହିଥିବା ବେଳେ ତାଙ୍କ ପତ୍ନୀ ଏନ୍‌ ପାର୍ବତୀ ୫ ଦିନ ପରେ ସାବିତ୍ରୀ ବ୍ରତ କରିବେ ବୋଲି ବାଟ ଚାହିଁ ବସିଛନ୍ତି।

ସମ୍ବନ୍ଧିତ ଖବର